ତୁଠ ପଥର – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ତୁଠ ପଥର ତୁ   ତୁଠେ ପଡ଼ିରହି
     ଦେଖୁଛୁ ସାରା ସଂସାର,
କେବେ ଶୁଣୁ ତୁହିଁ   କ୍ରନ୍ଦନର ରୋଳ
      କେବେ ହସର ଜୁଆର   l1।
କିଏ ତୋ ଉପରେ   ବସି ପଢ଼େ ତା’ର
       ବିଗତ ଦିନର କାବ୍ୟ,
ଆଉ କେ ଚଳାଏ   ବର୍ତ୍ତମାନ ସଙ୍ଗେ
      ବସି ତା’ ଜୀବନ ନାବ   l2।
କିଏ ଉଡି ବୁଲେ   ସୁବର୍ଣ୍ଣ ଡେଣାରେ
   ଆଗାମୀ ସ୍ଵପ୍ନକୁ ନେଇ,
କିଏ ନେଇ ଆସେ   ଲୁହର ବନ୍ୟା
    ପ୍ରତାରିତ ଆତ୍ମା ହୋଇ   l3।
ତୁମେ କିନ୍ତୁ ରବି   ନୀରବ ନିଶ୍ଚଳ
   ସେଇ ସ୍ମିତ ହାସ୍ୟ ଠାଣି,
ସୁନେଲୀ କିରଣ  ପକାଇ ତା’ ଠାରେ
     ଦେଉଛ ମୁରୁଜ ବୁଣି   l4।
ଦିନ ଥିଲା କେଉଁ   ରଜା ପୁଅ ଆସି
     ସୁଖେ ବସି ତୋ ଉପରେ,
ଅସ୍ତ୍ରକୁ ତାହାର  ତୀକ୍ଷ୍ଣ କରୁଥିଲା
     ଘଷି ଘଷି ତୋ ଦେହରେ   l5।
ମଳୟ ଆଣୁଛି    ସୁବାସର ବାସ
     ମନ ମତlଣିଆ ହୋଇ,
ଥିରି ଥିରି ପlଦେ  ନୂଆ ବୋହୂ ଆସେ
      ଆଗକୁ ପାଦ ପକେଇ   ।6।
ହାତେ ଧରି ଆସେ   ହଳଦୀ ବଟୁଆ
      ସାଥେ ସାବୁନ ଅତର,
 ତୋ ଉପରେ ବସି  ପଖାଳୁ ଥାଏ ତା’
      ଘନ କୁଞ୍ଚ କେଶ ତା’ର  ।7।
କୁଆଁରୀ ଝିଅଟି  ଆସଇ ତୋହଠି
     ରଙ୍ଗ ଭରା ସ୍ଵପ୍ନ ନେଇ,
ତୋ ଉପରେ ବସି ଗୋଡ଼ ଘସି କେତେ
     ମୃଦୁ ଗୀତ ଯାଏ ଗାଇ   l8।
ମାଆ ଆସିଥାଏ   କଳସୀ କାଖେଇ
      ସାଥେ କୁନି ମୁନି ଧରି,
କି ସ୍ନେହେ ଗାଧୋଇ ଦିଏ ଘଷି ପୋଛି
       ପରଷି ମମତା ବାରି   l9।
ବହଳ ବହଳ  ଅସନା ମଶନl
    ଯେତେ ପରିଧାନ ବାସ,
ତୋ ଉପରେ କାଚି ଶୁଭ୍ର ପଣ ପାଇ
     ହୋଇ ଥାଆନ୍ତି ହରଷ   l10।
ବୈଧବ ଗ୍ରlସିଲେ ସଧବା ନାରୀକୁ
    ଆସେ ଶୋକlର୍ତ୍ତ ତର୍ପଣେ,
ଶଙ୍ଖା ଚୁଡ଼ି ଦିଏ   ତୋପରେ କଚାଡି
     ରହେ ନିକାଞ୍ଚନ ପଣେ   l11।
ତୁଠ ପଥର ତୁ ଯୁଗ ଯୁଗ ବସି
     ଦେଖୁଛି ଏ ସବୁ କଥା,
କେହି ରହି ନାହିଁ ରହିବେ ନାହିଁଟି
    ଧନ୍ଯ  ଏ ବିହି ବ୍ୟବସ୍ଥା   l12।
କୁମୁଦିନୀ ବେହେରା, ଶିକ୍ଷୟିତ୍ରୀ,
ଅନୁଗୋଳ,୯୮୧୭୩୪୩୬୬୮

Leave a Reply

Your email address will not be published. Required fields are marked *