ଦୃଷ୍ଟାନ୍ତ – ନାରୀଟିଏ – ବଲବନ୍ତ ସାହୁ

ନିର୍ଜନ କାଳିମା ବୋଲା ଅନ୍ଧାର । ମାଘର ହାଡଭଙ୍ଗା ଶୀତ । କିଛି ବୁଲା କୁକୁରର ଭୋ… ଭୋ… ଶବ୍ଦରେ ଚମକି ଉଠିପଡେ -“ଦୀନବାଇ” । ଯଦିବା ଉଠିପାରେନାହିଁ ଭୁଷ୍ ଭାସ୍ କରି , ଉଠେ ତା’ପରି ଅସିବର୍ଷିଆ ବୁଢ଼ୀ ତୁଳନାରେ ବେଶ୍ ଚଞ୍ଚଳରେ ।ହାତ ବୁଲାଏ ତା’ଏକମାତ୍ର ସାଥୀ ସକାଶେ । ବଙ୍କୁଳି ସକାଶେ । ହାତରେ ପଡେ ଦିଆସିଲିଟେ । ଯେଉଁଠି ଥାଏ ମାତ୍ର ତିନି ଚାରିଟି କାଠି । ଦୁଇ ପ୍ରଚେଷ୍ଟାର ବିଫଳତା ପରେ ସଫଳ ହୁଏ ତୃତୀୟ ପ୍ରେଚେଷ୍ଟାରେ । ଦୁରୀଭୂତ କରିପାରେ ତା’ଚାରିହାତିଆ କୋଠରୀର ଘନୀଭୂତ ତମସାକୁ । ତଥା ଠାବ କରିପାରେ ତା’ସାଥୀ ବଙ୍କୁଳିକୁ । ଏହାପରେ ଉଠିପଡେ। ଗୋଟିଏ ହାତରେ ବଙ୍କୁଳି ଧରି ଅନ୍ୟ ହାତରେ ମିଞ୍ଜି ମିଞ୍ଜି ଜଳୁଥିବା ଡିବିରିକୁ ଧରି । ଡିବିରିକୁ ଉଠାଏ କାନ୍ଥରେ ଟଙ୍ଗାହୋଇଥିବା ଘଡି ଆଡକୁ । ଠାବ କରିବାକୁ ଅଶୀଦଶକର ସେ ଘଣ୍ଟାର ମୋଟା ଘଣ୍ଟାକଣ୍ଟାକୁ । ଦେଖେ । ତା’ସାଥେ ସାଥେ ଅନୁଭବ କରେ । ମଧ୍ୟରାତ୍ରିର କାକର ଛୁଆଁକୁ , ପୁଣି ହାଡଭଙ୍ଗା ଶୀତକୁ । ଏସବୁକୁ ନେଇ ନେଇ ଘାଂଟେ ତା’କଳନା ଶକ୍ତିରେ । ତା’ପରେ ପରେ ନିଶ୍ଚିତ ହୋଇ ପାଟି ଫିଟାଏ । କହେ- “ଅଢେଇ ବାଜି ଗଲାନା..” ।

ବଙ୍କୁଳିରେ ଭାରସାମ୍ୟ ରଖି ପାଦ ବଢାଏ ଆଗକୁ । କବାଟ ଖୋଲି ତାଗିତ୍ କରେ ସେ ବୁଲା କୁକୁର ମାନଙ୍କୁ । ପୁଣି ସତର୍କ କରିଦିଏ , “ରାତି ପାହି ନାହିଁ” ବୋଲି । ତା’ପୁଣି ବଙ୍କୁଳିକୁ ଜହ୍ନମାମୁଁ ଆଡକୁ ଳମ୍ବେଇ ଳମ୍ବେଇକି । ବୁଝେଇ ସୁଝେଇ ଶାନ୍ତ କରିଦିଏ କୁକୁର ଗୁଡିକୁ । କବାଟ ଦେଇ । ଆସି ବସିପଡେ ଖଟରେ । ଥୋଇଦେଇ ବଙ୍କୁଳିକୁ । ଆଶ୍ରାନପାଇ ଖସି ପଡେ ବଙ୍କୁଳିଟି । ଠିକ୍ ଦୀନାବାଇ ପରି । ବଙ୍କୁଳିର ଶବ୍ଦରେ ତାଳ ଦେଇ ଶୁଭୁଥାଏ ସେ ପଟେ । ମେଁ.. ମେଁ… । ଦୀନାବାଇ ପୁଣି ତାଗିତ୍ କରେ ଛେଲି ଗୁଡିକୁ ..। କହେ – “କାଁଏ ମେଁ.. ମେଁ.. ହଉଛ ରେ..? ସୁଅ ଛନେ ..ସକାଳେ ତମର୍ ମରନ୍ ପରେ” ।ଏତିକି କହି କଣ ଯେ ଭାବେ । ତାହାକୁ ଜଣା ଅବା ସେ ଉପର୍ ମାଲିକଙ୍କୁ ଜଣା । ନିଶ୍ଚଳ, ନିସ୍ତବ୍ଧ ହୋଇ ବସିରହେ । ଅଚଳ ମହାମେରୁ ପରି ।

କିଛି ସମୟର ନିଶବ୍ଦ ଦୃଶ୍ୟ ପରେ । “କାଁଏରେ..ଯଁଅରା ମକେ ହେଲେ ନେତୁ…,ସୁ କରି ମରନ୍ ଟେ ଦେଇ କରି । ଖୁବ ଭାବବିହ୍ଵଳ ହୋଇପଡେ ଦୀନାବାଇ । ମନେ ପକାଏ ତା’ଧୂଳି ଧୂସର ଅତୀତକୁ । କଳାଧଳା ଅତୀତକୁ । ତଥାପି ସପ୍ତରଙ୍ଗରେ ରଙ୍ଗୀନ ହେଉଥାନ୍ତି ସେ ବିତିଯାଇଥିବା ପୁରୁଣା ଦିନ ଗୁଡ଼ିକ ।

ମାଆ ଘରେ ବସିକି ଖାଇଥିଲେ ବି । ଜମିଦାର ପଇସା । ଶଶୁର ଘରକୁ ଆସିବା ଦିନଠୁ କରିବାକୁ ପଡିଥିଲା ଝାଳବୁହା କଠିନ ପରିଶ୍ରମ । ରାତି ଗୋଟାଏ ଟାରୁ ସାରୁ କୁ ପାଣି ତେଣ୍ଡା । ସେଠାରୁ ଆସି ଇଟାଭାଟିରେ ଇଟାବୋହିବା । ସେଠାରୁ ଆସିଲେ କୁଆଡେ ଗଣ୍ଡେ ଖାଇକି , ପାଇଟି କାମ ଯେତେ । ତଥାପି ଦୀନାବାଇ କେବେ ଥକେ ନାହିଁ । ପୁଣି ରାଜୁ ବାପାକୁ କହେ- “ତମେ କେତେ ପରିଶ୍ରମ କରୁଛ…ଆରୁ ମୁଁଁଇ ଯେ…” । ରାଜୁବାପା ହସିଦିଏ । ଆଉଁସି ଦିଏ ତା ଉଷ୍ନ ଶରୀରକୁ… ଯୌବନକୁ…ହୃଦୟକୁ…। ପୁଣି କହେ- “ତୁଇ ପରା ମୋର୍ ଫୁଲ ଲୋ…ଫୁଲ କାଣା ପଥର୍ ସାଙ୍ଗେ ଲଢ଼ିପାରିବା ?” ଭାବ ବିହ୍ଵଳ ହୋଇ ପୁଣି କହିଚାଳୁଥାଏ -“ଆମେ ସିନା ପଥର୍ ଲୋକ ଲଢ଼ୁଛୁ…ଆରୁ ତୁଇ…..” । ସେ ସମୟରେ ବହୁତ କିଛି ବୁଝିପାରୁଥାଏ ଏମିତି ଭାବେ । ରାଜୁବାପାର ପ୍ରତିଟି ଅଧାକୁହା କଥା ଗୁଡାକୁ । ହସଖୁସିରେ କଟିଯାଉଥିଲା ଦିନ । ସେଇ “ନ’ ଅଙ୍କ” ସମୟରେ ଦେଉଥିଲା ସାତଶହ ଟଙ୍କା । ସ୍କୁଲ ଫିସ ବାବଦକୁ । ତା’ମଧ୍ୟ ଅସୁବିଧା ହେଉନଥିଲା । ଯଦିବା କେବେ କେମିତି ଅସୁବିଧା ହୁଏ କାନଫୁଲ କି ନାକଫୁଲ ଟେ ସାହୁ ଦୋକାନରେ ରଖି ଟଙ୍କା କେଇଟା ମାଗିଲେ । ଆଁ… କରିଛି ସେ ସାହୁ ।

ଆସ୍ତେ ଆସ୍ତେ ରାଜୁ ଉତ୍କଳ ମହାବିଦ୍ୟାଳୟରୁ ବି.ଏସ.ସି ପାସ୍ କରେ। କୋଚିଂ ପାଇଁ ଚାଲିଯାଏ ସୁଦୂର କଲିକତା ସହରକୁ । ଟଙ୍କା ପତ୍ରର ଅଭାବରେ ବନ୍ଧା ପଡେ କାନଫୁଲ , ନାକଫୁଲ ଯେତେ । ହଠାତ୍ ରାଜୁବାପାକୁ ପାରାଲେସିସ୍ । ନିଛାଟିଆ ଜାଗାରେ କୁଆପାତ ହେଲା ଭଳି ପରିସ୍ଥିତି । ସେଦିନଠୁ ଅଣ୍ଟା ଭିଡେ ଦୀନାବାଇ । ବୁଲେ ଗାଁକୁ..ଗାଁ..। କେବେ ଶଙ୍ଖା ସିନ୍ଦୁର ନେଇ ତ ପୁଣି କେବେ ରଙ୍ଗବେରଙ୍ଗର ଫୁଲ ଟୋପେ ନେଇ । ଯୋଦ୍ଧା ସାଜି ଲଢ଼େ ପରିସ୍ଥିତି ସାଥେ । ଶେଷରେ ଜିତିଥାଏ । ଅବଶ୍ୟ ସେ ନହେଲେ ବି ତା’ପୁଅ । ପୁଅ ପ୍ରଫେସର । ସେ ବହୁତ ଖୁସି । ହେଲେ ସ୍ଥାୟୀ ରହିପାରିନି ଖୁସି । ହଠାତ୍ ରାଜୁବାପା ଚାଲିଯାଏ । ଆରପାରିକୁ…। ଦଶ ପନ୍ଦର ଦିନ କାନ୍ଦେ ମୁଣ୍ଡ ଫଟେଇ ଫଟେଇ । ବର୍ଷ ଯାକ କାନ୍ଦେ ସୁସ୍କି ସୁସ୍କି । ପରିଶେଷରେ ରାଜୁ ମୁହଁକୁ ଦେଖି ସ୍ୱାଭାବିକ ହୁଏ ସବୁକିଛି । ଯଦିବି ରାଜୁ ଆଜି ଆଉ କାହା ଇସାରାରେ…। ତା’ମାଆ ଅଲଗା ସେ ଅଲଗା । ଦୁହିଁଙ୍କ ଭାବନା ବି ଅଲଗା ଅଲଗା ।ସେ ରହୁଛି ହ୍ଵାଇଟହାଉସ ପରି ଧଳା କୋଠାରେ । ଆଉ ତା’ମାଆ ଆଜିବି ସେଇ ପୁରୁଣା ଆଳୁଅବିହୀନ ମାଟି ଘରେ । ତା’ପୁଣି ବାହାଘର ଭୋଜି ପାଇଁ ଆସିଥିବା ଚାରି ହୃଦୟ(ଛେଲି) ସହ । ତଥାପି ସେ କେବେ ମନ ଉଣା କରେ ନାହିଁ ।

ହଠାତ୍ ଚମକି ପଡେ ଦୀନାବାଇ । ଭାବନା ରାଜ୍ୟରୁ ପ୍ରସ୍ଥାନ କରି ପ୍ରବେଶ କରେ ବାସ୍ତବିକକୁ । ମନେ ପକାଏ ରାଜୁ କହିଯାଇଥିବା କଥାକୁ । “ସକାଳେ ନଟୁଆ କାକାକୁ ଟିକେ ଡାକିଦେବୁ । ଶୀଘ୍ର କାଟିଦେବେ ।” । ବିଳମ୍ବ ନକରି ଉଠିପଡେ ଦୀନାବାଇ । ଅଗ୍ରସର ହୋଇଥାଏ ନଟୁଆର ଘର ଅଭିମୁଖେ । ନଳପାଣି ଦିଆରେ କାଦୁଅ ସର ସର ରାସ୍ତା । ସପ୍ତାହେ ହେବ ମାଟି ଖୋଲିଥାଏ ରାସ୍ତାର ଦୁଇ ପାର୍ଶ୍ୱରେ । ନୂଆ ଡ୍ରେନ ପାଇଁ । କେଉଁଠି କେଉଁଠି ଢେଲାଗୁଡ଼ିକ ଆସି ପଡିରହିଥାନ୍ତି ରାସ୍ତା ଉପରେ..। ଏକଦମ୍ ମଥା ପାତି । ତଥାପି ଅସୁବିଧା ହୁଏନାହିଁ ଷ୍ଟ୍ରୀଟ୍ ଲାଇଟ୍ ରେ । ବଙ୍କୁଳିର ସହାୟତାରେ ଧୀରେ ଧୀରେ ଅଗ୍ରସର ହୋଇ ପହଂଚେ ନଟୁଆର ଚାଳଘର ଆଗରେ ।କହିଦିଏ ଶୀଘ୍ର ଆସିବା ପାଇଁ । ସାମାନ୍ୟ ବିଶ୍ରାମ ପରେ ପୁଣି ଗୋଡ଼ କାଢେ ଘର ଆଡ଼କୁ । ଏହାମଧ୍ୟରେ ହଠାତ୍ ଲିଭି ଯାଏ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ । ଆଗକୁ ବଢ଼ୁଥାଏ ଦୀନାବାଇ । ହଠାତ୍ ଖସିପଡେ ଡ୍ରେନରେ । ଏକଦମ୍ ଚଳଚ୍ଚିତ୍ରର ଦୃଶ୍ୟ ପରି । ଚେତାଶୂନ୍ୟ ହୋଇପଡିରହିଥାଏ ଦୀର୍ଘ ଚାଳିଶ ମିନିଟ ଧରି । ଏହାପରେ ବହୁ କଷ୍ଟରେ ଉଠିବାକୁ ଚେଷ୍ଟା କରେ । କିନ୍ତୁ ବିଫଳ ହୁଏ । ତା’ପରେ ଘରକୁ ଫେରିଥାଏ ପାଖ କୁନା ସହାୟତାରେ । ଗାଁର ଖୁବ ଭଲ ପିଲା ଟେ । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିପାରେନି । ଏକଦମ୍ ଚଳଚ୍ଚିତ୍ରର ନାୟକ ପରି ।

ସମୟର ଅତିକ୍ରମରେ ସୂର୍ଯ୍ୟ ଉଁଇ ସାରିଥାନ୍ତି । ପ୍ରାୟ ଲୋକ ଉଠିଯାଇଥାନ୍ତି । ଆଖି ମିଟି ମିଟି କରି ଏସବୁ ଦେଖୁଛି ସତ । କିନ୍ତୁ ଗୋଡ଼ର ଦରଜ ରେ ଉଠିପାରୁନି । ବସିପାରୁନି । ବାଁ ଗୋଡ ଟା ଫୁଲିଗଲାଣି ବେଙ୍ଗ ପରି । ଏକଥା ଯାଇ ପଡିଲା ରାଜୁ କର୍ଣ୍ଣରେ । ରାଜୁ ବିରକ୍ତି ହୋଇ ଧାଇଁ ଆସିଲା ସତ କିନ୍ତୁ କ’ଣ କରିବ ସେ ? ଏଇନା ଭୋଜି ପାଇଁ କେତେ କାମ । କିଛି କଲା ନାହିଁ କିନ୍ତୁ କିଛି କହିଗଲା । ତା’ର ସେ ନିତିଦିନିଆ ବୁଢ଼ୀ ଶବ୍ଦ ସହ ଆଉ କିଛି ମିଶେଇକି । ଯେମିତି ନିଆଁରେ ଘିଅ ଦେବା ପରି । କଟା ଘା’ରେ ଚୂନ ତ ନୁହଁ ତା’ପରି ଅନ୍ୟ କିଛି ଦରଦୀ ପଦାର୍ଥ ଦେଲାପରି ।

ସଫା ସଫା ଶୁଣିଲେ ମଧ୍ୟ କିଛି କହିଲା ନାହିଁ ଦୀନାବାଇ । ପ୍ରତିଦିନ ପରି । ନାଁ କହିଲା କିଛି ନାଁ ଦେଲା କିଛି ଭାବଭାଙ୍ଗି । ଏତିକିରେ କିଏ କହିଲା ଫାର୍ଷ୍ଟଟେଡ ଆଣି ମାଲିସ କରିବା ପାଇଁ । ଏହାପରେ ସବୁ ଶାନ୍ତି । ଦୀନାବାଇ ନିଜେ ଲାଗିପଡେ ତା’ଗୋଡ଼କୁ ମାଲିସ କରିବାରେ । ବହୁ ସହନଶକ୍ତି ଦୀନାବାଇ ର । ତା’ବୋଲି ସହିଛି ସେ ପୀଡାକୁ । ଦଶ ଦଶ ବର୍ଷ ସହିଛି କେତେ ଲୋକଙ୍କ କେତେ କଥାକୁ । ବ୍ୟଥାକୁ । ବାଞ୍ଝ , ନିଃସନ୍ତାନ , ଅଲକ୍ଷଣୀ ଏପରି କେତେ କ’ଣ ? ସେ ଭାଙ୍ଗିଯାଇନି । ଆଉ ଆଜି ଭାଙ୍ଗିଯିବ ତା’ନିଜ ପୁଅର କେତେ ପଦ କଥା ରେ । ଓଃ.. କଥା ତ ନୁହଁ ବ୍ୟଥାରେ । ନା…କେବେ ନୁହଁ ।

ହେଲେ କଥାରେ ଅଛି ଦଇବ ଦଉଡି……। ଗୋଡ଼ ର ଯନ୍ତ୍ରଣା ବଢ଼ି ବଢି ଚାଲିଥାଏ। ଏଇନା ତ ଦୀନାବାଇ ପାଇଁ ଅସହ୍ୟ ହେଲାଣି । ତା ବୋଲି ତ ଅନିଚ୍ଛା ରେ -ଆଃ…. ଉଃ….ମାଁ ଲୋ…। ଧୀରେ ଧୀରେ ଅସମ୍ଭାଳ ହୋଇଯାଉଥାଏ ଶରୀର ଯାକ । ତାପମାତ୍ରା ବଢ଼ି ଚଳୁଥାଏ । ଦେହ ସାରା ଖଇ ଫୁଟୁଥାଏ । ତଥାପି ସମସ୍ତେ କହୁଥାନ୍ତି। ଭୋଜି ସରିଯାଉ । ଦେଖିବା । କିଛି ହେବନି ।

“କିଛି ହେବା କଣ ନିଜ ହାତରେ । କରିଦେଉନ ।” ରାଗିକି ତା’ଝିଅ କହୁଥାଏ । ହେଲେ ଶୁଣୁଥିଲା କିଏ । ଯା’କାମରେ ବ୍ୟସ୍ତ ସିଏ । ରଙ୍ଗାରଙ୍ଗ ସାଜସଜ୍ଜା । ରାଜୁ କଣ ବିମଲକୁ କହୁଥାଏ-“ଯେ ଆସିବ ବର୍ଷ ବର୍ଷ ମନେ ରଖିବ ଏଇ ବିବାହକୁ ।”

ସମୟକୁ ଧରିଛି କିଏ ? ସେ ଆସି ମୁଣ୍ଡ ଉପରେ । କେତେ ଗାଡି ଆସୁଥାଏ ..। କେତେ ଯାଉଥାଏ..। ଶହ ଶହ ଲୋକ ଆସୁଥାନ୍ତି..। ଡିଜେ ତାଳେ ତାଳେ ଝୁମୁଥାନ୍ତି କେହି କେହି । ଖାଉଥାନ୍ତି କେହି କେହି । ସେଲଫି ନେଉଥାନ୍ତି କେହି କେହି….। କେହି ଜଣେ ହଠାତ୍ ଦୌଡ଼ି ଆସେ ଷ୍ଟେଜକୁ । ରାଜୁକୁ କାନରେ କହେ – “ଦୀନାବାଇ ଆଉ ନାହାନ୍ତି” । ସମସ୍ତ ପରିବେଶ ଶାନ୍ତ । କଣ ହେଲା ? ନାଚୁଥିବା , ଖାଉଥିବା ଲୋକ ମଧ୍ୟ ଆଁ…କରି ଅନେଇଥାନ୍ତି ସେହି ପ୍ରଶ୍ନବାଚୀ ଟେ ନେଇ । ରାଜୁ ଖାରଜ କରି କହେ-“କିଛି ହୋଇନି”। ତା’ପରେ ସବୁକିଛି ପୂର୍ବବତ୍ । ନାଚ , ଭୋଜି , ଡିଜେ ସବୁକିଛି । ରାଜୁ ପୁଣି ସେହି ଲୋକର କାନରେ କହେ- ଭଉଣୀକୁ ଶୁଣାଅ ନାହିଁ , ସେ ରଡିବ । ହଁ ..ଆଉ କବାଟ ଦେଇଦିଅ ।

ପୁଣିଥରେ ସବୁକିଛି ଚାଲିଲା ପୂର୍ବବତ୍ । ଖାଇବା । ନାଚିବା । ଫୋଟୋ କାଢ଼ିବା । ବର କନ୍ୟା ପାଇଁ ସ୍ୱତନ୍ତ୍ର ସ୍ୱତନ୍ତ୍ର ଭାବେ । କନ୍ୟା ପକ୍ଷରୁ ଆସିଥିବା କ୍ୟାମେରାମେନ କନ୍ୟାର’ ଚିହ୍ନା । ଏଣୁ ଡାକିଥାଏ କ୍ୟାମେରାମେନ କୁ ଆଉ କହେ ତା’ଶାଶୁକୁ ଟିକେ ଡାକିବଦେବା ପାଇଁ । ତାଙ୍କ ସହ ଫୋଟୋ ଟେ ହେବ ।

ଏହା ପରେ ସବୁକିଛି ଗୋଳମାଳ । ଫସର୍ ଫତିଗଲା ସବୁକିଛି । ସମସ୍ତେ ଜାଣିଯାଆନ୍ତି । କୁହାକହି ହୁଅନ୍ତି ନିଜ ନିଜ ଭିତରେ । ବୁଢ଼ୀ ମରିଗଲା । ବୁଢ଼ୀ ମରିଗଲା । ଝାଞ୍ଜି ପବନ ପରି କଥାଟା ବ୍ୟାପିଯାଏ ଗାଁ ସାରା । ଦେଇଯାଏ ଝାଞ୍ଜି ପରି ତାତିର ଅନୁଭବ । ଗାଁ ଲୋକ ଫୁସୁର୍ ଫାସର ହୁଅନ୍ତି। ଶୁଣିବାକୁ ମିଲେ ଯେ ।

ଦୀନାବାଇ ବିବାହ ର ପଚିଶ ବର୍ଷ ନିଃସନ୍ତାନ ଥିଲା । ପରିଶେଷରେ ବହୁ ଜପତପରେ ଜନ୍ମ ହୋଇଥିଲା ରାଜୁ । ତା’ପରେ ରାଜୁ ର ପଢା ସମୟରେ । ରାଜୁବାପା ଚାଲିଗଲା । ତା’ପରେ ମଧ୍ୟ ଭାଙ୍ଗିଯାଇନି ଦିନାବାଇ । ଖୁବ ଲଢ଼ିଲା ପରିସ୍ଥିତି ସହ । ଏଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ । ଗାଁ’ର କେତେ ଵୃଦ୍ଧ ବୃଦ୍ଧା ଚାଲିଗଲେ ଆଶ୍ରମକୁ । ସେ ଗଲାନାହିଁ । ସେ କୁଆଡେ କହୁଥିଲା- “ସେ ବୃଦ୍ଧାଶ୍ରମ ଗଲେ , ତା’ପୁଅର ଉଜ୍ଜତ ଚାଲିଯିବ” ।

ସେ ଆଜି ଚାଲିଯାଇଛି ସତ । କିନ୍ତୁ ଇତିହାସ ହୋଇ ରହିଯାଇଛି ଏଇ ଗାଁ’ଲୋକଙ୍କ ମୁଖରେ । ଆଖପାଖ ଗାଁ ଲୋକଙ୍କ ମୁଖରେ । ସତରେ ଗୋଟେ ସଫଳ ନାରୀର ସ୍ୱରୂପ ହୋଇ । ଠିକ୍ ନାରୀ ଜାତି ପରି ଦେଇଚାଲିଛି ସବୁକିଛି । ହେଲେ ମାଗିନାହିଁ କେବେ କିଛି । ତା’ବୋଲି ତ ଆଜି ସେ ନାରୀର ସଠିକ୍ ଦୃଷ୍ଟାନ୍ତଟିଏ । ଇତିହାସ ପୃଷ୍ଠାର ସୀତା, ଅନୁସୟା, ଗାର୍ଗୀ , ଲୋପାମୁଦ୍ରା ପରି……।


ବଲବନ୍ତ ସାହୁ
ମୋ- 9078105234

1 thought on “ଦୃଷ୍ଟାନ୍ତ – ନାରୀଟିଏ – ବଲବନ୍ତ ସାହୁ”

  1. ସୁ ନ୍ଦର ଆଲେଖ୍ଯ ।
    ଚମତ୍କାର ପରିବେଷଣ ।

ମନ୍ତବ୍ୟ ରଖନ୍ତୁ