ବାସ୍ନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବାସ୍ନା
*************
ରେ ବାସ୍ନା…
ତୁ ଏକ ବିଦଗ୍ଧ ଅନୁଭବ
ସମ୍ପର୍କର ସ୍ନିଗ୍ଧ ମାଧୁର୍ଯ୍ୟ କଳରବ
ସପନର ଚକାଭଉଁରୀରୁ ଯେବେ ବି ଚାଲିଆସୁ ମୋ ନାସାକୁ
ଅଫୁଲା ହୃଦୟଟା ଫୁଲିଉଠେ
ମନ୍ଦ ମନ୍ଦ ସ୍ପନ୍ଦନ ବି ଛନ୍ଦି ହୋଇ ନାଚି ଉଠେ
ବିମୁଗ୍ଧ ଲାଗେ ମୋତେ
ସତେବା ଚାଲୁଛି ଥିରିଥିରି ମୁଁ
ଇନ୍ଦ୍ରଧନୁର ସପ୍ତରଙ୍ଗ ସବାରୀରେ।

କେବେ ବି ଛୁଟିଆସୁ ମନୋହର ଫୁଲ ପାଖୁଡ଼ାରୁ ତୁ
କେବେ ଆସୁ ଘୁରି ଘୁରି ଧୂପର ମଧୁମୟ ଧୂଆଁରେ
ଆଉ କେବେ ଦେଖାଦେଉ ଲୁଚିଥିବା ପ୍ରସାଧନୀ ଫରୁଆରେ
ପୁଣି ଯେବେ ଚାଲିଆସୁ ମାଆର ରନ୍ଧନଶାଳାରୁ
ଆଘ୍ରାଣରେ ମନଟା ପୁଲକିତ ହୋଇଯାଏ
ହୃଦୟର ପ୍ରତିଟି ଅଣୁରେ ଗୁଞ୍ଜରଣ ଖେଳିଯାଏ
ଓଠରୁ ବାହାରିଆସେ
ଆଃ କି ମଧୁର ତୁ ରେ ବାସ୍ନା !

ମାଆଙ୍କ ଲୁଗାକାନିର ବାସ୍ନା ତ ଅଭୁଲା ଅଲିଭା
ବାପାଙ୍କ ଚାନ୍ଧୁରେ ପିଠିର ବାସ୍ନା ଆଃ କି ନିଆରା !
ସଜ ସମ୍ପର୍କର ମହକ ଆଉ ବନ୍ଧୁତ୍ୱର ପୁଲକ ତ ବାସ୍ନାର ଦୋଳମଣ୍ଡପ
ଯେବେ ବି ଛୁଟିଆସୁ ତୁ ମନର ବାସ୍ନା ହୋଇ
ପୃଥିବୀର ସବୁ ବାସ୍ନାମାନ ଫିକା ପଡିଯାନ୍ତି
ପ୍ରେମର ଖିଡିକିଟା ଆପେ ଆପେ ଖୋଲିଯାଏ
ପ୍ରୀତିର ଝରଣାଟା ପ୍ରଣୟର ନିନାଦରେ ବିମୁଗ୍ଧ ହୋଇଯାଏ
ସତେ ଅବା ପ୍ରାପ୍ତ ହୁଏ ସ୍ୱର୍ଗ ସୁଖ
ମାନେନା ସେ ଗିରି ବନ
ପ୍ରତିକ୍ଷଣ ଥରାଇଦିଏ କରି ନବ ଗୁଞ୍ଜରଣ
ଅନ୍ତରୁ ସ୍ୱତଃ ନିର୍ଗତ ହୁଏ
ବାଃ ବାଃ ରେ ଅନୁପମ ବାସ୍ନା !

ଭାବନାର ବାସ୍ନାଟା କିନ୍ତୁ ତାଜମହଲ ଗଢେ
ଆଶାର ବୈତରଣୀରେ ତୋଫା ଜହ୍ନର ଜ୍ୟୋତ୍ସ୍ନା ଝଲସାଏ
ଏ ବାସ୍ନାର ସୁଗନ୍ଧ ଯେବେ ବି ଲେଖେ
ଆନ୍ତରିକତାର ପ୍ରବନ୍ଧ
ସବୁ ଗଳ୍ପଗୁଡ଼ାକ ପଶିଯାଏ ତା ଅଣ୍ଟିରେ
ପୁଣ୍ୟର କବିତାମାଳରେ ଲେଖାହୁଏ
ତୋ ପ୍ରଶଂସାର ଶୀର୍ଷକ
ଶିଶୁର ଖିଲିଖିଲି ହସ ମିଶା ଏକ ଆଶ୍ଚର୍ଯ୍ୟ କାରୀ ସମ୍ମୋହନ
ତୁ ମୋ ଆପଣାର ବାସ୍ନା !

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର

Leave a Reply

Your email address will not be published. Required fields are marked *