କବି ହେମନ୍ତ କୁମାର ବରାଇଙ୍କ ଚମ୍ପୁ କାବ୍ୟ ‘ଅରୁକ୍ଷ’ – ‘ଇ’ ‘ଈ’ ‘ଉ’ ଓ ‘ଊ’

“ଅରୁକ୍ଷ” ଚମ୍ପୁ କାବ୍ୟ ରୁ ‘ଇ’ ଚମ୍ପୁ
“ଇ” ରାଗ – କାମୋଦୀ

ଇନ ବୋଲନ୍ତି ଆଦରେ ତୁମ୍ଭେ ସର୍ବଂସହା ॥ପଦ॥
ଇନ୍ଦ୍ରିୟଗମ୍ୟ ବାଣୀ ଅନ୍ତରିନ୍ଦ୍ରିୟେ ଆଣି
ଅବଶ୍ୟ ଆଣେ କ୍ଷଣେ ସମ୍ବେଦନା
ଇନ୍ଦ୍ର ତବ ଜଣାଣ ଦେଖିଲା ଯା ଈକ୍ଷଣ
ତଥାପି ନହୁଅ ହେ ଆନମନା ॥୧॥
ଇଜ୍ୟା ତବ ସହନ ଇଜ୍ୟା ତ୍ୟାଗ ମହାନ
ଇଜ୍ୟା ହୋଇଛି ବେନି ତବ ଦେହେ
ଇଷ୍ଟ ଏ ସୁରକୁଳେ ଇତି କର୍ତ୍ତବ୍ୟ ହେଲେ
ଯୁଗେ ଯୁଗେ ଚିର କଲ୍ୟାଣ ବହେ ॥୨॥
ଇନ୍ଦ୍ରମୌଳି-ଈଶ୍ୱରୀ କେଳି ରେ ଅବତରି
ପାର୍ବତୀ ହୋଇବେଟି ଗୁରୁଗର
ଇଷ୍ଟ ରେ ଜନ୍ମିବ ସୁ- ତ ଭବେ ଆସୁ ଆଶୁ
ହତ କରିବଇିଁ ତାରକାସୁର ॥୩॥
ଇଦାନୀ ମୋ ବଚନ ଇରା ରଖ ବହନ
ଇନ୍ଦ୍ରେ ଜଣାଅ ଯାଇ ଇନ୍ଦ୍ରଲୋକ
ଇଲା ତହୁଁ ସନ୍ତୁଷ୍ଟ ଇତି କର୍ତ୍ତବ୍ୟ ଇଷ୍ଟ
ଚଳିଲେ ଚଞ୍ଚଳେ ସେ ଇନ୍ଦ୍ରଲୋକ ॥୪॥

“ଅରୁକ୍ଷ” କାବ୍ୟ ରୁ “ଉ ଓ ଊ”ଚମ୍ପୁ
“ଉ ଓ ଊ” ରାଗ-ବସନ୍ତ

ଉଷ୍ଣରଶ୍ମି ବାଣୀ ମହୀ ଚିତ୍ତେ ଆଣି
ବିବୁଧାଳୟେ ଚଳିଲେ,
ଊର୍ଦ୍ଧ୍ୱଲୋକ ସଭା ଆଗେ ଯେବେ ଉଭା
ସର୍ବ ଦେବ ବିଲୋକିଲେ ହେ ॥୧॥
ଉର୍ବର ସରସ ଅଙ୍ଗ ଯେ ବିରସ
କିପାଁ ସଭାରେ ପ୍ରବେଶ
ଉଦବମନ ରୁ- ଧିର ଯେ ମୁଖରୁ
କି ପାଇଁ ଶଂସୀ ଉଦାସ ହେ ॥୨॥
ଉର୍ଦ୍ଧ୍ୱଲୋକ-ପତି ଜିଜ୍ଞାସା ରେ ଅତି
ଜିଜ୍ଞାସିଲେ ଏ କାରଣେ,
ଉର୍ବୀ ଉନ୍ମୀଳିତ ଦୁଃଖଦ ଚରିତ
ଭାଷିଲେ ବ୍ରୁଷଭାଷଣେ ହେ ॥୩॥
ଉଦ୍ ବୋଧ ନାହିଁ କୋଟି ପ୍ରାଣୀ ଯହିଁ
ହର୍ଷେ ରଚନ୍ତି ଦେବନ,
ଉତ୍ ଲାସ ତାର ହେଲେ ହେଁ ଉଦାର
ଆଜ କିପାଁ ଉଦ୍ ବିଗ୍ନ ହେ ॥୪॥
ଉତ୍ସଙ୍ଗେ ପୀରତି ଉତ୍ସ ସଦାଗତି
ଚିରଉଲ୍ଲାସିନୀ ମୁହିଁ,
ଉନ୍ମିଳନାହତ ଲୁହ ଲହୁ ସତ
ବନ୍ଦ କର ଦେବସାଇଁ ହେ ॥୫॥
ଉଚ୍ଚଳିତ ଇଷ୍ଟ ବିଳାସ ବିନଷ୍ଟ
କି ସୁଖ-ସ୍ରୋତ ଉଜାଣି,
ଉଦାସୀ ପ୍ରାରମ୍ଭ ଶତ ଅଙ୍ଗ ଦମ୍ଭ
ହରଣ ହୋଇଲା ଠାଣି ହେ ॥୬॥
ଉମା-ଉମାପତି ବିଚରନ୍ତି ରତି
ଅଙ୍ଗ ଭାର ମୋତେ ଗୁରୁ,
ଉପାଖ୍ୟାନ ଏଣୁ ଇତର ନ ମଣୁ
କରାଅ ମୁକ୍ତ ଏଥିରୁ ହେ ॥୭॥
ଉଦନ୍ତ ସତ ତ କଲି ଯା ଆନୀତ
ଉପକଣ୍ଠେ ଉପନତ,
ଉଦଧି ଉଦାର ବୋଲି ସ୍ୱୀୟ ଭାର
ଉଦ୍ଧାର ଶଚୀ-ଦୟିତ ହେ ॥୮॥

ହେମନ୍ତ କୁମାର ବରାଇ, ଗ୍ରାମ/ପୋ-ରୁଷୁଡା଼, ଜି-ବରଗଡ଼, ମୋ-୮୯୧୭୫୧୮୭୭୪

ମନ୍ତବ୍ୟ ରଖନ୍ତୁ..