ନହେଲେ ନାମ ଡୁବିବ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନହେଲେ ନାମ ଡୁବିବ

ଜଗତର ନାଥ ଆହେ ଜଗନ୍ନାଥ
ବଡ଼ ଦେଉଳ ବିହାରି
କରୁଛି ପ୍ରାର୍ଥନା ଶୁଣ କାନଡେରି
ବସିଛ ନିକିତି ଧରି ।୧।

ପାପପୁଣ୍ଯ ପୁଣି ସତମିଛ କଥା
ବିଚାର କରିବା ପାଇଁ
ନୀଳାଚଳ ଧାମେ ମନ୍ଦିର ଭିତରେ
ବସିଛ ଯେବେ ଗୋସାଇଁ ।୨।

ଘରଦ୍ୱାର ଛାଡି ଧାଇଁ ମୁଁ ଆସିଛି
ଦରବାରେ ତୋର ମୁହିଁ
ବିଚାର କରିଣ ନ୍ଯାୟ ଦିଅ ମୋତେ
କହୁଛି ଶ୍ରୀମୁଖ ଚାହିଁ ।୩।

କେଉଁ ଅପରାଧେ ଦଣ୍ଡଦେଲ ମୋତେ
କହିଦିଅ ମନ ଖୋଲି
ଶୁଣିବାକୁ ମନ ବ୍ଯଗ୍ର ହୁଏ ମୋର
ନଯିବି କେବେ ମୁଁ ଭୁଲି ।୪।

ପାପ ମୋର କେତେ ପୁଣ୍ଯ ମୋର କେତେ
ନିକିତିରେ ଦିଅ ମାପି
କହିନାହିଁ ମିଛ କଥା କେବେହେଲେ
ତୁମେ ଅଟ ବିଶ୍ଵବ୍ଯାପୀ ।୫।

ବଡ଼ଦାଣ୍ଡ ତୁମ ବିଚାର ଆଳୟ
ତୁମେତ ବିଚାର ପତି
ବିଚାର ତୁମର ହେବନି ଅନ୍ଯାୟ
ତୁମେ ପରା ବିଶ୍ଵପତି ।୬।

ଅନ୍ତର ବେଦନା ଜାଣବୋଲି ପ୍ରଭୁ
ଅନ୍ତର୍ଯ୍ୟାମୀ ତୁମ ନାମ
ବୁଝିଥାନ୍ତ ଯଦି ମୋ ଅନ୍ତର କଥା
ଆସି ନଥାନ୍ତି ଏଧାମ ।୭।

କେତେକେତେ ପାପୀ ନିସ୍ତରୀଣ ଗଲେ
ତୁମରି ବିଚାର ବଳେ
ମୋ ବେଳକୁ କାହିଁ ନିକିତି ଧରିଲ
ଘରକରି ନୀଳାଚଳେ ।୮।

ମନର ବେଦନା ମନରେ ମାରିକି
ପାଉଛି ଅନେକ ଦୁଃଖ
ଟେକିଦେଇ ହାତ କର ଆର୍ଶୀବାଦ
ପାଇବି ଟିକେ ମୁଁ ସୁଖ ୯।

ତୁମେ ଏକା ସେହି ଭଉଣୀ ରସିକା
ଜାଣିଛ ଭଉଣୀ ସ୍ନେହ
ମୋ ବେଳକୁ କାହିଁ ପଥର ହୋଇଲ
ଆଖିରୁ ଝରୁଛି ଲୁହ ।୧୦।

ଭଗ୍ନିସ୍ନେହ ମୋର କଲ ସାତପର
ଧରାଇ ହାତରେ ଝୁଲି
କେଉଁ ଦିନ ମୋତେ ଭଗ୍ନି ସ୍ନେହ ଦେବ
କୁହହେ ହୃଦୟ ଖୋଲି ।୧୧।

କରନି ଅନ୍ଯାୟ ବିଚାର ପ୍ରଭୁହେ
ଜଗତେ ନିନ୍ଦା ପାଇବ
ଯେତେ ଶୀଘ୍ର ପାର ଭଗ୍ନି ସ୍ନେହ ଦିଅ
ନହେଲେ ନାମ ଡୁବିବ ।।୧୨।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା,ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *