ତୁମ ସ୍ମୃତି ସବୁ ଆଜିବି ମନେପଡେ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

???? *ତୁମ ସ୍ମୃତି ଆଜି ବି ମନେପଡେ*????
************
କାଲିପରି ଲାଗୁଛି ଠିକ୍ ଏଇ ଦିନ,ସେତେବେଳେ ମୁଁ ପ୍ରାୟତଃ ଷଷ୍ଠ ଶ୍ରେଣୀରେ ପଢୁଥାଏ।ଆମ ଗାଁର ମୋ ଠାରୁ ବୟସରେ ଦୁଇ ତିନି ବର୍ଷ ବଡ଼ ସିଏ ଥିଲେ, ହେଲେ ନିବିଡ଼ ବନ୍ଧୁତ୍ୱ ଆମ ଦୁହିଁଙ୍କ ଭିତରେ ଥିଲା।ମୋତେ କହିଲା ହେ ଚାଲୁନୁ ପଣା କରି ପିଇବା।ମୁଁ ହଁ ମାରିଲି।ଘରୁ ମୋ ବାପାଙ୍କୁ କହି କଦଳୀ ଓ ଚିନି ନେଲି।ସେ ନଡ଼ିଆ, ବେଲ,ଗୋଲମରିଚ ଓ ଆମ୍ବକଷିଆ ଅଦା ନେଇଗଲା।ଘରୁ ଗୋଟିଏ ଗୋଟିଏ ଷ୍ଟିଲ କଂସା ମଧ୍ୟ ନେବାକୁ ଭୁଲି ନ ଥାଉ।ଆମ ଗାଁ ବାରକ ଘର ପାଖରେ ଛୋଟିଆ ଟୁଙ୍ଗି ଘରଟିଏ,ସେଇ ଘରେ ସେ କିଛି ଛୁଆଙ୍କୁ ବି ଟ୍ୟୁସନ କରୁଥିଲା।ସେଦିନ କିନ୍ତୁ ବନ୍ଦ ଥିଲା।ସନ୍ଧ୍ୟାବେଳେ ଆରମ୍ଭ କଲୁ ଆମ ପଣା ପ୍ରସ୍ତୁତି।ତାକୁ ମୁଁ କହୁଥାଏ, ଦେଖ ଭାଇ ଯେମିତି ଭାଙ୍ଗ ଫାଙ୍ଗ ମୋ ପନାରେ ଆଦୌ ନ ପକାଉ।ସେ କହୁଥାଏ ଆରେ ମୁଁ ଜାଣିଛି ତୁ ଭାଙ୍ଗ ଖାଉନା ତୋତେ କାହିଁକି ଦେବି।ପଣା ତିଆରି ହୋଇଗଲା ତାର କଂସେ କୁ ମୋର କଂସେ।ଅବଶ୍ୟ ସେ ସବୁ ଜିନିଷ ପକାଇ କରୁଥିଲା।ସେଇ ସମୟରେ ଜନୈକ ବ୍ୟକ୍ତି ଧୂଷା ମୋତେ କହିଲା,ତୋ ବୋଉ କାହିଁକି ଡାକୁଛି।ମୁଁ କହିଲି ଆରେ ତୁ ପି ଦେ, ମୁଁ ଆସିଲେ ପିଇବି।ସେ କିନ୍ତୁ ମୋତେ ବହୁତ ଭଲପାଏ,କହିଲା ନା ନା ତୁ ଆସିଲେ ସାଙ୍ଗ ହୋଇ ପିଇବା ନା।ମଜା ଲାଗିବ।କିଛି ସମୟ ପରେ ଆସିଲି।ସମାନ ଦେଖାଯାଉଥିବା କଂସା ଦୁଇଟିରୁ ସେ ଗୋଟେ ଓ ମୁଁ ଗୋଟେ ନେଇ ପିଇଲୁ।ତାପରେ ଘରେ କଂସା ରଖି ଚାଲିଲୁ ଆମ ଗାଁ ଗୋଠ ପଡ଼ିଆକୁ ସେଠାରେ ଆଗାମୀ ଦିନ ଛୁଟିରେ ଗାଁ ଫଳସନ ପାଇଁ ଶିଖା ହେଉଥାଏ ନାଟକ।ନାଟକଟିର ନାମ ଶହୀଦ ପୃଥ୍ଵୀରାଜ।ସେଥିରେ ମୋର ଭୂମିକା ଥାଏ ସଂଯୁକ୍ତାର ସାନଭାଇ ରାଜକୁମାର ଉଦୟ।ଆମ ଗାଁ ମାଇନର ସ୍କୁଲର ହେଡ ସାର୍ ମାନେ ନାରାୟଣ ମିଶ୍ର ସାର୍ ଯାହାଙ୍କୁ ସମସ୍ତେ ଡାକନ୍ତି ନାରଣ ସାର୍ ସେ ଥିଲେ ଆମ ଡାଇରେକ୍ସନ ମାଷ୍ଟର।ଗୋଠ ପଡ଼ିଆରେ ନଈକୂଳିଆ ପବନ ସୁ ସୁ ବହୁଥାଏ, ମୁଁ ଏକ ଗାମୁଛା ବିଛେଇ ଶୋଇଥାଏ ଅପେକ୍ଷା କରିଥାଏ ମୋର କେତେବେଳେ ପାର୍ଟ ପଡିବ।ହେଲେ ସେଦିନ କାହିଁକି ମୋ ଆଖିକୁ ନିଦ୍ରାବତୀ ଏତେ ଗେହ୍ଲ କରିଥିଲା ଯେ ଛାଇ ନିଦ ଆଖିକୁ ଢାଙ୍କି ଦେଉଥିଲା।ହଠାତ୍ ଡାକ ଆସିଲା ଉଦୟ, ଉଦୟ… କୁଆଡେ ଗଲା ଉଦୟ।ପାଖରେ ଶୋଇଥିବା ମୋ ପଣାପିଆ ସାଙ୍ଗ ଠେଲିକି କହୁଥାଏ,ଏ ଯା ତୋର ପାର୍ଟ ପଡିଛି।ନିମିଷକେ ଉଠି ଯାଇ ମୁଁ କହିଲି ଅପା… ଅପା..।ମୋ ରୋଲ କୁ ସମସ୍ତେ ପସନ୍ଦ କରନ୍ତି ଏମିତିକି ଆମ ନାରଣ ସାର୍ ବି।କିନ୍ତୁ ମୁଁ ସେଦିନ କେମିତି କହିଥିଲି କେଜାଣି ସେ କହିଲେ ଆରେ ଆଜି ଏ କଣ ଦୈତାରୀ ପଣ୍ଡା ପରି ଟୋନ ରେ ଡାଇଲଗ କହୁଛି, କଣ ଭିଲିଆନ କୁ ପ୍ରମୋସନ ହୋଇଗଲା ନା କ’ଣ ?ମୁଁ କିନ୍ତୁ ଜାଣିପାରୁ ନ ଥାଏ ମୁଁ କଣ କହୁଛି, କେମିତି କହୁଛି ଆଉ କାହିଁକି ଏମିତି କହୁଛି।ଏ ସମୟରେ ଗାଁ ଶିବ ମନ୍ଦିରରୁ ଆମ କ୍ଳବ୍ ପିଲାମାନେ ଡେକଚିଏ ପଣା ଆଣି ପହଂଚାଇ ସମସ୍ତଙ୍କୁ ବାଣ୍ଟିଲେ।ମୁଁ ପଣା ଫୁଲ ଦୁଇ ଗ୍ଲାସ ପିଇଦେଇ ସାରିଲା ପରେ ଡେକଚି ଭିତରେ ହାତ ବୁଡ଼େଇ ସେଥିରୁ ପଣା ଆଣି ମୁହଁ ଧୋଉଥାଏ।ପାଖରେ ଥିବା କେତେଜଣ ମୋର ଏଭଳି କ୍ରିୟାକଳାପ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ତା ପରେ ସେଦିନ ବି ଏ ପର୍ବ ପାଇଁ ଆଉ ରିହର୍ଷିଏଲ ହେଲାନାହିଁ।ତାପରେ ମୁଁ କିଛି ଜାଣି ନାହିଁ।ମୁଁ ମୋତେ ଆବିଷ୍କାର କଲି ଆମ ଘର ପିଣ୍ଡାରେ।

ମୁଁ କିଛି କହିପାରୁ ନ ଥାଏ,ଖାଲି ଭକ ଭକ ବାନ୍ତି କରୁଥାଏ।ମୋ ମା ମୋ ଆଈମା ଦୁହେଁ ମୋ ପାଖରେ ବସି କାନ୍ଦୁଥାନ୍ତି ଓ ମୋତେ ଆଉଁସୁ ଥାଆନ୍ତି।ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରିଲା ପରି ମୁଁ ଯେମିତି ଘୁରୁଥାଏ।ମୋ ମୁଣ୍ଡରେ ଢଳା ହେଉଥାଏ ପାଣି ଓ ମୋତେ ପିଇବାକୁ ଦିଆଯାଉଥାଏ ଖଟା ପାଣି।ମୋ ଦେହରୁ ବି ବହୁଥାଏ ଗମ ଗମ ଝାଳ।ମୋ ପଣାପିଆ ସାଥୀଙ୍କୁ ପଚାରି ଘରଲୋକ ସବୁ ଜାଣି ଯାଇଥିଲେ କଣ ପାଇଁ ଏମିତି ହେଲା।ସେଥିପାଇଁ ସେମାନେ ତାର ଉପଚାର ବି କରୁଥିଲେ ହେଲେ ମୋ ସାଥିକୁ ରାଗି ନଥିଲେ।ରାଗିବେ ବା କାହିଁକି ସେଥିରେ ତାର ବି, କି ମୋର, ଉଭୟଙ୍କର କିଛି ଭୁଲ ନ ଥିଲା।ଚବିଶ ଘଣ୍ଟା ପର୍ଯ୍ୟନ୍ତ ମୋ ଦେହରେ ସେ ପ୍ରଭାବ ପଡିଲା।ତା ପରେ ସମସ୍ତଙ୍କ ଠାରୁ ମୁଁ ମୋର ଅଭିନୟ ଶୁଣି ମୁରୁକି ମୁରୁକି ହସୁଥାଏ।ମୋ ପଣାପିଆ ସାଥି ମୋ ମାଆକୁ ଆମ କଂସାଟା ଦେବାପରେ ଜାଣିଲି ଯେ ଆମ ଦୁହିଁଙ୍କର ପଣା କଂସା ଅଜାଣତରେ ବଦଳ ହୋଇଯାଇଥିଲା।ତାର ଭାଙ୍ଗ ମିଶା ପଣା ପିଇ ମୁଁ ସେଦିନ ଦେଖାଇଥିଲି ଅଭିନଵ ଅଭିନୟ।

ଆଜି ତା କଥା ମନେ ପଡ଼ିଲା ବେଳକୁ ମୋ ଆଖିରୁ ଲୁହ ନିଗିଡି ଯାଉଛି,କାହିଁକି ନା ସେ କେବଳ ମୋ ହୃଦୟରେ ଆଉ ତାଙ୍କ ଘର ଡ୍ରଇଂ ରୁମର କାନ୍ଥରେ ଫୁଲମାଳ ପିନ୍ଧି ଫଟୋରେ ମୋତେ ଚାହିଁ ଆଜି ଦିନକୁ ମନେ ପକାଇ ହସୁଛି।ତା ସହ ବିତିଯାଇଥିବା କେଇଟା ସ୍ମୃତି ଆଜି ଦେହରେ ଶିହରଣ ଖେଳାଇ ଦେଉଛି।

ଆମେ ଦୁହେଁ ଥିଲୁ ଯାତ୍ରା ଦେଖା ପ୍ରିୟ।ଯେତେ ଦୂର ଯେଉଁ ପାର୍ଟି ପଡିଲେ ବି ନିଶ୍ଚୟ ଯିବୁ।ଏଇମିତି ସେବର୍ଷ ଖରାଦିନେ ବୈତରଣୀ ନଦୀ ସେପଟେ ମୁକୁନ୍ଦପୁର ବୋଲି ଗୋଟିଏ ଛୋଟିଆ ଗାଁ,ସେଇ ଗାଁ ମଝିରେ ସୁନ୍ଦର ବିସ୍ତୃତ ଜାଗାଟିଏ ନାଆଁ ଥିଲା ତାଳପଡ଼ିଆ।ସେଠାରେ ପ୍ରତିବର୍ଷ ପରି ରଘୁନାଥ ପଣ୍ଡା ମାଲିକଙ୍କର ପାର୍ଟି ନାଚ କରୁଥାଏ।ଏବେ ସିନା ଆମ ଗାଁ ପାଖରେ ଯେଉଁ ବୈତରଣୀ ସେତୁ ସବୁଠୁ ବଡ଼ ସେତୁ ହୋଇ ଠିଆ ହୋଇଛି କିନ୍ତୁ ସେତେବେଳେ ଖରାଦିନରେ ବି ଆମେ ସେଇ ଘାଟରେ ପେଟେ ପାଣିରେ ପାର ହେଉଥିଲୁ।ଆମେ ଦୁହେଁ ଗାମୁଛା ପାଲଟି ପାଣିରେ ପଶି ରାତି ୧୦ରେ ପହଁଚିଲୁ ଯାତ୍ରା ଦେଖିବାକୁ।ଅବଶ୍ୟ ନାଟକର ନାଆଁ ଟି ମନେ ପଡୁନାହିଁ ହେଲେ ସେଇ ବହିର ଏକ ଲଭ୍ ସିନର ନିଖୁଣ ଅଭିନୟ ସହ ଏକ ସୁନ୍ଦର ମନୋହର ଗୀତର ସ୍ୱର ଏବେବି ମନେ ଅଛି। *ମନରେ ମନ ମିଶିଲେ ଆଉ ଭୁଲି ହୁଏନା* ଗୀତଟି।ବାଦାମ ପୁଡ଼ିଆ ଧରି ଚୋବେଇ ଚୋବେଇ ଉପଭୋଗ କରୁଥିବା ଏ ସଙ୍ଗୀତର ଲାଳିତ୍ୟ ସ୍ୱର ଓ ଭାବପୂର୍ଣ୍ଣ ଅଭିନୟ ଆମ ଛାତି ଦୋହଲାଇ ଦେଉଥାଏ।ନାଚ ଦେଖା ସରିଲା,ରାତି ତିନିରେ ପୁଣି ପେଟେ ପାଣିରେ ପଶି ଘରକୁ ଫେରିବା କଥା ସବୁ କଷ୍ଟକୁ ଦୂର କରୁଥିଲା ଆମ ପାଟିରୁ ବାହାରୁଥିବା ସେଇ ସଙ୍ଗୀତର ମୂର୍ଚ୍ଛନା।ସେ ମୋତେ ଖାଲି କହୁଥାଏ ଦେଖିଲୁ ମୋର ସ୍ବର ଠିକ୍ ହେଉଛି ନା?ମୁଁ କହୁଥାଏ ଫାଷ୍ଟ କ୍ଳାସ ହେଉଛି।ମୋତେ ବି କହୁଥାଏ ଏ ଗା ଆ ନା ସେଇଟା।ମୁଁ ଗାଇଲା ପରେ କୁହେ,ଏ କଣ ଗାଉଛୁ ବେ ତୁ?ଆମ ଗାଁ ଯାତ୍ରାରେ ଗାଇବୁ ତ?ମୁଁ ବି କହୁଥାଏ ତୁ ବି ଭଲ ଗାଉଛୁ।ଯାହା ହେଉ ଏମିତି ଅନେକ ଦିନ ନୁହଁ ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଦୁହିଁଙ୍କ ସମ୍ପର୍କ ବହିର ଟାଇଟଲ ସଙ୍ଗ ହୋଇ ସେ ଗୀତ ରହିଗଲା।ଏବେ ବି ସେ ଗୀତ ମନେ ପଡିଲେ ସେଦିନ ଗୁଡିକର ଇତିହାସ ଭୂଗୋଳ ସବୁ ମନେପଡେ।

ଏହାପରେ ପରେ ମୁଁ ସାଇନ୍ସ ପଢିବାକୁ ଚାଲିଆସିଲି କେନ୍ଦୁଝରଗଡ଼।ଗାଁରେ ଗୀତ ଗାଇବାରେ ମାତୁଥିବାରୁ ମୋ ବାପା ମୋତେ ସର୍ବଦା ବାରଣ କରୁଥିଲେ ଏମିତିକି ସେ ଜଣେ ଉଚ୍ଚକୋଟୀର ସଙ୍ଗୀତଜ୍ଞ ଓ ବାଦ୍ୟକାର ହୋଇଥିଲେ ବି କେତେକ ବାଦ୍ୟଯନ୍ତ୍ରକୁ ଆମ ଘରୁ ଅନ୍ୟଆଡ଼େ ସ୍ଥାନାନ୍ତରଣ କରିଦେଲେ।ହେଲେ କେନ୍ଦୁଝରରେ ମୋ ଗାଁ ଜଂଭରାର ଜଣେ ବଡ଼ଭାଇ ବାଦ୍ୟକାର କୋଦଣ୍ଡ ଧର ମଲ୍ଲିକ ଯେକି ସେଠାରେ କଣ୍ଟ୍ରାକ୍ଟି କରୁଥିଲେ ତାଙ୍କ ବଳିଷ୍ଠ ଉତ୍ସାହରେ ପ୍ରତ୍ୟହ ସନ୍ଧ୍ୟା ରାହାସ ମନ୍ଦିରର ଆସର ହେଉଥିଲା ଆମର ସଂଗୀତ ଆସର।ଆଉ ଘରେ ନ ଜାଣି ବି ଆମେ ଛୋଟ ମେଲୋଡି ପାର୍ଟି କରି ମାଗଣାରେ ବିଭିନ୍ନ ଜାଗାରେ ସଂଗୀତ ପରିବେଷଣ କରୁଥିଲୁ।

ଏପଟେ ପଣାପିଆ ସାଙ୍ଗ ବା ମୋ ଯାତ୍ରାଦେଖା ସାଙ୍ଗଟି ସଂଗୀତକୁ ପ୍ରେମ କରିବାର ମାତ୍ରା ବଢ଼େଇଦେଇଥିଲା।ମଝିରେ ମଝିରେ ଗାଁକୁ ଗଲେ ସେଇ ନଦୀ କୂଳ ଗାଁ ଗୋଠ ଆମ ଦୁହିଁଙ୍କ ଗୀତ ସ୍ୱରକୁ ବହୁତ ଆଦର ଆଉ ତାକୁ ଭଲ ପାଇ ଆଗକୁ ବଢିବାକୁ ପ୍ରେରଣା ବି ଦେଉଥିଲା।

ମୁଁ କେନ୍ଦୁଝରରେ ଥିବାବେଳେ ସେହି ସାଥୀର ଗୋଟିଏ ଖୁସି ଖବର ମୋ ସ୍ପନ୍ଦନକୁ ରୁଦ୍ଧିମନ୍ତ କରିଥିଲା।ସେ ଆମ ଗାଁ ହାଇସ୍କୁଲରେ ପାଇଯାଇଥିଲା ସଭିଙ୍କୁ ସ୍ନେହ ଶ୍ରଦ୍ଧା ସହ ସେବା ବାଣ୍ଟୁବାକୁ ଏକ ପଦ ପଦବୀରେ।ଖାଲି ସେତିକି ନୁହଁ ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟିତ୍ରୀ,ପିଲା,ଆମ ଅଂଚଳର ସମସ୍ତ ଲୋକ ତାର ଆଦର ଶ୍ରଦ୍ଧାରେ ବିଭୋର ହୋଇଯାଉଥିଲେ।ନିଜ କର୍ମ ସମ୍ପାଦନ ସଂଗେ ସଂଗେ ତା ମିଠା ଆଚାର ବ୍ୟବହାର ସହ ଏକ ମିଠା ଦୋକାନ କରି ସମସ୍ତଙ୍କ ପାଟିକୁ ବି ମିଠା କରୁଥିଲା ସେ।ମୋତେ ଦିନେ ଦୋକାନକୁ ଡାକି ପେଟେ ମିଠା ଖୁଆଇ ମଜା ନେଉଥିଲା ସେ।

ଜୀବନ ଦୁଃଖ ଓ ସୁଖର ମିଶ୍ରଣ ଆଉ ଭଲ ମନ୍ଦର ଲୁଚକାଳି ଖେଳ ତା ଖୁସିର ଦିନ ଟିକେ ଅପସରୀ ଗଲାପରି ଲାଗିଲା।ସତେ ଯେମିତି ନିର୍ମଳ ଜୀବନ ଆକାଶରେ ଦୁଃଖର କଳା ବାଦଲ ଘୋଟି ଆସିଲା।ତାର ଶରୀର ଧୀରେ ଧୀରେ ଖରାପ ହୋଇ କ୍ଷୀଣ ହେବାକୁ ଲାଗିଲା।କୌଣସି ବଡ଼ ରୋଗ ନୁହଁ ମାତ୍ର ପେଟ ଭିତରଟା ପ୍ରତି ମୁହୂର୍ତ୍ତରେ କ୍ଷତ ବିକ୍ଷତ କରୁଥିଲା।ଯେତେବେଳେ ବି କଷ୍ଟ ହେଉଥିଲା ସେ ଭୂମିରେ କାନ୍ଦି କାନ୍ଦି ଗଡିଯାଉଥିଲା।

ମୋର ମନେ ଅଛି ଗୋଟିଏ ଖରା ଛୁଟିରେ ଯାଇଥାଏ ଘରକୁ।ଏକ ସନ୍ଧ୍ୟାରେ ବୈତରଣୀ କୂଳେ ବୁଲୁବୁଲୁ ସେଇ ଗୀତଟି ଦୋହରାଉ ଥିଲୁ,ହଠାତ୍ ତା ପେଟ କାଟିଲା ସେ ଚିତ୍କାର କଲା।ମୁଁ ବ୍ୟତିବ୍ୟସ୍ତ ହୋଇ ନଦୀ ପାଣି ଆଞ୍ଜୁଳାରେ ଆଣି ପିଆଉଥାଏ ଆଉ ମୋ ଆଖିରୁ ବୋହି ଯାଉଥାଏ ଧାର ଧାର ଲୁହ, ଅନ୍ତରରେ ଗୋଟିଏ ଡାକ ରଖ ହେ ଜଗନ୍ନାଥ।ସତକୁ ସତ ନିମିଷକେ ତାର ପେଟ ଭଲ ଲାଗିଲା।ହେଲେ ମୋତେ ଧରି ଭୋ ଭୋ ହୋଇ କାନ୍ଦି କହିଲା,ମୁଁ ଆଉ ବଞ୍ଚିବି ନାହିଁରେ।ମୁଁ ବୋଧ କରି ଏତିକି କହିଥିଲି ନାଁ ତୁମର କିଛି ହେବ ନାହିଁ,ଟିକେ ଜଗନ୍ନାଥଙ୍କୁ ଭକ୍ତିରେ ଡାକ।ସେଇ ଦିନଠୁ ସେ ବି ପ୍ରତି ପଦ କଥାରେ ଜୟ ଜଗନ୍ନାଥ ଡାକୁଥାଏ।

ଏଇମିତି ସେ ପେଟ ରୋଗଟା ବଢ଼ିଲା।ପାଖ,ଦୂର ଏମିତିକି କଟକ ବଡ଼ ଡାକ୍ତରଖାନାର ଚିକିତ୍ସା ବି ତାକୁ ଭଲ କରିପାରିଲା ନାହିଁ।ଶେଷରେ ଏତେ କଷ୍ଟ ହେଲା ଯେ ସେ ଭାବିଲା ଏମିତି ବଞ୍ଚିବା ଅପେକ୍ଷା ଆତ୍ମହତ୍ୟା କରିବା ଭଲ।ପରିବାର ଲୋକ କେତେ ଦିଅଁ ଦେବତାଙ୍କୁ ପୂଜା କରୁଥାଆନ୍ତି ମାଆଟାର କରୁଣ ପ୍ରାର୍ଥନା ଧରା ଥରାଉଥିଲା।

ଗାଁର ରଥଯାତ୍ରା ପାଇଁ କିଛି ଦିନ ପୂର୍ବରୁ ମୁଁ ଯାଇଥାଏ।କଥା ହେଉ ହେଉ ତା ପାଟିରୁ ବାହାରିଲା ଏଥର ରଥଯାତ୍ରାରେ ପୁରୀ ଯିବି,ଜଗାକୁ ଭେଟିବି,ତାକୁ ପଚାରିବି ମୋତେ ବଞ୍ଚାଇବାକୁ ଚାହେଁ ନା ମାରିବାକୁ।ଗାଁରୁ କେତେକ ବି ବାହାରିଲେ କିନ୍ତୁ ଟ୍ରେନ ବାତିଲ ହେବାରୁ ଫେରି ଆସିଲେ ମାତ୍ର ସେ ବୈତରଣୀ ରେଳଷ୍ଟେସନରୁ ଯାଜପୁର ପର୍ଯ୍ୟନ୍ତ ପାଖାପାଖି ୧୨/୧୩କିମି ଚାଲିଚାଲି ଯାଜପୁରରୁ ଅନ୍ୟଗାଡିରେ ପହଁଚିଗଲା ଜଗାର ବଡ଼ଦାଣ୍ଡରେ।କେତେ ଡାକିଲା,କେତେ କାକୁତି ମିନତି ହେଲା ।ଜଗାକୁ ମନ କଥା ବି ଜଣାଇଲା।ଅରୁଣ ସ୍ତମ୍ଭ ପାଖରେ ବସି ସନ୍ଧ୍ୟାରେ କାନ୍ଦୁଥାଏ।ପାଖରେ ଥାଆନ୍ତି ଜଣେ ବ୍ୟକ୍ତି।ୟାର ଦୁଃଖଦ ଭାବ ଦେଖି ସେ ତରଳି ଯାଇଥିଲେ।ଆରମ୍ଭ ହୋଇଥିଲା କଥୋପକଥନ।ସବୁ ଶୁଣିଲେ ସବୁ ଜାଣିଲେ ଆଉ ଧରମ ପୁଅ କରି ଘରକୁ ଡାକିଲେ।ସେ ଥିଲେ ଜଣେ ଧାର୍ମିକ ବ୍ୟକ୍ତି।ପାଖରେ ଜଣେ ବାବାଙ୍କ ଠିକଣା ଦେଇ ପଠାଇଲେ।ସତରେ ସେ ବାବାଙ୍କୁ ଦେଖି ତାଙ୍କ ମୁମୂର୍ଷୁ ଜୀବନରେ ହସ କଅଁଳି ଉଠିଲା।ତାଙ୍କ ଆଶ୍ୱାସନା ପାଇ ନୂଆଜୀବନ ସଂଚରି ଉଠିଲା।ବାବା କହିଲେ ଆରେ ବାବୁ ତୁ ପ୍ରତିଦିନ ରାତିରେ ଖାଇ ସାରିବା ପରେ ବରଂ କୋଳି ଆକୃତିର ହେଉ ଟେଳାଏ ଭାଙ୍ଗ ଖାଇ ଶୋଇବୁ ଆଉ ହରି ନାମ ଭଜନ କୀର୍ତ୍ତନ କରିବୁ, ବାବା ଭୋଳେନାଥଙ୍କ ମେଳାର ଆୟୋଜନ ମଝିରେ ମଝିରେ କରିବୁ।ଅବଶ୍ୟ ଭାଙ୍ଗଟା ଦେହ ପାଇଁ ଭଲ ନୁହଁ,ଭଲ ଅଭ୍ୟାସବି ନୁହଁ କିନ୍ତୁ କଥାରେ ଅଛି ମରଣ ମୁହଁରୁ ବଞ୍ଚିବା ପାଇଁ ଯଦି ବିଷ ବି ଔଷଧ ରୂପେ କାମ କରିଥାଏ ତାହେଲେ ତାହା ବିଷ ନୁହଁ ଅମୃତ।ସେଇ କଥାକୁ ଗୁରୁଜ୍ଞାନ କରି ମାନିଲା ସେ।ଭଜନ କୀର୍ତ୍ତନ ମେଳା ମଉତ୍ସବର ଆୟୋଜନ କଲା ପରେ ଗାଁର ସଂସ୍କୃତି ସତରେ ବଦଳି ଗଲା।ୟା ଭିତରେ ସେ ହାରମୋନିୟମର ଓସ୍ତାତ ବି ବନିଗଲା। ଏମିତିକି ତାଙ୍କ ଦ୍ବାରା ଗାଁରେ ଗୋଟିଏ ମେଲୋଡି ପାର୍ଟି ସୃଷ୍ଟି ହୋଇ ସୁରଭିତ ହେଲା।

ମଝିରେ ମଝିରେ ଗାଁକୁ ଗଲେ ତା ପାଖରେ ଖବର ପହଁଚିଗଲେ ସେ ପାଖକୁ ଆସେ ନହେଲେ ମୋତେ ଡକାଏ ଓ ବିଭିନ୍ନ ସମାରୋହରେ ଗାଇବାକୁ କହେ।ତାର ସଙ୍ଗୀତ ପ୍ରତି ଅନୁରକ୍ତି ଦେଖି ମୋ ମନ ପ୍ରାଣ ଉତ୍ଫୁଲ୍ଲିତ ହୋଇଯାଏ।ମଝିରେ ମଝିରେ କହେ ତୋ ବାପାଙ୍କ ଗୀତ ମୁଁ ଗାଇବାକୁ ଚେଷ୍ଟା କରୁଛି।ବିଭିନ୍ନ ସ୍ଥାନରେ ସେ ମୋ ବାପାଙ୍କ ଗୀତ ଗାଇଲେ ବି ଲୋକମାନେ କହନ୍ତି ନନା ଥିଲେ ଏ ଗୀତ ଗାଇଲେ ଦେହରେ ଶିହରଣ ଖେଳି ଯାଉଥିଲା,ଯାହେଉ ଏ ସେ ଗୀତ ଗାଇ ତାଙ୍କୁ ପୁଣି ଜୀବିତ କରୁଛନ୍ତି।ମୋତେ ବି କହେ ତୋ ବାପା ଗାଉଥିବା ଗୀତ ଗାଉନୁ।ମୋତେ ଖୁସି ଲାଗେ।ମନେ ମନେ ଗର୍ବ ଆସେ ଯାହେଉ ମୋ ବାପା ଓ ତାଙ୍କ ସମସାମୟିକ ଗ୍ରୁପ୍ ପରେ ସେ ସଂସ୍କୃତି ପୁଣି ଜୀଇଁ ଉଠିଛି।ଏମିତି କେତେକ ଜାଗାରେ ତା ଚୟେସ ଗୀତ ମୁଁ ଗାଏ ଆଉ ମୋ ପସନ୍ଦର ଗୀତ ସେ ବି ଗାଏ।

ଦିନ ପରେ ଦିନ ବିତିଗଲା।ମୋ ମନରେ ଏକ ନୂଆ ଭାବନା ଜନ୍ମ ନେଲା।ଭାବିଲି ଆମ ଅଂଚଳରେ ଥିବା ସମସ୍ତ କୃତି ସଂଗୀତଜ୍ଞଙ୍କୁ ଏକାଠି କରି ଗୋଟେ ସମାରୋହ କରିବି ଯେଉଁଥିରେ ତାର କୃତିତ୍ୱ ବି ସମସ୍ତେ ଜାଣିବେ।କୌଣସି ଏକ ଛୁଟିରେ ଘରକୁ ଯାଇ ପହଂଚିଲି।ମନରେ ମୋର କଳ୍ପନାଟା ଥାଏ ତାକୁ କହିବି ଓ ଗାଁର ଅନ୍ୟକଳାକାରଙ୍କୁ ଏକାଠି କରି ଦିନ ଧାର୍ଯ୍ୟ କରିବି ସେ ସମାରୋହ ପାଇଁ ଯେଉଁଥିରେ ତାର ଭୂମିକା ମୁଖ୍ୟ ହେବ।ସନ୍ଧ୍ୟାରେ ପହଂଚିଲି ଘରେ।ମୋ ଆସିବା ଭିତରେ ସଂଗୀତ ମାନଙ୍କୁ କେମିତି ଖବର ବାଜିଥାଏ।ଶୁଣିଲି କୀର୍ତ୍ତନର ସ୍ୱର।ମାଆକୁ ପଚାରିବାରୁ ସେ କହିଲା,ଏଇ ସରପଞ୍ଚ ଘର ଆଗରେ ବଜାଣ ଗାହାଣ ହେଉଛି।ମୁହଁହାତ ଟିକେ ଧୋଇ ହୋଇ ପୋଛି ହୋଇଛି କି ନାହିଁ ମାଇକରେ ଶୁଭିଲା ନାରାୟଣ ସାର୍ ଶୀଘ୍ର ଆସ ଭଜନ ସମାରୋହ ହେଉଛି।ମାଆ ବାଢିଥିବା ଖାଦ୍ୟରୁ କିଛି ଗିଳି ପକାଇ ଶୀଘ୍ର ଛୁଟିଗଲି ସେଇ ସ୍ଥାନକୁ।ବାଟରେ ପାଇଲି ସେହି କୋଦଣ୍ଡ ନନାକୁ।ମୋତେ କହିଲେ ଶୀଘ୍ର ଚାଲ କେତେ ଡକାହେଲାଣି।ମୁଁ ମୋର ସେ ପଣାପିଆ ସାଙ୍ଗ କଥା ପଚାରିଲି,ସେ ଯାଇଛି ନା?ମୋତେ ସେ ଦୁଃଖମିଶା ଗଳାରେ କହିଲେ ତୁ ଜାଣିନାହୁଁ କି,ଆରେ ଭାସ୍କର ପରା ଏ ଦୁନିଆରେ ଆଉ ନାହିଁ। ଏ ମାସେ ହେବ ସେ ପରା ସେଇ ପେଟ ରୋଗରେ ମରିଯାଇଛି।ମୋ ସମସ୍ତ ଇନ୍ଦ୍ରିୟ ଗୁଡିକ ସତେ ଯେମିତି ଅକାମି ହୋଇଗଲା ପରି ଲାଗିଲା।ମୋ ପାଦ ତଳୁ ମାଟି ବି ଖସିଗଲା।ତୁମେ ଚାଲ ନନା, ମୁଁ ଟିକିଏ ପରେ ଆସୁଛି କହି ଘରକୁ ଦୌଡ଼ି ବିଛଣାରେ ପଡି ଭୋ ଭୋ କରି କାନ୍ଦିଲି।ମୋ ମାଆ ମଧ୍ୟ ଭୋ ଭୋ କରି କାନ୍ଦିଲା।କହିଲା ତୁ ଜାଣିନାହୁଁ ବୋଲି ମୁଁ ଜାଣିନାହିଁ।ଦୀପଟିଏ ଥିଲା,ସେ ପରା ଲିଭିଗଲା।ଆଖି ଆଗରେ ଭାସିଗଲା ତାର ମୋର ଯାତ୍ରା ଦେଖିବା ଠାରୁ ପଣା ପିଇବା ପର୍ଯ୍ୟନ୍ତ ଲମ୍ବିଥିବା ଲମ୍ବା ସ୍ମୃତି।ମୋ ଆଶା ତ ମଉଳି ଗଲା କିନ୍ତୁ ମୋ କାନରେ ସେଦିନ କହିଥିବା ଗୋଟିଏ କଥା ରାଧାକୃଷ୍ଣଙ୍କ ମନ୍ଦିରଟେ ଯଦି ହୁଅନ୍ତା ସବୁଦିନ ଭଜନ କୀର୍ତ୍ତନ ତ ହୁଅନ୍ତା ଲୋକମାନଙ୍କୁ ଅମୃତ ବାଣୀ ଟିକେ ତ ଶୁଣିବାକୁ ମିଳନ୍ତା ଭାବି ମର୍ମାହତ ହେଲି।

ଆଜି ବିଶ୍ୱାସଲ ବୈତରଣୀ ପୋଲ ଦେଇ ମୋ ହୁଣ୍ଡା ଗାଡିଟା ହସି ହସି ଦୌଡ଼ି ଗଲାବେଳେ ମନେପଡେ ଆମ ନଦୀରେ ପଶି ପ୍ରାକୃତିକ ଖୁସି ମନରେ ଯାତ୍ରା ଯିବା କଥା। ପୁଣି ମନେପଡେ ଗାଁରେ ଭଜନ କୀର୍ତ୍ତନ ବେଳେ ତାର ମୋର ଅଦଳ ବଦଳ ପସନ୍ଦର ଗାଇବା ଗୀତର ଲହରୀ କଥା। ଆଉ ଏବେ ମନେପଡୁଛି ତାର ସାନଭାଇ ପଞ୍ଚାନନ, ବଡ଼ଭାଇର ପୂର୍ବ କର୍ମସଂସ୍ଥାନ ପରିସରରେ ସ୍ବପ୍ନ ଦେଖିବା ସ୍ମୃତିକୁ ବଞ୍ଚାଇବା ପାଇଁ ଗଢିଥିବା ରାଧାଗୋବିନ୍ଦ ମନ୍ଦିରର ଘଣ୍ଟିର ଠନ ଠନ ଶବ୍ଦରୁ ଝରିଆସୁଥିବା ଗୀତର ଲହରୀ କଥା।

ଆଜି ପଣାସଂକ୍ରାନ୍ତିରେ ମନରେ ଉଚ୍ଛୁଳି ପଡୁଛି ବିଶେଷ ଭାବେ ସେଦିନ ମୋର ଅବସ୍ଥା ପାଇଁ ମୋ ମାଆ ବାପା ଆଗରେ ତାର କାନ୍ଦ କାନ୍ଦ କଥା,ଭୁଲ ରେ ମୋ ଭାଙ୍ଗ କଂସାଟା ତା ଭାଗରେ କେମିତି ପଡିଗଲା।ମୁଁ ଜାଣିଶୁଣି ଦେଇନାହିଁ।ଆଉ ମୋ ମାଆର ନରମ କଥା ପଦିଏ, ଆରେ ଭାସ୍କର,ବାପା ତୋର କ’ଣ ଦୋଷ ଯେ?ଆରେ ସେ ଜାଣିଥିଲେ ଭାଙ୍ଗ ପିଇବା କଣ ତାକୁ ଛୁଇଁବ ତ ନାହିଁ, ଚାହିଁ ବି ନ ଥାନ୍ତା,ତୁ କାହିଁ ମନ ଖରାପ କରୁଛୁ।ଅଜାଣତରେ ଏମିତି ହୋଇଯାଇଛି।

ଆଜି ମନ କହେ ତୁମେ କୁଆଡେ ଚାଲିଗଲ ଏମିତି ଯେ,ସେ ସ୍ବପ୍ନ ଗୁଡାକ ପୁରଣ କରିବାକୁ ମୋର ତ ଡାହାଣହାତ ଥିଲ ଚାଲିଗଲ,ମୁଁ କଣ ବା କରିବି।ତୁମେ ସିନା ଭୁଲିଗଲ ଆମ ପୁରୁଣା ସ୍ମୃତି କିନ୍ତୁ ସାକ୍ଷୀଅଛି।ମନ କହେ… ଏଇ ଦିନଗୁଡ଼ାକ ଆସିଲେ, *ତୁମ ସ୍ମୃତି ସବୁ ଆଜି ବି ମନେପଡେ*।

???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*????

Leave a Reply

Your email address will not be published. Required fields are marked *