ଅଭିସାରିକା କଇଁ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ରାତି ଶୋଇଥିଲା ନିଘୋଡ ନିଦରେ
ଜହ୍ନ ମାରୁ ଥିଲା ହାଇ
ଅଭିସାରିକାର ବେଶେ ଚାହିଁଥିଲା
ଗଗନକୁ ନୀଳକଇଁ l

ନିଶାକର ପ୍ରେମେ ହୋଇ ବିମୋହିତା
ଜାଗରିତା ଥିଲା କଇଁ
ଅଭୀପ୍ସିତ ଅଭିସାରରେ ଅଧୀରା
ହୋଇ ରସ ରାସମୟୀ l

କେତେ ସରାଗରେ କଇଁ ପାଖୁଡ଼ାରେ
ଜୋଛନା ଦିଏ ଚୁମ୍ବନ
କାକର କଣିକା ବିନ୍ଦୁ ବିନ୍ଦୁ ହୋଇ
ନାଇଲେ ଟିପି ଚନ୍ଦନ l

ମଳୟ ଦୋଳିରେ ଝୁଲାଏ ଆନନ୍ଦେ
ଜଳ ଅଙ୍ଗେ ସନ୍ତରଣ
ବଉଦ ଉହାଡୁ ଲୁଚକାଳି ଖେଳ
କରଇ ମନ ହରଣ l

ତାରାଗଣଙ୍କର ଲାଗେ ସମାରୋହ
ସତେ କୁସୁମିତ ବନ
କଳାମେଘୀ ପାଟଶାଢ଼ିରେ ଯାମିନୀ
କିଣି ନେଇଥାଏ ମନ l

ବିଭାବରୀ ଅକାଶରେ ଜଳଧର
କରେ କେତେ ପ୍ରୀତିରାସ
ସରସୀରେ ଥାଇ କୁମୁଦିନୀ ଟାଣେ
ମୁଖରେ ଲାଜୁଆ ହସ l

ପିଆସୀ ମନର କେତେ ଆଶା ନେଇ
ତନୁ ତୀର୍ଥ ମଞ୍ଜରିରେ
ଗୁପ୍ତ ପୀରତିର ପରିଧି ଭିତରେ
ହଜିଯାଏ ଅନ୍ଧକାରେ l

ଫୁଟିଲେ ଅସଂଖ୍ୟ ପ୍ରୀତିର ସୁମନ
ନେଇ ମହମହ ବାସ
ଶୁଭ ସାହାନାଇ ବଜାଇ ନାଚିଲେ
ମଣ୍ଡୁକେ ହୋଇ ହରଷ l

ଅବିରତ ଝରି ଅମୃତର ଧାରା
ପ୍ରେମର ପୁଣ୍ଯତୋୟା
ନୂତନତା ପଣେ ନିବିଡତା ଆଣି
ଲଗେଇ ଦେଇଛି ମାୟା ll

କୁମୁଦିନୀ ବେହେରା, ଅନୁଗୋଳ

Leave a Reply

Your email address will not be published. Required fields are marked *