କ୍ଷୁଦ୍ରଗଳ୍ପ – ଅଜାଗା ଘା – ଅରବିନ୍ଦ ଆଚାର୍ଯ୍ୟ

ବିଭୁ ଘଣ୍ଟେ ହେବ ସେମିତି ମୋବାଇଲ ଟାକୁ ଧରି ବସିଛି | ଲାଇକ, କମେଣ୍ଟ କାହିଁ ? ବାପା ଦି ଥରଡାକି ସାରିଲେଣି | ଏତେ ଦିନ ଧରି, ବହୁତ ମନ ଦେଇ ଗପ ଟି ଲେଖିକି ପୋଷ୍ଟ କରିଥିଲା ଏଇ ଗ୍ରୁପ ରେ | କିନ୍ତୁ, ଏତେ ସମୟ ହେଲା କେହି ବି ଜଣେ କିଛି ଲେଖିକି ଦେଲେନି | ହଉ, ବାପା ଙ୍କ କାମ କରି ସାରି ଆସେ, ପୁଣି ଥରେ ଅନଲାଇନ ହେବି | ଏଇଆ ଭାବି ମୋବାଇଲ କୁ ଅଫ ଲାଇନ କରିଲା | ମୋବାଇଲ କୁ ପକେଟ ରେ ପୁରେଇ ପୁରେଇ ବାପାଙ୍କ ପାଖରେ ପହଞ୍ଚିଲା | ବାପା ସେମିତି ସେଇ ଟେବୁଲ ପାଖରେ ଚୌକି ଟି ଉପରେ ବସି ଡାଇରି ରେ କଣ ସବୁ ଲେଖୁଥିଲେ | ବିଭୁ ପାଖକୁ ଆସିବା ଜାଣି, ଟା ଆଡକୁ ନ ଚାହିଁ କହିଲେ, “ମୋବାଇଲ ନିଶା, ତୋତେ କିଛି କାମ କରେଇ ଦବ ନି ! ଟିକେ ପାଠ ଆଡେ ମନ ଦେ !” “କଣ ପାଇଁ ଡାକୁଥିଲ କହୁନ ? ମୁଁ ତ ମୋବାଇଲ ବନ୍ଦ କରି ଆସିଛି, କୁହ !”

ବାପା ସେତିକିବେଳକୁ ବିଭୁ କୁ ଚାହିଁ ମୁରୁକି ମୁରୁକି ହସୁଥିଲେ | ବିଭୁ କୁ ଇଲେକ୍ଟ୍ରିବିଲ ଆଉ ଟଙ୍କା ବଢେଇ ଦେଇ, ଡିପୋଜିଟ କରି ଆସିବାକୁ କହିଲେ | ବିଭୁ ବି ସଙ୍ଗେ ସଙ୍ଗେ ସାଇକେଲ ଧରି ଛୁଟିଲା | ଇଲେକ୍ଟ୍ରି ଅଫିସ ତାଙ୍କ ଘରଠୁ ୧୫ ମିନିଟ ର ବାଟ | ସେଠି ପହଞ୍ଚି ଯାହା ଦେଖିଲା ତା ହୋସ ଉଡିଗଲା | ବାପ ରେ ଏତେ ଲମ୍ବା ଲାଇନ | ଯେମିତି ହେଲେ ବି ଲାଇନ ରେ ଲାଗିଗଲା | ତା ପଛ ରେ ମଧ୍ୟ ସଙ୍ଗେ ସଙ୍ଗେ ଆହୁରି କେତେ ଲାଇନ କୁ ଲମ୍ବା କରିବାକୁ ଆସିଯାଇଥିଲେ | ତା ଆଗରେ ତାରି ବୟସ ର ପିଲାଟିଏ ଥାଏ | ବହୁତ ସମୟ ସେମିତି ଠିଆ ହେଇ ହେଇ ଦୁହେଁ ଦୁହିଁ ଙ୍କୁ ଚାହିଁ ବେଳେ ବେଳେ ମୁରୁକି ହସା ଦଉଥାନ୍ତି | ଲାଇନ ରେ ପଛରେ ଥିବା ଲୋକ ମାନେ ଟିକେ ଡେରି ହେବା ଦେଖି ମଝିରେ ମଝିରେ ଗରଗର ହେଉଥାନ୍ତି | ଏମିତି ଏମିତି ଠିଆ ହେଉ ହେଉ ସେ ପିଲାଟି ର ପାଳି ଆସିଲା | ଟଙ୍କା କୁ କାଉଣ୍ଟର ରେ ଦଉ ଦଉ, ସେ କାଉଣ୍ଟର କ୍ଳର୍କ ଖୁଚୁରା ମାଗିଲା | ପିଲା ଟି ପାଖରେ ଖୁଚୁରା ନାହଁ | ବିଭୁ କୁ ଚାହିଁ ହସିଲା | ବିଭୁ ତା ସହିତ ମିଶେଇ ନିଜ ବିଲ ପଇସା ଦେଇଦେଲା | ଖୁଚୁରା ସବୁ ଆଡଜଷ୍ଟ ହେଇଗଲା | କିନ୍ତୁ ପିଲା ଟି ବିଭୁ କୁ ୧୫ ଟଙ୍କା ଫେରେଇବାକୁ ଥାଏ | ସେଥିପାଇଁ ସିଏ ବିଭୁ କୁ ଡାକିଲା, ଆଉ ଦୁହେଁ ଗୋଟେ ରେଷ୍ଟୁରାଣ୍ଟ କୁ ଗଲେ | ବିଭୁ ମନା କରୁଥିଲା କିନ୍ତୁ ପିଲାଟି ବାଧ୍ୟ କରି, ତାକୁ ଟାଣି ଟାଣି ନେଲା | ଦୁହିଁ ଙ୍କ ଭିତରେ ଆତ୍ମୀୟତା ଆସିଯାଇଥିଲା | ବିଭୁ ଜାଣିଲା, ପିଲାଟି ତାଙ୍କ ସହର ର ନୁହେଁ | ବାହାରେ ହାଇଦ୍ରାବାଦ ରେ ରୁହେ | ଛୁଟି ରେ ଅଜା ଆଇ ଙ୍କ ପାଖକୁ ଆସିଛି ବୁଲିବାକୁ | ତା ମାମୁଁ ବାହାରକୁ ବିଶେଷ କିଛି କାମ ରେ ଯାଇଥିବା ରୁ ସିଏ ଆସିଥିଲା ସେଇ ଇଲେକ୍ଟ୍ରି ବିଲ ଦେବାକୁ | ତା ନା ରଶ୍ମିରଞ୍ଜନ ମହାନ୍ତି | ଡାକ ନା ରଶ୍ମି | ଦୁଇଜଣ ସବୁ ନିଜ ନିଜ କଥା କହିଲେ | WhatsApp ନମ୍ବର ବି ଦିଆ ନିଆ ହେଲେ | ପରେ WhatsApp ରେ କଥା ହେବା କହି, ଦୁହେଁ ବିଦାୟ ବି ନେଲେ | ରାତି ରେ ପାଠ ପଢା ସାରି, ଖାଇସାରି, ଶୋଇଲା ବେଳକୁ ବିଭୁ ମୋବାଇଲ ରେ ଅନଲାଇନ ହେଲା | ୫ ଟା ଲାଇକ ଆଉ ୪ ଟା କମେଣ୍ଟ ଆସିଥିଲା | ତା ଗପ କୁ ପଢି ବହୁତ ଖୁସି ହେଇଥିଲେ ସେ ଗ୍ରୁପ ର ସାଙ୍ଗ ମାନେ | ଏମିତି ଦେଖୁ ଦେଖୁ ଗୋଟେ ନୂଆ ଗ୍ରୁପ ରେ ସିଏ ଆଡ ହେଇଥିବାର ଦେଖିଲା | ତାକୁ ତାର ନୂଆ ସାଙ୍ଗ ରଶ୍ମି ଆଡ କରିଥିଲା | ସେ ଗ୍ରୁପ ରେ ବହୁତ ସଦସ୍ୟ ଥିଲେ | ସମସ୍ତଙ୍କୁ ଖେଳେଇ ଖେଳେଇ ଦେଖୁଥିଲା ବିଭୁ | କାହାକୁ ବି ଜାଣିନି କି ଚିହ୍ନି ନି | ଖାଲି ହାଲୋ ହାଇ, କହି ଶେଷରେ ଗୁଡ ନାଇଟ କହି ମୋବାଇଲ ବନ୍ଦ କଲା | ସକାଳୁ ଉଠି ଦେଖିଲା ମୋବାଇଲ ରେ ୩୫ ଟା ମେସେଜ ଗୋଟେ ନୂଆ ନମ୍ବରରୁ |

ଯେଉଁ ନୂଆ ନମ୍ବର ଟି ରୁ ଏତେ ଗୁଡେ ମ୍ୟାସଜ ଆସିଥିଲା, ସେ ନମ୍ବର ବିଷୟରେ ବିଭୁ ର କୌତୁହଳ ବଢିଲା | ପ୍ରଥମେ ସେ ରଶ୍ମି କୁ ଚାଟ କରି ପଚାରିବ ବୋଲି ଭବିଲା | କାରଣ ଏ ନୂଆ ଗ୍ରୁପ ରେ ରଶ୍ମି ହିଁ ଆଡମିନ | ସିଏ ସମସ୍ତଙ୍କୁ ଜାଣିଥିବ | ରଶ୍ମି କହିଲା, ଯିଏ ତାକୁ ପର୍ସୋନାଲ ମ୍ୟାସେଜ ପଠେଇଛି ସିଏ ତାର ମାମୁଁ ଙ୍କ ଝିଅ | ନାଁ ଟା ତାର ସୁଦୀପା | ସିଏ କୁଆଡ ବହୁତ ଦିନରୁ ବିଭୁ ର ଗପ WhatsApp ଗ୍ରୁପ ଫେସବୁକ ଇତ୍ୟାଦି ରେ ପଢି ଆସୁଛି | କିନ୍ତୁ ବିଭୁ ସହିତ ସାଙ୍ଗ ହେଇ ନଥିଲା | ରଶ୍ମି ର ଗ୍ରୁପ ରେ ବିଭୁ କୁ ଜାଣି | ରଶ୍ମି କୁ ସବୁ ପଚାରି ଏତେ ସବୁ ମ୍ୟାସେଜ କରିଛି | ୩୫ ଟା ମ୍ୟାସେଜ ରେ ପ୍ରାୟ ବିଭୁ ର ବିଭିନ୍ନ ଗପ ର ବିଷୟରେ କିଛି କିଛି ଉତ୍କଣ୍ଠା ଆଉ ବିଭୁ କୁ ବହୁତ ବଧାଇ ଦେଇଥିଲା ସେ | ବିଭୁ ଏତିକି ଜାଣି, ବହୁତ ଖୁସି ହେଉଥିଲା | ଭାବୁଥିଲା ଜାହେଉ ତା ଗପ ର ଏତେବଡ ଫ୍ୟାନ ଟିଏ ଏଇ ସହର ରେ ଅଛି | ଏମିତି ଭାବୁ ଭାବୁ କୋଚିଂ କ୍ଳାସ ସମୟ ହେଇଯାଇଥିଲା | ଦିନସାରା ପ୍ରତି କାମ କଲାବେଳେ ସେଇ ସୁଦୀପା ର ମ୍ୟାସେଜ ଗୁଡାକ ମନେପଡେ ବିଭୁ ର | ପୁଣି ପାଠ ପଢା ରେ, ଖେଳ ରେ ଆଉ ଘରୋଇ କାମ ରେ ବ୍ୟସ୍ତ ହେଇଯାଏ ସେ | ସେତେବେଳେ କିଛି ସମୟ ପାଇଁ ସୁଦୀପା କଥା ଭୁଲିଯାଏ | ରାତି ରେ ଶୋଇବା ପୂର୍ବ ରୁ ସୁଦୀପା କୁ ଗୋଟେ ପର୍ଶନାଲ ମ୍ୟାସେଜ କରିବାକୁ ଭାବିଲା | କଣ ଲେଖିବ ? ଏମିତି ଭାବୁ ଭାବୁ କିଛି ସମୟ ପଳେଇଲା | ଶେଷରେ କେବଳ ଏତିକି ଲେଖିଲା, “ଧନ୍ୟବାଦ ସୁଦୀପା ବାନ୍ଧବୀ ! ମୋ ଗପ ସବୁ ପଢ ବୋଲି ଜାଣିଲି | ଭଲ ମଧ୍ୟ ଲାଗୁଛି ବୋଲି ଶୁଣି ବହୁତ ଖୁଶି ଲାଗିଲା | ଏମିତି ପଢି ଚାଲ | ଆଉ ମତାମତ ଦେଇ ଚାଲ |”

ଏମିତି ଏମତି ବହୁତ ଦିନ ଗଲା | ବିଭୁ ତା ର ନିଜ ପାଠ, କଲେଜ, କୋଚିଙ୍ଗ, ଘର କାମ, ଖେଳ ଭିତରେ ସମୟ କଟେଇ ଚାଲିଲା | କୋଚିଙ୍ଗ ର ଏସ କ୍ୟାଟ (SCAT) ପରୀକ୍ଷା ପାଇଁ ଆଉ WhatsApp, ଫେସବୁକରେ ଆକ୍ଟିଭ ନଥିଲା | ଭାବୁଥିଲା ପରୀକ୍ଷା ସାରିଲେ ନୂଆ ଗପଟିଏ ଆରମ୍ଭ କରିବ | ଆଗକୁ ଦୁର୍ଗାପୂଜା, ବହୁତ ବନ୍ଧୁ ବାନ୍ଧବ ସବୁ ଆସିବେ | ଘରେ ବହୁତ ଭିଡ ବି ରହିବ | ସେ ଯା ହେଉ, ସିଏ କିନ୍ତୁ ବାପାଙ୍କ କଥା ମାନି ସବୁ ପରୀକ୍ଷାରେ ଭଲ କରି ଦେଖେଇବ | ଯେଉଁ ଦିନଠୁ ସେ ଜାଣିଥିଲା ଯେ, ତା ଗପ ର କେହି ଏତେ ବଡ ଫ୍ୟାନ ଅଛି | ତା ଜୀବନ ରେ ବହୁତ ପରିବର୍ତନ ଆସିଥିଲା | ସବୁ ଥିରେ ପଜିଟିଭ ଚିନ୍ତା ଆସୁଥିଲା | ଭିତରୁ ଭଲ କାମ କରିବାକୁ କିଏ ଯେମିତି ପ୍ରେରଣା ଯୋଗୋଉ ଥିଲା | ମଣିଷ ର ସହଜାତ ପ୍ରବୃତି ଏୟା ଯେ, ସିଏ ଖୁଶି କୁ ଖୋଜି ବୁଲେ | କିନ୍ତୁ ଯେତେବେଳେ ସିଏ ଜାଣେ ଯେ, ଖୁଶି ଖୋଜିବା ଜିନିଷ ନୁହେଁ, ଅନୁଭବ ଦ୍ଵାରା ସୃଷ୍ଟି କରିବା ଜିନିଷ ସେତେବେଳେ ସିଏ ନିଜକୁ ଆଉ ଏକ ଦୁନିଆଁ ରେ ଆବିଷ୍କାର କରେ | ସେକଥା ଗୁଡିକ ଧୀରେ ଧୀରେ ସତ ହେଇ ଆସୁଥିଲା ବିଭୁ ର ଜୀବନରେ | ଏମିତି ଏମିତି ଅନେକ ଦିନ ଚାଲିଗଲା | ବିଭୁ ର SCAT (Sunday Comprehensive Assessment Test) ରେ ବହୁତ ଭଲ ହେଲା | ସିଏ ସବୁ ସବଜେକ୍ଟ ରେ ଭଲ କରିଥିଲା | ବାପା ବି ତାକୁ ଖୁଶି ରେ କୁଣ୍ଢେଇ ପକେଇଲେ | ପରୀକ୍ଷା ସରିଲା ପରେ ଦିନେ ସନ୍ଧ୍ୟା ରେ ନୂଆ ଗପ ର ଗୋଟିଏ ପାର୍ଟ ଲେଖି WhatsApp ରେ ପୋଷ୍ଟ କରିବାକୁ ଅନଲାଇନ ହେଲା | ଆରେ ଏ କଣ ? ସୁଦୀପା ପାଖରୁ ଏତେଗୁଡେ ମ୍ୟାସେଜ…… ? ସେ ମ୍ୟାସେଜ ସବୁ ରେ ଖାଲି ଲେଖା ଯାଇଥିଲା, “ଆପଣ କଣ ପାଇଁ ଅନଲାଇନ ହେଉ ନାହାନ୍ତି ? ମୋର କିଛି ଭୁଲ ହେଲା କି ? ଅଜାଣତରେ କିଛି ଯଦି ଲେଖିଛି ପ୍ଳିଜ କ୍ଷମାଦେବେ……” ଏମିତି ଏମିତି ଅନେକ ଅନୁରୋଧ | ବିଭୁ ବୁଝିପାରୁନଥିଲା ସେ କଣ ଲେଖିବ | ସିଏ ତ ଜାଣିଶୁଣି ପରୀକ୍ଷା ପାଇଁ ଏମିତି କରୁଥିଲା, ଏଠି ରାଗିବା ର ପ୍ରଶ୍ନ ଆସିଲା କୁଆଡୁ | ଉତ୍ତର ହିସାବରେ କେବଳ ଏତିକି ଲେଖିଲା “ନା, ମୁଁ ରାଗିବି କାହିଁକି ? ରାଗିନାହିଁ | ପରୀକ୍ଷା ଥିଲା ତ ସେଥିପାଇଁ ଅନଲାଇନ ହେଉ ନଥିଲି, ହଉ ନୂଆ ଗପ ଦେଉଛି ପଢିବ |”

ଏମିତି ଗପ ଦେବା ଆଉ ଚାର୍ଟ କରିବା ଜାରି ରହିଲା | ଦୁହେଁ କିଛି ନହେଲେବି ସପ୍ତାହ ରେ ଦୁଇ ଦିନ ଅନଲାଇନ ରହୁଥିଲେ ବହୁତ ସମୟ ଧରି | ଗୋଟେ ଦିନ ହେଲା, ପରୀକ୍ଷା ସରିବା ଦିନ ଆଉ ଗୋଟେ ହେଲା ନୂଆ ଗପ ଅପଲୋଡ କରିବା ଦିନ | ସେଇ ନୂଆ ଗ୍ରୁପ ଟି ର ଆହୁରି ଅନେକ ସଦସ୍ୟ ମାନେ ମଧ୍ୟ ବିଭୁ କୁ ବହୁତ ଭଲ ଲାଗୁଥିଲେ | କିନ୍ତୁ କେହି କେବେ ତାକୁ କିମ୍ବା ତା ଗପ କୁ ଅପେକ୍ଷା କଳା ପରି ଲାଗୁ ନଥିଲା | ସେଥିପାଇଁ ବିଭୁ ବେସି ସୁଦୀପା ର ମ୍ୟାସେଜ କୁ ହିଁ ଅପେକ୍ଷା କରି ରହୁଥିଲା | ଦିନେ ରଶ୍ମି ସେ ଗ୍ରୁପ ରେ ଗୋଟେ ପ୍ରସ୍ତାବ ଦେଲା ଯେ, ସେଇ ଗ୍ରୁପ ର ପରବର୍ତ୍ତୀ ଗେଟଟୁଗେଦର ପାର୍ଟି ଭୁବନେଶ୍ଵର ର “କ୍ଲବ ଡାଇନ” ହୋଟେଲ ରେ କରାଯିବ | ସମସ୍ତଙ୍କୁ ନିମନ୍ତ୍ରଣ | ପୂର୍ବରୁ ସେ ଗ୍ରୁପ ର ସଦସ୍ୟ ଏମିତି ବହୁତ ପାର୍ଟି କରୁଥିଲେ ବୋଲି ବିଭୁ ଜାଣିଲା | କିନ୍ତୁ ତା ପାଇଁ ଏମିତି ପାର୍ଟି ନୂଆ | ଜୀବ କି ନଯିବ ଚିନ୍ତା କରୁଥିଲା | ନୂଆ ନୂଆ ସାଙ୍ଗ ଙ୍କୁ ଭେଟିବା, ତାଙ୍କ ସହିତ ସାମ୍ନା ସାମ୍ନି ହେଇ କଥା ହେବା ର ରୋମାଞ୍ଚ ତାକୁ ଧୀରେ ଧୀରେ ପାର୍ଟି ରେ ଯୋଗ ଦେବାକୁ ଅଧିକ ପ୍ରେରିତ କରୁଥିଲା | ଘରେ କାହାକୁ ସେ ଏ ବିଷୟ ଜନଉ ନଥିଲା | ତା ଛଡା ବାପା ବି ତାକୁ ଆଉ କିଛି କହୁନଥିଲେ | ପାଠ ରେ ଭଲ କରୁଥିଲେ କିଏ କାହିଁକି କଣ କହିବ ? ବିଭୁ ଭାବୁଥିଲା, ଭଗବାନ କେମିତି ଗଢିଛନ୍ତି ଏ ସଂସାର | ଏତେ ଜୀବ ଙ୍କୁ ସୃଷ୍ଟି କରିଛନ୍ତି, ତାଙ୍କ ଭିତରେ ପୁଣି ସମ୍ପର୍କ ର ହାଲକା ରଙ୍ଗ ଭରିଛନ୍ତି | ବୟସ, ରୂପ, ଭାବନା, ସ୍ଥାନ, କାଳ, ପାତ୍ର ଏସବୁ ମଳିନ ହେଇଯାଏ ସେଇ ସମ୍ପର୍କ ର ନୂଆ ଦୁନିଆଁ ରେ | କେହି ବି କେତେବେଳେ କାହାକୁ ଭଲ ଲାଗିପାରେ | ସେଠାରେ କିଛି ବି ମାନେ ରଖେନା | ରଶ୍ମି କୁ କିଛି ଦିନ ପୁର୍ବରୁ ସେ ଜାଣି ବି ନଥିଲା | ସୁଦୀପା କୁ ମଧ୍ୟ ଜାଣି ନଥିଲା | କିନ୍ତୁ ଏବେ ସେମାନେ ଗୋଟେ ଆଦେଖା ସମ୍ପର୍କ ସୂତ୍ର ରେ ବନ୍ଧା | ଏମିତି ଏମିତି ଭାବୁ ଭାବୁ ସେ ନିଶ୍ଚୟ କଲା ସେ ଗେଟଟୁଗେଦର ପାର୍ଟି କୁ ଯିବ | କିଛି ସମୟ ର ତ କଥା, ତାର ପାଠ ପଢା ରେ ବି ସେମିତି କିଛି ଅସୁବିଧା ବି ହବନି |

ଶେଷ ରେ ସେ ଦିନ ଟି ଆସିଲା | ବିଭୁ ଟ୍ରେନ ରେ ଯାଇ ଭୁବନେଶ୍ବର ଷ୍ଟେସନ ରେ ପହଞ୍ଚିଲା | ପହଞ୍ଚିସାରି ରଶ୍ମି କୁ ଫୋନ କଲା | ସେପଟ ରୁ ରଶ୍ମି ବିଭୁ କୁ “କ୍ଲବ ଡାଇନ” ର ଠିକଣା ଜାଗାଟି ବିସ୍ତୃତ ଭାବରେ କହିଲା | ଆଉ କହିଲା, ସିଏ ଟିକେ ଲେଟ ରେ ଆସିବ, କଣ ମାର୍କେଟିଙ୍ଗ ଅଛି | ତେଣୁ ବିଭୁ କୁ କହିଲା ଯେ, ସିଏ ଆସି ସିଧା ହୋଟେଲ ରେ ପହଞ୍ଚି ଫ୍ରେଶ ହେଇଯାଉ | କିଛି ବି ଅସୁବିଧା ହବନି | ସେ ହୋଟେଲ ମ୍ୟାନେଜର ରଶ୍ମି ର ବହୁତ ଭଲ ସାଙ୍ଗ, ସିଏ ସବୁ ବୁଝିବ | କେହି ନ ପହଞ୍ଚି ଥିଲେ ବି କିଛି ଅସୁବିଧା ନାହିଁ | ବିଭୁ ନିଜ ବ୍ୟାକ ପ୍ୟାକ ଟି ପିଠିରେ ଧରି ଆଟୋ କୁ “କ୍ଲବ ଡାଇନ” ଯିବାକୁ କହିଲା | ଷ୍ଟେସନରୁ ବିଭୁ କୁ ଧରି ଅଟୋ ଭୁବନେଶ୍ବର ର ଗହଳି ରାସ୍ତା ରେ ଛୁଟି ଚାଲିଲା “କ୍ଲବ ଡାଇନ” ଅଭିମୁଖେ | ରାସ୍ତା ର ଦୁଇପାର୍ଶ୍ଵ ର ସୁଉଚ୍ଚ ଅଟ୍ଟାଳିକା ସତେଯେମିତି ବିଭୁକୁ ଦେଖୁଥିଲେ | ଭୁବନେଶ୍ଵର ର ରାସ୍ତା କଡ ର ସବୁ କାନ୍ଥ ରେ ଅଙ୍କା ଯାଇଥିବା ଆଦିମ ଚିତ୍ର ସବୁ କୁ ଦେଖି ଦେଖି ବିଭୁ ନୂଆ ନୂଆ ଗପ ତିଆରି ରେ ବୁଡି ରହିଥିଲା |

“ଆଜ୍ଞା ! ଏଇଠି ତ ?” ଅଟୋ ବାଲା ର ପ୍ରଶ୍ନ ରେ ବିଭୁ ଭାବନା ରାଜ୍ୟ ରୁ ଫେରି ଆସିଲା | ଦେଖିଲା ସାମ୍ନା ରେ ହୋଟେଲ “କ୍ଲବ ଡାଇନ“ ହୋଟେଲ କୁ ପଶି ଯାଉ ଯାଉ ସଙ୍ଗେ ସଙ୍ଗେ ରେସେପ୍ସନିଷ୍ଟ ପଚାରିଲା, “କଣ ସେବା କରିପାରେ ?” ବିଭୁ ରଶ୍ମି କହିଥିବା କଥା ସବୁ କହିଲା | କାଳବିଳମ୍ବ ନକରି ଜେନ ୱେଟର କୁ ଡାକି ରିସେପ୍ସନିଷ୍ଟ ଟି ବିଭୁକୁ ପାଛୋଟି ନେଲା |ବିଭୁ ଭିତରକୁ ଯାଇ ଫ୍ରେସ ହେଲା | ସେତେବେଳକୁ କେହି ଜଣେ ବି ସଦସ୍ୟ ଆସି ନଥିଲେ | ହଲ ରେ ବସି ଟିଭି ଦେଖୁ ଦେଖୁ ସର୍ବତ ଗ୍ଳାସ ଟି ରେ ଓଠ ଛୁଆଁଇଲା | କିଛି ସମୟ ଏମିତି କଟିଲା ପରେ ବାହାର ଗେଟ ପାଖରୁ ଅସ୍ପଷ୍ଟ କିଛି ଶବ୍ଦ ଶୁଣିପାରିଲା | ଦୁଇ ତିନିଜଣ ମହିଳା ଙ୍କ କଣ୍ଠ ସ୍ଵର | ସେମାନେ ହଲ ଭିତରକୁ ପଶିଆସିଲେ | ସମସ୍ତେ ନିଜ ନିଜ ଭିତରେ କଥା ହେଉଥିଲେ | କିନ୍ତୁ ହଲ ରେ ବିଭୁ କୁ ଦେଖି ଦେଇ ଟିକେ ଚୁପ ହେଇଗଲେ | ତାଙ୍କ ମଧ୍ୟରୁ ଜଣେ ହଠାତ ବିଭୁ କୁ କିଛି ସମୟ ଏକଳୟ ରେ ଚାହିଁ ହଠାତ କହିଲା, “ବିଭୁ ସାର ? ଆପଣ ତ ?”

ବିଭୁ ଲକ୍ଷ୍ୟ କରୁଥିଲା, କିନ୍ତୁ ଚିହ୍ନି ପାରୁନଥିଲା | ସେମାନେ ସବୁ ସେଇ ଗେଟ ଟୁଗେଦର ପାର୍ଟି ର ସଦସ୍ୟ ଥିଲେ | ସମସ୍ତେ ଅଚିହ୍ନା କିନ୍ତୁ ବିଭୁ ର ଗପ ପଢି ଅନେକ ତାର ଡ଼ିପି ଦେଖି ପୁରା ମାନେ ରଖିଦେଇଥିଲେ | ସିଏ କିନ୍ତୁ କୌଣସି ମହିଳା ସଦସ୍ୟ ଙ୍କୁ ଚିହ୍ନି ପାରିଲା ନାହିଁ କାରଣ, ସବୁ ମହିଳା ସଦସ୍ୟ ଡ଼ିପି ରେ ଫୁଲ, ହିରୋଇନ ଇତ୍ୟାଦି ଙ୍କ ଫଟୋ ଦେଇଥିଲେ | ଏମିତି କଥା ହେଉ ହେଉ ଆହୁରି ସଦସ୍ୟ ମଧ୍ୟ ଆସିଲେ | ପୁରୁଷ ସଦସ୍ୟ ଙ୍କୁ ମଧ୍ୟ ଆସିବାର ଦେଖା ଗଲା | କେତେ ଜଣଙ୍କୁ ବିଭୁ ଚିହ୍ନି ପାରିଲା | ସେମିତି ସେମିତି ଚିହ୍ନା ପରିଚୟ ଚାଲିଥାଏ | ଏତିକିବେଳେ ଛୋଟ ଝିଅ ଟିଏ, ଦୁଇ ତିନି ବର୍ଷ ର ହେବେ ବୋଧେ ବିଭୁ ପାଖକୁ ଆସି ଡାକିଲା, “ଅଙ୍କଲ ! ମମି ଡାକୁଛି !” ଭିଡ ଭିତରେ ବିଭୁ ଝିଅଟି ଡାକୁଥିବା ସ୍ଥାନ କୁ ଗଲା | ସେଠାରେ ଗୋଟିଏ ଦମ୍ପତି ଛିଡାହେଇଥିଲେ | ସେମାନେ ବିଭୁ କୁ ହ୍ୟାଣ୍ଡସେକ କରିବାକୁ ହାତ ବଢେଇଲେ | ଝିଅଟି ଯାହାକୁ ମମି ବୋଲି ଡାକୁଥିଲା ସେ ମହିଳା ଜଣକ କହିଲେ, “ଚିହ୍ନି ପାରିଲେଣି ? ନା ପାରିବେନି…… ମୁଁ ସୁଦୀପା !”


ଅରବିନ୍ଦ ଆଚାର୍ଯ୍ୟ, ଟିଟିଲାଗଡ

ମନ୍ତବ୍ୟ ରଖନ୍ତୁ