ଗୀତାର ମହିମା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଶ୍ରୀମଦଭଗବତଗୀତାରୁ ପଦେ….୧

ଗୀତାର ମହିମା

ଶ୍ରୀମଦଭଗବତଗୀତା ହେଉଛି ସାକ୍ଷାତ୍ ଭଗବାନଙ୍କର ଦିବ୍ଯବାଣୀ । ଏହାର ମହିମା ଅପାର ଓ ଅପରିମିତ । ଏହାର ଯଥାର୍ଥ ବର୍ଣ୍ଣନା କେହି କରି ପାରିବେ ନାହିଁ । ମନୁଷ୍ୟ ମାନଙ୍କ କଥା କ’ଣ କହିବା, ଶେଷ,ମହେଶ ଓ ଗଣେଶ ମଧ୍ୟ ଏହାର ମହିମା ପୂର୍ଣ୍ଣରୂପେ ବର୍ଣ୍ଣନା କରିପାରିବେ ନାହିଁ । ଇତିହାସ ପୁରାଣ ଆଦିରେ ସ୍ଥାନେ ସ୍ଥାନେ ଏହାର ମହିମା ଗାନ କରାଯାଇଛି; ତଥାପି ଏପର୍ଯ୍ୟନ୍ତ ଏହାର ଯେତେ ମହିମା ଗାନ କରାଯାଇଛି, ସେଗୁଡିକୁ ଏକତ୍ର କରିଦେଲେ ମଧ୍ୟ, କୁହାଯାଇପାରିବ ନାହିଁ ଯେ,ଗୀତାର ମହିମା ଏତିକିମାତ୍ର । ବାସ୍ତବରେ କହିବାକୁ ଗଲେ, ଏହାର ମହିମା ପୂର୍ଣ୍ଣରୂପେ ବର୍ଣ୍ଣନା ହୋଇପାରିବ ନାହିଁ । ଯେଉଁ ବସ୍ତୁର ବର୍ଣ୍ଣନା ହୋଇପାରେ, ତାହା ଆଉ ଅପରିମିତ ହୋଇ କିପରି ରହିବ ? ତାହା ତ ପରିମିତ ହୋଇଗଲା ।
ଗୀତା ଏକ ପରମ ରହସ୍ଯମୟ ଗ୍ରନ୍ଥ । ଏଥିରେ ସମସ୍ତ ବେଦର ସାର ସଂଗ୍ରହ କରାଯାଇଛି । ଏହାର ରଚନା ଏତେ ସୁନ୍ଦର ଓ ସରଳ ଯେ, ଟିକିଏ ଅଭ୍ଯାସ କଲେ, ମନୁଷ୍ୟ ଏହାକୁ ସହଜରେ ବୁଝିପାରିବ; ତଥାପି ଏହାର ଅନ୍ତର୍ନିହିତ ତଥ୍ୟ ଏପରି ଗୂଢ ଓ ଗମ୍ଭୀର ଯେ,ଆଜୀବନ ନିରନ୍ତର ଅଭ୍ଯାସ କରିଚାଲିଲେ ମଧ୍ୟ, ଏହାର ଅନ୍ତ ମିଳିପାରେ ନାହିଁ । ଏଥିରୁ ପ୍ରତିଦିନ ନୂଆ ନୂଆ ଭାବ ଉତ୍ପନ ହେଉଥାଏ; ତେଣୁ ଏହା ସର୍ବଦା ନବୀନ ହୋଇ ହିଁ ରହେ ଏବଂ ଏକାଗ୍ରଚିତ୍ତ ହୋଇ ଶ୍ରଦ୍ଧା-ଭକ୍ତି ସହିତ ବିଚାର କଲେ ଏହାର ପ୍ରତିଟି ପଦରେ ପରମ ରହସ୍ଯ ପୂର୍ଣ୍ଣ ହୋଇ ରହିଥିବା ପ୍ରତ୍ଯକ୍ଷ ପ୍ରତୀତ ହୁଏ । ଏହି ଗୀତାଶାସ୍ତ୍ରରେ ଭଗବାନଙ୍କର ଗୁଣ,ପ୍ରଭାବ,ସ୍ବରୂପ, ତତ୍ତ୍ବ,ରହସ୍ଯ ଏବଂ ଉପାସନା ତଥା କର୍ମ ଓ ଜ୍ଞାନର ବର୍ଣ୍ଣନା ଯେପରି ଭାବରେ କରାଯାଇଛି, ସେପରି ବର୍ଣ୍ଣନା ଅନ୍ୟ କୌଣସି ଗ୍ରନ୍ଥରେ ଏକସଙ୍ଗରେ ମିଳିବା କଠିନ । ଭଗଵତଗୀତା ଏପରି ଏକ ଅନୁପମ ଶାସ୍ତ୍ର ଯେ, ଏହାର ଗୋଟିଏ ବି ଶବ୍ଦ ସଦୁପଦେଶରୁ ବିଚ୍ଯୁତ ନୁହେଁ । ଗୀତରେ ଗୋଟିଏ ହେଲେ ଏପରି ଶବ୍ଦ ନାହିଁ, ଯାହାକୁ ଚାଟୁବାଣୀ ବୋଲି କୁହାଯାଇପାରେ । ଏଥିରେ ଯେଉଁସବୁ କଥା କୁହାଯାଇଛି, ସେସବୁ ଅକ୍ଷରେ-ଅକ୍ଷରେ ଯଥାର୍ଥ । ସତ୍ଯସ୍ବରୂପ ଭଗବାନଙ୍କ ବାଣୀରେ ମନୋରଞ୍ଜନ କଳ୍ପନା କରିବା ଅର୍ଥ ତାହାର ଅନାଦର କରିବା ।
ଗୀତା ସର୍ବଶାସ୍ତ୍ରମୟୀ । ଗୀତରେ ସମସ୍ତ ଶାସ୍ତ୍ରର ସାର ପୂର୍ଣ୍ଣ ହୋଇ ରହିଛି । ଏହାକୁ ସବୁଶାସ୍ତ୍ରର ଭଣ୍ଡାର ବୋଲି କହିଲେ ମଧ୍ୟ ଅତ୍ଯୁକ୍ତି ହେବ ନାହିଁ । ଭଲଭାବରେ ଗୀତାଜ୍ଞାନ ହୋଇଯିବା ପରେ, ସବୁ ଶାସ୍ତ୍ରର ତାତ୍ତ୍ବିକ ଜ୍ଞାନ ସ୍ବତଃ ଉଦୟ ହୋଇଯିବ; ସେଥିପାଇଁ ପୃଥକ୍ ପରିଶ୍ରମ କରିବାର ଆବଶ୍ୟକତା ରହିବ ନାହିଁ । କ୍ରମଶଃ…..

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *