କାନ୍ଦ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

✍???? *କାନ୍ଦ*✍????
**************
ଏ ଜୀବନ ଦୁଃଖ ସୁଖର ମିଶ୍ରଣ
ଏକ ନଦୀ ଦୁଇ ଧାର
କେବେ ବାଣ୍ଟେ ସିଏ ମଧୁର ଜଳକୁ
କେବେ ଲବଣର ଝର ।

ମଧୁଜଳ ଦିଏ ହସର ପସରା
ଲବଣ କାନ୍ଦର କୋହ
ବିପଦ ପଡିଲେ ହୃଦ ଥରିଯାଏ
ଅନ୍ତରୁ ଝରଇ ଲୁହ ।

ବିରହ ଝରାଏ କାନ୍ଦର ଶ୍ରାବଣ
ଜୀଉଁ ଜୀଉଁ ଯାଏ ମରି
ଚିନ୍ତାର ବନ୍ୟାରେ କେବେ ବୁଡିଯାଏ
କେବେ ଭାସେ ଶୁନ୍ୟେ (ତା) ତରୀ ।

ପତିର ବିୟୋଗେ ଫାଟେ ହୃତପିଣ୍ଡ ଟା
ସେ କାନ୍ଦ ବର୍ଣ୍ଣି ହୁଏନା
ବୁଢ଼ୀ ମାଆଟାର ଏକପୁତ୍ର କାଳ
ବିଧାତା ସହିପାରେନା ।

ବୁଭୁକ୍ଷୁର କାନ୍ଦ ଶ୍ବାସରୁଦ୍ଧ କରେ
ଥରାଏ ଶିରା ଧମନୀ
ରୋଗୀର ଆଖିରେ କାନ୍ଦ ଥକିଯାଏ
ସାରା ଦିବସ ରଜନୀ ।

ବିଚରା ଦରିଦ୍ର ଦୁଃଖ କଷ୍ଟ ସହି
ପାଏ ଯେବେ ସଫଳତା
ତା ଆଖିରୁ ଝରେ ଆନନ୍ଦର ଅଶ୍ରୁ
ଥକେ ଓଠ ଆଖିପତା ।

ପ୍ରତାରଣା କିବା ଆତ୍ମୀୟ ଚାପରେ
ପ୍ରେମ ଯେବେ ହାରିଯାଏ
ସେ କାନ୍ଦ ସାନ୍ଧ୍ରତା ମାପି ହୁଏନାହିଁ
ବିଜ୍ଞାନର ମାପକରେ ।

ଅନ୍ତରଙ୍ଗ ବନ୍ଧୁ ସାଜେ ଯେବେ ଶତ୍ରୁ
କିବା ବିଶ୍ୱାସଘାତକ
ଧର୍ମ କାନ୍ଦେ ବୁଜି ଆଖି ଆଉ ମନ
ସାଜି ନୀରବ ସାଧକ ।

ବୃଦ୍ଧ ବୃଦ୍ଧା କାଳେ ଅନାଥ ଯେ ହୁଏ
ପୁଅ କି ଝିଅ ପାଖରେ
ଅବର୍ଣ୍ଣନୀୟ ସେ କାନ୍ଦର ପରିଧି
ଅଙ୍କ ଭୂଗୋଳ ନକ୍ସାରେ ।

ଅକାଳ ବିୟୋଗ, ଅବା ଦେଶ ରତ୍ନ
ହଜେ କେବେ ଅଦିନରେ
ସାରା ଜାତି ମାନେ ଶୋକ ଦିବସଟେ
କାନ୍ଦି ଦରିଆ ବାଲିରେ ।

ବୈଧବ୍ୟ ବେଦନା, ପତ୍ନୀ ହରା ପତି
ପ୍ରତିକ୍ଷଣ କାନ୍ଦେ ଝୁରି
କେବେ ଯଦି ହସେ ସେ ହସରେ କାନ୍ଦ
ସଦା ମାରଇ ଲହରୀ।

ଅସଫଳ କାନ୍ଦ ନିଃସଙ୍ଗ ବନାଏ
କେବେ ଜୀବନକୁ ହାରେ
ଯଦି ବଂଚିଯାଏ ଅକର୍ମଣ୍ୟ ହୋଇ
ବିକୃତ ମସ୍ତିଷ୍କେ ମାରେ ।

ହସ ପରେ କାନ୍ଦ କାନ୍ଦ ପରେ ହସ
ଏ ତ ବିଧାତାଙ୍କ ଖେଳ
କାନ୍ଦ ନ ଥିଲେ କି ହସର ମାଧୁର୍ଯ୍ୟ
ବାରିହୁଏ କାଳ କାଳ ?

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????

Leave a Reply

Your email address will not be published. Required fields are marked *