ଗୁରୁଜୀ – ଦ୍ଵିତୀୟ ଭାଗ – ଲକ୍ଷ୍ମଣ କୁମାର ବେହେରା

ସୃଷ୍ଟି ଆରମ୍ଭରୁ ଗୁରୁ ଜନ୍ମିଥିଲେ
ସମସ୍ତ ପ୍ରଶ୍ନର ଉତ୍ତର ନେଇ,
ଗୁରୁ ହିଁ ଅମୃତ ଜ୍ଞାନର ଭଣ୍ଡାର
ଶିଷ୍ୟ ଜଗତର କଲ୍ୟାଣ ପାଇଁ ।

ଶିଷ୍ୟ ପାଇଁ ଗୁରୁ ଦେବ ଭଗବାନ
ତାଙ୍କରି ପ୍ରତିଟି କର୍ମ ହିଁ ପୂଣ୍ୟ,
ଗୁରୁ ସେବା ପଥ ଅନୁସରି ଶିଷ୍ୟ
ଲଭେ ମୁକ୍ତି – ମୋକ୍ଷ – ଆନନ୍ଦ – ଧର୍ମ ।

ଗୁରୁ ସେବା ପରା ଗୁରୁକୁଳ ଶିକ୍ଷା
ଶିଷ୍ୟ ପାଇଁ ଗୁରୁ ସାକ୍ଷାତେ ଈଶ,
ଆତ୍ମା ସଦଗତିର ଦ୍ବାର ହିଁ ତ ଗୁରୁ
ଗୁରୁ ବିନା ଶିଷ୍ୟ ଭୋଗଇ ବିଷ ।

କର୍ମଯୋଗ – ଜ୍ଞାନଯୋଗ – ଭକ୍ତିଯୋଗ
ଲଭିବାକୁ ଲୋଡା ଶ୍ରୀକୃଷ୍ଣ ସ୍ପର୍ଶ,
ଅର୍ଜୁନ ପରିକା ଶିଷ୍ୟ ମିଳେ ଯେବେ
ବିଶ୍ଵ ବ୍ରହ୍ମାଣ୍ଡରେ ଯଶ ହିଁ ଯଶ ।

ଗୁରୁଙ୍କ ଆଶିଷ ଲାଭ କରି ଶିଷ୍ୟ
ଧର୍ମ – ପ୍ରେମ ପଥେ ରଖଇ ଲୟ,
ଶିଷ୍ୟ ଏକା ଜାଣେ ଶ୍ରେଷ୍ଠ କିଏ ମର୍ତ୍ତ୍ଯେ
ସରଳ – କୋମଳ କାହା ହୃଦୟ ।

ଗୁରୁ ଓ ଶିଷ୍ଯର ସମ୍ପର୍କ ଅମ୍ଳାନ
ଶାଶ୍ବତ – ପବିତ୍ର – ସତ୍ୟ – ସୁନ୍ଦର,
ନିଃସ୍ଵାର୍ଥ ଭାବନା, ସାଧୁ – ହିତ ଚିନ୍ତା
ଗୁରୁ – ଶିଷ୍ଯ ଭାବ ସଦା ମଧୁର ।

ଶିଷ୍ୟର ପ୍ରତିଟି ଜୀବନ ପୃଷ୍ଠାରେ
ଗୁରୁଙ୍କର ଆଶିର୍ବାଦ ହିଁ ପୂର୍ଣ୍ଣ,
ଶିଷ୍ୟ ରଥ ହେଲେ ଗୁରୁ ହିଁ ସାରଥି
ଗୁରୁଦେବ ପରମାତ୍ମା ସମାନ ।

ଶିଷ୍ୟ ମୋକ୍ଷ ପାଏ ଗୁରୁ କୃପା ବଳେ
ମର୍ତ୍ତ୍ଯେ ସୁଖ – ଶାନ୍ତି ଲଭେ ସମ୍ମାନ,
ଶିଷ୍ୟ ଯନ୍ତ୍ର ହେଲେ ଗୁରୁ ମହାଯନ୍ତ୍ରୀ
ଗୁରୁ ହିଁ ଶିଷ୍ଯର ହୃଦ – ସ୍ପନ୍ଦନ ।

ଗୁରୁ ହିଁ ଶିଷ୍ଯର ଅନ୍ଧକାର ନାଶି
ଆଧ୍ୟାତ୍ମିକ ପଥେ ଚଲାନ୍ତି ପଥ,
ଗୁରୁବାଣୀ ଶୁଣି ଚିତ୍ତ ଉଲ୍ଲସିତ
ଶାନ୍ତି ନିରାମୟ ଜୀବନ ସୁସ୍ଥ ।

ଗୁରୁଦେବ ସଙ୍ଗ – ଦର୍ଶନରେ ଶିଷ୍ଯ
ସକଳ ବନ୍ଧନୁ ପାଏ ମୁକତି,
ଗୁରୁପାଦ ସେବି ଶିଷ୍ୟ ମହାକବି
ଶିଷ୍ୟ ଏକା ଜାଣେ ଗୁରୁ ଭକତି ।


କବି କୁଟୀର, ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ – ୦୯୬୬୮୨୪୨୭୨୦

ମନ୍ତବ୍ୟ ରଖନ୍ତୁ