କଥା କହେ ଲୁହ – ବାମନ ଚନ୍ଦ୍ର ଦୀକ୍ଷିତ

ଏ ଲୁହ …
ବଡ଼ ଲାଜେଇ ଶର୍ମିଳୀ
କେବେ ଡରେଇ ଏ ଲୁହ
ଦେଖେ ଯଦି କେବେ
ଆନ କେହି ଚିହ୍ନା ଜଣା
ପରିଚିତ ନିବିଡ଼ ବନ୍ଧନ
ଢଳ ଢଳ ଆଖି କୋଣେ
ଲୁଚି ଯାଏ ଲୁହ
ପୁଣି କେବେ ଆଖି ପତା
ପରଦା ଉହାଡ଼େ
ଲୁଚି ଲୁଚି ପୋଛି ନିଜ ଦେହ
ଧିରେ ଧିରେ ଶୁଖି ଯାଏ
ଲାଖି ରହି ଆଖି ପାଖେ ପାଖେ
ଘଞ୍ଚ ଆଖି ଲୋମ ମୂଳେ ଢାଳି
କାହିଁ କେତେ ଦରଦି ଆବେଗ
ଅନ୍ତରାଳେ କାନ୍ଦେ ପୁଣି କେବେ
ଅବା ଦବି ରହିଯାଏ ଲୁହ
ହୋଇ ଯାଇ ହୃଦୟ ର କୋହ।।

ଏ ଲୁହ…….
ମାନେ ନାହିଁ ବନ୍ଧନ ଶିକୁଳୀ
ଝରି ଯାଏ କେବେ ଅବିରତ
ଯେତେ ବୁଝେଇଲେ ବୁଝେନା
ମାନେନା ଯେତେ ମନେଇଁଲେ
ଓଠ ଚାପି କୋହ କୁ ଦବେଇ
ଝରି ଯାଏ ନିଃଶବଦେ ଲୁହ।
ଦରଭିଜା ଦରଦି ଅନ୍ତର ତଳୁ
ତତଲା ତତଲା ଦୁଃଖୀ ଦୀର୍ଘ ଶ୍ବାସ
ଠେଲି ହୋଇ ବାହାରି ଗଲା ପରେ
ମନ ହାଲୁକା ହୋଇ ଯାଏ ଟିକେ।
ବାଁ ହାତ ପାପୁଲି ପରଶେ
ଆଖି ପତା ଖୋଲି ଦିଏ ମୁହଁ
ତୁନି ତୁନି କଥା କହେ ଲୁହ।

ଏ ଲୁହ……..
ପୁଣି କେବେ ହସେ ମନ୍ଦ ମନ୍ଦ
ଚମକେଇ ମୋତି ର ଝଲକ
ଆନନ୍ଦ ଅପାରେ ଯେବେ ମଗ୍ନ
ହୋଇ ନାଚେ ତନୁ ଆଉ ମନ
ଝରି ପଡେ ମୁଠା ମୁଠା ଖୁସି।
ମନ ଭରି ଆବୋରି ହୁଏନା ,
ଵିଞ୍ଛାଡ଼ି ହୋଇ ଯାଏ ଯେବେ
ମେଞ୍ଚା ମେଞ୍ଚା କଞ୍ଚା ହସ ଫୁଲ
ଆଞ୍ଜୁଳି ଭରି ଗଲା ପରେ
ଉଛୁଳି ପଡେ ବହୁ ବଳକା ବେଳା।
ଆଖି ତଳୁ କଥା କହେ ମୋହ
ଝରି ଯାଏ ଦୁଇ ଟୋପା ଲୁହ
ନେସି ଦେଇ ଖୁସି ର ପ୍ରଲେପ
ଆଖି ତଳୁ ଚିବୁକ ପର୍ଯ୍ୟନ୍ତ
ଗୁଣୁ ଗୁଣୁ ଗୀତ ଗାଏ ଲୁହ।
ନିରବରେ କଥା କହେ ଲୁହ।।

ମନ୍ତବ୍ୟ ରଖନ୍ତୁ