ମୋ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି.

ଆଜି ମୋ ବାପାଙ୍କ ଶ୍ରାଦ୍ଧ ଦିବସ
ଏକ ବର୍ଷ ଗଲା ବିତି
ତାଙ୍କରି ସ୍ମୃତିରେ ଏକାଠି ହୋଇଛୁ
ମନରେ ନ ଆସେ ଶାନ୍ତି l
ଯୁଆଡେ ଚାହିଁଲେ ଖାଲି ଖାଲି ଲାଗେ
ମନେ ପଡେ ତାଙ୍କ କଥା
ଚକ୍ଷୁ ଖୋଜୁ ଅଛି ପ୍ରାଣ କାନ୍ଦୁ ଅଛି
ନ ଦେଖି ପାରୁଛୁ ପିତା l
ସତେ କି ଲାଗୁଛି ବାପା ଡାକୁଛନ୍ତି
ବାସ ଆର ସାର ବୋଲି
କୁଆଡେ ଅଛରେ ଖାଇବାକୁ ଦିଅ
ଡିଉଟିକୁ ଯିବି ଚାଲି l
ବାହାରୁ ଆସିଲେ ଘରେ ନ ପଶୁଣୁ
ଡାକ ପକାଇଣ ଥାନ୍ତି
ପୁଅ ଝିଅ ତାଙ୍କ ଜୀଵନ ଥିଲତ
ଦେଖିଦେଲେ ଖୁସି ହୁ’ନ୍ତି l
ବୋଉ ଯାଇ ଥିଲା ବାପା ପାଶେ ଥିଲେ
ସବୁ ଦୁଃଖ ଭୁଲି ଥିଲୁ
ବାପା ଚାଲି ଗଲେ ବୋଉଙ୍କ ପାଖକୁ
ମାତୃ ପିତୃ ହରା ହେଲୁ l
ସ୍ଵଚ୍ଚ ସରଳ ଦରଦୀ ମଣିଷ
ସାଧା ସିଧା ଲୋକ ସିଏ
ସଭିଙ୍କର ସୁଖ ଦୁଃଖର ସାଥି ସେ
ବିପଦରେ ବନ୍ଧୁ ଟିଏ l
ଅଭାବୀ ଲୋକର ଦୁଃଖ ଶୁଣିଦେଲେ
ସାହାଯ୍ୟ ତାଙ୍କୁ କରନ୍ତି
ବିପଦେ ଆପଦେ ସାହି ପଡ଼ିଶାରେ
ତାଙ୍କ ଦ୍ୱାରେ ଛିଡା ହୁନ୍ତି l
ପୁନେଇ ପରବ ପାଳନ କରନ୍ତି
ଗାଁ ଲୋକ ସଙ୍ଗେ ମିଶି
ରଜ ହରିହାଟ କଳସ ଆଣନ୍ତି
ସଭିଙ୍କୁ ବାଣ୍ଟନ୍ତି ଖୁସି l
ସେଇ ବାପା ମୋର ଚିର ନିଦ୍ରା ଗଲେ
କେବେତ ଉଠିବେ ନାହିଁ
ଝୁରେ ପରିବାର ଝୁରେ ବନ୍ଧୁ ବର୍ଗ
ସ୍ମୃତିକୁ ମନେ ପକାଇ l
ବାପାଙ୍କ ଅଭାବ ସଦା ରହିଥିବ
ଏ ଜୀଵନ ଥିବା ଯାଏ
କେବେ ନ ଭୁଲିବୁ ପୂଜ୍ୟ ପିତାଙ୍କୁ
ରକ୍ତର ବନ୍ଧନ ସିଏ l
ଯେଉଁଠାରେ ଥାନ୍ତୁ ବାପା ତ ଅମର
ଆତ୍ମାର ସଦଗତି ହେଉ
ସ୍ୱର୍ଗରୁ ଆଶିଷ ଧାରା ଝରି ପଡ଼ୁ
ପରିବାର ସୁଖୀ ହେଉ l
ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଉ
ପ୍ରଣତି ଘେନ ଅମର
ଶୟନେ ସପନେ ଦେଖା ଦେଉଥିବ
ସାଥିରେ ଥିବ ଅମର l
**************
ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର, ପିନ କୋଡ଼ : 764059
ମୋ : 8658655979

Leave a Reply

Your email address will not be published. Required fields are marked *