କ୍ଷୁଦ୍ରଗଳ୍ପ – ମଲାଜହ୍ନ – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ସେଦିନ କୁଆଁର ପୁନେଇଁର ତୋଫା ଜହ୍ନ କୁ ଦେଖି ଚୁପି ଚୁପି କଣ କହିଯାଉଥିଲା ସୁରଭି।ଲାଗୁଥିଲା ସତେ ଯେମିତି ସେ କହୁଛି, ମିଳନ୍ତା କି ମୋତେ ଏହି ଜହ୍ନ ପରି ଜୀବନ ସାଥିଟିଏ।ଗୋଟିଏ ଚାଉଳରେ ଗଢା ଦିବ୍ୟ ଅପ୍ସରୀ ପରି ଚେହେରା ସୁରଭିର।ଖାଲି ରୂପରେ ନୁହଁ ଗୁଣରେ ବି ସେ ମହନୀୟା।ଗାଁର ଏକ ମଧ୍ୟବିତ୍ତ ପରିବାରରର ତାର ଜନ୍ମ।ବାପା କୃପାସିନ୍ଧୁ ଜଣେ ସଚ୍ଚା ଉଦାର କର୍ମଠ କୃଷକ।ମାଟ୍ରିକ ରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ ବି ଅର୍ଥର ଅଭାବ ଯୋଗୁଁ ଝିଅକୁ ଉଚ୍ଚ ଶିକ୍ଷାରୁ ବଂଚିତ କରିଥିଲେ ସେ।ପାଖ ଗାଁର ସୁବ୍ରତ ସହ ଦେଖା ସାକ୍ଷାତରେ ହୋଇଥିଲା ତାଙ୍କର ପ୍ରେମ ବନ୍ଧନ।ପରବର୍ତ୍ତୀ ସମୟରେ ପରିବାରର ଶତ ବାରଣ ସତ୍ତ୍ୱେ ସୁବ୍ରତ ମନ୍ଦିରରେ ବିବାହ କରି ଘରଛାଡି ରହିଥିଲା ଏକ ଦୂର ସ୍ଥାନରେ।କ’ଣ କରିବ ବିଚରା,ସୁରଭିକୁ ସୁଖ ଓ ଶାନ୍ତିରେ ରଖିବାର ସ୍ବପ୍ନ ରଖି ଚାଲିଲା ବିଦେଶ, ଏକୁଟିଆ ରହିଲା ସୁରଭି ତା ପ୍ରିୟ ସୁବ୍ରତର ଫେରିବା ବାଟକୁ ଚାହିଁ ଚାହିଁ।
ଘରପାଖ ନଳକୁଅରୁ ମାଠିଏ ପାଣି ନେଇ ସେଦିନ ଆସୁଥାଏ ସୁରଭି।ହଠାତ୍ ସାଇକେଲ ଘଣ୍ଟିର  ଟିନ୍ ଟିନ୍ ଧ୍ଵନି ଶୁଣି ହଠାତ୍ ପଛକୁ ଚାହିଁଲା।ଏକ ଯୁବକର କଣ୍ଠ ସ୍ୱର…ଏଇଠି ସୁରଭି  ନାୟକ ବୋଲି କିଏ ରହନ୍ତି କି?
  ମୁରୁକି ହସି ଶୀତଳ, କଅଁଳ- ମଧୁର ସ୍ୱରରେ ସୁରଭି କହିଲା,ହଁ…ମୁଁ ସୁରଭି ନାୟକ।କ’ଣ କିଛି କାମ ଥିଲା କି?
   ଗଗନ କହିଲା,ନାଁ ଆପଣଙ୍କ ନାଁରେ ବିଶାଖାପାଟଣାରୁ ଏକ ଚିଠି ଆସିଛି।ସୁବ୍ରତ ବେହେରା ପଠାଇଛନ୍ତି।
  ଏତିକି ଶୁଣିବାମାତ୍ରେ ସୁରଭିର ଖୁସି କହିଲେ ନ ସରେ। ସରାଗରେ ଚିଠିଟିକୁ ଧରି ମନ ଆନନ୍ଦରେ ଘରକୁ ଯାଇ ଏକ ନିଃଶ୍ଵାସରେ ପଢ଼ିଚାଲିଲା…….. ତା ପ୍ରିୟର ଚିଠି।କି ଅପୂର୍ବ ସେ ଅନୁଭବ ! ଭାବିଲା ଏଇମିତି ମୋ ପ୍ରିୟଠୁ ଆସନ୍ତା କି ଚିଠି।ଏଇ ଚିଠିରେ ତ ଦେଖିପାରନ୍ତା ପ୍ରିୟର ସୁନ୍ଦର ମୁଖମଣ୍ଡଳ।ଏଇମିତି ସବୁଦିନ ଚାହିଁଥାଏ ଗଗନର ଆଣିଥିବା ଚିଠିକି?ଆସୁ କି ନ ଆସୁ ସେ ହସି ହସି ଗଗନକୁ ପଚାରେ,ଆସିଛି କି?ଗଗନ ମୁଣ୍ଡ ହଲାଇ ମନା କରେ,କହେ, ଆସିଲେ ଦେବି।ଏଇମିତି ସବୁଦିନ ଗଗନ ଓ ସୁରଭିର ସେଇ ନଳକୁଅ ମୂଳରେ ଦେଖା ହୁଏ।ସୁରଭିର ଚିଠି ପାଇବାକୁ କୌତୁହଳର ଆବେଗିକ ଚାହାଣି ଓ ଅପରୂପ ହସ ଗଗନକୁ ସ୍ୱପ୍ନର ଦୁନିଆଁରେ ଭସାଇଦିଏ।ଏମିତିକି ରବିବାର ଦିନ କାହିଁକି ପଡୁଛି ଓ ଛୁଟି ହେଉଛି ସେଥିପାଇଁ ତାକୁ କଷ୍ଟ ହୁଏ।ସେ ଭଗବାନଙ୍କୁ ମନେ ମନେ ରାଗେ।ସୁରଭିର ହସ ,ତା ଚାହାଣି ଗଗନକୁ ଦିୱାନା କରିଦିଏ।ଶୟନେ ସ୍ବପନେ ସୁରଭିର ଛବି ତା ହୃଦୟ ଆଇନାରେ ଝଲସି ଉଠେ।
  ଦିନେ ଭାବିଲା, ତା ମନର କଥା ସେ ସୁରଭିକୁ ଜଣାଇଦେଵ।ପୁଣି ତା ବିବେକ କହେ, ଯଦି ସେ ତାକୁ ଭଲ ପାଉ ନ ଥିବ,ତେବେ..ତାଙ୍କ ଏ ସମ୍ପର୍କ ବିକୃତ ହୋଇଯିବ।ପୁଣି ଭାବେ,ନାଁ.. ତା ହସ,ତା ଚାହାଣି, ତା ମଧୁର କଥା କେବେ ମିଛ ନୁହଁ,ତାହା ମୋ ପ୍ରତି ଭଲପାଇବା ଛଡା ଆଉ କିଛି ନୁହଁ।କାହିଁକି ସେ ବିଳମ୍ବ କରିବ, କଥାରେ ଅଛି,ଶୀଘ୍ରସ୍ୟ ଶୁଭମ୍।ସେ ନିଶ୍ଚୟ କହିଦେବ। ସେଦିନ ସାଇକେଲ ନେଇ ଗଲାବେଳେ ସୁରଭି କହିଲା, ଗଗନ ଆମ ଘରକୁ କାଲି ଆସିବ?ଆମ ଘରେ ଖାଇ କରି ଯିବ।ସେଦିନ ତା ଛାତି କୁଣ୍ଢେମୋଟ ହୋଇଗଲା।ସେ ଦୃଢ଼ ନିଶ୍ଚିତ ହେଲା ଯେ,ସୁରଭି ତାକୁ ବହୁତ ଭଲ ପାଏ,ନହେଲେ ତା ଘରକୁ ଡାକନ୍ତା କାହିଁକି ! 
  ସେଦିନ ଗଗନକୁ ନିଦ ନାହିଁ।କାଲି ସୁରଭିକୁ ତା ମନର କଥା କହିବ।ତା ଜୀବନର ସବୁଠୁ ଶୁଭ ଦିନ ହେବ।ସଜ ଲାଲ ଗୋଲାପ ଆଣି ଏକ ତୋଡା ତିଆରି କଲା।ଏକ ତାଜମହଲର ମୂର୍ତ୍ତି ଆଣି ତାକୁ ଉପହାର ଦେବାପାଇଁ ପ୍ୟାକିଂ କଲା।ଗାଧୋଇ ପାଧୋଇ, ସୁନ୍ଦର ପୋଷାକ ପିନ୍ଧି,ଅତର ଲଗାଇ ନିଜକୁ ବାରମ୍ବାର ଆଇନାରେ ଦେଖି ବୀର ଦର୍ପରେ ରାଜାପୁଅ ପରି ଚାଲିଲା ସୁରଭି ଘରକୁ।ନିଜ ପ୍ରିୟର ବାର୍ତ୍ତା ଦେଉଥିବା ଗଗନକୁ ଆଜି ଖୁଆଇ ପିଆଇ ଆପ୍ୟାୟିତ କରିବ ସେ ଆତ୍ମୀୟତାର ସଜ ପରଶରେ।ପହଁଚିଲା ଗଗନ,ଶରଧାର ମଧୁବୋଳା ଖିଲିଖିଲି ହସରେ ନେଇ ସୁରଭି ବସାଇଲା,ଆସନରେ।ମନ ଖୋଲା ହସ କେଇପଦ ବି ହେଲା।ଗଗନର ମନରେ ଆବିଳତା ଆହୁରି ବଢ଼ିଗଲା।ସେ କେତେବେଳେ ଓ କେମିତି କହିବ, ସେ କଥା ଚିନ୍ତା କଲା।ଖାଇବାକୁ ଆସନ ପକାଇ ପରଶିଲା  ସୁରଭି।ଆଗ୍ରହରେ କରିଥିବା ପାଞ୍ଚ ତିଅଣ ଛଅ ଭଜା ବାଢିଲା।ପାଖରେ ବସି ବିଞ୍ଚଣାରେ ବିଞ୍ଚିଦେଲା।ବଳେଇ ବଳେଇ ଅଧିକ ଖୁଆଇଲା।ହେଲେ ଗଗନର ମନ ଥାଏ ସେଇ ଗୋଲାପ ଫୁଲ,ଉପହାର ଓ ସେ କହିବ ତା ମନର କଥାରେ।
  ଖିଆପିଆ ସରିଲା।ବସି କଥାବାର୍ତ୍ତା ହେଲେ ସୁରଭି ଓ ସେ।ସୁରଭିର ଅମୀୟ ବୋଳା କେଇପଦ କଥା ତାକୁ କରୁଥିଲା ପାଗଳ।କିପରି କହିବ ? କିପରି ସେ ତୋଫା ଦେବ,ଚିନ୍ତା କଲା।ଟିକେ ଅନ୍ୟମନସ୍କ ଥିବାପରି ଲାଗିଲା ସେ।ଏକଥା ଜାଣି ପାରିଲା ସୁରଭି,ଗଗନ କିଛି କହିବାକୁ ଚାହେଁ ତାକୁ ସେମିତି ଲାଗିଲା।।ସେ କହିଲା ଗଗନ,ତୁମେ କିଛି କହିବାକୁ ଚାହୁଁଛ କି?ଯଦି ଚାହୁଁଛ କୁହ?ମନରେ ଆଶା ହୃଦୟରେ ଆଶଙ୍କା ରଖି ସଜ ଗୋଲାପ ନେଇ ସୁରଭିକୁ ଦେଲା ଓ କହିଲା, ଆଇ ଲଭ ୟୁ ସୁରଭି,ମୁଁ ତୁମକୁ ଜୀବନ ସାଥି କରିବାକୁ ଚାହେଁ।
  ସୁରଭିର ମୁଣ୍ଡରେ ବଜ୍ର ପଡିଲା,ତା ସ୍ନେହ ଶ୍ରଦ୍ଧାର ଖମ୍ବଟା ସତେ ଯେମିତି ଭୁଶୁଡ଼ି ପଡିଲା।ସେ ଗଗନକୁ କହିଲା, ଗଗନ ତୁମେ ଏତେ ନୀଚ,ଏଡ଼େ ଘୃଣ୍ୟ, ତୁମ ଚିନ୍ତାଧାରା ଏତେ କଦର୍ଯ୍ୟ ! ତୁମେ ମୋ ପ୍ରିୟର ଶୁଭ ଖବର ଆଣ ବୋଲି ମୁଁ ତୁମକୁ ସ୍ନେହ କରେ,ଗୋଟେ ସାନ ଭାଇ ବୋଲି ଶ୍ରଦ୍ଧା କରେ।ମୁଁ ଜଣେ ବିବାହିତା ,ହିନ୍ଦୁ ନାରୀ…ଏସବୁ କହିବାକୁ ତୁମର ସାହସ କେମିତି ହେଲା ? ବିବେକ କେମିତି କହିଲା,ଏସବୁ ଚିନ୍ତା କରିବାକୁ ତୁମକୁ ଖରାପ ଲାଗିଲା ନାହିଁ ? ହଉ ତୁମେ ଏବେ ଯାଇପାର।
    ଏସବୁ ଶୁଣିଲା ପରେ ଗଗନର ଗଗନରେ ବିଷାଦର ବାଦଲ ଘେରିଗଲା।ନିଜକୁ ଅତି ନୀଚ୍ଚ ଓ ଘୃଣ୍ୟ ବୋଲି ମନେକଲା ସେ। ନିଜ ଭୁଲ ପାଇଁ ଅନୁତପ୍ତ ହେଲା ମଧ୍ୟ।ଭୋ ଭୋ ହୋଇ କାନ୍ଦିଲା,ଆଖିରୁ ବୋହିଗଲା ଘୃଣ୍ୟ ଚିନ୍ତା ଧାରାର ଅଶ୍ରୁ। ତା ହୃଦୟରେ ହୃଦଘାତ ହେଲା ପରି କୋହ ଓ ନିରଶାର କୀଟାଣୁ ଗୁଡାକ କଲବଲ କରି ପକାଇଲା।ରାତ୍ରିର ଆକାଶକୁ ଚାହିଁଲା।ଜହ୍ନର ତୋଫା ମୁହଁ ଭିତରେ ଯେମିତି କିଏ ନିଆଁ ଲଗାଇ ଧ୍ବଂସ ସ୍ତୁପ କରିଦେଇଛି।ସମସ୍ତେ କହୁଛନ୍ତି, ହେଇ ଦେଖ…. ଏଇ ପରା ମଲା ଜହ୍ନ।ସେଇ ଦିନୁ ଏ ମଲା ଜହ୍ନକୁ ଆଖି ବୁଜି ଅପେକ୍ଷା କଲା ସୁରଭି ତା ପ୍ରେମ ପ୍ରଣାୟର ତୋଫା ଜହ୍ନକୁ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Leave a Reply

Your email address will not be published. Required fields are marked *