ମେଘ – ସଂଘମିତ୍ରା ଜେନା

ଲେଖକ ପରିଚୟ

ସଙ୍ଘମିତ୍ରା ଜେନା
ଭୂଷଣ୍ଡପୁର, ଖୋରଧା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଅଷାଢ଼ ଆକାଶ
ସଖି ବାରେ ଦେଖ
ଆଖିରୁ ଝରାଏ ଲୁହ,
କହ କାହା ପାଇଁ
ରୁନ୍ଧିଛି ହୃଦୟ
କଳା କବଳିତ ଦେହ ।

ସପନ ଶିଢ଼ି ରେ
ଚଢୁଥିଲା ହସି
ଚନ୍ଦ୍ର ଯେହ୍ନେ ନିକଟରେ ,
ପାରିଲାନି ଧରି
ପଉଷ ସଞ୍ଜୁଆ
ଆୟୁଷ ଟା ଗଲା ଧୀରେ ।

ଉନ୍ମୁକ୍ତ କବରୀ
ଦିବା ବିଭାବରୀ
ପୂଜାରିଣୀ ସମ ବେଶେ,
ଝର ଝର ହୁଏ
ମନ୍ତ୍ର ଉଚ୍ଚାରଣେ
କାହା ପୂଜା ଅବକାଶେ।

ପ୍ରେମିକା ର ମନ
ଚିର ବସନ୍ତ ଲୋ
ହଜିବା ପରେ ବି ଖୋଜେ,
ପ୍ରତିଶ୍ରୁତି ବନ୍ଧା
ବଉଳା ପରି ସେ
ଫେରିଆସେ ନିଜେ ନିଜେ।

ଝୀନ ଉତ୍ତରୀୟ
ବ୍ୟଥିତ ଏ ବେଳେ
ଓଠ କମ୍ପେ ଥର ଥର
ଏଇ ନିକଟରେ
ପାହାଡ଼ ଆଗରେ
ଦୁଃଖ ପେଡି ଖୋଲେ ଧୀର l

ଆପଣା ଆଗରେ
ହୃଦୟ ର କୋହ
ଆପେ ଝରି ଝରି ଯାଏ
ଝରିଗଲା ପରେ
ପାହାଡେ ବନ୍ଧନ
ସମତଳେ ଯେହ୍ନେ ଧାଏଁ

ଆଖି ଲୁହ ସବୁ
ଛାତିରେ ରଖି ସେ
ପର ଉପକାର କଲା,
ଧରଣୀ ରାଣୀର
ବନ କିଆରୀରେ
ହସ ଫସଲ ଭରିଲା।

କଳା ମେଘ ଦେଖି
ଭାବୁକ କୁହନ୍ତି
ମେଘ ମହ୍ଲାର ଗାଉଛି,
ଭାଉଜ ଆଣନ୍ତି
ଲୁଗାପଟା ତୋଳି
ଆଖି ଲୁହ ପୋଛି ପୋଛି।

ଅତି କେବେ ହୁଏ
ଅସହଣୀ ଭଳି
ଆରତ ଜନ ଜଗତ
ମନୋଇ ପ୍ରିୟାର
ମାପ ଚୁପ ନାହିଁ
କେବେ ଭାଙ୍ଗିଦିଏ ବ୍ରତ।

ଭୂଷଣ୍ଡପୁର, ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *