ଅନୁଭୂତି ଗଳ୍ପ – ବାପା ଆଖିରେ ଲୁହ – ମୌସୁମୀ ସାଓ

ସୁର୍ଯ୍ୟ ନ ଉଇଁଲେ ସକାଳ ହୁଏନି , ଚନ୍ଦ୍ର ତାରା ଓ ଅନ୍ଧାର ନଥିଲେ ରାତି ହୁଏନି,ଆଉ ଆକାଶରେ ବାଦଲ ନଥିଲେ ବର୍ଷା ହୁଏନି । ବଣମଲ୍ଲୀ ବଣରେ ଫୁଟି ମଉଳିବା ପରି କିଛି ସ୍ମୃତି ହୃଦୟ ଭିତରେ କବର ନିଏ ତ ଆଉ କିଛି ସ୍ମୃତି କୁ ଏ ମନ ଭୁଲିପାରେନି । ଅବଶ୍ୟ ମୁଁ ଆଜି ଯେଉଁ ସ୍ମୃତି କଥା କହିବାକୁ ଯାଉଛି ମୋ ବାପାଙ୍କ ଭିଟା ମାଟି ପ୍ରତି ଥିବା ଦରଦକୁ ମୁଁ ଖୁବ୍ ନିକଟରୁ ଦେଖିଥିବା ଓ ଅନୁଭବ କରିଥିବା ଏବଂ ଭିଟାମାଟିକୁ ଝୁରି ଝୁରି ବାପାଙ୍କ ଆଖିରୁ ଝରୁଥିବା ଲୁହ ସହ ମୋ ଲୁହକୁ ମିଶାଇ ବାଢି ଦେଉଛି କିଛି ଅନୁଭୁତିରୁ…

ବ୍ୟସ୍ତ ବହୁଳ ଜୀବନ ଭିତରେ ବେଳେ ବେଳେ ଥକାମନଟି ଖୋଜିବୁଲେ ଟିକେ ଛୁଟି । ଇଚ୍ଛା ହୁଏ କୁଆଡେ ବୁଲି ଯାଇ ମନ ଟିକୁ ଟିକେ ହାଲୁକା କରିବାକୁ । ସେଦିନ ଥାଏ ରବିବାର ସମୟ ପ୍ରାୟ ୪.୩୦ମି. । ହଠାତ୍ ବୋଉ କହିଲେ “ଶୁଣୁଛ- ଚାଲ ଆଜି ଟିକେ ବୁଲେଇ ନିଅ । ବାପା କିଛି ସମୟ ଚୁପ୍ ରହି କହିଲେ ଠିକ୍ ଅଛି ଚାଲ ମୋ ଅତୀତକୁ ଦେଖେଇ ଦେବି । ବୁଝିପାରିଲୁନି ଆମେ । କିଛି ପଚାରିବା ଆଗରୁ ବାପା କହିଲେ ଆରେ ବାବା ମୋ ହଜିଲା ଅତୀତ ମୋ ଭିଟାମାଟି ଅର୍ଥାତ ବର୍ତ୍ତମାନର ଜମ୍ଭୀରା ପ୍ରକଳ୍ପକୁ ବୁଲିଯିବା । ଶୁଣି ଆମେ ବହୁତ ଖୁସି ହୋଇ ଗଲୁ କାରଣ ଆମ ଘର ପାଖରେ ଡ୍ୟାମ କିନ୍ତୁ ଆମକୁ ପ୍ରାୟ ବାପା ନେଇ ଯାଆନ୍ତିନି । କାରଣଟା ଅବଶ୍ୟ ସିଏ ଜାଣନ୍ତି । ଯାହାହେଉ ଆମେ ବାହାରି ପଡ଼ିଲୁ ସେଦିନ ଡ୍ୟାମ ଦେଖିବାକୁ । ମାତ୍ର କେଇପାଦ ପରେ ଡ୍ୟାମ ଦେଖା ଗଲା । ପରସ୍ପର ହାତ ଧରାଧରି ହୋଇ ଉଠିଗଲୁ ସତ କିନ୍ତୁ ଭାରି ହାଲିଆ ଲାଗୁଥାଏ । ଯେତେବେଳେ ଜମ୍ଭୀରା ଡ୍ୟାମର ସେ ମନଲୋଭା ଦୃଶ୍ୟ ଦୂରରୁ ଦେଖିଲୁ ଥକାକୁ ସେଇଠି ଛାଡ଼ିଦେଇ ଧାଇଁଗଲୁ କାଚ କେନ୍ଦୁ ପରି ଜଳ ରାଶି ନିକଟକୁ । ଲାଗୁଥିଲା ସତେ ଯେମିତି ସେ ପାଣିରେ ସୁର୍ଯ୍ୟ ଲାଲ୍ ରଙ୍ଗ ମାଖି ପହଁରୁଛନ୍ତି । ଆଖି ଯାଏ ଯେତେଦୂର ତା ଠୁଁ ଆହୁରି ଦୂର ଖାଲି ଢେଉ ପିଟା ଜଳ । ମୁଁ ତ ଆନମନା ହୋଇ ଗଲି ହେଲେ, ମୁଁ ଲକ୍ଷ କରିଛି ବାପା କିନ୍ତୁ କଣ ଗୋଟାଏ ହଜେଇ ଦେଇଛନ୍ତି ଆଉ ତାକୁ ଖୋଜିଲା ପରି ଲାଗୁଥିଲେ । ମନରେ ଖୁସି ନଥିଲା, ଅନ୍ୟମନସ୍କ ବି ଥିଲେ । ତା’ରି ଭିତରେ ବୋଉ ପଚାରି ବସିଲେ ତୁମ ପୁରୁଣା ଗାଁ ଟା କଉଠି ଥିଲା କହିଲ ? ବାପା କହିଲେ ଟିକେ ରୁହ । ଖୋଜି ଖାଜି ଗୋଟେ ଗୋଡି ଆଣି କହିଲେ, ଦେଖ ଏ ଗୋଡି ଟା ମୁଁ ଫିଙ୍ଗୁଛି ଯଉଠି ପଡିବ ସେଇଟା ଥିଲା ମୋ ପୁରୁଣା ଗାଁ ସାମପୁରା । ଆମେ କେବେ ଦେଖି ନଥିଲୁ ତେଣୁ ଜାଣିବାକୁ ବ୍ୟସ୍ତ ଥିଲୁ । ବାପା ଗୋଡିଟିକୁ ଖୁବ୍ ଜୋର ରେ ଫିଙ୍ଗିଲା ପରି ଲାଗିଲା ସତ ହେଲେ ଗୋଡିଟି ପାଣିରେ ପଡିବାର ଆମେ ଦେଖି ପାରିଲୁନି । ମୁଁ କହିଲି ବାପା ଗୋଡି କୁଆଡେ ଗଲା । ବାପା ନୀରବ ହୋଇ କହିଲେ ମୋ ହାତରେ ଅଛି । ଆଉ ଆମ ଗାଁ ? ଭୋ ଭୋ ହୋଇ କାନ୍ଦି ପକେଇ କହିଲେ “ଆରେ ମାଆ କେମିତି ମୁଁ ମୋ ଭିଟା ମାଟି ମୋ ମାଆ ଉପରକୁ ଗୋଡ଼ି ମାରିବି । ମୋତେ ପରା ତା ମୁହଁ ଟା ଦିଶି ଯାଉଛି । ତା ଛାତି ଉପରକୁ ମୁଁ କେମିତି ପଥର ମାରିପାରିବି ? ବୋଉ କଥାଟିକୁ ଭାଙ୍ଗି ଦେଇ କହିଲେ “ତୁମେ ଭଲ ଲୋକ ଏତେ ପାଖରେ ଏତେ ସୁନ୍ଦର ଜାଗା ଟିଏ ଅଛି ଅଥଚ ମୋତେ କେବେ ନେଇ ଆସନି କି ନିଜେ ବି ଆସନି । ବାପା କହିଲେ ଜାଣିଛ, ଏମିତି ଦିନ ନାହିଁ ଯୋଉ ଦିନ ମୁଁ ଏଠାକୁ ଆସିନି । ମୁଁ ପ୍ରତ୍ୟେକ ଦିନ ଆସେ । ଏକୁଟିଆ ବସି ମୋ ଅତୀତକୁ ମନେ ପକେଇ ମନ ଖୋଲି କାନ୍ଦିବାକୁ ମୋତେ ବହୁତ ଲାଗେ । ଏମିତି ଦୁଃଖରେ ଦୁଃଖରେ କେତେବେଳେ ଯେ କଳା ରଙ୍ଗର ସନ୍ଧ୍ୟା ସବୁ ଆସି ଆମକୁ ଘେରିଗଲେ ଜାଣି ହେଲାନି । ବୋଉ କହିଲେ ଚାଲ ଘରକୁ ଯିବା ଆଉ କୋଉଦିନ ପୁଣି ଆସିବା । ମୁଁ ସେଦିନ ଅତି ନିକଟରୁ ଦେଖିଲି ଭିଟା ମାଟିକୁ ଭଲ ପାଇବା ଆଉ ସେଇ ଦିନ ଠାରୁ ମୋ ବାପାଙ୍କ ପ୍ରତି ମୋର ସମ୍ମାନ ଆହୁରି ବଢ଼ିଗଲା ।


ମୌସୁମୀ ସାଓ
ଦେଉଳି, ବାରିପଦା, ମୟୂରଭଞ୍ଜ
ଦୂରଭାଷ: ୮୨୪୯୪୦୪୦୮୪

ମନ୍ତବ୍ୟ ରଖନ୍ତୁ: