ସାଉଁଟା ସ୍ବପ୍ନ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

✍???? *ସାଉଁଟା ସ୍ବପ୍ନ*✍????
*****************
ସେଦିନ କାହିଁକି କେଜାଣି ଅମାନିଆଁ ମନଟା ଇତଃସ୍ତତଃ ହେଉଥିଲା ରଶ୍ମିର।ମନରେ ଆନ୍ଦୋଳିତ ହେଉଥିବା ଭାବନା ଗୁଡିକୁ ସ୍ମୃତିର ପେଡିରେ ବନ୍ଦ କରି ରଖିବାକୁ ଯେତେ ଚାହୁଁଥିଲା ହେଲେ ପୁରୁଣା ସ୍ମୃତିଗୁଡ଼ାକ ତା କାନ ପାଖରେ ଠୋ ଠୋ ହୋଇ ବିଦ୍ରୁପ ଚିତ୍କାର ସମ ହସୁଥିଲେ। ଏକୋଇର ବଳା ବିସିକେଶନସକୁ ଶୁଆଇଦେଇ ନିତିଦିନିଆ ରୁଟିନ୍ ପରି ସ୍ମାର୍ଟ ଫୋନଟାକୁ ଖୋଲି କିଛି ଗ୍ରୁପର ଲେଖା ତର୍ଜ୍ଜମା କରିବାକୁ ଚେଷ୍ଟା କଲେ ବି ତରଙ୍ଗାୟିତ ମନଟା ଅବିଚଳିତ କରି ବ୍ୟତିବ୍ୟସ୍ତ କରୁଥିଲା ପ୍ରତିକ୍ଷଣ।ଆକ୍ବାଗାର୍ଡରୁ ସାମାନ୍ୟ ଥଣ୍ଡା ପାଣିଗ୍ଲାସେ ପିଇ ସାମ୍ନା କାନ୍ଥରେ ଟଙ୍ଗା ଫଟୋଟିକୁ ଏକ ଲୟରେ ଚାହିଁଲା ସେ। ମୁହୂର୍ତ୍ତେ ଆଖିବନ୍ଦ କରି ଆଖିର ଅମାନିଆଁ ଲୁହକୁ ଛାତିରେ ଚାପି କାଶ୍ମୀରୀ ଶାଲ ଟାକୁ ଦେହରେ ଅଧା ଘୋଡେଇ ହୋଇ ଶୋଇବାକୁ ଚେଷ୍ଟା କଲା।ହେଲେ ଆଖି ଆଗରେ ଝଲସି ଯାଉଥିଲା ସେଇ ଚିହ୍ନା ମୁହଁ ଓ ତାଙ୍କ ସହ ଫେଣ୍ଟା ଫେଣ୍ଟି କିଛି ଆନ୍ଦୋଳିତ ସ୍ମୃତି ଗଜରା।ନିଘୋଡ଼ ନିଦରେ ଶୋଇପଡ଼ିଲା ସେ।ବିଚାରୀ ଆଖିଦୁଇଟାର ଲୁହକୁ ବୋଧ କରିବାକୁ ଯାଇ ତା ନରମ ଗୋରା ତକ ତକ ଗାଲଟିରେ ମିଠା ଚୁମ୍ବନଟାଏ କଷିଦେଲା ନିଦ୍ରାବତୀ।ସ୍ବପ୍ନରାଣୀ ସାଜି ବୁଝାଇବାକୁ ଅନେକ ଚେଷ୍ଟା ବି କଲା ସେ।
ହଠାତ୍ ଏକ ଶବ୍ଦ ଶୁଭିଲା,ମୋତେ ମାରନା ମା,ମୁଁ ଆଉ ଏ ଭୁଲ କରିବି ନାହିଁ।ଠିକ୍ ଏହି ସମୟରେ ବସନ୍ତ ବାବୁ ବଜାଜ ପଲସର ଗାଡ଼ିର ଷ୍ଟାର୍ଟ ବନ୍ଦ କରିଛନ୍ତି କି ନାହିଁ ଶୁଣିଲେ ବାପା,ଆସ ବାପା,ମୋତେ ଏ ମାରି ପକେଇବେ।ବିଚଳିତ ବସନ୍ତ ତତକ୍ଷଣାତ ଓହ୍ଲାଇ ଏକମୁହାଁ ହୋଇ ଦୌଡ଼ିଗଲେ ଡ୍ରଇଂ ରୁମକୁ।ପୁଅ ମଳୟ ଦୌଡ଼ି ଆସି କୁଣ୍ଢେଇ ପକାଇଲା ତାଙ୍କୁ।
ଆଜି ମାରି ମାରି ତୋ ପିଠିରୁ ଛାଲ ଉତାରିଦେବି।ଆରେ… କେଉଁ ଘରର ପିଲା ତୁ,ଶେଷରେ ଏ ବସ୍ତି ପିଲାଙ୍କ ସହ ଖରାବେଳେ ଖେଳୁଛୁ !ତୋତେ କିଏ ଆଜି ରକ୍ଷା କରିବ ଦେଖିବି,ଉତକ୍ଷିପ୍ତ ହୋଇ ଗର୍ଜି ଉଠିଲେ ରଶ୍ମି।
ବସନ୍ତ ବିରକ୍ତି ହୋଇ କହିଲେ,ଛି ତୁମେ ପରା ଜଣେ ଶିକ୍ଷୟିତ୍ରୀ,ବିଦ୍ୟାଳୟ କାନ୍ଥରେ ଏଡ଼େ ଏଡ଼େ ଅକ୍ଷରରେ ଦଣ୍ଡମୁକ୍ତ ବିଦ୍ୟାଳୟ ଲେଖି ପ୍ରହସନ ପ୍ରଚାର କରୁଛ, ବଡ଼ ବଡ଼ ଅଭିନୟ ଭାଷଣ ବି ମାରୁଛ, ଆଉ ଏ ଘରକୁ କରୁଛ ଦଣ୍ଡଯୁକ୍ତ ଥାନା।ତୁମର ଟିକେ ସାଧାରଣ ଜ୍ଞାନ ନାହିଁ।ଆରେ ମଣିଷ ତ ସମାନ, ପୁଣି ବସ୍ତି.. ଗରିବ… ଛୋଟଲୋକ କହି ଅତି ନିପଟ ମୂର୍ଖପରି ଭେଦଭାବର ସଂକୀର୍ଣ୍ଣ ବାର୍ତ୍ତା ଦେଉଛ ! କାଲି ପରା ଛୁଆଙ୍କୁ ଭାଷଣ ଦେଉଥିଲ ଆମେ ସମସ୍ତେ ମଣିଷ ଜାତି,ଆମଠାରେ ସାନ ବଡ଼ ଧନୀ ଗରିବ କିଛି ରହିବା ଉଚିତ ନୁହଁ କିନ୍ତୁ ଆଜି…? ଓଃ ତୁମେ କେବଳ ଉପରେ ଗାନ୍ଧୀ ବାଦୀ ନୀତି ଆଉ ଭିତରେ ବ୍ରିଟିଶର କୁଟିଳ ନିଷ୍ଠୁର ନୀତି ଆପଣେଇ ନେଉଛ ବୋଧେ ?କେବେ ଚିନ୍ତା କରିଛ… ସରକାର ବିଦ୍ୟାଳୟ ମାନଙ୍କରେ ନାରୀ ମାନଙ୍କୁ କାହିଁକି ଅଧିକ ସୁଯୋଗ ଦେଉଛନ୍ତି,କେବଳ ନିଜ ପୁଅ ଝିଅ ପରି ଶ୍ରଦ୍ଧା କରିବେ,ଧୈର୍ଯ୍ୟର ସହ ସମାନଙ୍କୁ ବୁଝିବେ,, ମାତ୍ର ଭୁଲିଗଲ ତୁମ ପ୍ରଶିକ୍ଷଣର ଗଠନମୂଳକ ମନୋଭାବ ?ମାଆ ପରା ଧୈର୍ଯ୍ୟ ସହନଶୀଳତାର ସାଗର ଗଙ୍ଗା, କିନ୍ତୁ ଏ ସାହାରା ମରୁଭୂମିର ଏ ଉତ୍ତପ୍ତ ବାଲି ସ୍ଵଭାବ ମୋତେ ଆଜି ବିଚଳିତ କରୁଛି ।ଏଥର ତୁମେ ଯାହା କରିପାର?ପୁଅର ଆଖିରୁ ଲୁହଧାର ପୋଛି ଦେଇ ଛାତିରେ ଜାବୁଡି ଧରି ଧକେଇ ହୋଇ କାନ୍ଦିଲେ ବସନ୍ତ ବାବୁ।ଆଉ ପୁଅକୁ ଟାଣି ନେଇ ଶୁଆଇଦେଲେ ବେଡ଼ରୁମରେ।
ଝଡ଼ବତାସ ଚାଲିଗଲା ପରେ ପ୍ରକୃତି ଯେପରି ନୀରବତାକୁ ଆପଣେଇ ନିଏ ଠିକ୍ ସେହିପରି ରଶ୍ମିର କ୍ରୋଧର ଝଡଟା ନିମିଷକେ କୁଆଡେ ଅଦୃଶ୍ୟ ହୋଇଗଲା।ନିଜକୁ ବାରମ୍ବାର ବିଶ୍ଳେଷଣ ସଂଶ୍ଲେଷଣ କଲା ସେ।ଶେଷରେ ସିଦ୍ଧାନ୍ତର ମହଲ ଉପରେ ଛିଡ଼ାହୋଇ ବସନ୍ତଙ୍କ ଅମୁଲ୍ୟ ଉପାଦେୟ କଥା ଗୁଡିକର ଧ୍ୱନିକୁ ସ୍ମରଣ କରି ନିଜକୁ ଧିକ୍କାର କଲା।ସତରେ ସେ ସବୁର ସୀମା ଆଜି ଟପେଇଦେଲା ଯେ।କ୍ଷଣିକ କ୍ରୋଧକୁ ଆପଣେଇ ସେ ନିଜତ୍ବ ଶିକ୍ଷକତ୍ୱ ଆଉ ମାତୃତ୍ୱ ସବୁକୁ ପଦାଘାତ କରିଦେଇଛି ସେ ?ମନେମନେ ବସନ୍ତଙ୍କୁ କୃତଜ୍ଞତାର ପସରା ଅର୍ପଣ କରିବାକୁ ଭୁଲିଲା ନାହିଁ ସେ।ଆଖିରୁ ଅନୁତାପର ଲୁହ ଗୁଡାକ ଟପ ଟପ ହୋଇ ଗଡିଯାଉଥିଲା ଅଭିମାନ ପେଡିରୁ ବାହାରି।ମହାନତାର ବୀଜମନ୍ତ୍ରଟା ବି ତା ହୃଦୟକୁ ଛୁଟି ଆସିଲା।ନିଜ ଭୁଲ ପାଇଁ ଅନୁତପ୍ତ ହେଲା ସତ ହେଲେ ନିଜ ପ୍ରିୟ ବସନ୍ତଙ୍କ ଜ୍ଞାନ ଦର୍ଶନ ପାଇଁ ନିଜକୁ ଗର୍ବିତ ଅନୁଭବ କଲା।ଦୋଷୀ କାଠଗଡ଼ାରେ ମଥାନତ କରି ଛିଡା ହେଲା ପରି ସେହି ସ୍ଥାନରେ କଦଳୀବୃକ୍ଷ ପ୍ରାୟ ଦଣ୍ଡାୟମାନ ହୋଇ ରହିଥାଏ ରଶ୍ମି।
ସେପଟେ ବସନ୍ତ ବାବୁ ରଶ୍ମିକୁ ଛୁଆଟା ଆଗରେ ଏତେ ଗାକି କରିବା ଅନୁଚିତ ଭାବି ନିଜକୁ ଧିକ୍କାର କରୁଥାନ୍ତି।ନିଜଠୁ ଅଧିକ ଭସଲ ପାଉଥିବା ରଶ୍ମିକୁ କେତେ ଖରାପ ଲାଗିଥିବ ଏହା ଭାବିଭାବି ଅସମ୍ଭାଳ ହୋଇ ଛୁଟି ଆସିଲେ ଡ୍ରଇଂ ରୁମ୍ କୁ ଯେଉଁଠି ସେଇମିତି ଛିଡା ହୋଇ କାନ୍ଦୁଥାଏ ରଶ୍ମି।ମୁକ୍ତା ସମ ଆଖିରୁ ଭୁଥିବା ଲୁହ ଧାରଗୁଡିକୁ ନିଜ ରୁମାଲରେ ପୋଛି ବସନ୍ତ ବୋଧ କରି କହୁଥାନ୍ତି, ଏ ରଶ୍ମି…. ରାଗିଗଲ ନା ? ଆଇ ଆମ ଏକ୍ସଟ୍ରିମିଲି ସରି।ଡୋଣ୍ଟ ମାଇଣ୍ଡ ମେରି ଜାନ୍।
ନାଁ ମୋତେ କ୍ଷମା କରିଦିଅ ବସନ୍ତ,ମୁଁ ମସ୍ତବଡ଼ ଭୁଲ କରିଛି,ତୁମେ ମୋ ଆଖି ଖୋଲି ଦେଇଛ।ଏତିକି କହିଲା ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଥାନ୍ତି।
ଏହି ସମୟରେ ରଶ୍ମିର ନିଦ ଭାଙ୍ଗିଗଲା।ନିଜ ବାହୁବନ୍ଧନରେ ବସନ୍ତକୁ ନ ପାଇ,ପାଗଳି ପରି ଡାକୁଥାଏ… ବସନ୍ତ.. ବସନ୍ତ।ଏତିକିବେଳେ ପୁଅ ମଳୟ ନିଦରୁ ଉଠି କହିଲା,ମା’ କଣ ହେଲା, ଏମିତି ବସନ୍ତ ବସନ୍ତ ରଡି ଛାଡୁଛ ଯେ। ବାପାଙ୍କୁ ସ୍ବପ୍ନ ଦେଖିଲ କି କହି କାନ୍ଦି ପକାଇଲା?ପୁଅ ମୁଣ୍ଡକୁ ଆଉଁସି ଦେଇ ହଁ ସ୍ବପ୍ନ ଦେଖିଲିରେ ଧନ କହି ବୋଧ କରି ଶୁଆଇ ଦେଲେ ସିନା ତାଙ୍କ ଆଖିକୁ ଆଉ ନିଦ ଆସିଲା ନାହିଁ।ସ୍ମୃତିର ଡାଏରୀ ଖୋଲି ପଢି ଚାଲିଲେ ହୃଦୟ ଆଖିରେ ଗୋଟିଏ ପରେ ଗୋଟିଏ ପୃଷ୍ଠା।
ଏଇ କାଲିପରି ଲାଗୁଛି ସେ ଥିଲେ ଗୋଟିଏ ଚାଉଳରେ ଗଢା ଚୁଲବୁଲି ଝିଅଟିଏ।ଯିଏ ବି ଦେଖିବ ଆଖିର ଲେନ୍ସରେ ଫଟୋ ଉଠାଇବା ସହ ତାଙ୍କ ରୂପ ଯୌବନରେ ଆକର୍ଷିତ ହୋଇଯିବ।ନିଦାଘଟା ମନେ ମନେ ବହୁତ ଭଲ ପାଉଥାଏ ତାଙ୍କୁ ତାଙ୍କ ଅଗୋଚରରେ।ହେଲେ ସେ କୋମଳାଙ୍ଗି ସୁକୁମାରୀ ଝିଅଟିଏ ମାତ୍ର ନିଦାଘ ଏକ ପ୍ରଖର ତେଜିୟାନ ତେଜସ୍ୱୀ ଯୁବକ।ସେ ମନେ ମନେ ତାଙ୍କୁ ଭୟ କରନ୍ତି ଭକ୍ତି ଓ ସମ୍ମାନ ବି ଦିଅନ୍ତି।କେବେ ପ୍ରେମ ଆଖିରେ ଦେଖିନାହାନ୍ତି।
ଋତୁଚକ୍ରର ପରିବର୍ତ୍ତନ ଚକାଭଉଁରୀ ଖେଳରେ ସେତେବେଳେ ଆଗମନ କରିଥାନ୍ତି ପ୍ରଭାବଶାଳୀ ଶୀତ।ତାଙ୍କର ଅହଂକାର ପ୍ରବଳ ପ୍ରଭାବରେ ସମସ୍ତେ କମ୍ପି ଥରି ଉଠୁଥାନ୍ତି।ବିଚରା ବିଚାରୀ ଅଭାବୀ,ଅସହାୟ,ନିଷ୍ପେସିତ ମାନଙ୍କ ଦୁଃଖର ସୀମା ବହୁଗୁଣିତ ହୋଇଯାଇଥାଏ।ନିଜ ଜୀବନ ହାରିବାକୁ ସଂକଳ୍ପ କରିଥାନ୍ତି ସେମାନେ।ଏସବୁ ଶୁଣି ମା ଧରଣୀରାଣୀ ନିଜ ସନ୍ତାନ ସନ୍ତତିଙ୍କ ଦୁଃଖରେ ଅଧୀର ହେଉଥାନ୍ତି।ଶୀତ ବସ୍ତ୍ରଟିଏ ନ ଥିବା ଓ ଶୀତର ପ୍ରକୋପ ଅତ୍ୟନ୍ତ ଅସହ୍ୟ ହେବାରୁ ସଭିଙ୍କ ପାଇଁ ସ୍ମରଣ କଲେ ସୁନ୍ଦରୀ ରାଜକୁମାରୀ ରଶ୍ମି କୁ।ଧନ ଜ୍ଞାନ ରୂପରେ ଭରପୁରା ରଶ୍ମି ଥିଲା ହୃଦୟୀ ଓ ମମତାପୂର୍ଣ୍ଣା।ସଂଗେ ସଙ୍ଗେ ଆବିର୍ଭୁତା ରଶ୍ମି ସକଳ ପ୍ରାଣୀଙ୍କର ଦୁଃଖ ଯାତନା ଦେଖି ଆଖିରୁ ବିଗଳିତ କରିଥିଲେ କେଇଧାର ଲୁହ ।ସେହି ଦିନରୁ ନିଜ ରଶ୍ମିର କୋମଳ ଉତ୍ତାପ ଦେଇ ସଭିଙ୍କୁ ସନ୍ତୁଷ୍ଟ କରିଦେଲେ ରଶ୍ମି।ହେଲେ ଶୀତଟା ଦୁର୍ବଳ ଓ ଅପମାନିତ ହୋଇ ଛାଡିଯିବାକୁ ସଂକଳ୍ପ କଲା।ରଶ୍ମିର ପ୍ରଭାବ ସୂର୍ଯ୍ୟ ଯୋଗୁଁ ବଢ଼ିଲା। ଏଣେ ଏକୁଟିଆ ପରିଶ୍ରମ କରି ଥକ୍କି ଯାଉଥିବା ରଶ୍ମି ଚାହୁଁଥିଲା ଭଲ ସାଥିଟିଏ ଯିଏ କି ତାକୁ ଶୟନେ ସ୍ବପନେ ସାହାଯ୍ୟ କରିବେ।ରଶ୍ମି ମନେ ପକାଇଲା ତା ନଜରରେ ଆସିଥିବା ରାଜକୁମାର ବସନ୍ତକୁ।ତାକୁ ବର୍ଷର କେଉଁ ସମୟରେ ଦେଖିଲେ କାହିଁକି ନିଜର ନିଜର ଲାଗୁଥିଲା।ସେଇ ବାଟଦେଇ ଯାଉଥାନ୍ତି ଯୁବରାଜ ବସନ୍ତ।ହଠାତ୍ ତାଙ୍କ ଦୃଷ୍ଟି ପଡିଗଲା ସୁନ୍ଦରୀ ରଶ୍ମି ଉପରେ।ରଶ୍ମିଙ୍କ ଲାଜେଇ ହସ ତାଙ୍କୁ କିଛି ସୂଚନା ଦେଇଥିଲା।ଦୁହେଁ ଦୁହିଁଙ୍କୁ ଜୀବନଠୁ ଅଧିକ ଭଲପାଇଲେ।କଥୋପକଥନ ରେ ରଶ୍ମିର ମନକଥା ଜାଣି ସାହାଯ୍ୟର ହାତ ମଧ୍ୟ ଧରିଲେ।ବସନ୍ତର ଶୀତଳତା ଓ ରଶ୍ମିର ସାମାନ୍ୟ ଉଷ୍ମତାର ସଙ୍ଗମ ପ୍ରେମକୁ ପ୍ରଣୟର ପରିଣତ କଲା।ଧରଣୀବାସୀଙ୍କୁ ଆନନ୍ଦ ଅର୍ପଣ କରିବାକୁ ଦୁହିଙ୍କର ମିଳାମିଶା ଛନ୍ଦିଦେଲା ବିବାହ ବନ୍ଧନରେ।ପ୍ରକୃତି ନାଚି ଉଠିଲା।କୋଇଲି କୁହୁ କୁହୁ ମଧୁସଙ୍ଗୀତ ନ ଗାଇ ରହିପାରିଲା ନାହିଁ ।ହଳଦୀବସନ୍ତଟା ନାଚି ନାଚି ବିଭୋର ହୋଇଗଲା।ମଧୁପ୍ରେମର ବାସ୍ନାରେ ଆମ୍ବ ବଉଳଟା ବାସି ମହକାଇଦେଲା।ଦୁହିଁଙ୍କ ସଂଗମରେ ଜାତ ହେଲା ମୃଦୁ ମଳୟ।ବାସ ଚନ୍ଦନ ପରି ତାର ସ୍ପର୍ଶ ଧରଣୀବାସୀଙ୍କୁ ପ୍ରଫୁଲ୍ଲତାରେ ଉତ୍ଫୁଲ୍ଲିତ କରିଦେଲା।ନବ ବିବାହିତ ବିବାହିତା ବସନ୍ତ ରଶ୍ମିଙ୍କ ମିଳନ,ହାସଖୁସି,ଜୀବନକୁ ଉପଭୋଗ ସଭିଙ୍କ ପାଇଁ ଉପଭୋଗ୍ୟ ଥିଲା ।ସାମାନ୍ୟ ଗରମ ସାମାନ୍ୟ ଥଣ୍ଡା ପାଇ ସଭିଏଁ ପ୍ରତିକ୍ଷଣ ପାଳୁଥିଲେ ଆନନ୍ଦ ଉତ୍ସବ।ବୃକ୍ଷଗୁଡିକ ନବ ପତ୍ର ଧରି ହସି ଉଠୁଥିଲେ।ମଳୟର ନୃତ୍ୟ ଭଙ୍ଗୀ ସଭିଙ୍କୁ ଅପୂର୍ବ ପୁଲକ ବାଣ୍ଟୁଥିଲା।ହେଲେ ଏ ଖୁସିର ସୁଅକୁ ଦେଖି ଅସହ୍ୟ ହୋଇଉଠିଲା ଖଳ ନାୟକ ନିଦାଘ।ଯେଉଁ ରଶ୍ମିକୁ ସେ ମହାରାଣୀ କରିବାର ସ୍ବପ୍ନ ଦେଖୁଥିଲା ତାକୁ ବସନ୍ତ ସହ ଦେଖି ସେ ଭିତରେ ଭିତରେ ରକ୍ତ ଚାଉଳ ଚୋବାଉଥିଲା।ଯଦି ରଶ୍ମି ମୋର ହେଲାନାହିଁ ତାହେଲେ କାହାର କରିଦେବିନି ସଂକଳ୍ପ କରି ବିଚ୍ଛୁରିତ କଲା ତୀକ୍ଷ୍ଣ କିରଣ।ଆସିଲା ଅଂଶୁଘାତ।ଛଳ କପଟରେ ଚୈତ୍ର ମାସର ଶେଷ ଆଡକୁ ସୁଯୋଗ ଦେଖି ଶୋଷିନେଲା ବସନ୍ତ୍ରର ଜୀବନ।ଏହା ଦେଖି ରଶ୍ମି ର ଆଶାର ଆକାଶରେ ଦୁଃଖର ଧୂମକେତୁ ମାଡି ଆସିଲା।ଛାତିର କଲିଜାଟା ଛିଡି ଯାଉଥାଏ।ବସନ୍ତର ଅନ୍ତିମ କାଳରେ ସେ ରଶ୍ମିକୁ କେବଳ କହିଯାଇଥିଲା ,ଏ ରଶ୍ମି… ମୋ ମଳୟ ତୁମକୁ ଲାଗିଲା।ତାକୁ ମଣିଷ ପରି ମଣିଷ କରି ଗଢ଼ିବ।ଯାହାକୁ ଦେଖି ସମସ୍ତେ ଯେମିତି କହୁଥିବେ,ବାଃ ବାଃ ମଳୟ ଧନ୍ୟ ତୁମେ ବସନ୍ତ ପୁତ୍ର,ଧନ୍ୟ ତୁମେ ରଶ୍ମି ର ଗେହ୍ଲା ପୁଅ।ଏତିକି ମନେ ରଖିବ କେବେ ତା ମନ ଶରୀରରେ ଆଘାତ ଦେବ ନି।ଧୈର୍ଯ୍ୟ ସହନଶୀଳତାକୁ ହୃଦୟରେ ଧରି ଉଚ୍ଚମନା ମହାନତା ସାମ୍ୟବାଦୀର ମନ୍ତ୍ର ଉଚ୍ଚାରଣକୁ କେବେ ବି ଭୁଲିବ ନାହିଁ।ଯେତେବେଳେ ଦୁଃଖ ତୁମ ସାମ୍ନାକୁ ଆସିବ ସେ ସମୟରେ ବସନ୍ତ ରଶ୍ମିର ବିତିଯାଇଥିବା ସ୍ବପ୍ନ ମୁଣିରୁ ସ୍ବପ୍ନ ମାନଙ୍କୁ ଆଦରର ହାତରେ ସାଉଁଟିବ ଦେଖିବ ଦୁଃଖ ଆପେ ଆପେ ଡରି ପଳାଇଯିବ।
ଆଖିରୁ ଟପ୍ ଟପ୍ ଲୁହ କେଇଟୋପା ନିଗିଡିଗଲା ରଶ୍ମି ଆଖିରୁ।କାଉଟା କା କା ରାବିବାରୁ ମଳୟ ଟା ନିଦରୁ ଉଠିପଡ଼ିଲା।ଆଦରରେ ତା ମୁଣ୍ଡକୁ ଆଉଁସି ଛାତିରେ ଆଉଜେଇ କାନ୍ଥରେ ଥିବା ବସନ୍ତଙ୍କ ଫଟୋକୁ ଚାହିଁଦେଲା ଆଉ ମନେ ମନେ କହିଲା ଏଇ ପରା ଆମ ସାଉଁଟା ସ୍ବପ୍ନ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????

Leave a Reply

Your email address will not be published. Required fields are marked *