ଚିଲିକା ରାଣୀ – ଧ୍ରୁବ ଚରଣ ବେହେରା

ନୀଳ ଆକାଶର ନିଳିମା ଛାଇରେ
ହସଇ ଚିଲିକା ରାଣୀ
ସୁନୀଳ ଶେଯରେ ସଦା ହସୁଥାଏ
ରୂପସୀ ଏସିଆ ମଣି ।।

ଚାରୁକଳା ଭରି ଅଟେ ସୁନା ଗୋରୀ
ଅନେକ ରଙ୍ଗ ନାୟିକା
ସକାଳ ରଜନୀ ପିନ୍ଧାଏ ତନୁରେ
ସୂବର୍ଣ୍ଣ ଜରି ଝଲକା ।।

ସମୀର ସାଥିରେ ଗେଲ ହେଉଥାଏ
ତରଙ୍ଗ କୁନ୍ତଳ ଖୋଲି
କି ଅପୂର୍ବ ଶୋଭା ଦିଶଇ ନାଗରୀ
ହସୁ ଥାଏ ଝୁଲି ଝୁଲି ।।

ଥରି ଥରି କରି କୁଳୁ କୁଳୁ ନାଦେ
ଗାଏ ସେ ପ୍ରେମ ରାଗିଣୀ
ସତେକି ଉର୍ବଶୀ ନାଚୁଛି ଧରାରେ
କୋଟି ଜନମନ ଜିଣି ।।

ଯେତେ ଦେଖୁଥିଲେ ତା ରୂପ ମାଧୁରୀ
ନୟନତ ଯାଏ ଲାଖି
ଫେରେନି ପଲକ ଯୌବନରୁ ତାର
ମୁରୁକିଇ ଲାଜେ ଦେଖି ।।

ମରାଳର ମାଳ କରି ଗଳାହାର
ଚାନ୍ଦି ପାଲିଙ୍କିରେ ବସେ
ମନ ସହଚରୀ ଅତିବ ଚାତୁରୀ
ଆଗନ୍ତୁକ ଦେଖି ହସେ ।।

କବିର କବିତା ରୋମାଞ୍ଚିତ ଲାଗେ
ତୋର କାବ୍ୟ ଉପମାରେ
ମାନସ ପଟରେ ଜାଜୁଲ୍ୟର ହୀରା
ମୋହିନୀ ତୁ ଏ ଧରାରେ ।।

ଦିଗବଳୟ ଯାଏ ଆଖି ପାଏ ନାହିଁ
ରୂପ ସମ୍ଭାର ହରିଣୀ
ଯୁଗ ଯୁଗ ଲାଗି ଚମକୁ ଥାଉତୁ
ନୀଳାମ୍ବୁ ଚିଲିକା ରାଣୀ ।।


ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା

ମନ୍ତବ୍ୟ ରଖନ୍ତୁ