ଏମିତି ଥିଲା ରଜ – ପବିତ୍ର ଦାସ

ଲେଖକ ପରିଚୟ

ଅଧ୍ୟାପକ ପବିତ୍ର ଦାସ
ପାଟକୁରା, କେନ୍ଦ୍ରାପଡା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପିଲାବେଳର ରଜ କଥା ମନେ ପଡ଼ିଲେ ଜୀବନ ପାଖ ହେଇଆସେ । ମାଟି ଘରେ ଚକୁଳିପିଠାର ବାସ୍ନା,ଆଉ ତାଓ୍ୱଆରେ ସେଁ ହେଁ ଶବ୍ଦ ବର୍ତ୍ତମାନର ଜୀବନକୁ ଟିକିଏ ତାଜା କରିଦିଏ । ରଜ ଆସିବ ବୋଲି ଯୋଉ ଅପେକ୍ଷା, କେହି ମେଞ୍ଚାଏ ଚକୋଲେଟ ଦେଲେ ବି ସେତିକି ଖୁସି ନଥାଏ, ଥାଏ ରଜକୁ ଅପେକ୍ଷା କରିବାରେ ଯାହା ଥାଏ । ଦୋଳିରେ ଝୁଲିବା, ପାନଖାଇବା, ଛକ ବଜାର ବନ୍ଧୁବାନ୍ଧବ ଘର ବୁଲିବା, ଆଉ ଘରେ ଟିକେ ଆଇଁସ (ଚିକେନ/ମଟନ) ଖାଇ ରଜକୁ ପାଳନ କରିବା । ଝିଅମାନେ ରଜରେ ସଜବାଜ ହୋଇ ବାହାରି ପଡ଼ନ୍ତି ଦୋଳି ପାଖକୁ । ଦୋଳିରେ ଜଣିକିଆ, ଦିଜଣିକିଆ ମିଶି ଖେଳନ୍ତି । ଦୋଳି ବି ଥିଲା ଭିନ୍ନ ଭିନ୍ନ  ରଶିଦୋଳି,ପଟା ଦୋଳି, ବାଉଁଶ ଦୋଳି ଭଳି ଅନେକ । ଏସବୁ ବରଗଛ ଡାଳ, ଅଶ୍ବତଥ ଗଛଡାଳ, ଚାକୁଣ୍ଡାଗଛ ଡାଳ, ବାଉଁଶରେ ବନ୍ଧା ଦୋଳି, ଏମିତି ଅନେକ ପ୍ରକାରର ଥିଲା । ଆମ୍ବଗଛତଳେ, ପିଣ୍ଢାରେ, ବାଡିରେ ତାସ ଖେଳ ନହେଲେ ଲୁଡୁ, ବାଘଵଜାରି, ନଟୁ ଗୁଲି ଡାବଳପୁଆ ଏଇସବୁ ଖେଳ ଥିଲା ଦଶ ପନ୍ଦର ବର୍ଷତଳେ ।

ଆଉ ରଜ କହିଲେ ସାଧାରଣତଃ ଝିଅ ବୋହୂ ମାନଙ୍କର ପର୍ବ । ଏହି ଦିନମାନଙ୍କରେ ଘରର ଝିଅମାନେ ସବୁ କାମଦାମ ବନ୍ଦ କରନ୍ତି, ଘରେ ବିଶ୍ରାମ କରନ୍ତି, ରଜରେ ସାଇପଡିଶା ବୁଲନ୍ତି, ନୂଆ ଲୁଗା, ନୂଆ ବସ୍ତ୍ର ପରିଧାନ କରି, ନିଜକୁ ନାରୀ ପ୍ରସାଧନୀରେ ସଜେଇ, ପାଦରେ ଅଳତା, ଆଉ ବିଭିନ୍ନ ଅଳଙ୍କାରରେ ନିଜକୁ ସଜେଇ,ରଜ ପାଳନ କରନ୍ତି । ଘରର ବଡବଡମାନେ ବନ୍ଧୁବାନ୍ଧବ ଘର ବୁଲନ୍ତି,ବନ୍ଧୁମାନେ କୁଣିଆ ହୋଇ ଆସନ୍ତି, ଗାଁରେ ପସାପାଲିପଡେ, ତାସଖେଳ ହୁଏ, ମାଂସ (ଖାସି/ମେଣ୍ଢା/ଘୁଷୁରି) କଟା ହୁଏ, ଛୋଟଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘେରି ଦେଖୁଥାନ୍ତି, କଟା ହେଲାପରେ ମାଂସ ଭାଗ ହୁଏ, ସମସ୍ତେ ସେଇ ଭାଗରୁ ଆଣନ୍ତି । ମାଂସ ତରକାରୀ, କେହି କେହି ଶାଗୁଆତି ମଧ୍ୟ କହିଥାନ୍ତି । ମସଲା (ହଳଦୀ,ଜିରା,ଅଦା ଇତ୍ୟାଦି) ଶିଳରେ ବଟା ହୁଏ, ଚୂଲିରେ ତରକାରୀ ହୁଏ । ଖାଇବା ପାଇଁ ଯେତିକି ପ୍ରଲୋଭନ ନଥାଏ, ତରକାରୀ ହେବାର ଖୁସିରେ ବହୁତ ଖୁସି ଲଗେ ।।

ରଜରେ ପାଇଁ ବି ଅନୁକୂଳ ଥାଏ, ମେଘୁଆ ପାଗ । ରଜ ପାଗ, ବୁଲାବୁଲି କରିବାକୁ ସହଜ ହୁଏ । ରଜ ତିନିଦିନ କେମିତି କରିଥାଏ, ଜଣା ପଡେନି, ରଜ ସରିଗଲେ ମନ କଷ୍ଟ ହୁଏ, ମନର ପାଇଁ ବିଗିଡି ଯାଏ, ଯଥା ପୂର୍ବ ତଥା ପର ଭଳି ପୂର୍ବ ଅବସ୍ଥା ଫେରିଆସେ । ତଥାପି ରଜ ଖୁସି ଲାଗେ ଆନନ୍ଦ ଲାଗେ, ଯାହା ଏ ସନ ନ ହୋଇପାରେ ତାହା ଆର ସନକୁ ଅପେକ୍ଷା ରହେ… ଏବେ ସମୟ ଅନୁସାରେ ସବୁକିଛି ପରିବର୍ତ୍ତନ.. ସେ ଦିନ.. ସେ..ରଜ.. ଆଉ ସେ ମଣିଷ..

Leave a Reply

Your email address will not be published. Required fields are marked *