ପ୍ରବନ୍ଧ – ଆତ୍ମନାଶୀ ଆଭିମୁଖ୍ୟ ଏକ ସାମାଜିକ ବ୍ୟତିକ୍ରମ – ଡକ୍ଟର ଲକ୍ଷ୍ମଣ ସାହୁ

ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଏକ ଶ୍ରେଷ୍ଠପ୍ରାଣୀ ଭାବରେ ଚିହ୍ନିତ । ଭଗବାନଙ୍କର ସେ ଅମୃତର ସନ୍ତାନ । କୋଟି ଜନ୍ମର ପୁଣ୍ୟଫଳ, ତପସ୍ୟା ବଳରେ ସେ ଏଭଳି ଏକ ଦୁର୍ଲ୍ଲଭ ଜନ୍ମଟିଏ ପାଏ, ସମାଜରେ ନିଜକୁ ପ୍ରତିଷ୍ଠା କରେ । ଏପରି କୁହାଯାଇଛି ଏହି ମାନବ ଜନ୍ମ ପାଇବା ପାଇଁ ଦେବତା ମଧ୍ୟ ମର୍ତ୍ତ୍ୟ ଭୂମିକୁ ଓହ୍ଲାଇ ଆସନ୍ତି । ଭଗବାନଙ୍କ ଅମୃତର ସନ୍ତାନ ଏଭଳି ଦୁର୍ଲ୍ଲଭ ଜନ୍ମର ସାର୍ଥକତା ଲାଭକରେ ଯେତେବେଳେ ସେ’ ତାର କର୍ମଦ୍ୱାରା ଜନହିତରେ ନିଜକୁ ଉତ୍ସର୍ଗକରି ଦ୍ୱିତୀୟ ଭଗବାନ ପାଲଟି ଯାଏ । ସମାଜ ତାର କର୍ମଭୂମି, ସମାଜକୁ ବାଦ୍ ଦେଇ ସେ କେବେ ରହିପାରେ ନାହିଁ । ତେଣୁ ସେ’ ଏକ ସାମାଜିକ ପ୍ରାଣୀ । ଆରିଷ୍ଟଟଲଙ୍କ ମତରେ -“ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଯିଏ ସମାଜରେ ବାସ କରିବାକୁ ଅସମର୍ଥ ହୋଇପାରେ ସେ ଈଶ୍ୱର ବା ଇତର ।” ଜୀବନକୁ ସରସ ସୁନ୍ଦର କରିବା ପାଇଁ, ଇପ୍ସିତ ଆଶା, ଆକାଂଙକ୍ଷା, ଅଭିଳାଷ, ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ସେ ସମାଜରେ ରହି ସମୂହର ସାହାଯ୍ୟ ନେଇଥାଏ, ଏହି ଦୃଷ୍ଟିରୁ ମଣିଷ ସମାଜପ୍ରିୟ । ତା’ପ୍ରିୟ ଆପଣାର ମଣିଷ ପାଖରେ ଜ୍ଞାତି, କୁଟୁମ୍ବ, ପରିବାର, ପିତା, ମାତା, ଭାଇ, ଭଉଣୀ, ଜେଜେ, ଜେଜେମା, ରକ୍ତ ସଂପର୍କୀୟ ଅଜା, ଆଈ, ମାମୁ, ମାଈଁ, ମଉସା, ମାଉସୀ ପ୍ରଭୃତିଙ୍କ ପାଖରେ ଥାଇ ନିଜକୁ ଧନ୍ୟ ମନେକରେ ।

ଏତେ ବଡ ସୁନ୍ଦର ଉପଭୋଗ୍ୟ ପୂର୍ଣ୍ଣ ପୃଥିବୀରେ ମଣିଷ ଜୀବନପ୍ରତି କାହିଁକି ବିତସ୍ପୃହ ହୋଇଉଠେ , ଜୀବନପ୍ରତି ଉଦାସ ରହେ, ନିଜପ୍ରତି ବିଶ୍ୱାସ ହରାଇ ବସେ ? ନିଜକୁ ଭଲ ପାଉଥିବା ମଣିଷ ଆତ୍ମହତ୍ୟା କରି ନିଜକୁ ପରିବାର, ଜ୍ଞାତି, କୁଟୁମ୍ବ, ଆତ୍ମିୟ, ସୋଦର ଓ ସମାଜ ଠାରୁ ନିଜକୁ ଦୂରେଇ ଦିଏ । ନିତିଦିନ ଖବର କାଗଜ ପୃଷ୍ଠାରେ ଆଖି ପକାଇଲେ ଦେଖାଯାଏ କେଉଁଠି ନା କେଉଁଠି ଆତ୍ମହତ୍ୟା ଜନିତ ଅପମୁତ୍ୟୁ ସମ୍ବାଦ । ଖାଲି ସାଧାରଣ ଅଶିକ୍ଷିତ ପାଗଳ ଅଭାବି ମଣିଷର ଆତ୍ମହତ୍ୟା ନୁହେଁ, ବରଂ ସଭ୍ୟ ଉଂଚ୍ଚ ଶିକ୍ଷିତ, ଉଂଚ୍ଚ ଡିଗ୍ରୀଧାରୀ, ସମାଜର ସମ୍ମାନସ୍ପଦ, ଉଂଚ୍ଚ ପଦସ୍ଥ କ୍ଷମତାଶାଳୀ, ବିତ୍ତଶାଳୀ, କୋଟିପତି, ଏପରିକି ସମାଜ ଯାହାଙ୍କୁ ଆର୍ଦଶ ଭାବେ ଗ୍ରହଣ କରୁଥିବା ମହାମହିମ ଶେଷରେ ଆତ୍ମହତ୍ୟା କରିବାର ନଜିର ଅଛି । ଦେଖାଦେଉଛି ଏକ୍ଷେତ୍ରର କ୍ଷମତାଶାଳୀ ମନ୍ତ୍ରୀ, ବିଧାୟକ, ସାସଂଦ, ଅମଲାତନ୍ତ୍ର, ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା, ଅଭିନେତ୍ରୀ, ଆଇଏସ, ଆଇପିଏସ, ଡାକ୍ତର, ଯନ୍ତ୍ରୀ, ଅଧ୍ୟାପକ, ପ୍ରାଧ୍ୟାପକ ଠାରୁ ଛାତ୍ର, ଛାତ୍ରୀ ନିରିହ ମଣିଷର ଆତ୍ମହତ୍ୟା । ସବୁ ଆତ୍ମହତ୍ୟାକୁ ସବୁ ଆତ୍ମହତ୍ୟାକୁ ଆତ୍ମହତ୍ୟା କୁହାଯାଇ ନପାରେ । ଅନେକ ସମୟରେ କେତେକ କ୍ଷମତାଶାଳୀ କ୍ଷମତା ଲୋଭରେ, କେତେକ ସମ୍ମାନହାନି ଭୟରେ ହେଉଅବା ଅର୍ଥ ଲୋଭରେ ପଡି କିମ୍ବା ଅନ୍ୟ କେତେକ କାରଣ ନେଇ କୌଶଳରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇ ଏପରିକି ଖସି ଯିବାରେ ସଫଳ ହୁଅନ୍ତି । ଆତ୍ମହତ୍ୟାରେ ବେଳେବେଳେ ପରିବାର, ଆତ୍ମିୟ, ସତୀର୍ଥ ସହକର୍ମୀ, ଅମଲାତନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା, ରାଜନେତା ପର୍ଯ୍ୟନ୍ତ ପ୍ରତ୍ୟକ୍ଷଭାବେ ହେଉଅବା ପରୋକ୍ଷରେ ହାତଥାଏ । ଅସାଧ୍ୟ ବ୍ୟାଧି, ରୋଗାକ୍ଳାନ୍ତ ଶରୀର, କାର୍ଯ୍ୟରେ ବିଫଳତା, ଋଣଗ୍ରସ୍ତ, ବ୍ୟବସାୟର ଅବନ୍ନତି ଦେଖାଦେଲେ, ଠାକାମିର ଶିକାର ହେଲେ, ପରିକ୍ଷାରେ ଅକୃତ କାର୍ଯ୍ୟ, ପ୍ରେମରେ ବିଫଳତା ଆଦିକୁ ସମାଜ ଆଗରେ କେତେକ ସାମ୍ନା କରିନପାରି ଏଭଳି ଘୃଣ୍ୟ କଳଙ୍କିତ ପନ୍ଥାକୁ ଆବୋରି ନିଅନ୍ତି । ଦୁର୍ଲ୍ଲଭ ଜୀବନକୁ ବୁଝି ନପାରି ନଷ୍ଟ କରିପକାନ୍ତି ।

ସମାଜଶାସ୍ତ୍ରବିତ୍ ଓ ଚିତାଶୀଳ ବ୍ୟକ୍ତିମାନେ ଏସଂପର୍କରେ ସେମାନଙ୍କ ମତ ପ୍ରକଟ କରିଯାଇଛନ୍ତି । ସମାଜରେ ଦେଖା ଦେଉଥିବା ସାମାଜିକ ଅବସ୍ଥା, ଘଟଣା, ସମସ୍ୟା, କାରଣ ଓ ଫଳାଫଳକୁ ପରିକ୍ଷା ନିରୀକ୍ଷା ବହୁବାର କରିଛନ୍ତି । ବିପଥଗାମୀ ମଣିଷର ଅବସ୍ଥା ଓ ସାମାଜିକ କାରଣ ଗୁଡିକ କିଭଳି ଭାବେ ମଣିଷକୁ ବିପଥଗାମୀ କରାଇପାରେ ତାହା ବିଚାର୍ଯ୍ୟ । ବ୍ୟକ୍ତି ବିଘଟନର ପରିଣାମ ଏତେ ଭୟାବହ ରୂପନିଏ, ଫଳତଃ ବ୍ୟକ୍ତି ଆତ୍ମହତ୍ୟା ମାଧ୍ୟମରେ ସମାଜଠାରୁ ନିଜକୁ ଦୂରେଇ ଦିଏ । ଏହା କେବେ ବି ଥରେ ମଣିଷର ବ୍ୟକ୍ତିଗତ କାରଣକୁ ନେଇ ଘଟିନଥାଏ, ଘଟିଥାଏ କିଛି ସାମାଜିକ ବ୍ୟାଧି ଓ କିଛି ସାମାଜିକ କାରକ ତଥା ବ୍ୟକ୍ତି ଓ ସମାଜରର ଅସାମନତା ବିଘଟନକୁ ନେଇ ।

ସମାଜ ଓ ପରିବାର ଆତ୍ମିୟମାନଙ୍କୁ ଦୂରେଇ ଆତ୍ମହତ୍ୟା କରିବାର ମନସ୍ତାତ୍ତ୍ୱିକ କାରଣ ଗୁଡିକ ବିଶ୍ଳେଷଣ କଲେ ଜଣାଯାଏ, ଏହା ମଧ୍ୟ ବଂଶଗତ ପାଗଳାମି ବି ହୋଇଥାଏ, ବେଳେବେଳେ ଏହି ପାଗଳାମି ଗୋଟିଏ ପରିବାରରେ ଘଟିଥାଏ । ଅର୍ଥର ଅଭାବରେ ହେଉ ଅବା ଅସୁଖପ୍ରେମ ବା ଅନ୍ୟାନ୍ୟ ବ୍ୟକ୍ତିଗତ ଉଦ୍ଦେଶ୍ୟ ପ୍ରଣୋଦିତ କାରଣକୁ ନେଇ । ଅନେକ ଆତ୍ମହତ୍ୟା ମଧ୍ୟ ସାମାଜିକ ସଂହତିର ଅଧୋପତନରୁ ଘଟିଥାଏ । ଏହା ପ୍ରତ୍ୟକ୍ଷ ଭାବେ ହେଉ ଅବା ପରୋକ୍ଷ ଅବସ୍ଥା ଦ୍ୱାରା ହେଉ ଉତ୍ପୀଡିତ ବ୍ୟକ୍ତି ସକାରାତ୍ମକ କିମ୍ବା ନକାରାତ୍ମକ କାର୍ଯ୍ୟକଳାପରୁ ମୃତ୍ୟୁଜନିତ ଘଟଣାର ପରିମାଣ କ’ଣ ହେବ କେବଳ ସେହି ବ୍ୟକ୍ତିହିଁ ଜାଣେ । କାରଣ ନିର୍ଣ୍ଣୟ ସେହିଁ କରେ । ସମାଜଶାସ୍ତ୍ରବିଦ୍ ଇମାଇଲ ଦୁର୍ଖିମ୍ ଏସଂପର୍କରେ କୁହନ୍ତି- “Suicide as every case of death resulting directly or indirectly from a positive or negative act performed by the victim himself, which he knows will produce the result .”

ତେଣୁ ମୁତ୍ୟୁ ପରୋକ୍ଷଭାବରେ ବ୍ୟକ୍ତି ନିକଟକୁ ଏହା ଆତ୍ମହତ୍ୟା ରୂପେ ଆସିଯାଏ । ଯେଉଁ ବ୍ୟକ୍ତିମାନେ ବିଶେଷକରି ନକାରାତ୍ମକ ସାମାଜିକ ଚାପରେ ଚାପିରହି ଶେଷରେ ସମାଜଠାରୁ ଦୂରେଇ ଯିବାପାଇଁ ଆତ୍ମହତ୍ୟା କରିଥାନ୍ତି । ନିଜକୁ ନିଜେ ଗୁଳି କରି, ବେକରେ ଫାଶ ଦେଇ, ବିଷପାନ କରି, କିରୋସିନି ବା ପେଟ୍ରୋଲ୍ ମାଧ୍ୟମରେ ଆତ୍ମହୁତି ଦେଇ ବା ଉପାବାସ ରହିରହି ଆତ୍ମହତ୍ୟା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ । ସାଧରଣତଃ କହିବାକୁ ଗଲେ ଏପ୍ରକାର ଆତ୍ମହତ୍ୟା ଏକ ସାମାଜିକ ପ୍ରବାହମାନ ଧାରା, ଯାହାକି ଏହାର ଉତ୍ପତ୍ତି ସାମାଜିକ ଅବସ୍ଥାରୁ ଆରମ୍ଭ ହୋଇଥାଏ । ମୁଖ ଲଜ୍ଜା, ଅପମାନ, ଉପହାସ, ଟାପରା, ଘୃଣା, ନାସିକାଭୂକଞ୍ଜନ, ନାକଟେକିବା, କଥାଛଳରେ ଦେଖାଇକରି କହିବା, ଅପଦାର୍ଥ, ଅଯୋଗ୍ୟ, କୁଳଙ୍କାର, ଘରର ଗ୍ରହ, କାଳ, କୁଲକ୍ଷ୍ମୀ ଆଦି ନାନା କୁଭାଷା ଗାଳି କରି ବା ଉସୁକାଇ ବ୍ୟକ୍ତିକୁ ବାଧ୍ୟ କରେ ଏଭଳି ଏକ ଭୟାବହ ପଦକ୍ଷେପ ନେବାକୁ, ଯାହାକୁ ଆତ୍ମହତ୍ୟା ବୋଲି ଅଭିହିତ କରାଯାଏ । ବ୍ୟକ୍ତି ଏସବୁର ଅସହ୍ୟରେ ନିଜକୁ ନିୟନ୍ତ୍ରଣ କରିପାରି ନଥାଏ । ଶେଷରେ ନିଜ ଜୀବନକୁ ନିରର୍ଥକ ମନେକରି ଆତ୍ମହତ୍ୟା କରିବାକୁ ଭାବପ୍ରବଣ ହୋଇ ପଡେ ଓ ଏଭଳି ଘୃଣ୍ୟ କାର୍ଯ୍ୟକୁ ଆବୋରି ନିଏ । ନିଜ ନିୟନ୍ତ୍ରଣର ଅଭାବ ବ୍ୟକ୍ତି ଆତ୍ମହତ୍ୟାର ମୁଖ୍ୟ କାରଣ ପାଲଟେ । କେତେକଙ୍କ ପାଇ ଏହା କେବଳ ଅହଂକାରବୋଧ ବା ଅହଂବାଦୀ ଆତ୍ମହତ୍ୟା ହୋଇଥାଏ ।

ବ୍ୟକ୍ତି ଯେତେବେଳେ କୌଣସି କାରଣକୁ ନେଇ ସମାଜରୁ ଦୂରେଇ ନିଜକୁ ବଡ ଅସହାୟ ମନେକରେ, ନିଜର ଅବସ୍ଥିତି ମୂଲ୍ୟହୀନ ବୋଲି ଅନୁଭବ କରେ, ସମାଜରେ ନିଜକୁ ପରିଚିତ କରିପାରେ ନାହିଁ କି ସମାଜ ସହ ପାଦମିଳେଇ ପକାଇ ପାରେନା, ସାମୂହିକ ଠାରୁ ଦୂରେଇ ବିଫଳ ହୁଏ, ଫଳତଃ ହିତାହିତ ଜ୍ଞାନକୁ ଭୂଲି ନିଜ ଅହଂର ବଶୀଭୂତ ହୋଇ ଆତ୍ମହତ୍ୟା କରେ । ଏଭଳି ଆତ୍ମହତ୍ୟା ବିଶେଷକରି ସାଧାରଣ ମଧ୍ୟମ କ୍ଷୁଦ୍ର ପରିବାର, ଅବିବାହିତ, ଛାଡପତ୍ର ଦେଇଥିବା ବ୍ୟକ୍ତି, ବିଧବା ନାରୀ, କୁଳକିନାରା ନଥିବା ଅସହାୟ ମାନଙ୍କ କ୍ଷେତ୍ରରେ ଅଧିକ ଘଟେ । କିଛି ନଥାଇ ନିଜର ଅହଂକାର ଓ ଅତ୍ୟାଧିକ ଜିଦ୍ ଖୋର ମନୋବୃର୍ତ୍ତି, ନିଃସଙ୍ଗତା ଆତ୍ମହତ୍ୟା ଆଡକୁ ଟାଣିନିଏ ।

ଅବଶ୍ୟ କେତେକ କ୍ଷେତ୍ରରେ ଦେଖା ଦେଇଛି, ଆତ୍ମହତ୍ୟା ଏକପ୍ରକାର ଜୀବନ ଉତ୍ସର୍ଗ ଅଟେ । ବ୍ୟକ୍ତି ଆତ୍ମବଳି ଦେଇ ଅନ୍ୟମାନଙ୍କ ସୁବିଧା, ସମ୍ମାନ, ସୁପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ । ପରିବାରର ହେଉ ଅବା ସମାଜର କଲ୍ୟାଣ ପାଇଁ ନିଜକୁ ତ୍ୟାଗକରେ । ସମାଜ ବା ପରିବାର ପ୍ରତି ଅହେତୁକ ଅନୁରକ୍ତି ଫଳରେ ନିଜକୁ ନିରର୍ଥକ ମଣି ଏଭଳି କାର୍ଯ୍ୟ କରିବାକୁ ଥରେ କୁଣ୍ଠାବୋଧ ବା ଲେଶ ମାତ୍ରେ ସଂକୋଚ କରେନାହିଁ । ଏହି ଭାବପ୍ରବଣତା ବିଶେଷ କରି ହିନ୍ଦୁନାରୀ ମୃତ୍ୟୁ ସ୍ୱାମିର ଚିତାନଳରେ ଆତ୍ମବିସର୍ଜନ କରି ସତୀ ହେବା, ନିଜ ମାତୃଭୂମିର ସେବା ପାଇଁ ହେଉ ଅବା ଶତୃ କବଳରୁ ଦେଶକୁ ରକ୍ଷା କରିବା ଲାଗି ଆତ୍ମବଳୀ ଦେବା, ମାନବ ପ୍ରସ୍ତୁତ ମାନବ ବୋମାର ପ୍ରୟୋଗ କରି ନିଜକୁ ଧ୍ୱଂସ କରିବା, ଦେଶ ପ୍ରୀତିର ପ୍ରେମରେ ପଡି ନିଜକୁ ସମର୍ପିତ କରିବାକୁ ଆତ୍ମହତ୍ୟା କୁହାନଯାଇ ପାରେ ସତ, ଯଶ ଓ ଖ୍ୟାତି ପାଇଁ ଏଭଳି ଆତ୍ମହତ୍ୟା, ଆତ୍ମତ୍ୟାଗକୁ ପରାର୍ଥବାଦୀ ଆତ୍ମହତ୍ୟା କୁହାଯାଇ ଥାଏ । ବାଜିରାଉତ ଓ ଧରମାର ଜୀବନ ଉତ୍ସର୍ଗକୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ ।

ସାମାଜିକ ଭାରସାମ୍ୟର ଅଧଃପତନରୁ ବ୍ୟକ୍ତି ଆତ୍ମହତ୍ୟା କରେ । କାରଣ ସାମାଜିକ ନିୟନ୍ତ୍ରଣରେ ବାଧା ସୃଷ୍ଟିକରି ବ୍ୟକ୍ତିଳ ଚିତ୍ତବୃତ୍ତିର ଅସ୍ଥିରତା ଆସିଥାଏ ଫଳତଃ ନିଜ ନିୟନ୍ତ୍ରଣରେ ସେ କେବେ ରହିପାରି ନଥାଏ, ଆତ୍ମସଂଯମ ହରାଇ ଆତ୍ମହତ୍ୟା କରେ । ଆକସ୍ମିକ ବିପତ୍ତି, ଅର୍ଥାତ୍ କୃଷି ଋଣଗ୍ରସ୍ତ ବ୍ୟକ୍ତି ହଠାତ୍ ଫସଲ ହାନି ଦେଖି, ଋଣକରି କନ୍ୟାର ବିବାହ ଲାଗି ସାଇତି ରଖିଥିବା ଅର୍ଥ ଚୋରି ହୋଇଯିବା ଭଳି, ଦାରିଦ୍ର୍ୟ ସିମାରେଖା ତଳେ ବଞ୍ଚୁଥିବା ବ୍ୟକ୍ତିମାନେ ଉପାୟଶୂନ୍ୟ ହୋଇ ଅନ୍ୟ ପନ୍ଥା କିଛି ଖୋଜି ନପାରି ଆତ୍ମହତ୍ୟାର ଶେଷ ଆଶ୍ରୟ ନିଅନ୍ତି । ଏହି ଦାରିଦ୍ର୍ୟ ପଣ ଯୋଗୁ ଦେଖାଦେଇଛି ବେଳେବେଳେ ଗୋଟିଏ ପରିବାରରେ ଖାଦ୍ୟାଭାବ ଯୋଗୁ ପେଟର ଦାଉ ସମ୍ଭାଳି ନପାରି ମା’ ତା’ସନ୍ତାନ ସହ ଆତ୍ମହତ୍ୟା କରେ । ବେଳେବେଳେ ବୈବାହିକ ନିୟନ୍ତ୍ରଣରେ ବ୍ୟତିକ୍ରମ ଘଟିଲେ, ଯୌତୁକ ଜନିତ ଆତ୍ମହତ୍ୟା କନ୍ୟା କରିବସେ, ନିଜପିତାଙ୍କ ଦେବାର ଅସମର୍ଥ ହେତୁ ହେଉ ଅବା ସଭ୍ୟବୋଲାଉଥିବା ମଣିଷର ମାତ୍ରାଧିକ ଗଞ୍ଜଣା ସହିନପାରି ବୋହୂଟି ଆତ୍ମହତ୍ୟା କରେ ବା ତାକୁ ମାରି ନୃଶଂଷ ସ୍ୱାମି ଶଶୁର ଆତ୍ମହତ୍ୟାର ରୂପ ଦିଅନ୍ତି । ମଦପ୍ୟ ମାନେ, ଅର୍ଥଲୋଭି ନରପିଶାଚ ମାନେ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଖାନ୍ତି । ଭାଇଭାଇ ମଧ୍ୟରେ, ବନ୍ଧୁ ବନ୍ଧୁ ମଧ୍ୟରେ, ବ୍ୟବସାୟ ମଧ୍ୟରେ ଅର୍ଥର ଦେଣନେଣ ଲାଗି ହେଉ ଅବା ଧନସଂପତ୍ତିର ଲୋଭରେ ପଡି ସୁଯୋଗ ଦେଖି ହତ୍ୟାକରି ଆତ୍ମହତ୍ୟାର ସୁକଳ୍ପିତ କଥା କହି ଜନମାନସରେ ଅନେକ ବିଭ୍ରାନ୍ତି ସୃଷ୍ଟିକରି ଖସିଯାନ୍ତି, ଯାହା ଜନସମାଜରେ ତାହା ଏକ କଳଙ୍କିତ ଆତ୍ମହତ୍ୟାବୋଲି ଚିରଦିନ ରହିଯାଏ । ତେଣୁ ସବୁ ଆତ୍ମହତ୍ୟା, ଆତ୍ମହତ୍ୟା ନୁହେଁ । ବେଳେବେଳ ଏହାକୁ ଆତ୍ମହତ୍ୟାର ରୂପଦେଇ ଅସଲ ଦୋଷୀମାନେ ଖସିଯାନ୍ତି । ତଦନ୍ତ ମଧ୍ୟ ନିରପେକ୍ଷ ହୋଇପାରେନା । ଯେଭଳି ପ୍ରତାରିତ ପ୍ରେମିକାର ଆତ୍ମହତ୍ୟା, ପିତାମାତାଙ୍କ ସ୍ୱୀକୃତି ନପାଇ ଉଭୟ ପ୍ରେମିକ ପ୍ରେମିକାଙ୍କ ଆତ୍ମହତ୍ୟା ବା ହତ୍ୟା, ଅନେକ ଆତ୍ମହତ୍ୟାର ଅପମୃତ୍ୟୁ ପୋଲିସ ପାଖରେ ପହଞ୍ଚି ପାରେନାହିଁ ବା ଜାଣିଶୁଣି ଅବହେଳା କରାଯାଏ । କେତେକ ଅର୍ଥାଭାବରୁ ଅବା ସମାଜ ଆଖିରୁ ନିଜକୁ ବଞ୍ଚେଇବାକୁ ଯାଇ ନିରବ ରହନ୍ତି, ନୋହିଲେ ଆତ୍ମହତ୍ୟା କରିପକାନ୍ତି । ଅନ୍ୟ ଉପରେ ଆଶ୍ରା କରୁଥିବା ମଣିଷ, ଆଶାହୀନ ଭାବେ ବଞ୍ଚିବା ଅପେକ୍ଷା, ନିଷ୍ପେସିତ ଲାଞ୍ଚିତ ଜୀବନ ଧାରଣ କରିବା ଅପେକ୍ଷା, ଅକର୍ମଣ୍ୟ ଏହି ଦୃର୍ବଳମନା ମଣିଷ ମୃତ୍ୟୁକୁ ଶ୍ରେୟମଣି ଆତ୍ମହତ୍ୟା କରିଥାଏ । କାହା ଉପରେ ଆଶ୍ରୟକରି ଯନ୍ତ୍ରଣା ଜର୍ଜରିତ କଷ୍ଟପାଇ ବଞ୍ଚିରହିବାକୁ ଚାହାଁନ୍ତି ନାହିଁ । ଆତ୍ମହତ୍ୟାକୁ ସେମାନଙ୍କର ଶେଷ ସମାନ୍ଧନ ଶାନ୍ତିର ଆଶ୍ରୟସ୍ଥଳ ଭାବେ ବାଛିନିଅନ୍ତି ।

ଆତ୍ମହତ୍ୟାର କାରଣ ଖୋଜି ଜନସଚେତନାର ଆବଶ୍ୟକ ରହିଛି । ପରିବାରଠାରୁ ଆରମ୍ଭ କରି ଶିକ୍ଷାୟତନ ତଥା ବିଭିନ୍ନ ସ୍ୱଚ୍ଛାସେବି ଅନୁଷ୍ଠାନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଉଚିତ । ଆତ୍ମହତ୍ୟାଯେ ଏକ ମହାପାପ, ଭଗବାନଙ୍କ ଜୀବନଦାନପ୍ରତି, କାହାର ଜୀବନ ନେବା ବା ହାରିବାର ଅଧିକାର ନାହିଁ , ଜୀବନ କେବେ ପଳାୟନପନ୍ଥି ନୁହେଁ, ତାକୁ ସାମ୍ନା କରିବାର ସାହସ କରିବା ଯଥାର୍ଥ, ପ୍ରକୃତ ଜୀବନ, ଜନ୍ମର ସାର୍ଥକତା । ଏ’ସୁନ୍ଦର ପୃଥିବୀରେ ଅମୃତ ସନ୍ତାନ ପାଲଟିଥିବା ହେ ମଣିଷ ମାନେ ଆତ୍ମହତ୍ୟାରୁ ନିବୃତ୍ତ ହୁଅ, ଭଗବାନଙ୍କ ଶ୍ରେଷ୍ଠ ଉପହାର ଏ ଦୁର୍ଲ୍ଲଭ ଜୀବନକୁ ଥରେ ବୁଝିବା ପୂର୍ବରୁ ତାକୁ ହାରିଦିଅନାହିଁ, ମାରିଦିଅ ନାହିଁ …. !!!


ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ,
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ,
ଦୂରଭାଷ: ୯୪୩୭୭୪୦୨୮୦

One thought on “ପ୍ରବନ୍ଧ – ଆତ୍ମନାଶୀ ଆଭିମୁଖ୍ୟ ଏକ ସାମାଜିକ ବ୍ୟତିକ୍ରମ – ଡକ୍ଟର ଲକ୍ଷ୍ମଣ ସାହୁ

  1. ଶୀକାରୀ ସିଂହର ପ୍ରବଣତା ଆମକୁ ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଦ୍ବାର ଆଡକୁ ଟାଣି ନେଇଥାଏ ଏବଂ ବାରମ୍ବାର ମରି ପୁନଶ୍ଚ ଗଜୁରୀ ଉଠୁଥିବା ଘାସର ନମନୀୟତା ଆମକୁ ପ୍ରତ୍ଯେକ ପରିସ୍ଥିତିର ସାମ୍ନା କରି ନୂଆ ଏକ ଜୀବନ ଆଡକୁ ଅଗ୍ରସର କରାଇଥାଏ ।ଚମତ୍କାର ସର୍ଜନା ସାର୍ ଅନେକ ଅନେକ ଧନ୍ଯ ବାଦ୍।

ମନ୍ତବ୍ୟ ରଖନ୍ତୁ: