ଜୀବନ ସାଥୀ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ହୃଦୟ ମନ୍ଦିରେ ପ୍ରୀତିପରଶରେ
ପ୍ରେମ ସୁହାଗିନୀ ଛବି;
ଅଲିଭା ଅକ୍ଷରେ ମନଭାବନାରେ
ନାଁ ତା’ର ଲେଖା ଅଛି !!!

ଜୀବନ ଯୌବନ ପ୍ରେମର ସପନ
ଭରିଦିଏ ମନେ ଆଶା ,
ତା’ ପାଇଁ ସମ୍ଭବ ସତେ ସୁନା ନୀଡ଼
ଭାରି ମିଠା ତା’ର ଭାଷା ॥

ଜନ୍ମ ଜନ୍ମାନ୍ତର ସାତ ଜନମର
ସାଜେସେ ହୃଦୟ ରାଣୀ ;
ପବିତ୍ର ବନ୍ଧନେ ପ୍ରୀତି ଫୁଲ ଢାଳେ
କରିଦିଏ ଚିରରୁଣୀ !!!

ଦୁଇଟି ଦେହର ଗୋଟିଏ ଜୀବନ
ନେତ୍ର ସ୍ୱପ୍ନ ନୁହେଁ ଭିନ୍ନ ;
ଦୁଇଟି ମନର ଗୋଟିଏ ଆସନ
ଏକ ଆତ୍ମା ଭାବପୂର୍ଣ୍ଣ !!!!

ଲକ୍ଷେ ଫଗୁଣର ଚିର ସହଚର
ଅହି ସୁଲକ୍ଷଣୀ ସାଥୀ ;
ସରଗେ ମର୍ତ୍ତ୍ୟରେ ମହାମିଳନରେ
ମନେ ପଡେ ପ୍ରେମ ସ୍ମୃତି !!!

ପ୍ରେମ ପୂଜାରିଣୀ ଚାନ୍ଦର ଚାନ୍ଦିନୀ
ଅର୍ଘ୍ୟବତୀ ସଦା ଜାଳେ ;
ଶୁଭାଶୀଷ ମାଗେ ସମର୍ପଣ ମନେ
ତୁଳଷୀ ଚଉରା ମୂଳେ !!!

ମନର ମଣିଷ ନଲିଭୁ ତା’ ହସ
ହସ୍ତ ଶଙ୍ଖା ହେଉ ବଜ୍ର ;
ମଥାର ସିନ୍ଦୁର ସୁଖର ସଂସାର’
ଯୋଗଭୋଗ ହେଉ ଧାର୍ଯ୍ୟ !!!

ମଧୁ ଭରା ରାତି ନହେଉ ବିସ୍ମୃତି
ମନେ ଆଣୁ ଚିର ଖୁସୀ ;
ମନର ମାନିନୀ ପ୍ରୀତିଛନ୍ଦାବାଳୀ
ଆସୁ ସଦା ହସି ହସି !!!

ସବୁ ଜଳାଞ୍ଜଳି ତା’ର ପୁଷ୍ପାଂଜଳୀ
ଆଦର୍ଶର ସତ୍ୟଛବି ;
ସେଇ ଏକ ସାଥୀ ପ୍ରେମର ମୂରତୀ
ସୁରମ୍ଯା କନ୍ୟା ସୁରଭି !!!

ବିବାହ ବେଦୀରେ ହୋମଅଗ୍ନି କୁଣ୍ଡେ
ପ୍ରଜ୍ୱଳିତ ବହ୍ନି ଶିଖା ;
ସେଇ ପରା ସାକ୍ଷୀ ଦଶଦିଗ ଭାଗୀ
ସାଥୀହିଁ ପ୍ରାଣର ସଖା !!

ସଦାନନ୍ଦ ସାହୁ, ଧୁରୁଷିଆ, ଆଠଗଡ଼, କଟକ

Leave a Reply

Your email address will not be published. Required fields are marked *