ଡାକିଲେ ମଲି ନ ଡାକିଲେ ମଲି – ପ୍ରୀତିପ୍ରିୟା ମହାନ୍ତି

ଲୋକଙ୍କ କଥାକୁ ଧରି ବସିବଯେ
ପାରିବନି କରି କିଛି,
ଲୋକ କଥା ଶୁଣି କି ଅବସ୍ଥା ହୁଏ
ବିସ୍ତୃତରେ ଜଣାଉଛି ।

ହେଇଟି ଶୁଣୁଛ ସମ୍ବୋଧନ କରି
ସ୍ୱାମୀଙ୍କୁ ଥିଲି ମୁଁ ଡାକି
ରାଗିକରି ସେ ଜଣାଇଲେ ତୁମେ
କୋଉ ଯୁଗେ ଅଛ କହିବକି ।

ନାଁ ଧରି ମୋର ଆଜିଠୁ ଡାକିବ
ଛାଡ଼ ସେ କାଳିଆ କଥା
ସାଙ୍ଗସାଥି ମୋର ପାଖେ ଥିଲାବେଳେ
ଲାଜେ ନଇଁଯାଏ ମଥା ।

ପତିଦେବ କଥା ଅମାନ୍ୟ ନ କରି
ଡାକିଲି ତାଙ୍କ ନିର୍ଦ୍ଦେଶେ
ଡର ଥିଲା ଯେଉଁ କଥାକୁ ମୋହର
ଘଟିଲା ବି ତାହା ଶେଷେ ।

ଶାଶୁ ମା’ କାନେ ପଡିଲା ଏ କଥା
ରାଗେ ହେଲେ ଗରଗର,
କହିଲେ ଇଏ ଠିକ୍ କଥା ନୁହେଁ
ନାଁ ଧରିବାଟା ସ୍ୱାମୀର ।

ଭଉଣୀ କୁ ଯେବେ ଜଣାଇଲି ଦୁଃଖ
ବୁଦ୍ଧିଟିଏ ଦେଲା ସିଏ,
ଗେଲୁ, ଧନ କହି ଭାଇଙ୍କୁ ଡାକୁନୁ
ମଡର୍ନ ଯୁଗ ତ ଇଏ ।

ଭଉଣୀ କଥା ମୋ ମନକୁ ପାଇଲା
ଭାବିଲି ଏ ଠିକ ହେବ,
ଏମିତି କହି ମୁଁ ଡାକିଲେ ପତିଙ୍କୁ
ନ ହେବ କାହାର କ୍ଷୋଭ ।

କାନରେ ବାଜିଲା ସାହିପଡ଼ିଶାଙ୍କ
ହେଲେ କେତେ ହସାହସି,
କହିଲେ ଇଏ କି ଯୁଗ ହେଲା
ଲାଜନାହିଁ ବଦମାସି ।

ମିକୁ ବାପା କହି ପତିଙ୍କୁଡାକିଲେ
ଚିକୁ କରେ ଅଭିମାନ,
ଚିକୁ ବାପା କହି ଡାକିଲେ ବି ମୁଁ
ମିକୁ ମାରିବସେ ମନ ।

ମନେ ମନେ ମୁଁ ସ୍ଥିର କଲି
ଡାକିବିନି କିଛି କହି,
ଦରକାରୀ ଯଦି ପଡ଼ଇ ସେତିକି
ଇଙ୍ଗିତ ଟେ ଦେବି ମୁହିଁ ।

ପତିଦେବଙ୍କର ବାଲ୍ୟବନ୍ଧୁ ଜଣେ
ଆସିଥିଲେ ଆମ ଘର,
ଦରକାରୀ କିଛି ଚିଜ ଲୋଡ଼ା ବୋଲି
ପତିଙ୍କୁ ମାରିଲି ଠାର ।

ଠାର ଡାକ ମୋର ଦେଖି ଦେଇ ବନ୍ଧୁ
ମାଡିଗଲେ ପତି କତି,
କହିଲେ ବିଧାତା ତୋ ପାଇଁ ରଖିଲା
ମୁକ ସ୍ତ୍ରୀ ଏଇମିତି ।

ହସିବିକି ମୁଁ କାନ୍ଦିବି ସତରେ
ପାରିଲିନି ଜାଣି କିଛି
ଡାକିଲେ ବି ମଲି ନ ଡାକିଲେ ମଲି
ହସୁଥାଏ ମିଛି ମିଛି ।


ପ୍ରୀତିପ୍ରିୟା ମହାନ୍ତି, ପୁରୀ

ମନ୍ତବ୍ୟ ରଖନ୍ତୁ: