ଶବ୍ଦ ଓ ନିଶବ୍ଦ – ରାଜେଶ କୁମାର ମୁଣ୍ଡ

ଲେଖକ ପରିଚୟ

ରାଜେଶ କୁମାର ମୁଣ୍ଡ
ଧର୍ମଗଡ, କଳାହାଣ୍ଡି | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସେଦିନ କାନେ କାନେ
ପବନ କହିଯାଇଥିଲା ଅନେକ କଥା
ବିଶ୍ୱାସ କିନ୍ତୁ ହଉ ନ ଥିଲା ।

ବର୍ଷ ବର୍ଷର ଅନୁଭବର ଗରମରେ
ଶବ୍ଦସବୁ ଫାଟନ୍ତି, ମଞ୍ଜି ହେଇ
କ୍ରମଶଃ ଶାଖା ପ୍ରଶାଖା ମେଳି
ମାଡ଼ିଯା’ନ୍ତି ଜୀବନସାରା ।

ଲୁହରେ, ଲହୁରେ
ଈର୍ଷାରେ, ଆକ୍ରୋଶରେ
ଉବୁଟୁବୁ ହେଇ ଧାଇଁ ବୁଲନ୍ତି
ଅଣନିଶ୍ୱାସୀ ହେଇ ।

କିଏ ନିରୋଳା ଚାହେଁ, ତ
ଆଉ କିଏ କୋଳାହଳ
ଅନ୍ୟ କେତେକ
କମାରଶାଳର ରଡ଼ନିଆଁ ପରି
ଉତ୍ତେଜିତ, ଲାଲ ଲାଲ ।

ଏମାନଙ୍କ ଭିତରୁ ହିଁ ବାଛିବାକୁ ହୁଏ
କିଏ ନିଜକୁ ସୁହାଇବ
କିଏ ପରିସ୍ଥିତିକୁ ଖାପ ଖୁଆଇ
ଚଳି ପାରିବ ।

ବହୁତ ଶବ୍ଦ କିନ୍ତୁ ହଜିଯା’ନ୍ତି
ଅତୀତ, ବର୍ତ୍ତମାନ ଓ
ଭବିଷ୍ୟତର ତଫାତ ଭିତରେ,
ମିଳେଇଯା’ନ୍ତି
ପବନର ଅସୀମ, ଅଦୃଷ୍ଟ
ପାହାଚମାନଙ୍କରେ ।

Leave a Reply

Your email address will not be published. Required fields are marked *