ହସ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ହସ
ବାସନ୍ତୀ ଲତା ଜେନା

ସବୁରି ମୁଖରେ ହସ ଦେଖି ଦେଲେ
ମନ ହୁଏ ପୁଲକିତ
ଭୁଲି ଯାଏ ମନ ଦୁଃଖ ଅବସାଦ
ପ୍ରାଣ ହୁଏ ଆଲୋକିତ l 1l
ସକାଳର ସୂର୍ଯ୍ୟ ଖିଲି ଖିଲି ହସେ
ସୁନାର କିରଣ ଦେଇ
କୁସୁମ ବଗିଚା ହସି ଉଠି ଥାଏ
ସୂର୍ଯ୍ୟର ହସକୁ ଚାହିଁ l 2l
ଛୋଟ ଶିଶୁଟିର ହସ ଦେଖି ଦେଲେ
ସଭିଏଁ ହୁଅନ୍ତି ଖୁସି
ମା’ ର ହୃଦୟ ଉଲ୍ଲସିତ ହୁଏ
ସତେ କି ପାଇଛି ଶଶୀ l 3l
ଚାନ୍ଦ ହସୁ ଥାଏ ନୀଳ ଆକାଶରେ
କଇଁ ହସେ ନୀଳ ଜଳେ
ସମୀର ହସଇ ବାଦଲ କୋଳରେ
ପକ୍ଷୀ ହସେ ଗଛ ଡାଳେ l 4l
ହସତ ଯେଉଁଠି ଆନନ୍ଦ ସେଇଠି
ଶାନ୍ତି କୋଠରୀ ମଧ୍ୟରେ
ପାଞ୍ଚ ଜାଣ ସାଙ୍ଗ ଏକାଠି ହୋଇଲେ
ଦୁଃଖ ସୁଖ ଯାଏ ଦୂରେ l 5l
ଯେଉଁ ପରିବାରେ ହସ ବିରାଜିତ
ସଦସ୍ୟ ହୁଅନ୍ତି ସୁଖୀ
ସେହି ପରିବାରେ ଅଭାବ ବାଧେନା
ନିନ୍ଦାରେ ନ ହୁଏ ଦୁଃଖି l 6l
ହସି ହସି ଆମେ କାମ କରି ଗଲେ
ବାଧା ଜଣା ନ ପଡଇ
ହସିହସି ଆମେ ବାଟ ଚାଲୁ ଥିଲେ
ବାଟ ଜଣା ନ ପଡଇ l 7l
ହସର ଗୁରୁତ୍ୱ ସବୁଠୁ ଅଧିକ
ଆୟୁଷ ଦିଏ ବଢ଼େଇ
ମନ ଖୋଲା ହସ ଟିକେ ହସି ଦେଲେ
ମୁକ୍ତା ଝରିଣ ପଡଇ l 8l
ହସି ଦେଲେ ଟିକେ କ୍ଲାନ୍ତି ଦୂର ହୁଏ
ଅନ୍ତର ବେଦନା ଦୁଃଖ
ପର ଆପଣାର ଏଠି କେହି ନାହିଁ
ସଭିଏଁ ପାଆନ୍ତି ସୁଖ l 9l
ହସର ସାଗରେ ସଭିଏଁ ଭାସନ୍ତୁ
କଳହକୁ ବଳି ଦେଇ
ଅଳପ ହସରେ ମନ କିଣି ନିଅ
ସେନେହ ପରଶ ଦେଇ l 10l
ସେନେହ ଆଦର ମମତା ବନ୍ଧନ
ସଂସାରେ ମନୁଷ୍ୟ ପାଇଁ
ସବୁରି ମୁଖରେ ହସ ଫୁଟି ଉଠୁ
ଏତିକି କରୁଣା ସାଇଁ l 11l
:::::::::::=::::::::::
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ପିନ :764059
ମୋ :8658655979

Leave a Reply

Your email address will not be published. Required fields are marked *