ରମ୍ୟ ରଚନାରୁ – ଜଣାଣ ଭର୍ସେସ ଜନନ – ସୁଵଳ ମହାପାତ୍ର

କଲେଜ ସମୟର ଘଟଣାଟିଏ । ସମୟ ପାଖାପାଖି ଦିନ ତିନିଟା । କଲେଜ ରେ କାଉ କୋଇଲି ବି ଉଡୁ ନଥାନ୍ତି । ହାତ ଗଣତି କେତୋଟି ପିଲା ପ୍ରାକ୍ଟିକାଲ ସାରି ଫେରୁଥାନ୍ତି। କିଛି ଶିକ୍ଷକ, କ୍ଲର୍କ, ପିଅନ ସବୁ ବାହାର ବଗିଚା ରେ ଗାନ୍ଧୀଙ୍କ ମୂର୍ତି ପାଖରେ ଠିଆ ହୋଇ କଥାବାର୍ତା ହେଉଥାନ୍ତି, ପିଲାମାନେ ନିଜ ନିଜ ଭିତରେ କଥାବାର୍ତା ହୋଇ ଖୁସି ମନରେ ଚାଲି ଗଲେଣି ପ୍ରାୟ ଗେଟ ପାଖକୁ। ଶିକ୍ଷକ ମାନେ ବି ଜଣ ଜଣ କରି ଚାଲିଲେ, ଶେଷରେ ଜଣେ ଶିକ୍ଷକ ଓ ଜଣେ କ୍ଲର୍କ ଯିବା ଯିବା ହୋଇ ଅଫିସ ଆଡେ ମୁହେଁଇଲେ। କ୍ଲର୍କ ଜଣଙ୍କ କିନ୍ତୁ ଫେରି ଆସିଲା। ଚାରି ଆଡକୁ ଚାହିଁଦେଇ ଗାନ୍ଧୀଙ୍କ ମୂର୍ତି ତଳେ ଏକ ନମ୍ବର କାମ ଟି ସାରି ଯିବାକୁ ଉଦ୍ୟତ ହୁଅନ୍ତେ, ପିଲାଟିଏ ପଛରୁ ଆସୁଥିଲା । ଏସବୁ କାଣ୍ଡ ଦେଖି ପଚାରିଲା, “ସାର , ଏଇଟା କଣ ଠିକ? ଆପଣ ଆମ ଗୁରୁଜନ। ଆମେ ଭୁଲ କଲେ ଆପଣ ଆମକୁ କହିବେ। କିନ୍ତୁ ଆପଣ ନିଜେ ଏପରି କାମ କିପରି କରୁଛନ୍ତି ?” ସେତେବେଳେ ସ୍କୁଲ କଲେଜ ଗୁଡିକରେ ଥିବା ଶୌଚାଳୟ କଥା ନ କହିବା ଭଲ। ପିଲାଙ୍କ ଠୁ ଆରମ୍ଭ କରି ଶିକ୍ଷକ ମାନଙ୍କ ଯାଏଁ ସମସ୍ତେ ବାହାରକୁ ବରଂ ଯିବାକୁ ପସନ୍ଦ କରୁଥିଲେ, ଭିତରକୁ ନୁହେଁ। ଏପରିକି ଝିଅ ପିଲାମାନେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଠ ବୁଦା କିମ୍ବା ଭଙ୍ଗା କାନ୍ଥ ପଛକୁ ଯିବାକୁ ପସନ୍ଦ କରୁଥିଲେ।

ତେବେ ସେ ଯାହା ହେଉ, କ୍ଲର୍କ ଜଣଙ୍କ ରାଗିଗଲେ ପିଲାଟି ଉପରେ, ମନକୁ ଯାହା ଆସିଲା କହିଦେଇ ଗଲେ। କହୁକହୁ ଏଇୟା ବି କହିଲେ ଯେ, “ଏଇଟା କେଉଁ ଭଲ ଜାଗାଟିଏ କି? କେତେ ଗଛ ଲତା ମନକୁ ମନ ଉଠି ବଣ ହୋଇ ସାରିଛି। ମୁଁ ତ ଏମାନଙ୍କୁ ପାଣି ଦେଉଥିଲି। ପାଣି ନ ପାଇଲେ ମରିଯିବେ ସବୁ। ଅଳିହା ଜାଗାରେ ଏକ କଲେ ଅସୁବିଧା କଣ?” କିଛି କଥା କଟାକଟି ପରେ ଧମକ ବି ଦେଲେ ଯେ, “ଏ ବିଷୟରେ କାହାକୁ କିଛି କହିଲେ, ପରୀକ୍ଷା ରେ ପାସ ବି କରେଇ ଦେବିନାହିଁ। ତୋତେ କିଏ ବଞ୍ଚେଇବ ମୁଁ ବି ଦେଖିବି”। ସବୁଶୁଣି ପିଲାଟି କିଛି ନକହି ହଷ୍ଟେଲ କୁ ଚାଲିଗଲା। କଥାଛଳରେ ହଷ୍ଟେଲ ସାଙ୍ଗମାନଙ୍କ ଆଗରେ ଏସବୁ କହିଲା। ପାଖାପାଖି କିଛି ସିନିଅର ପିଲା ବି ଥିଲେ। ହଠାତ କିଛି ସମୟ ପରେ ଘୋ ଘା ଶୁଭିଲା। ହଷ୍ଟେଲ ର ସବୁପିଲାଙ୍କ ସହ ପାଖାପାଖି ମେସ ର ପିଲା ମାନେ ବି ଯୋଗଦେଲେ। ପୁଅଙ୍କ ସହ ଝିଅ ମାନେ ବି। କଲେଜ ଆଗରେ ପାଖାପାଖି ତିନି ଶହ ପିଲା ପାଞ୍ଚ ଦଫା ଦାବି ନେଇ ଧାରଣା ରେ ବସି ରହିଲେ। ଦାବି ଭିତରେ ଥିଲା, 1. ସେ କ୍ଲର୍କ କୁ କଲେଜ ରୁ ବହିଷ୍କାର। 2. କଲେଜ ରେ ଶୌଚାଳୟ ନିର୍ମାଣ ଓ ଦେଖରେଖ। 3. କ୍ଲର୍କ ସମସ୍ତଙ୍କ ଆଗରେ ଗାନ୍ଧୀଙ୍କ ମୂର୍ତି ଚାରିପରେ ଥିବା ଅଳିହା ସଫା କରିବା ସହ ଗାନ୍ଧିଜୀ ଙ୍କୁ କ୍ଷମା ମାଗିବ। 4. କଲେଜ କୁ ନୂଆ ଆସୁଥିବା ଷ୍ଟାଫ ମାନେ କଲେଜ ର ଉନ୍ନତି କରିବାପାଇଁ ଶପଥ ଗ୍ରହଣ କରିବେ। 5. ଅତି କଦର୍ଯ୍ୟ ଭାବରେ କଥା ବାର୍ତା କରିଥିବା ଯୋଗୁଁ ସେ ପିଲା କୁ ବି କ୍ଷମା ମାଗିବ।

ଦେଖୁ ଦେଖୁ କଥା ରାଷ୍ଟ୍ର ହୋଇଗଲା। କିଛି ଅଘଟଣ ଆଶଙ୍କା ରେ କଲେଜ ର ସବୁ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରିନ୍ସିପାଲ ଓ ଅନ୍ୟାନ୍ୟ ଷ୍ଟାଫ ଙ୍କ ସହ କ୍ଲର୍କ ଜଣଙ୍କ ବି ଘରକୁ ଯିବା ବାଟରୁ ପୁଣି କଲେଜ ଫେରିବାକୁ ବାଧ୍ୟ ହେଲେ। କାଳେ ପିଲା କ୍ଲର୍କ କୁ ପିଟା ମରା କରିବେ, ତେଣୁ କିଛି ଦଣ୍ଠା ଶିକ୍ଷକଙ୍କ ବଳୟ ଭିତରେ ତାଙ୍କୁ ଅଫିସ କୁ ନିଆଯାଇ ବାହାରୁ ତାଲା ପକେଇ ରଖାଗଲା। ସବୁ ଷ୍ଟାଫ ମାନଙ୍କ ସହ ବିଚାର ବିମର୍ଷ ପରେ , ପ୍ରିନ୍ସିପାଲ ପିଲାଙ୍କ ସମ୍ମୁଖ କୁ ଆସି ବୁଝେଇବା ପାଇଁ ଚେଷ୍ଟା କଲେ। କିଛି ସମୟ ର କଥାବାର୍ତା ପରେ ସେ ଯାହା କହିଲେ ତା’ର ସାରାଂଶ ହେଲା, “ପିଲାମାନେ, ମୁଁ ମାନୁଛି ମହାଶୟ ଜଣଙ୍କ ଯାହା କରିଛନ୍ତି, ତାହା ସମ୍ପୂର୍ଣ୍ଣ ମାତ୍ରା ରେ ଭୁଲ। ଭୁଲ ତ କଲେ, କିନ୍ତୁ ତା’ସହ ଜଣେ ଛାତ୍ର କୁ ଖରାପ ବ୍ୟବହାର କରିବା ଓ ଧମକ ଦେବା ଆହୁରି ଭୁଲ। (ପିଲାମାନେ ଏବେ ଟିକେ ଶାନ୍ତ ପଡିଗଲେ, ଯାହା ହଉ ଭୁଲ ବୋଲି ତ ମାନିଲେ) ଏହା ବି ସତ ଯେ ଜାଗାଟି ଅପରିଷ୍କାର ହୋଇଥିଲା, ଟିକେ ଜୋର ଲାଗିବାରୁ, ଆଉ କୁଆଡେ ଯାଇ ନପାରି ସେ କାମଟିକୁ ଏଇଠି ସାରି ଦେବାପାଇଁ ଚାହିଁଲେ। ଏବେ ଏ କଲେଜ ର ଅଧ୍ୟକ୍ଷ ଭାବେ ମୁଁ ତାଙ୍କ ତରଫରୁ ଭୁଲ ମାଗୁଛି ।” ଏବେ ପଛ ପଟୁ ହୋ ହୋ ଶୁଭିଲା, ତା ସହ କିଛି କମେଣ୍ଟ ବି, “ଆପଣ ନୁହନ୍ତି, ସେ ଶ* କୁ ଡାକ, ସେ ଭୁଲ ମାଗିବ। ଖାଲି ସେତିକି ନୁହେଁ…

— ହଁ, ମୁଁ ଜାଣିଛି। କିଛି ଛାତ୍ରଙ୍କ ସହ ମୁଁ କଥା ହୋଇ ସାରିଲିଣି। ତୁମ ମାନଙ୍କ ର ପାଞ୍ଚ ଦଫା ଦାବି ବି ଶୁଣି ସାରିଲିଣି। ତେବେ ଗୋଟିଏ ଗୋଟିଏ କରି ଦାବି ମୁଁ ପଢୁଛି, ଆଉ ତା ବିଷୟରେ କଣ କରାଯାଇ ପାରିବ, ତା ବି କହୁଛି। ସମସ୍ତେ ଟିକେ ପାଟି ନକରି ଚୁପ ଚାପ ଶୁଣ।

5. ଅତି କଦର୍ଯ୍ୟ ଭାବରେ କଥା ବାର୍ତା କରିଥିବା ଯୋଗୁଁ ସେ ପିଲା କୁ ବି କ୍ଷମା ମାଗିବ।
— ଠିକ ଅଛି, ସେ କ୍ଷମା ମାଗିବ। କଥାବାର୍ତା ରେ ଶାଳୀନତା ରଖିବା ନିତ୍ୟାନ୍ତ ଜରୁରୀ।

4. କଲେଜ କୁ ନୂଆ ଆସୁଥିବା ଷ୍ଟାଫ ମାନେ କଲେଜ ର ଉନ୍ନତି କରିବାପାଇଁ ଶପଥ ଗ୍ରହଣ କରିବେ।
– ଅତି ସୁନ୍ଦର କଥା। ନିଶ୍ଚିତ କରିବେ।

3. କ୍ଲର୍କ ସମସ୍ତଙ୍କ ଆଗରେ ଗାନ୍ଧୀଙ୍କ ମୂର୍ତି ଚାରିପରେ ଥିବା ଅଳିହା ସଫା କରିବା ସହ ଗାନ୍ଧିଜୀ ଙ୍କୁ କ୍ଷମା ମାଗିବ।
– ସେ ଏକା କାହିଁକି, ମୁଁ ତ କହିବି, ମୁଁ ବି ସଫା କରିବି। ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଚାଲ ସବୁଦିନ ପ୍ରତି କ୍ଲାସ ର କିଛି କିଛି ପିଲା ଏକାଠିହୋଇ ପୁରା କଲେଜ କୁ ସଫା ରଖିବା। କଲେଜ ତ ଆମର ନା। (ପିଲା ସବୁ ନିଜ ନିଜ ମୁହଁ କୁ ଚାହାଁ ଚୁହିଁ ହେଲେ । କାହାର କାମ ନାହିଁ ଯେ କିଏ ଏ ବଣ ରେ ପଶି ସମାଜ ସେବା କରିବ?)
– ହଁ, ସେ କ୍ଷମା ନିଶ୍ଚିତ ମାଗିବ।

2.କଲେଜ ରେ ଶୌଚାଳୟ ନିର୍ମାଣ ଓ ଦେଖରେଖ।
– ନିଶ୍ଚିତ, ଆଜି ହିଁ ଏ ସଭା ପରେ ମୁଁ ଉପରକୁ ଚିଠି ଲେଖିବି।

1. ସେ କ୍ଲର୍କ କୁ କଲେଜ ରୁ ବହିଷ୍କାର।
– ଆଚ୍ଛା, ତମେ ଯଦି ଚାହୁଁଛ, ତେବେ ତାକୁ ଏହି ମୁହୂର୍ତ ରେ କଲେଜ ରୁ ବାହାର କରିଦେବି। କିନ୍ତୁ ତମେମାନେ ତ ଜାଣ, ତା’ର ମାତ୍ର ସାତ ମାସ ର ଛୁଆ ଟିଏ। ଏବେ ତାକୁ ଚାକିରୀ ରୁ ବାହାର କରିଦେଲେ, ତା ପିଲା ଛୁଆ ଖାଇବେ କଣ? ତାକୁ ତ ଆଉ କେଉଁଠି ଚାକିରୀ ବି ମିଳିବନି। ଚରିତ୍ର ରେ ଦାଗଟିଏ ଲାଗିଯିବ। ତମେମାନେ ଚାହୁଁଛ କି, ତା’ର ଏ ଭୁଲ ପାଇଁ ତା ସ୍ତ୍ରୀ, ପିଲାଛୁଆଙ୍କୁ ଶାସ୍ତି ମିଳୁ? ଘୋ ଘା ଭିତରୁ ଏତିକି ଶୁଭିଲା, ହଁ, ହଁ, ତାକୁ ଶାସ୍ତି ମିଳିବା ଦରକାର। ସେ ଯେଉଁ ଭୁଲ କରିଛି ତାହା ଅକ୍ଷମଣୀୟ ଅପରାଧ।
— ଠିକ ଅଛି, ତେବେ ମୋତେ କୁହ ତମ ମାନଙ୍କ ଭିତରୁ କେତେଜଣ ଛୋଟ ଥିଲା ବେଳେ ତୁମ ବାପାଙ୍କ କୋଳରେ ସୁସୁ କରିଛ? ଯେଉଁ ମାନେ କରିନ, ସେମାନେ ଏପଟକୁ ଆସ। (ଜଣେ ବି ପିଲା ଯିବାପାଇଁ ବାହାରିଲେ ନାହିଁ)
ତେବେ ପ୍ରାୟ ସମସ୍ତେ କରିଛ। ଆଛା ତୁମେ ମାନେ କରିଛ ମାନେ, ତୁମ ବଡ ଭାଇ, ଭଉଣୀ ମାନେ ବି କରିଥିବେ? ତେବେ କେତେଜଣ ତୁମ ବଡ ଭାଇ ଓ ଭଉଣୀ ମାନଙ୍କୁ କଡା କଥା କହିଛ,ପଚାରିଛ,”ଯେ ବାପାଙ୍କ ଉପରେ ତୁ ସୁସୁ କାହିଁକି କରିଥିଲୁ? ( ଏବେ ସମସ୍ତେ ଚୁପ)

— ଗାନ୍ଧିଜୀ ଆମର କଣ? ଜାତିର ପିତା ପରା। ଯଦି ବାପାଙ୍କ କୋଳ ରେ ସେ ଏକ କରିଦେଲା, ତେବେ ଭୁଲ ତ କରିଛି, କିନ୍ତୁ ବାପା ହିସାବରେ ଗାନ୍ଧିଜୀ କଣ ଏ ଭୁଲ କୁ କ୍ଷମା କରି ପାରିବେନି?

ଘୋ ଘା ପୁରା କମି ଯାଇଥିଲା। ପଛ ପଟୁ କିଛି କିଛି ସ୍ବର ଶୁଭୁଥିଲେ ବି, ଆଗକୁ କିଛି ନଥିଲା।
— ହଉ, ତେବେ ତୁମେମାନେ ଯାଅ। ସେ ମହାଶୟ ତରଫରୁ ମୁଁ ଭୁଲ ମାଗୁଛି। ଆଉ ବାକି ଦାବି ମୁତାବକ ସବୁ କାମ କରିବି। କାଲି ତୁମେ ମାନେ ଆସିବା ପୂର୍ବରୁ, ଏ ବଣ ସଫା ହୋଇ ସାରିଥିବ। ଗାନ୍ଧିଜୀଙ୍କୁ ଭଲ ରେ ଗାଧୋଇଦେଇ ଫୁଲ ହାର ପିନ୍ଧେଇ ଭୁଲ ମାଗିବା। ଯଥାଚିତ୍ତୋ ସମ୍ମାନ ପୂର୍ବକ ବାକି କାମ ଆରମ୍ଭ କରିବା।

ଏବେ ପଛପଟୁ ପିଲା ସବୁ ଯିବାକୁ ଆରମ୍ଭ କରିଥିଲେ। କ୍ଲର୍କ ଜଣଙ୍କ ଭାବୁଥିଲେ, ମୂଲିଆ ଲଗେଇ ସଫା କଲେ ଟଙ୍କା ପାଞ୍ଚଶହ ରେ କାମ ଫତେ, ନହେଲେ ଏବେ କଲେଜ ପିଲଙ୍କଠୁ ଉତ୍ତମ ମାଧ୍ୟମ ଖାଇଥିଲେ ପନ୍ଦର ଦିନ ଯାଏଁ ଦେହରୁ ପୀଡା ଯାଇ ନଥାନ୍ତା, ତା’ସହ କାହାକୁ ମୁହଁ ବି ଦେଖେଇ ହୋଇ ନଥାନ୍ତା।

ଦୁଇ ଚାରିଦିନ ପରେ କିଏ ଅବା ମନେ ରଖୁଛି। ଖବର କାଗଜ ରେ ଖବର ବାହାରିଲେ ଚାରିଦିନ ପରେ ପୁରୁଣା ହୋଇ ଯାଉଛି, ଆଉ ଏଇଟା କଣ….

କହିବା ବାହୁଲ୍ୟ, କଲେଜ ର ତିନିଶହ ପିଲାଙ୍କ ସହ ଆଖ ପାଖ, ଦୂର ଦୁରାନ୍ତ ରୁ ପାଖାପାଖି ପାଞ୍ଚ ହଜାର ଲୋକ, ସେ କ୍ଲର୍କ ଜଣଙ୍କୁ ଚିନ୍ହି ସାରିଥିଲେ।

ବି.ଦ୍ର.– ଏ ଗଳ୍ପ ସହ ସୋନା ମହାପାତ୍ର ଙ୍କ ଆହେ ନୀଳ ଶୈଳ ଗୀତ ଗାଇବାର କୌଣସି ସମ୍ପର୍କ ନାହିଁ। ଏହା ଏକ ସଂଯୋଗ ମାତ୍ର ହୋଇ ପାରେ ଯେ ସେ ଏବେ ମୁହଁ ଫୁଟାଣି ମାରି ବହୁତ କିଛି କହୁଛନ୍ତି। ତାଙ୍କର କିଛି ପ୍ରଶଂସକ ଆଉ ଅନ୍ୟ ମାନଙ୍କ ଭିତରେ ବିବାଦ ଦେଖା ଦେଇଛି। ଦାବି ମୁତାବକ, ସେ ଭୁଲ ମାଗିଲେ ସବୁ ସମସ୍ୟା ର ସମାଧାନ ହୋଇଯିବ। କିନ୍ତୁ ସେ ମାନିବାକୁ ନାରାଜ, ତାସହ ଆହୁରି ମଧ୍ୟ ଗାଲୁଆମୀ କଥାବାର୍ତା କରୁଛନ୍ତି। ୟା ପରେ ବିରୋଧୀ ମାନଙ୍କ ଭିତରୁ କିଛି ତାଙ୍କୁ ବାଛନ୍ଦ କରିବେ, ତାଙ୍କ ଗୀତ ଆଉ କେହି ଶୁଣିବେନି। ଯେହେତୁ ଓଡ଼ିଆଙ୍କ ପ୍ରାଣର ଠାକୁରଙ୍କ ଭକ୍ତିପୂତ ଜଣାଣ, ତେଣୁ ଏହା ହେବା ସ୍ବାଭାବିକ। ତେବେ ପ୍ରଶଂସକଙ୍କ ଭିତରୁ, ଏହାବି କେହି କେହି କହୁଛନ୍ତି ଯେ, “ତାଙ୍କୁ ଓଡ଼ିଆ ଜଣା ନାହିଁ, ଗୀତଟି ଓଡ଼ିଆ ଶବ୍ଦ କିନ୍ତୁ ଲେଖା ଇଂରାଜୀ ରେ ହୋଇଥିଲା, ଯାହା ଫଳରେ ଜଣାଣ ଟି ଜନନ (janana) ହୋଇଗଲା। ସେ ଇଚ୍ଛାକରି ଏପରି କରି ନାହାନ୍ତି। ଏପଟେ କିନ୍ତୁ ପ୍ରଭୁଙ୍କ ଭକ୍ତ ମାନେ ନଛୋଡବନ୍ଧା।

ଓଡ଼ିଆ ମାନେ ତାଙ୍କ ଗୀତ ଆଉ ନଶୁଣିବାରୁ, ତାଙ୍କୁ ଆଉ କେହି କାମ ଦେବାକୁ ରାଜି ହେବେନି। ଯାହା ଫଳରେ ସେ ଆଗଭଳି ବ୍ୟବସାୟ ନକରିପାରିବାରୁ ପୁଣି କିଛି ପ୍ରଶଂସକଙ୍କୁ ଧରି ଭୁଲ ମାଗିବାକୁ ଆସିବେ, କହିବେ,” ଜଗନ୍ନାଥ ଆମର ଭାବ ର ଠାକୁର। ଭକ୍ତ ର ଗୋଇଠା ଠୁ ଆରମ୍ଭ କରି ରାଜାଙ୍କ ଚୁଟି ଟଣା ଯାଏଁ ସବୁ ସେ ସହିଛନ୍ତି ଭକ୍ତଙ୍କ ପାଇଁ। ଯଦି କେହି ଭକ୍ତଙ୍କ ଭୁଲ (ଠିକ ରେ ଓଡ଼ିଆ ନଜାଣିବା ଦ୍ବାରା) ହୋଇଗଲା, ତେବେ ଆମ ଠାକୁର କଣ ସେତିକି କ୍ଷମା କରି ପାରିବେନି?

କହିବା ବାହୁଲ୍ୟ ମାତ୍ର, କ୍ଷମା ଆଜି ନହେଲେ କାଲି ମାଗିହେବ, କିନ୍ତୁ ଏଇ ପନ୍ଦର ଦିନ ଲାଇମ ଲାଇଟ ରେ ରହିବା ଦ୍ବାରା, ପୁରା ଓଡିଶା ସହ ଭାରତ ର ଅଧା ଲୋକ ତାଙ୍କୁ ଚିନ୍ହି ସାରିଥିବେ। ଫେମସ ହେବାପାଇଁ ୟାଠୁ ଭଲ ରାସ୍ତା ଆଉ ଅଛି?? ରାକ୍ଷୀ ସାବନ୍ତ କୁ ଆଜି କିଏ ନଜାଣେ ଯେ???

ଶେଷରେ …

କିଏ ଅବା ମନେ ରଖୁଛି । ଖବର କାଗଜ ରେ ଖବର ବାହାରିଲେ ଚାରିଦିନ ପରେ ପୁରୁଣା ହୋଇ ଯାଉଛି, ଆଉ ଏଇଟା କଣ….ଦୁଇ ଚାରିଦିନ ପରେ ଘଟଣା କୁଆଡେ ଯିବ, କିଏ ଜାଣେ??? କିନ୍ତୁ ନାଁ ତ ସମସ୍ତେ ମନେ ରଖିବେ ନା……

ନା ଆଜ୍ଞା….ଜମା ଦିହକୁ ନେବେନି….Plz…


ଗାନ୍ଧିନଗର, ଗୁଜରାଟ,
ଦୂରଭାଷ: ୯୩୭୬୦୧୨୫୦୦

ମନ୍ତବ୍ୟ ରଖନ୍ତୁ