ଅନୁରାଗ ପ୍ରେମ – ସୁନୀଲ କୁମାର ବେହେରା

ଦୂର ପରବତୁ କାନନ ବୁକୁରୁ
ଝର‌ଇ ତଟିନୀ ରାଣୀ
କଳକଳ ନାଦେ ଛଳଛଳ ଗୀତେ
ବୋହିନିଏ ବକ୍ଷେ ପାଣି ।।୧।।

ଜୀବନ-ପଥରେ ହଟିବନି ସେ.. ତ
କରିଅଛି ଟାଣପଣ
ଗମ୍ଭୀର ପଥ ଆସିଲେ ବି ଯେତେ
ହୋଇବନି ସେ କୃପଣ ।।୨।।

ସପନଟି ତା’ର ସାଗରର ପ୍ରେମ
ମିଶିବତ ଯାଇ ଦିନେ
ସୁଦୂର ପଥରେ ଘନ-ବନାନୀରେ
ଯାଉଥାଏ ଖୁସି ମନେ ।।୩।।

କେତେ ନଗରରୁ କେତେ ଗ୍ରାମ ଦେଇ
ଅଙ୍କାବଙ୍କା ଯାଉଥାଏ
ହରିତକ୍ଷେତର ସବୁଜ ପ୍ରାନ୍ତରେ
ନିରନ୍ତରେ ବହୁଥାଏ ।।୪।।

ପ୍ରେମିକର ସତ୍ତା ପାଇବା ପାଇଁ କି
ତପସ୍ୟା କରୁଛି ସତେ
କେତେ ଯେ ଯାତନା ସହି ସହି ଯାଏ
କାହାକୁ କୁହେନା ପଥେ ।।୫।।

କାତର ନ ହୋଇ ନିଜ ପରିଶ୍ରମେ
ମିଶିବ ସାଗରେ ଦିନେ
ପ୍ରତି ନିଃଶ୍ୱାସରେ ଅତୁଟ ବିଶ୍ୱାସ
ରଖିଛି ପ୍ରେମ -ବନ୍ଧନେ ।।୬।।

କିଆ କେତକୀଙ୍କୁ ବାଟେ କହିଯାଏ
ପ୍ରେମିକର କେତେ କଥା
ବିହଙ୍ଗ କୂଳର ମଧୁର ଗାନକୁ
ଭାବିନିଏ ପ୍ରେମ ଗାଥା ।।୭।।

ବିଚାର ବିମର୍ଷେ ମଥା ନତ କରି
ଅକ୍ଲେଷରେ ଗତି କରେ
ପ୍ରେମର ପ୍ରତୀକ୍ଷା ଅନ୍ତ କରିବାକୁ
ଉତ୍କଣ୍ଠା ମନରେ ଭରେ ।।୮।।

କଷ୍ଟ କଲେ କୃଷ୍ଣ ମିଳିଥାଏ ଶେଷେ
କୁହେ ଗୀତା ଭାଗବତ
ତଟିନୀର ତପ ସଦ୍ୟ ଚିରନ୍ତନ
ପ୍ରେମପରା ତା’ର ମିତ ।।୯।।

ଶେଷେ ସମର୍ପିତ ଶ୍ରଦ୍ଧା ପୁଷ୍ପ ଦେଇ
ପ୍ରେମିକର ସାଥେ ମିଶେ
ଧନ୍ୟ…ଲୋ ..ତଟିନୀ ପ୍ରେମ ତୋ ଅମର
ଭାବ ଅନୁରାଗ ଦିଶେ ॥୧୦॥


ସୁନିଲ୍ କୁମାର ବେହେରା,ଶିକ୍ଷକ)
ନୂଆଗାଁ-ପଥରବନ୍ଧ, ଟାଙ୍ଗୀ, ଖୋର୍ଦ୍ଧା
ମୋ- ୮୦୧୮୯୯୭୬୯୬

ମନ୍ତବ୍ୟ ରଖନ୍ତୁ