କୌଶଲ୍ୟାଙ୍କ ଆଶୀର୍ବାଦ – ହେମନ୍ତ କୁମାର ବରାଇ

କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ “ନିଃସଙ୍ଗ ନିଶା” ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ହନୁମାନଙ୍କ ଅଯୋଧ୍ୟାବତରଣ ସମୟର କଥୋପକଥନ ବିଷୟବସ୍ତୁ ଉପରେ ପର୍ଯ୍ୟବ୍ୟସିତ । ବିଶେଷ କରି ଉର୍ମିଳା ତଥା ଅନ୍ୟାନ୍ୟ ଚରିତ୍ର ସହ ଆଲୋଚନାକୁ ନେଇ ରଚିତ କାବ୍ୟ ” ନିଃସଙ୍ଗ ନିଶା” ରୁ ଏହି “କୌଶଲ୍ୟାଙ୍କ ଆଶୀର୍ବାଦ” ଶୀର୍ଷକ ପଦ୍ୟାଂଶଟି ଗୃହୀତ ।


ଦୟା ତୀର୍ଥ ଜଳେ ଶାନ୍ତି ସୁଧା ଫୁଲେ
ସତ୍ୟର ପ୍ରଦୀପ ଜାଳି,
କ୍ଷମା ପ୍ରେମ ତେଜ ନମ୍ରତାର ଅଚ୍ଛ
ପିତାଙ୍କ ଚରଣେ ଢାଳି ॥୧॥
ସର୍ବ ଗୁଣଧାରୀ ଆରାଧନା କରି
ପିତା ଙ୍କୁ କରି ପ୍ରସନ୍ନ,
ନୁହେଁ ଥରେ ଥରେ ତୁମ୍ଭେ ଅନିବାରେ
ଲଭୁଛ ଅଭିନନ୍ଦନ ॥୨॥

ପିତାଙ୍କ ବଚନ କରିବୁ ପାଳନ
ନାହିଁ ତ ଏଥି ସନ୍ଦେହ,
ଯୁଗଯୁଗ ପାଇଁ ଜଗତରେ ଧ୍ୟାଇ
ସ୍ମରିବେ ଜନ ନିବହ ॥୩॥
ହୃଦୟ ପ୍ରସନ୍ନେ ଧର୍ମର ପାଳନେ
ବ୍ୟାକୁଳିତ ଯେଉଁ ମନ,
ସେ ଧର୍ମ ତୁମ୍ଭଙ୍କୁ ପତ୍ନୀ ଅନୁଜଙ୍କୁ
କରୁ ରକ୍ଷଣ ପ୍ରଦାନ ॥୪॥

କଉଶିକ ଅସ୍ତ୍ର ବୁଦ୍ଧି ଜ୍ଞାନ ଶସ୍ତ୍ର
ତୁମ୍ଭେ ଦେଇଛନ୍ତି ଯାହା,
ରକ୍ଷଣକୁ ତୋର ରୁହନ୍ତୁ ତତ୍ପର
ଦେଖାନ୍ତୁ ସତ୍ୟର ରାହା ॥୫॥
ସୁମନ ବ୍ରାହ୍ମଣ ମହାଋଷି ଗଣ
ବନର ସମସ୍ତ ବୃକ୍ଷ,
ରାମ ସୀତା ସଙ୍ଗେ ଲକ୍ଷ୍ମଣକୁ ଆଗେ
ରକ୍ଷିବାକୁ ହେବେ ଦକ୍ଷ ॥୬॥

ପିତାମାତା ଙ୍କ ର ସତ୍ୟ ର ସତ୍କାର
ସତ୍ୟ ର ଭାଷଣ ଯେତେ,
ଦୟା, କ୍ଷମା, ଶାନ୍ତି, ଶୌର୍ଯ୍ୟ ତଥା କ୍ଷାନ୍ତି
ଚିରଞିବୀ କରୁ ତୋତେ ॥୭॥
ପିତାମାତା ଭ୍ରାତା ସଖା ମିତ୍ର ଗଣେ
କର ସର୍ବଥା ନନ୍ଦିତ,
ହୁଅ ଶତ୍ରୁଘାତୀ ଅଶତ୍ରୁର ପ୍ରୀତି
ନ କରୁ ଶତ୍ରୁ ନିନ୍ଦିତ ॥୮॥

ତୋହରି ପ୍ରତିଜ୍ଞା କରିବି ଅବଜ୍ଞା
ନାହିଁ ତ ମୋର ସାମର୍ଥ୍ୟ,
ମୁଁ ଛାର ମାନବ କେମନ୍ତେ ସମ୍ଭବ
ବୁଝିବି ଦେବତା ଅର୍ଥ ॥୯॥
ଯାଇ ବନବାସ ଯେବେ ଫେରିଆସ
ଥିବି ମୁଁ ପ୍ରତୀକ୍ଷାରତ,
ବିନୟ ମଧୁରେ ବାକ୍ୟ ମନୋହରେ
କରିବ ମୋତେ ନନ୍ଦିତ ॥୧୦॥

ହୃଦୟ ପ୍ରସେନ୍ନ ଧର୍ମର ପାଳନେ
ବ୍ୟାକୁଳିତ ଯେଉଁ ମନ
ସେ ଧର୍ମ ତୁମ୍ଭକୁ ପତ୍ନୀ ଅନୁଜକୁ
କରୁ ରକ୍ଷଣ ପ୍ରଦାନ ॥୧୧॥
ମାତା ପିତା ପ୍ରତି ସେବା ମନୋବୃତ୍ତି
ସତ୍ୟଭାଷଣର ପୁଣ୍ୟେ,
ସଦା ସୁଖୀ ରୁହ ଚିରଞିବୀ ହୁଅ
ପ୍ରଖ୍ୟାତ ହୁଅ ଭୁବନେ ॥୧୨॥


ହେମନ୍ତ କୁମାର ବରାଇ
ଗ୍ରାମ/ପୋ-ରୁଷୁଡା଼, ଜି-ବରଗଡ଼

ମନ୍ତବ୍ୟ ରଖନ୍ତୁ..