ହତାଶା ବସନ୍ତ – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଚଗଲି ବସନ୍ତଟା ଯେବେ ଛୁଇଁଦିଏ ଧରଣୀକୁ

ମୃଦ୍ୟୁମନ୍ଦ ମଳୟଟା ଆଉଁସୀ ଦିଏ
ସଜ ହୋଇ ସବୁଜିମା ଦୋଳି ଖେଳେ
ହୃଦୟେ ନଚାଇ ଦିଏ କେତେ ଯେ ପୁଲକ
ସଭିଙ୍କ ଓଠରେ ଆଙ୍କେ 
ଖିଲିଖିଲି ହସର ପଟ୍ଟଚିତ୍ର ।।
ତରୁଣୀ ବାସନ୍ତୀଟା ଯେବେ
କୋକିଳ କଣ୍ଠରେ ଗାଏ କୁହୁକୁହୁ ତାନ
ସୁନ୍ଦରୀ ହଲଦୀବସନ୍ତଟା ଲାଜେଇଯାଏ
ଆମ୍ର ବଉଳର ମୁହୂର୍ମୁହୁ ବାସ
ବିମୋହିତ କରେ ତନୁମନ
ଧରାବାସୀ ପ୍ରସନ୍ନେ ଗଆନ୍ତି ମଧୁଗୀତି
ଶୀତ ଓ ଗ୍ରୀଷ୍ମର ମଧୁର ସଂଗମେ
ପ୍ରକୃତି ହୁଏ ସଦ୍ୟ ପୁଲକିତ ।।
ଅଦିନିଆ ନିଦାଘଟା ଈର୍ଷାରେ ଜାଳି ଜାଳି
ଅଚାନକ ମାଡ଼ିଆସେ ଯେବେ
ଚୁର୍ମାର ହୋଇଯାଏ ଦୁର୍ବାର ଆଶା
ବାର୍ଦ୍ଧକ୍ୟରେ ସଢ଼ି 
ସାଜେ ନିଃସ୍ୱ ହତାଶା ବସନ୍ତ
ବୁହାଇ ଅଶ୍ରୁ ଧାରଧାର
ଆତୁରେ କହେ….
ହେ ମୋ ପ୍ରିୟ ଧରାବାସୀ
ପାରିଲି ନାହିଁ ସିନା ତୁମକୁ ଦେଇ ଶାନ୍ତିର ସମୁଦ୍ର
ହେଲେ ନିଶ୍ଚେ ଆସିବ ସେ ଶୁଭଦିନ
ତୁମ ଦେହେ ଲେପିବି ମୁଁ ବାସ ଚନ୍ଦନ
ସ୍ନେହ ପ୍ରେମେ ଭିଜାଇ
ସଭିଙ୍କୁ କରିବି କୋମଳ ଓ ଆର୍ଦ୍ର।
ନାରାୟଣ ଚନ୍ଦ୍ର ସେନାପତି, କମ୍ଭ୍ରରା, କେନ୍ଦୁଝର

Leave a Reply

Your email address will not be published. Required fields are marked *