କାଳ ବୈଶାଖୀ – ପବିତ୍ର କୁମାର ନାୟକ

କ୍ଷଣକେ ଘୋଟିଲା କଳା ବଉଦଟା
ପବନ ବହିଲା ତୁହାକୁ ତୁହା
ବରଷି ଗଲାସେ ଆକାଶ ବୁକୁରୁ
ଦେଇଗଲା ମନେ ଶୀତଳ ଛୁଆଁ !

କୋଉଠି ଥିଲା ସେ ଅଣଚାଶ ବାଆ
ଚପଳା କାନରେ ଦେଲା ସେ କହି
ଦୁନ୍ଦୁଭି ନାଦର ପହିଲି ସୁରରେ
ଧରଣୀ ଭିଜିଲା ଆତୁର ହୋଇ !

ନିମିଷକେ ଆସି ପ୍ରଳୟ ଭିଆଇ
ଲୁଚିଗଲା କ୍ଷଣେ ବଉଦ କୋଳେ
ଛାଡ଼ି ଚାଲିଗଲା ତାଣ୍ଡବର ଲୀଳା
ଲୁଚିଲେ ସଭିଏଁ ଜୀଇଁବା ଆଳେ !

କାଳ ବୈଶାଖୀର କରାଳ ରୂପରେ
ଥରହର ଆଜି ଧରଣୀ ରାଣୀ
ସାତରଙ୍ଗ ଭରା ସପନେ ସଜେଇ
ସାତ ସପନକୁ ଭାଙ୍ଗୁଛି ପୁଣି !


ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ

One thought on “କାଳ ବୈଶାଖୀ – ପବିତ୍ର କୁମାର ନାୟକ

ମନ୍ତବ୍ୟ ରଖନ୍ତୁ..