କବିଟିଏ ହେବି – ସୁନିଲ କୁମାର ବେହେରା

ସପନଟି ମୋର କବିଟିଏ ହେବି
ମନରେ ରଖିଛି ଭାବି
କେତେ ଯେ କବିତା ଆଙ୍କିବି ପ୍ରଣୟେ
ହୋଇଗଲେ ଥରେ କବି ।।୧।।

ପାଶେ ନାହିଁ ମୋର ସାହିତ୍ୟର ଜ୍ଞାନ
ତଥାପି ଲେଖୁଛି ଭାବି,
ଫଗୁଣର ଫଗୁ ଖେଳରେ ଅଥବା
ମଗଶୁରେ ହେବି କବି ।।୨।।

ଫୁଲଚୁଇଁଟିକୁ କହିଦେଇଛି ମୁଁ….
ଅଳପ ଲେଖୁଛି ଭାବି
ଛନ୍ଦ, ଅଳଙ୍କାରେ ନାହିଁ ଜ୍ଞାନ ମୋର
ତଥାପି ମୁଁ ହେବି କବି ।।୩।।

ସ୍ଵର, ଯତିପାତ ଲୟର ତାଳକୁ
ନ ଜାଣି ଲେଖୁଛି ଭାବି
ଶବ୍ଦ ଭଣ୍ଡାରରୁ ଶବ୍ଦ କିଛି ଆଣି
ଭାବୁଛି ମୁଁ ହେବି କବି ।।୪।।

ଦିଅଁ, ଦେବତାଙ୍କୁ କୋଟି ପ୍ରଣାମରେ
ଲିଖନୀରେ ଆଙ୍କି ଦେବି
ଫୁଲଟାହିଆରେ ଫୁଲତୋଡ଼ା ଦେଇ
କବିଟିଏ ନିଶ୍ଚେ ହେବି ।।୫।।

ପର୍ବ, ପର୍ବାଣୀକୁ ଫୁଲଫଳେ ଧରି
ପ୍ରକୃତିକୁ ରଙ୍ଗେଇବି
ଜଳ, ସ୍ଥଳ, ମାଟି ଆକାଶ, ପବନେ
କବିର କବିତା ହେବି ।।୬।।

ମାତୃଭାଷା ଠାରେ ସ୍ନେହ,ମମତାକୁ
ଲିଖନୀରେ ବାନ୍ଧିଦେବି
କବି ମହଲରେ କବିଙ୍କ କିତାବେ
କବିଟିଏ ଦିନେ ହେବି ।।୭।।

ଫୁଲଗଭାଭରା ପ୍ରିୟତମାକୁ…ମୋ
ଲିଖନୀରେ ଲେଖିଦେବି
ମୃଦୁ-ମଳୟର ବାହୁଡ଼ା-ବସନ୍ତେ
କବିଟିଏ ପାଲଟିବି ।।୮।।

ବିଶ୍ଵବିଧାତାଙ୍କୁ ତପଜପ କରି
ଏତିକି ମୁଁ ମାଗୁଥିବି
ଶେଷ-ନିଃଶ୍ଵାସର ଶେଷ-କ୍ଷଣ ଯାଏଁ
କବି ହୋଇ ମରିଯିବି ।।୯।।


ସୁନିଲ କୁମାର ବେହେରା, ଶିକ୍ଷକ
ନୂଆଗାଁ-ପଥରବନ୍ଧ, ଟାଙ୍ଗୀ, ଖୋର୍ଦ୍ଧା
ମୋ- ୮୦୧୮୯୯୭୬୯୬

ମନ୍ତବ୍ୟ ରଖନ୍ତୁ