ଐହରାଣୀ – ମାନସ ରଞ୍ଜନ ପଟ୍ଟନାୟକ

ଐହରାଣୀ ସାଜି ଯାଇଛି ଦେଖ ଗୋ
ଐହ ଡେଙ୍ଗୁରା ବାଡେଇ
ବନ୍ଧୁ ପରିଜନ ଆତ୍ମୀୟ ସ୍ଵଜନ
କୋକେଇରେ ତାକୁ ଥୋଇ ॥
କେତେ ପରକାରେ ସଜେଇ ହୋଇଛି
ପାଦରେ ଅଳତା ନାଇ……

ଗୁମୁରୀ ଗୁମୁରୀ କାନ୍ଦୁଥାନ୍ତି ଦେଖ
ସାହି ପଡିଶାର ଲୋକେ
ନୀରବ ମୁଦ୍ରାରେ ଶୋଇ ଯାଇଅଛି
ସ୍ଵର୍ଗଦ୍ଵାର ତାକୁ ଡାକେ ॥
କିଛିକ୍ଷଣ ପରେ କାଠ ଭାଡି ପରେ
ଥୁଆ ହେବ ସିଏ ଯାଇ……

ପରୀ ରାଇଜରେ ଉଭେଇ ଯିବଟି
ସୁନ୍ଦର ରୂପଟି ତାର
ବିଦାୟ ବେଳାରେ ବିଦାୟ ଜଣାନ୍ତି
ଭାଇ ବନ୍ଧୁ ସହୋଦର ॥
କପାଳେ ସିନ୍ଦୁର ନାଲି ଶଙ୍ଖା ଶୋଭା
ଦାଉ ଦାଉ ଝଟୁଥାଇ……

ସଞ୍ଜ ଆକାଶରେ ଚିକିମିକି ତାରା
ଅଜାଡି ଦିଏ କିରଣ
ଛାଡି ଯାଉଅଛି କିଛି ନେଉନାହିଁ
ଧନରତ୍ନ ଆଭୂଷଣ ॥
ଗୋଲାପୀ ଦେହଟା ଜଳି ଜଳି ଯିବ
ରଙ୍ଗାୟିତ ହେବ ଜୁଇ……


ସମ୍ପାଦକ – ମାଟିର ମହକ,
ସାକ୍ଷୀଗୋପାଳ, ପୁରୀ

One thought on “ଐହରାଣୀ – ମାନସ ରଞ୍ଜନ ପଟ୍ଟନାୟକ

  1. ଭଲ ଲାଗିଲା ବହୁତ ।
    ଧନ୍ୟବାଦ

ମନ୍ତବ୍ୟ ରଖନ୍ତୁ..