କ୍ଷୁଦ୍ରଗଳ୍ପ – ଆମ ପ୍ରେମର ଭବିଷ୍ୟତ – ମନୋରମା ହାତୀ

ଭାବନା ଥିଲା ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ । ବଡ ଅଜବ ପ୍ରକାରର ଝିଅ ଥିଲା । ଯାହାର ନିତିଦିନିଆ ଜୀବନରେ ଅତୀତ ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ପାଇଁ ଚିନ୍ତା ଥିଲା।ଟିକେ ସମୟ ମିଳିଲେ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ପଛାଏ ନାହିଁ।ଚିନ୍ତା ମାନେ !ପୂରାପୂରି ହଜିଯାଏ ।ମଜ୍ଜିଯାଏ ଯେମିତି।କେହି କୁଆଡେ ଆୱାଜ୍ ଦେଲେବି ଶୁଣାଯାଏନି । ତାର ଏ ଗୁଣଟା ପାଇଁ ତାର ପ୍ରେମିକ ହେମାନ କୁ କମ୍ ହଇରାଣ ହେବାକୁ ପଡେନି!ଯଦି ସେ କେବେ ଖୁସିରେ ଗୋଲାପଟେ ଦେଇ ରୋମାଣ୍ଟିକ୍ ସ୍ୱରରେ କହିଦିଏ “ଆଇ ଲଭ୍ ୟୁ”ତାହେଲେ ସାଙ୍ଗେ ସାଙ୍ଗେ ପଚାରି ବସେ -କହିଲ ଯୋଉଦିନ ମୋତେ ୪୦ଛୁଇଁବ ସେଦିନ ମୋତେ କଣ ଏତେ ରୋମାଣ୍ଟିକ୍ ଭାବରେ କହିପାରିବ ଭଲପାଅ ବୋଲି!ସେଦିନ କଣ ରାସ୍ତାଘାଟରେ ଫୁଲର ଦୋକାନ ଦେଖିଲେ ମୋ ପାଇଁ କଣ ଏମିତି ସୁନ୍ଦର ଫୁଲଟେ ସାଙ୍ଗରେ ନେଇ ଆସିବ ! ବିଚାରା ! ହେମାନ୍ ର ମୁଡ୍ ବଦଳିଯାଏ।ଓଃ ଓଃ ସେବେ କଣ ହେବ କିଏ ଜାଣିଲା?ଏବେତ ଦଉଛି ନା,ନିଅ ବାବା।ଦଶ ମିନିଟ୍ ହେଲାଣି ଧରିକି ଠିଆ ହେଇଛି।ଅଥଚ ତମର ପ୍ରଶ୍ନ ପରେ ପ୍ରଶ୍ନ।ଏଇ ଫୁଲଟା ଯଦି କଲେଜ୍ ର କୌଣସି ଅଚିହ୍ନା ଝିଅକୁ ଦେଇଥାନ୍ତି ନା ସେ ଗୋଟେ ସେକେଣ୍ଡ୍ ନ ଭାବି ନେଇଯାଇଥାନ୍ତା।ଆଉ ତମେ!ତମେ ବି ନା !ଏତେ କାହିଁକି ଭାବ ଯେ !

ଦିନେ କଲେଜ ର ବଗିଚାରେ ବୁଲୁ ବୁଲୁ ତା ଓଢଣୀଟା ଗୋଲାପ ଗଛର କଣ୍ଟାରେ ଲାଗିଗଲା।ଯାହାକୁ ସେ ବାହାର କରିପାରୁନଥିଲା।ହେମାନ ଧୀରେକି କାଢିଦେଲା।ତା ର ପ୍ରଶ୍ନ ପଚାରିବା ଆରମ୍ଭ ହେଇଗଲା।-ଯଦି ଦଶ ବର୍ଷ ପରେ ମୋର ଶାଢୀ କେବେ ଆମ ଘର ଅଗଣା ବଗିଚାର କୋଉ ଗୋଲାପ ଗଛରେ ଲାଗିଯାଏ ଏମିତି ଯତ୍ନ ସହକାରେ କାଢିଦେବ! ନା ମୋତେ ଗାଳି କରିବ!ଗୋଟେ ଶାଢୀର ପଣତ ବି ସମ୍ଭାଳି ପାରୁନ ! ହେମାନ ହସିଲା।-ଗୋଟେ କାମ କରିବା ,ଆମ ଘର ଅଗଣାରେ ଗୋଲାପ କି କୌଣସି କଣ୍ଟା ଗଛ ଲଗେଇବା ନାହିଁ।ଆଉ ଏ କଥା ଭାବି ଭାବି ମୋ ମୁଣ୍ଡ ଖରାପ କରନା । ଭାବନାର ଭବିଷ୍ୟତ କଳ୍ପନା ଟା ଏତିକି ଭିତରେ ସୀମିତ ନ ଥିଲା।ସେ ତ ଥିଲା ସମୁଦ୍ର ପରି ବିଶାଳ ବିସ୍ତୃତ । କହେ-ହେମାନ କହିଲ ,ଆମର କାଲି ଠିକ୍ ଏତିକିବେଳେ କୋଉଠି ଦେଖା ହେବ?କାଲି ତମେ କୋଉ କଲର ସାର୍ଟରେ ଥିବ?କାଲି ତମେ କ୍ଲାସ୍ କେତେଟାରେ ଆସିବ?କାଲି ଆମ ଭିତରେ କି କି ବିଷୟ କୁ ନେଇ କଥା ହେବ?କାଲି ଆମେ କୋଉ କଥାକୁ ନେଇ ଆଗାମୀର ସ୍ୱପ୍ନ ଦେଖିବା,ଜୋର୍ ରେ ହସିବା,ସ୍ମୃତି ଫର୍ଦ ପରି ସାଇତି ରଖିବା,ତମେ ଜାଣ ? ସେ ଉତ୍ତର ଦେବା ନ ପୂର୍ବରୁ ଓଠରୁ ତା’ର ବାହାରି ଆସେ ଆଉ କେତେଗୁଡିଏ କଳ୍ପନାର ଭାଷା।ମୁଁ ଯଦି ଭବିଷ୍ୟତ ଜାଣିପାରୁଥାନ୍ତି ତେବେ ମୋ ସାଙ୍ଗ ଜିଲିକୁ କେବେ ରାହୁଲ୍ ର ପ୍ରେମ ପ୍ରସ୍ତାବ ଗ୍ରହଣ କରିବା ପାଇଁ କହି ନ ଥାନ୍ତି।କି ରାନୁ କୁ ନିହାଲ ଆଗରେ ପ୍ରେମ ନିବେଦନ କରିବା କଥା ଉଠେଇ ନ ଥାନ୍ତି।ଏମିତିକି କଲେଜ ଜୀବନରେ ପ୍ରେମ କରୁଥିବା ମୋର ପ୍ରତି ଟି ସାଙ୍ଗ ମାନଙ୍କୁ ସେମାନଙ୍କ ଭବିଷ୍ୟତର ପରିଣାମ ବିଷୟରେ ସତର୍କ କରେଇ ଦେଇଥାନ୍ତି।କେତେ ଭଲ ହେଉଥାନ୍ତା କହିଲ ଆମେ ଯଦି ଆମର ଆଗାମୀ ଭବିଷ୍ୟତଟା ଦେଖିପାରୁଥାନ୍ତ! ହେମାନ ର ବୁଝେଇବା ପରି।ଏ ଦୁନିଆରେ ସମସ୍ତଙ୍କ ର ନିଜସ୍ୱ ସ୍ଥିତି ଅଛି।ସେମାନଙ୍କର ସ୍ଥିତି ହିଁ ସେମାନଙ୍କୁ ସ୍ୱତନ୍ତ୍ର କରି ରଖେ।ଭାବନା,ଭଗବାନ୍ ଯାହା ବି କରନ୍ତି ଭଲପାଇଁ ହିଁ କରନ୍ତି।ଏ କଥାଟା ହୁଏତ ଆମକୁ ସବୁବେଳେ ଠିକ୍ ଲାଗି ନ ପାରେ।କିନ୍ତୁ କେବେ ନା କେବେ ଠିକ୍ ଲାଗେ।ଅତୀତକୁ ଅତୀତ ଜାଗାରେ ରହିବାକୁ ଦିଅ।ବର୍ତ୍ତମାନ କୁ ବର୍ତ୍ତମାନ ଜାଗାରେ ଆଉ ଭବିଷ୍ୟତ କୁ ତା ଜାଗାରେ।ତେବେ ଯାଇ ତମେ ଜୀବନଟେ ପୂରାପୂରି ବଞ୍ଚିପାରିବ।ନହେଲେ ଅତୀତର ପଶ୍ଚାତାପ ,ବର୍ତ୍ତମାନର ଦ୍ୱନ୍ଦ ,ଭବିଷ୍ୟତର କଳ୍ପନାରେ ସାରା ଜୀବନ ନଷ୍ଟ ହେଇ ଚାଲିଯିବ ।

ଏ ଉତ୍ତରରେ ଭାବନାର ମନ ବୁଝେନା।କହେ -ତମ କଥା ବିଲକୁଲ୍ ମିଛ।ଭବିଷ୍ୟତ ଜାଣିବାରେ ଆମର କିଛି କ୍ଷତି ନୁହେଁ ବରଂ ଫାଇଦା ହେଉଥାନ୍ତା।କେତେ କେତେ ଆପଣାର ଲୋକଙ୍କୁ ହରେଇବାରୁ ବଞ୍ଚି ଯାଉଥାନ୍ତେ ! ସାମାନ୍ୟ ଏକଜାମ୍ କଥା ଭାବ।ରେଜଲ୍ଟ ବାହାରିବା ଲାଗି ପିଲାମାନେ କେତେ ଆଶା ଆଶଙ୍କାରେ ଭାସୁଥାନ୍ତି।ସେଇ ଚକ୍କରରେ ବର୍ତ୍ତମାନ ବର୍ଷର ପାଠପଢା ବି ଠିକ୍ ସେ ହେଇପାରେନା।ଭବିଷ୍ୟତ ପାଇଁ ପଥ ଖୋଲିବା ଦୂରର କଥା ,ସାମନାରେ ପଡିଥିବା ବାଟରେ ଚାଲିବାକୁ ପାଦ ଥରେ।ବେଳେବେଳେ ଏଇ ଭବିଷ୍ୟତ କଥା ଭାବି ହେମାନର ବାଧା ଦେବା ଭଳି କିଏ କହୁଛି ସେମାନଙ୍କୁ ଭାବିବାକୁ ? ଭାବିବାଟା ମଣିଷର ସବୁଠାରୁ ବଡ ଭୁଲ୍।ଭାବିବା ଦ୍ଵାରା  କିଛି ହୁଏନା । ବରଂ କରିବା ଦ୍ୱାରା କିଛି ହୁଏ।ଯେଉଁ କଥାଟା ଚାହିଁଲେ ବି ଆମେ କରିପାରିବାନି ସେ କଥା ଭାବି କି ଲାଭ ହେବ ? ବରଂ ଯାହା ଯେମିତି ଚାଲିଛି ସବୁକୁ ଗ୍ରହଣ କରିନେବା ରେ ହିଁ ଆମର ଭଲ । ଭାବନା ତା କାନ୍ଧରେ ଢଳିଯାଏ।ତମେ କେମିତିକା ମଣିଷ ହେମାନ! ଯିଏ ଜୀବନରେ କେବେ କିଛି ଭାବନାର ରୂପ ଗଢେନା।ମନ କାଗଜରେ ସ୍ୱପ୍ନକୁ କବିତା ଆକାରରେ ଉତ୍ତାରେନା।କେବେ ଭବିଷ୍ୟତର ବୁଢୀଆଣୀ ଜାଲରେ ଛନ୍ଦି ହେଇପାରେନା । ହେମାନ ର ସାଦାସିଧା ଉତ୍ତର।ମୁଁ କେବଳ ବର୍ତ୍ତମାନକୁ ନେଇ ବଞ୍ଚେ।କାଲିର ସକାଳ କଥା ଭାବିବାକୁ ମୋ ପାଖରେ ସମୟ ନ ଥାଏ।ମୁଁ ବାସ୍ତବତାକୁ ଭଲପାଏ।ସ୍ୱପ୍ନ ପାଇଁ ମୋ ମନରେ ଟିକେ ବି ଦୁର୍ବଳତା ନାହିଁ।ତମେ ବି ମୋ ପରି ହେବା ଶିଖିଯାଅ।ଦେଖିବ ଜୀବନର ପ୍ରତିଟି ମୁହୂର୍ତ୍ତ ତମ ପାଇଁ ରଙ୍ଗୀନ ହେଇଯିବ । ମୁଁ କିନ୍ତୁ ପାରିବିନି ହେମାନ।ଭବିଷ୍ୟତର ଆଶା ଆଖିର ସ୍ୱପ୍ନ କୁ ଭୁଲି ମୁଁ ଗୋଟିଏ ମୁହୂର୍ତ୍ତ ବି ବଞ୍ଚିପାରିବିନି।ଆଶା ସ୍ୱପ୍ନ ବିନା କଣ ଜୀବନର କଳ୍ପନା କରିହୁଏ?ଏଇ ଆଶା ସ୍ୱପ୍ନତ ପୃଥିବୀ ଉପରର ନୀଳ ଆକାଶ ଠାରୁ ଆହୁରି ଅଧିକ ରଙ୍ଗଭରା।ଲୁହ ଭିଜା ନିରାଶା ଆଖିରେ ବୁଣିଦିଏ ହଜାରେ ଖୁସିର ମିଞ୍ଜିମିଞ୍ଜି ତାରା।ଆଗକୁ ଯିବା ଲାଗି ଦେଖାଏ ଅସରନ୍ତି ପଥ।ଦୁଃଖର ସମୁଦ୍ରକୁ ଅତିକ୍ରମ କରିବା ଲାଗି ମନରେ ଭରେ ଅଦମ୍ୟ ସାହସ ।

ହେମାନ ପଚାରିଲା- ଯେବେ ଏଇ ସ୍ୱପ୍ନଟା ଭାଙ୍ଗିଯାଏ କେମିତି ଲାଗେ ଅନୁଭବ କରିଛ ? ଭାବନାର ହଁ । ଅନୁଭବ କରିଛି ପ୍ରତିଟି ଦିନରେ।କାହିଁକିନା ମୋ ନିଦ ଭରା ରାତିରେ ଆଖିରେ ଆସୁଥିବା ସ୍ୱପ୍ନ ସକାଳ ହେବା ପରେ ଭାଙ୍ଗିଯାଏ।ସେ ସ୍ୱପ୍ନଗୁଡାକ କଣ କଣ ଜାଣିଛ?ସେଗୁଡିକ ହେଲା -ବାପା ମୋତେ ପାଖରେ ବସେଇ ମୋ ସହ କଥା ହଉଛନ୍ତି।ମୋ ପାଠ ପଢା ବିଷୟରେ ପଚାରୁଛନ୍ତି,ମୋ ମୁଣ୍ଡରେ ହାତ ବୁଲେଇ ଦୁନିଆଯାକର ଆଶୀର୍ବାଦ ଅଜାଡି ଦଉଛନ୍ତି । ଯେଉଁ ମା କୁ ପିଲାଦିନରୁ ହରେଇଦେ ଇଛି ସେ ଆସି ମୋ ପାଖରେ ବସି ଗୀତ ଗାଇ ଗାଇ ଶୁଆଇଦେବାକୁ ଚେଷ୍ଟା କରୁଛନ୍ତି।କିରଣ ପଡିବା ପରେ ମୋ ନିଦ ଭାଙ୍ଗୁଛନ୍ତି।ମୋ ପାଇଁ କଫି ତିଆରି କରି ଆଣି ଦ ଉଛନ୍ତି।ମୋତେ ଗୁଡାଏ ଗେଲ କରି ରେଡି ହେବାକୁ କହୁଛନ୍ତି । ମୋ ଅସଜଡା ବହି ଥାକ ସଜାଡି ମୋ ଉପରେ ମିଛିମିଛିକା ରାଗ ପ୍ରକାଶ କରୁଛନ୍ତି।କଲେଜ ଆସିବାବେଳେ ମୋତେ ହାତ ହଲେଇ ବାଏ କହୁଛନ୍ତି।ଜଲଦି ଫେରି ଆସିବା ଲାଗି ତାଙ୍କର ତାଗିଦ୍ ମୋ ଫୋନ୍ କଲ୍ ର ରିସିଭ୍ ପରେ ଶୁଣାଯାଉଥାଏ ଅଧାବାଟରେ । ଆଉ ମୋ ଜେଜିମା ,ସେ ବି ଅଫେରା ଦୁନିଆରୁ ଫେରିଆସି ବଗିଚା ଦୋଳିରେ ମୋତେ ଝୁଲଉ ଥାନ୍ତି।ଯିଏ ମୋତେ ଏ ଦୁନିଆରେ ସବୁଠୁ ବେଶୀ ଭଲପାଉଥିବା ଭଳି ମନେହୁଏ।ଯିଏ ମୋର ପ୍ରତିଟି ଦୋଷକୁ ଲୁଚାନ୍ତି ବାପାଙ୍କ ନିକଟରୁ,ଦାଦା ସାନମାଙ୍କ ନଜରରୁ।ତମେ ଜାଣ ଏ ସ୍ୱପ୍ନ ଗୁଡାକ ସବୁ ମୋର ଶୀତ ଦିନିଆର କୁହୁଡି ଭରା ସକାଳ ପରି।ଯେଉଁ ସକାଳ ସୂର୍ଯ୍ୟ କିରଣ ସ୍ପର୍ଶରେ ଉଭେଇଯାଏ।ମୋ ଆଖିରେ କିନ୍ତୁ ଭରିଆସେ ଦୁଇଟୋପା ଲୁହ।ହେଲେ ସେଇ ସ୍ୱପ୍ନ ମୋତେ ରାତିଯାକ ଯେଉଁ ଖୁସି ଦେଉଥିଲା ତାର ଟିକେ ବି ବାସ୍ତବତାରେ ପ୍ରତିଫଳିତ ହୁଏନା।ଖୋଜି ଖୋଜି ଥକିଗଲେ ବି ମିଳିବନି ବୋଧେ । ଦାଦା, ସାନମାଙ୍କର ଆକଟ ନୀତିନିୟମ ବିରକ୍ତିଭାବ।ସାମାନ୍ୟ ଭୁଲ୍ ଟେ ପାଇଁ ତିନିଟା କାଳକୁ ନେଇ ମୋର ବର୍ଣ୍ଣନା-ଛୋଟବେଳେ ଯେମିତି ଥିଲୁ ଆଜିବି ସେମିତି ,କାଲିକି ବି ସେମିତି ରହିବୁ ବୋଧେ!ତୁ କେବେ ସୁଧୁରିବୁନି।ଆଖି ଛଳଛଳ ହେଇଯାଏ।ବେଳେବେଳେ ଲୁହକୁ ରୋକିପାରେନା।ଯାହା ପାଇଁ ବାସ୍ତବଟା କୋହ ଭରା ତା ପାଇଁ ତ ଭବିଷ୍ୟତର ସ୍ୱପ୍ନଟା ଏକମାତ୍ର ସୁଖର ସାହାରା।ତମେ କୁହ ଏପରି ସ୍ଥଳେ ମୁଁ ସ୍ୱପ୍ନ ବିନା ବଞ୍ଚିପାରିବି ? ହେମାନ୍ ତା ହାତ ଉପରେ ହାତ ରଖିଦେଲା । ହଁ, ମୋର ବିଶ୍ୱାସ ତମେ ବଞ୍ଚିପାରିବ।ଯେଉଁମାନେ ସ୍ୱପ୍ନରେ ବଞ୍ଚନ୍ତି ସେମାନଙ୍କୁ ମୁଁ ଅସହାୟ କମଜୋର ବୋଲି ଭାବେ।ସେ ସ୍ତରରେ ମୁଁ ତମକୁ କେବେ ବି ଦେଖିବାକୁ ଚାହେଁନି । ଭାବନା ନିଜ ହାତ କାଢିନେଇ କହିଲା-ତମେ କେବେ ମୋ ଜୀବନଟାକୁ ବୁଝିପାରିବନି।ଯେଉଁ ଝିଅ କେବେ ପରିବାରର ସୁଖ ପାଇପାରିନି ,କାହାର ଭଲପାଇବା ପାଇବା ଟା ଯାହା ପାଇଁ ସ୍ୱପ୍ନ ହେଇ ନହିଗଲା ତାର ଯେ ଦିନ ରାତି କେମିତି ବିତେ ଥରେ ମୋ ଜାଗାରେ ରହିଲେ ଜାଣିପାରିବ।

ହେମାନର ପ୍ରତିବାଦ।ତମେ କଣ ଭାବୁଛ ମୋ ଜୀବନରେ ସମସ୍ୟା ଦୁଃଖ ବୋଲି କିଛି ନାହିଁ।ପରିବାରର ସୁଖ ପରେ ବି ଜୀବନରେ ବହୁତ କିଛି ଦରକାର ପଡେ।ଦିନ ରାତିର ଚବିଶ ଘଣ୍ଟା ଭିତରେ ମୋତେ ପଚାଶଟା ସମସ୍ୟାକୁ ସାମନା କରିବାକୁ ପଡେ । କେତେବେଳେ ମୋ ଏକଜାମ୍ ଫି ଠିକ୍ ହେଇପାରୁନି ସାନ ଭାଇର tiution fees ଦିଆ ହେଇପାରୁନି।ଅପାର ବାହାଘର ଦଶଥର ଠିକ୍ ହେଇ ଭାଙ୍ଗି ଯାଉଛି।ପୁଅବାଲାଘରର ଡିମାଣ୍ଡ୍ ପୂରା ହେଇ ନ ପାରିବାରୁ।ବର୍ଷକ ଭିତରେ ତା ପାଇଁ ଚବିଶଟା କ୍ୟାଣ୍ଡିଡେଟ୍ ଦେଖାସରିଲାଣି।ଆଖପାଖ ଲୋକଙ୍କ ମଧ୍ୟରେ ତାର ଚର୍ଚା ହେବା ଆରମ୍ଭ ହେଇଗଲାଣି।କେହି କେହି ତା ଚରିତ୍ର କୁ ନେଇ ଆକ୍ଷେପ କଲେଣି।ଅପାର ସେ ସବୁ କଥା ଶୁଣି କାନ୍ଦିବା ମୋ ଦ୍ୱାରା ବରଦାସ୍ତ ହୁଏନି।ବାପାଙ୍କର ଅସହାୟପଣତା ସ୍ପଷ୍ଟ ଦେଖାଯାଏ । ବୋଉ ଖାଲି ଭଗବାନଙ୍କ ପାଖରେ ମୁଣ୍ଡ ପିଟେ।ନିଜ ଭାଗ୍ୟକୁ ଦୋଷ ଦିଏ।ସାନଭାଇର ସ୍ପୋର୍ଟ ଖେଳିବାକୁ ଇଛ୍ଛା।ତାଙ୍କ ସ୍କୁଲରେ କ୍ରିକେଟ୍ ଶିଖାଯାଉଛି।ଇଛ୍ଛା ଥାଇ ବି ସେ ଶିଖିପାରୁନି।କାହିଁକିନା ସେଥିପାଇଁ ତାକୁ ମାସକୁ ମାସ ପାଞ୍ଚହଜାର ଟଙ୍କା ଫିସ୍ ଦେବାକୁ ପଡିବ।ଯେଉଁଟା ବାପାଙ୍କ ପକ୍ଷେ ଦେବା ଆଦୌ ସମ୍ଭବ ନୁହେଁ।ସାମାନ୍ୟ କେତେଟା ଟଙ୍କା ପାଇଁ ତିନି ବର୍ଷ ଭିତରେ ତମକୁ ଗୋଟେ ଭଲ ରେଷ୍ଟୁରାଣ୍ଟ କୁ ନେଇ ଯାଇପାରିନି କି ତମ ଜନ୍ମଦିନରେ ତୁମ ପସନ୍ଦିତ ରଙ୍ଗର ଡ୍ରେସ୍ ଟେ ଉପହାର ଦେଇପାରିନି।

ପାଞ୍ଚ ବର୍ଷ ହେଲାଣି ଘରକାମ ଅଧା ହେଇ ପଡିଛି।ପୂରା କେବେ ହେବ କେଜାଣି?ବାପାଙ୍କର ସବୁ ଟଙ୍କା ଘର ଖର୍ଚ ପାଇଁ ବି କମ ପଡୁଛି।ଆମର ମାସିକ ଘର ଖର୍ଚ ବାବଦରେ ଯେତିକି ଖର୍ଚ ହୁଏ ବୋଧେ ତମର ଗୋଟେ ଡ୍ରେସ୍ ର ମୂଲ୍ୟ ତାଠାରୁ ଅଧିକ।ବାପାଙ୍କର ଦେହ ଏବେ ପ୍ରାୟ ଭଲ ରହୁନି।ସେପରି ସ୍ଥଳେ ବି ସେ କମ୍ପାନୀକୁ ଯାଉଛନ୍ତି।ମୋତୈ ଖରାପ ଲାଗୁଛି ତାଙ୍କ ସାମନାରେ ଠିଆ ହେବାକୁ।ବଡପୁଅ ହିସାବରେ ମୁଁ କିଛି ବି କରିପାରୁନି।ପାର୍ଟ ଟାଇମ ଜବ୍ ରେ କିଛି ଟା ମ୍ୟାନେଜ ହେଉଥିଲେ ବାକି ସବୁ ଯେଉଁଠି ଯେମିତି ସେମିତି।ମା ର ଇଛ୍ଛା ସାନଭାଇ ଇଞ୍ଜିନିୟରିଂ କଲେଜ ରେ ପଢୁ।ଆଉ ଦି ମାସ ପରେ ତାର ଏଣ୍ଟ୍ରାସ୍ ପରୀକ୍ଷା,ଲକ୍ଷେ ଟଙ୍କା ଲାଗିବ।ତାପରେ ଆଡମିଶନ ପାଇଁ ଦୁଇ ଲକ୍ଷ।ଯାହା କିଛି ବି ଗହଣା ଥିଲା ମା ଅପାକୁ ଦବା ଲାଗି ଭାବିଥିଲା ହେଲେ ଏବେ ସେଥିରୁ କିଛି ଜଣେ ସଂପର୍କୀୟ ପାଖରେ ବନ୍ଧା ରଖି ଟଙ୍କା ଆଣିଛି।ଏଣ୍ଟ୍ରାସ୍ ପରୀକ୍ଷା ଫି ତ ହେଇଯିବ।ହେଲେ ଆଗକୁ ପଢା କେମିତି ହେବ ? ୟା ଭିତରେ ଗୋଟେ ବଡ ଡର ମନରେ ରହିଗଲାଣି।ଦିନକୁଦିନ ବାପାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଯେଉଁ ଅବନତି ଘଟୁଛି ତାଙ୍କର କିଛି ହେଇଯିବନି ତ?ତାଙ୍କର ଯଦି କିଛି ହେଇଯାଏ ମୁଁ କଣ କରିବି?କେମିତି ନିଜକୁ ସମ୍ଭାଳି ଘର କଥା ବୁଝିବି।ତାଙ୍କ ସବୁ ସ୍ୱପ୍ନ ପୂରା କରିବି ତ କିପରି ? ଏତେସବୁ ଚିନ୍ତା ମୁଣ୍ଡ ଭିତରେ ଘର କଲାପରେ ଗୋଟେ ପେଜ୍ ପାଠ ବି ପଢି ପାରୁନି।ବେଳେବେଳେ ବହିକୁ ଦୂରକୁ ଫିଙ୍ଗି ଶୋଇଯାଉଛି।ଇଛ୍ଛା ହଉଛି ସବୁ ସମସ୍ୟା କୁ ଗୋଟିଏ ମିନିଟ୍ ରେ ସମାଧାନ କରି ରଖି ଦିଅନ୍ତିକି? ବାପାଙ୍କର ଉଦାସ ଚେହେରା ,ଅପାର ଲୁହ ଭିଜା ଆଖି ,ମା ର ନିଜ ଭାଗ୍ୟକୁ ଗାଳି ଦେବା,ସାନଭାଇର ହତାଶିଆ ମୁହଁ ପ୍ରତିଦିନ ଦେଖିବାକୁ ପଡୁ ନ ଥାନ୍ତା ?

ବେଳେବେଳେ ଲାଗେ ଦୁନିଆଯାକର ସମସ୍ୟା ଆମରି ଘରେ ଭରି ହେଇଯାଇଛି।ନିଜ ଉପରେ ଘୃଣା ଆସେ କାହିଁକି ଏମିତି ଜୀବନଟେ ପାଇଛି।ଜୀବନଟା ମୋର ଅଦରକାରୀ ପଦାର୍ଥ ପରି ଲାଗେ । ଭାବନା ତାକୁ ଧରିନେଲା । ପ୍ଲିଜ୍…ଏମିତି କୁହନି।ତମ ବିନା ମୁଁ ବଞ୍ଚିପାରିବିନି । ହେମାନ ତା ହାତକୁ କାନ୍ଧରୁ କାଢିଲା।ଦିନେ ସବୁ ଠିକ୍ ହେଇଯିବ ,ଏଇ କଥା ପଦେ ବି ମୋ ପାଖରେ ଭାବିବାକୁ ସମୟ ନାହିଁ।ସ୍ୱପ୍ନତ ଦୂରର କଥା।କେତେବେଳେ ଆଖି ବନ୍ଦ ହୁଏ ଆଉ କେତେବେଳେ ଖୋଲେ ତା ଭିତରେ ତଫାତ୍ ଟା ମୋତେ ଜଣାପଡେନି । ଭାବନା ତା ଆଖିକୁ କରୁଣ ଚାହାଣୀରେ ଚାହିଁ କହିଲା-ତମ ଜୀବନରେ ଏତେସବୁ କଥା ମୋତେ ଆଗରୁ କେବେ କହିନ ? କଣ କହିବି ତମକୁ?ତମ ଜୀବନରେ କଣ କମ ସମସ୍ୟା ଚାଲିଛି !ଦୁନିଆର ସବୁ ଖୁସି ପାଇବି ତମେ ଖୁସି ନାହଁ।ଆପଣାର ଲୋକ ପାଇବି ତମର ନ ଥିଲା ପରି।ମୋ କଥା କହି ତମକୁ ଆହୁରି ଦୁଃଖୀ ଦେଖିବାକୁ ଚାହେଁନା।ମୁଁ ଭଲପାଏ ତମକୁ।ତମ ସହ ଭଲପାଇବାର ଅଭିନୟ କରୁନି।ମୋ ଜୀବନର ସମସ୍ୟା ଠିକ୍ ହେଉ କି ନ ହେଉ ହେଲେ ତମ ଜୀବନର ସବୁ ସମସ୍ୟା ଠିକ୍ ହେଇଯାଉ ବୋଲି ହୃଦୟର କେଉଁ କୋଣରେ କାମନା କରୁଥାଏ । ଭାବନାର ହସିହସି।ତମେ ମୋ କଥା ଚିନ୍ତା କରିବା ଛାଡିଦିଅ।ମୋର ସବୁ ସମସ୍ୟାର ଭଗବାନ ସମାଧାନ କରିସାରିଛନ୍ତି,ତମକୁ ଉପହାର ସ୍ୱରୂପ ଦେଇ।ତମେ ଏବେ ସବୁ କଥା ଭୁଲି ପାଠପଢାରେ ମନ ଦିଅ।ଦେଖିବ ତମ ପଢା ପରେ କୋଉଠି ନା କୋଉଠି ଭଲ ଜବ୍ ଟେ ମିଳିଯିବ।ଧୀରେ ଧୀରେ ସବୁ ଠିକ୍ ହେଇଯିବ।ଅପାଙ୍କର ବାହାଘର ହେବ।ସାନୁର ପାଠପଢା ହେବ।ଘର ତିଆରି ହେବ ଆଉ……ଆଉ…..ଆମର ବାହାଘର ବି । ହେମାନର ଧୀର ସ୍ୱରରେ।ସେଥିପାଇଁ ତମକୁ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡିବ।

-ମୁଁ ଯଦି କରିପାରିବିନି କଣ ହେବ?

-ଛୋଟ ପିଲାଙ୍କ ପରି ହୁଅନା।ସବୁ କିଛି ଜାଣିବା ପରେ ତମର ଏମିତି ଅବୁଝା ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ।ଯିବା ଆସିବା ପାଇଁ ବାଇକ୍ ଖଣ୍ଡେ ନାହିଁ।ତମକୁ ସହର ବୁଲେଇ ଦେଖେଇବା ତମ ଭାବନାରେ ରହିଯାଉଛି ।ମୋର କାମଧନ୍ଦା ଏପର୍ଯ୍ୟନ୍ତ ଠିକ୍ ହେଇନି।ଯାହାକୁ ନେଇ ତମ ବାପାଙ୍କ ପାଖରେ ଦାବି କରିପାରିବି ତମ ଝିଅକୁ ମୁଁ ସାରା ଜୀବନ ଖୁସିରେ ରଖିପାରିବି।

-ମୁଁ ବାପାଙ୍କୁ କହିଦେବି ମୋର ତମ ଛଡା କିଛି ବି ଦରକାର ନାହିଁ ।

ହେମାନ ଆକାଶକୁ ଦେଖିଲା । ତମେ କହିବ ଆଉ ତମ ବାପା ମାନିଯିବେ ! ବାଦଲଭରା ଆକାଶକୁ ଦେଖି କଣ ବର୍ଷା ହେବାର ସମ୍ଭାବନାକୁ ଏଡେଇ ଦେଇ ହେବ ? ଗୋଟେ ବେକାର ପୁଅ ହାତରେ ନିଜ ଝିଅକୁ ଦେଇ ତାର ଗୋଟେ ସେ ସୁରକ୍ଷିତ ।

ସମସ୍ତେ ଯାଇକି ରୁମ୍ ରେ ବସିଥିଲେ । ସାନୁ ଆସିଲା ସ୍କୁଲ୍ ରୁ । ଭାବନା ତା ପାଇଁ ଆଣିଥିବା ଗୁଡାଏ ଡ୍ୟାରି ମିଲକ ଚକ୍ ଲେଟ୍ ଭର୍ତ୍ତି ହୋଇଥିବା ପ୍ୟାକେଟ କୁ ଦେଲା ।ପଢାପଢି କେମିତି ଚାଲିଛି ପଚାରିଲା । ତା ସହ ଅନେକ କଥା ହେଲା।ସାନୁର ସାଙ୍ଗ ମାନେ ଆସି ଡାକିବାରୁ ସେ ଚାଲିଗଲା । ଆସିବା ବେଳେ ଭାବନା ହାତରୁ ଚୁଡି ପଟଟେ ଓହ୍ଲେଇ ସମସ୍ତଙ୍କ ଅଜାଣତରେ ବେଡ୍ ରେ ପଡିଥିବା ତକିଆ ତଳେ ଲୁଚେଇ ରଖିଦେଲା।ମାଙ୍କୁ ପ୍ରଣାମ ଆଉ ଅପାଙ୍କୁ ନମସ୍କାର ହେଲା । ରାତିରେ ସୁନନ୍ଦା ହେମାନ କୁ ଖାଇବାକୁ ଦେଉଥିବା ବେଳେ କହିଲେ-ରାହୁଲ ର ସେ ଝିଅ ସହ କିଛି ଏମିତି ସେମିତି ଚାଲିନି ତ ?

-କୋଉ ଝିଅ ସହ?

-ସେଇ ଯୋଉ ଆର ଝିଅ ଟା ସହ!କଣ ତ ତା ନାଁଟା କହିଥିଲା,ଭାବନା ହଁ ତାରି ସହ।

ହେମାନର ମା ଙ୍କ ଅଜାଣତରେ ବଢିଥିବା ହୃଦୟର ଗତିବେଗ କମିଗଲା ।

-ହେ,ନା ସେମିତି କିଛି ନାହିଁ।

-ମୁଁ ଦେଖିଲି ,ଆସିବା ପର ଠାରୁ ତାରି ପାଖରେ ବସି ରହୁଥିଲା ତ!ସେଥିପାଇଁ କହିଦେଲି।ଯଦି ବି ତାକୁ ଭଲପାଉଥାଏ କିଛି କଥା ନାହିଁ।ଭଲ ଝିଅଟା ସେ ଜଣାପଡୁଥିଲା।ଦେଖିବାକୁ ବି ଭଲ।କଣ କରନ୍ତି ତା ବାପା ମା ?

-ମା ନାହିଁ।ବାପା “ସୋନା ଭାବନା” ଇଣ୍ଡଷ୍ଟ୍ରି ର ମାଲିକ।ତା ବାପା ଙ୍କର କୋଟି କୋଟି ଟଙ୍କା ଇନକମ୍ ।

-ହଁ,ହେଇଥିବ।ଜଣା ପଡୁଥିଲା ତା ବେଶ ପୋଷାକରୁ।ବିଚାରୀ ର ମା ନାହଁ ।ଶୁଣିଲା ବେଳକୁ ଦୁଃଖ ଲାଗୁଛି । ମା ନାହିଁ ସିନା, ଭଲ ଶାଶୂମା ଟେ ଭଗବାନ ତାକୁ ଦିଅନ୍ତୁ।ତତେ ସେ ଫୋନ୍ ଟା ଏ ଝିଅ ଆଉ ଦେଇନି ତ ?

ହେମାନ ବ୍ୟସ୍ତ ହେଲା । ମା ସେ ମୋତେ କାହିଁକି ଦେବ ? ଥରେ କହିଲି ନା ମୋର ଗୋଟେ ସାଙ୍ଗ କାଲକାଟା ବୁଲିବାକୁ ଯାଇଥିଲା।ସେଠାରେ ଫୋନ ଗୁଡା ଶସ୍ତା।ତା ପାଇଁ ଆଣୁଥିଲା ତ ମୋ ପାଇଁ ଗୋଟେ ନେଇଆସିଲା।ମୋର ନ ଥିଲା ବୋଲି । ସୁନନ୍ଦାଙ୍କର ହଉ ହଉ । ତୁ କହିଲୁ ତ ସେ ପଇସା ବାଲା ଘରର ଝିଅ।ଭାବିଲି ସେ ତତେ ଦେଇଥିବ କାଳେ । ଉଠି ଚାଲିଗଲେ । ଖାଇସାରି ହେମାନ ଶୋଇବାକୁ ଯାଉଥିଲା ତ ଫୋନ୍ ଭାଇବ୍ରେସନ୍ ହେଲା । କିଏ ଆଉ ହେଇଥିବ । ରାଧା ରାଣୀ ହେଇଥିବ ।ରିସିଭ୍ କଲା ।

ହାଲୋ…

ସେପଟୁ ଭାବନାର ପ୍ରଶ୍ନ । କଣ କରୁଛ ? ଝରକା ପାଖରେ ଠିଆ ହେଇ ନ ଥିଲ ତ ?

-ତମେ କେମିତି ଜାଣିଲ ?

-ତମ ପଡିଶା ବାଲା ଘରର ଝିଅ ବହୁତ ସୁନ୍ଦର ତ ? ସେଥିପାଇଁ ସଦା ସର୍ବଦା ଝରକା ପାଖରେ ପହରା ଦଉଛ ନା !

-ସବୁତ ଦେଖିକି ଯାଇଛ । ମୁଁ ଭାବୁଛି କିଛି ଦେଖିନ ବୋଲି !

  • ତମେ କିନ୍ତୁ ଗୋଟେ କଥା ଜାଣିନ ? ତମ ତକିଆ ତଳେ ଗୋଟେ ଜିନିଷ ରଖିକି ଆସିଛି,ଦେଖିଲ ! ଯେଉଁଦିନ ତମ ସହ ମୋ ଜୀବନର ପ୍ରଥମ ଦିନ ଆରମ୍ଭ ହେବ ସେଦିନ ମୋତେ ଦେବ।ସେବେ ଯାଏଁ ତାକୁ ସାଇତି କି ରଖିଥିବ ।

ହେମାନ ତକିଆ ଉଠେଇ ଦେଖିଲା । ଚୁଡି ଥିଲା । ହେଲେ ତାକୁ ଡରେଇଦେବାକୁ ଯାଇ କହିଲା-
-କଣ ରଖିଛ ଯେ?କୋଉଠି?ପାଉନିମୋ।ମିଛ କହି ମୋତେ ହଇରାଣ କରନା ।

ଭାବନା ଉଠିଗଲା । ବେଡ୍ କୁ ଆଉଜିକି ବସିଲା । ଆରେ ! ସେଇଠି ରଖିଥିଲି ତ!ହେ ଭଗବାନ ! ମା କି ଅପା ଆଉ ଦେଖି ଦେଇ ନାହାନ୍ତି ତ ?

-ଦେଖି ଦେଇଥିବେ ଯଦି ମୁଁ ତ ମଲି । ଏମିତି ସେମିତି ଚୁଡି ତ ନୁହେଁ । ସୁନା ଚୁଡି । ସେ ବି କେତେ ଦାମିକା । ଆଉ ସେଇଟା ତମର ବୋଲି ଟିକେ ବି ଅଜଣା ରହିବନି କଥାଟା । ମା ତମ ବେଶ ପୋଷାକର ତାରିଫ୍ କରୁଥିଲା ମୋ ଆଗରେ । ମୋତେ କଲେଜରେ ଦେଇଥିଲେ ହେଇ ନ ଥାନ୍ତା । ମୁଁ ଯେମିତି ହଜେଇ ଦଉଥିଲି ତ ! ଏବେ କଣ ହେବ ?

-ମୋ ଧନଟା ପରା।ଆଉଥରେ ଭଲସେ ଦେଖ ପାଇଯିବ । ମୋ ମନ କହୁଛି କେହି ଦେଖି ନ ଥିବେ ।

ହେମାନ ଧୀରେ କି ହସିଲା।ତମ ମନ ପୂରା ଠିକ୍ କହୁଛି ତ!ମୁଁ ଧରିଛି ତୁମ ଚୁଡି ।

ଭାବନା ଛାତିରେ ହାତ ରଖିଦେଲା।ହେ!ତମେ ବିନା!ମୁଁ ତମ ମୁଣ୍ଡ ଫଟେଇ ଦେବି।କାଲି ଆସ ଆଗେ କଲେଜ।

-କାଲି ଯିବିନି।କାଲି ଟିକେ କାମ ଅଛି।

-ତା ହେଲେ କାଲି ଯିବିନି।

-ମୁଁ ଯିବିନି ବୋଲି ତମେ ଯିବନି।କଲେଜ ପାଠ ପଢିବାକୁ ଆସୁଛ ନା ମୋ ପାଇଁ ଆସୁଛ?

ଭାବନା ଶୋଇଗଲା।ଥାଉ ମୋତେ ଉପଦେଶ ଦେବା ବନ୍ଦ କର।ତମେ ମୋ ପ୍ରେମିକ।ସ୍ୱାମୀ ନୁହଁ ଯେ ତମେ ଯାହା କହିବ ମାନି ଯିବି।

-ମୁଁ ଜାଣେ।ସ୍ତ୍ରୀ ହେଲେ କେତେ କଥା ମାନି ଚଳିବ।କଥା ମାନିବ ନା ଆଦେଶ ଉପଦେଶ ଦେବା ଆରମ୍ଭ କରିଦେବ।ହଉ ଫୋନ ରଖ ।ମୋତେ ନିଦ ଲାଗିଲାଣି।

-ଏବେ ରଖିଦେବି!ଜମା ଦି ଟା ବାଜିଛି।ଶୋଇ ପଡିବ!

-ନା,ସକାଳ ହେବା ପରେ ଶୋଇବି।ରଖୁଛ ନା ଏଇନା ଦେଖିବ।ବୁଝିଗଲି ଫୋନଟା କାହିଁ ଦେଇଛ।କଲେଜ ରେ ମୋ ମୁଣ୍ଡ ଖାଇ ଖାଇ ତମ ମନ ବୁଝିଲାନି ଯେ,ଏବେ ରାତି ସାରା ମୋ ନିଦ ଖାଇବାକୁ ଚାହଁଛ?

-ଦଶ ଟା ରେ ଖାଇଥିଲି।ଭୋକ ହେଇନି।ସକାଳ ଆଠ ଟାରେ ଖାଇବି।

-ଚୁପ୍।ଫୋନ୍ ରଖ କହି କଲ୍ କାଟି ଦେଲା ହେମାନ ।

ପ୍ରଥମ ସେମିଷ୍ଟାର ପରୀକ୍ଷା ସରିଗଲାଣି । ୟା ଭିତରେ ରାହୁଲ ଠୁ ବାଇକ୍ ଆଣି ଭାବନା କୁ ସାରା ସହରଟା ବୁଲେଇ ଦେଖେଇ ସାରିଲାଣି।ଗୋଟେ ଭଲ ରେଷ୍ଟୁରାଣ୍ଟକୁ ନେଇ ତା ମନ ପସନ୍ଦର ଖାଇବା ଅର୍ଡର କରିଥିଲା।ସରସ୍ୱତୀ ପୂଜା ଉପଲକ୍ଷେ ଅଳ୍ପ ଦାମ୍ ରେ ତା ପାଇଁ ଗୋଟେ ଭଲ ଡ୍ରେସ୍ ଟେ ଉପହାର ଦେଇଥିଲା।ସେ ତାକୁ ପିନ୍ଧିକି କଲେଜ ବି ଆସିଥିଲା । ଆଜି ପ୍ରଥମ ସେମିଷ୍ଟାର ରେଜଲଟ ବାହାରୁଛି।ଭାବନା ତା ରେଜଲଟ ଜାଣି ସାରିଛି।ହେଲେ ତା ପ୍ରିୟତମ ର ରେଜଲଟ ଜାଣିବାକୁ ଅଥୟ ହେଉଛି।ତାକୁ ଅପେକ୍ଷା କରିଛି ଲାଇବ୍ରେରୀ ର ପାହାଚ ପାଖରେ।ଏଇ ତ ଆସିଲାଣି।ଦୂରରୁ ଦେଖାଯାଉଛି।ମନେ ମନେ ଗାଳି କଲା ତାକୁ।କେମିତିକା ପିଲା କେଜାଣି? ରେଜଲଟ ଟା ଭଲ ହିଁ ହେଇଥିବ।ଭଲ ହେଇଛି ଯଦି ଟିକେ ଖୁସି ହେଇଗଲେ ହେବନି! ନା, ଖୁସି ହେବାଟା ତା ପାଇଁ ଅଡୁଆ।ଚେହେରା ର ହାବ ଭାବ ଦେଖି ଜଣାପଡୁନି କିଛି।ଭଲ ହେଇଛି କି ନାହିଁ ! ପାଖକୁ ଆସିଲାରୁ ତରତର ହେଇ ପଚାରି ଦେଲା…

-ରେଜଲଟ ଭଲ ହେଇଛି ନା !

-ହଁ,ଭଲ ହେଇଛି । 90% ଅଛି।

ଭାବନା ତା ଗାଲକୁ ହାଲକା କି ଓଠରେ ଛୁଇଁ ଦେଲା।ମୁଁ କହୁଥିଲି ନା ଭଲ ହେବ ବୋଲି।ଭେରି ଗୁଡ୍।ଦ୍ୱିତୀୟ ସେମିଷ୍ଟାର ଏମିତି ହେବା ଦରକାର।ଆସ,କ୍ୟାଣ୍ଟିନ୍ ଆଡେ ଯିବା।ଏଇ ଖୁସିରେ ଦି ଟା ଆଇସ୍କ୍ରିମ୍ ଖାଇବାକୁ ଦେବ କି ନାହିଁ କହିଲ ! କ୍ୟାଣ୍ଟିନ୍ ଯାଏଁ ଚାଲ ତ ଆଗେ।ନା ଏଇଠି ଉପରୁ ହାତ ବଢେଇ ନେଇ ଆସିବି ଆଇସକ୍ରିମ୍ ଦି ଟା !ଭାବନା ହସିଲା । ଓକେ ଓକେ । ଚାଲ । ଏମିତି ଖୁସି ଖୁସି ରଙ୍ଗ ଭରା ପ୍ରେମରେ ଦିନେ ଆକାଶର ବାଦଲ ଦାଉ ସାଧି ବରଷିଗଲା।ନ ହେଲେ ସେଦିନ ସେ ଛୋଟ ପିଲା ପରି ରାହା ଧରି କାହିଁକି କାନ୍ଦିଥାନ୍ତା ! ଭାବନା କାନ୍ଦୁଥିଲା । ଆଖିରେ ଅଜସ୍ର ଲୁହ ବିନ୍ଦୁ ଝରି ଯାଉଥିଲେ ନଦୀ ସ୍ରୋତର ଅବାରିତ ଧାରା ପରି। ତା ବାପା ତାର ବାହାଘର ଠିକ୍ କରି ଦେଇଥିଲେ । ଆଇସ୍କ୍ରିମ୍ ଖାଇ ଘରକୁ ଫେରିବା ପରେ ଜାଣିଲା,ତାକୁ ପୁଅବାଲା ଘର ଦେଖିବାକୁ ଆସିଛନ୍ତି।ପୁଅର ମା ତାକୁ ଏକାଥରେ ପସନ୍ଦ କରି ମୁଦି ପିନ୍ଧେଇ ଚାଲିଗଲେ।ସେ ବାପାଙ୍କ ପିଲାଦିନ ସାଙ୍ଗର ପୁଅ।ତାଙ୍କ ବାପାଙ୍କ ସହ ବାପାଙ୍କର ବିଜିନେସ ସଂପର୍କ ବି ବେଶ୍ ଭଲ।ସେମାନେ ଚାହାନ୍ତି ଆଗାମୀ ତିନିମାସ ଭିତରେ ବାହାଘର ଟା ସରିଯାଉ।ବାପା ବି ଏଥିରେ ରାଜି ଜାଣିବା ପରେ କଣ କରିବ କିଛ ବିି ଭାବି ପାରୁନି।

ଚାରିଦିନ ପରେ କଲେଜ ଗଲା । ହେମାନ ବ୍ୟସ୍ତ ହେଇ ପଚାରିଲା- କଣ ହେଇଛି ?

କଲେଜ ଆସୁନ!ଚାରିଦିନ ହେଲାଣି ତମ ଫୋନ୍ ସୁଇଚ୍ ଅଫ୍ ଦେଖଉଛି।ତମର କଲ୍ ନାହିଁ।ମୋତେ କେମିତି ଲାଗୁଥିଲା ଜାଣ!ପ୍ରତି ମୁହୂର୍ତରେ ତମ କଲ୍ ର ଅପେକ୍ଷା କରୁଥିଲି। ଗୋଟେ ମେସେଜ୍ ର ଆଲାରମ୍ ବାଜିଲେ ପାଗଳ ହେଇ ଯାଉଥିଲି ଦେଖିବା ପାଇଁ।କାଳେ ତମର ହେଇଥିବ ଭାବି।ଆଉ ତମେ!ତମେ ତ ମୋ ବିନା ଆରାମ୍ ସେ ଥିବ ନା!କୋଟିପତି ଘରର ଝିଅ ଯେତେ ହେଲେ!ତମର ପୁଣି କୋଉଥିରେ ଅସୁବିଧା ହେବ ? ଭାବନା କୁ ସ୍ଥିର ହେଇ ବସିଥିବାର ଦେଖି ହଲେଇଦେଲା।ଆରେ!କିଛି ତ କୁହ।ସେତେବେଳୁ ପଚାରି ଚାଲିଛି… ।

-ବାପା ମୋର ବାହାଘର ଠିକ୍ କରି ସାରିଛନ୍ତି।ଜୁନ୍ ମାସରେ ଡେଟ୍ ଫିକ୍ସ ହେଇଛି।ଜୀବନରେ ଏତେ ଖୁସି ହେବାର ମୁଁ କେବେ ତାଙ୍କୁ ଦେଖିନି,ଯେତିକି ଖୁସି ମୋ ବାହାଘର କୁ ନେଇ ଅଛନ୍ତି।ମା ଯିବା ପର ଠାରୁ ତାଙ୍କ ଚେହେରା ରେ ହସ ଯେମିତି ଲିଭି ଯାଇଥିଲା।କଠୋର ରୁ ଆହୁରି କଠୋର ହେଇ ଯାଇଥିଲେ । କେବେ ମୋ ସାମନା ସାମନି ଠିଆ ହେଇ ପଦେ କଥା କହୁ ନ ଥିଲେ।ଅଥଚ ଏବେ ମୋ ପାଖରେ ବସି ମା ଟେ ପରି ଘର କରଣା କଥା ଶିଖଉ ଛନ୍ତି।ଶାଶୂଘରେ କେମିତି ଚଳିବୁ,କାହାକୁ କେମିତି କଥା କହିବୁ,ଏଠି ପାଇଥିବା ସବୁ ସୁଖକୁ ଭୁଲି ସେଠି ଆଉ ଗୋଟେ କେମିତି ସୁଖର ସଂସାର ଗଢିବୁ ଏକଥା ବୁଝଉଛନ୍ତି । ବାପାଙ୍କର ଏ ରୂପଟି ଦେଖିବା ପରେ ଅନୁଭବ କଲି ସେ ଏ ଦୁନିଆର ସବୁଠୁ ଭଲ ବାପା।ଆଉ ସବୁଠୁ ବେଶୀ ସେ ମୋତେ ଭଲ ପାଆନ୍ତି।ଯାହାକୁ କେବେ ପ୍ରକାଶ କରିବାର ସୁଯୋଗ ପାଇ ନଥିଲେ।ବାହାଘରର ପ୍ରତ୍ୟେକଟି ଜିନିଷ ସାଜସଜ୍ଜା ସବୁ ମୋ ପସନ୍ଦ ଅନୁସାରେ କରୁଛନ୍ତି।ତାଙ୍କ ଆଖିରେ ଖୁସିର ଭାର ଦେଖି ମୋତେ ମନା କରିବାକୁ ଇଛ୍ଛା ହଉନି।ମୁଁ କଣ କରିବି ହେମାନ?

-ତମେ ସେ ପୁଅକୁ ବାହା ହେଇଯାଅ ।

ଭାବନା କାନ୍ଦି ପକେଇଲା । ତମେ ଏ କଥା କହୁଛ ?

ହେମାନ ତା ଆଖିକୁ ଚାହିଁ କହିଲା- ଆଉ କଣ କହିବି ? ତମ ବାପାଙ୍କର ସବୁ ଆଶା,ସ୍ୱପ୍ନ ,ଖୁସି,ବିଶ୍ୱାସ କୁ ଭାଙ୍ଗି ମୋ ପାଇଁ ଘର ଛାଡି ଚାଲି ଆସ।ମୋ ପରି ପୁଅ ତମକୁ ହଜାରେ ମିଳିଯିବେ ହେଲେ ବାପା ତ ମିଳି ପାରିବେ ନା !  ମୋତେ ଦେଖ ,ପ୍ରତିଦିନ କେମିତି ଜଳି ଜଳି ମରୁଛି।ଗୋଟିଏ କଥା ଭାବି।ବାପାଙ୍କର ସବୁ ଇଛା ପୂରଣ କରିପାରିବି କି ନାହିଁ!ପୂରା କରିବା ପର୍ଯ୍ୟନ୍ତ ବାପା ଥିବେ କି ନାହିଁ!କିନ୍ତୁ ତମ ବାପାଙ୍କର ଏତେବଡ ଇଛାକୁ ପୂରଣ କରିବାର ସୁଯୋଗ ମିଳୁଛି ଯେତେବେଳେ କେମିତି ଓହରି ଆସିବାକୁ କହିବି ସେଥିରୁ ! ମୋ କଥା ମାନ ତମେ।ସବୁ କିଛି ଭୁଲି ଖୁସି ଖୁସିରେ ବାହା ହେଇଯାଅ।ସେ ତମକୁ ବହୁତ ଖୁସିରେ ରଖିବ।ମୋର ଏବେ ଯେଉଁ ପରିସ୍ଥିତି ତମ ବାପାଙ୍କ ସାମନାରେ ଠିଆ ହେଇ ତମ ବିଷୟରେ କଥା ହେବାର ମୋର ଯୋଗ୍ୟତା ନାହିଁ । ତମକୁ ଘର ଛାଡି ଚାଲି ଆସିବା ପାଇଁ କହିବି ସେ ସାହାସ ମୋର ନାହିଁ।ଆଣିବି ତ ରଖିବି କୋଉଠି? ଘରେ ତ କୌଣସି ପରିସ୍ଥିତି ରେ ବି ରଖିବା ସମ୍ଭବ ନୁହେଁ।ଆଉ ବାହାରେ ଭଡା ନେଇ ରଖିବା ଅସମ୍ଭବ।ତମେ ଯାହାକୁ ଭଲପାଅ ଭଲଭାବରେ ଜାଣିଛ ତା ପାଖରେ ବେକାରର ସାର୍ଟିଫିକେଟ୍ ଛଡା କିଛି ନାହିଁ । ଶେଷରେ ତମକୁ ଯଦି ଏମିତିରେ ନେଇ ଆସେ ବାପା ମା ତମକୁ କେବେ ବୋହୂ ଭାବରେ ଗ୍ରହଣ କରିବେନି ତ କରିବେନି,ମୁଁ ତାଙ୍କର ପୁଅ ବୋଲି ସେ ଭୁଲିଯିବେ । ଏବେ ତମେ ଥରେ ଭାବ।ଏତେ ସବୁ ଲୋକଙ୍କର ଦୁଃଖର କାରଣ ହେଇ ଆମେ କଣ କେବେ ଖୁସିରେ ରହି ପାରିବା ! ଭାବନା ଆଖିରୁ ଲୁହ ଧାର ଶୁଖୁ ନ ଥାଏ । ସବୁବେଳେ ସବୁ କିଛିର ଭବିଷ୍ୟତ ପଚାରି ହେଉଥିବା ବେଳେ କେବେ “ଆମ ପ୍ରେମ ର ଭବିଷ୍ୟତ” ବିଷୟରେ ତମକୁ କାହିଁକି ଥରେ ପଚାରିନି ! ତମକୁ ଭଲପାଇବା ଆଗରୁ ଥରେ ପଚାରିବାର ଥିଲା, ଆମ ପ୍ରେମ ସଂପର୍କ ଟା ସବୁ ଦିନେ ବଜାୟ ରହିବ ତ ? ତମ ପରିବାର କି ମୋ ପରିବାର ଆମ ପ୍ରେମରେ ବାଧା ସାଜି ତାର ମୋଡ ବଦଳେଇ ଦେବେନି ତ!ତାଙ୍କର ଖୁସି ସ୍ୱାର୍ଥ ଆଗରେ ସେ ଆମକୁ ଅଲଗା କରିଦେବେନି ତ ! ଆମ ଭଲପାଇବାର ସ୍ୱପ୍ନର ବାଲିଘରକୁ ଭାଙ୍ଗି ଧୂଳିସାତ୍ କରିଦେବେନି ତ ! ଭଲହେଇଛି ,ଏସବୁ ତମକୁ ପଚାରିନି।ପଚାରିଥିଲେ ହୁଏତ ତମ ସହ ସଂପର୍କ ଟା ମୋର ଆଗକୁ ବଢିପାରି ନଥାନ୍ତା !ତମ ସହ ଯେଉଁ ସବୁ ଅଭୁଲା ସ୍ମୃତି ଗଢିଉଠିଛି ,ସେ ସବୁ କେବେ ଗଢିପାରି ନ ଥାନ୍ତି!ସେଇ ସ୍ମୃତିଗୁଡାକ ଏବେ ମୋ ପାଇଁ ଦୁନିଆର ସବୁଠୁ ଦାମିକା ଆଉ ମୂଲ୍ୟବାନ ଜିନିଷ ।ଯାହାକୁ ହୃଦୟରେ ସାଇତି ରଖିବା ପାଇଁ ମୁଁ କିଛି ବି ଦୁଃସାହସ କାମ କରି ବାକୁ ପଛ ଘୁଞ୍ଚା ଦେବିନି । ହଁ,ହେମାନ ତମ କଥା ମାନି ମୁଁ ସେ ପୁଅକୁ ବାହା ହେଇଯିବି।ହେଲେ ତମର ଗୋଟେ କଥା ମୋର ସବୁଦିନେ ମନେ ରହିବ।ଭବିଷ୍ୟତ ର ଫର୍ଦଟା ଅଦୃଶ୍ୟ ହେଇ ରହିବା ଆମ ପାଇଁ ଭଲ।ତାକୁ ନ ଜାଣିବାର ଅବଶୋସ ଆଉ କେବେ କରିବିନି। ମୁଁ ଯଦି ଜାଣିପାରୁଥାନ୍ତି ତାହେଲେ ତମ ସହ କଣ ପ୍ରେମର ସଂପର୍କ ସ୍ଥାପନ କରିଥାନ୍ତି!ତମ ସହ ଏମିତି ଗୋଟେ ସୁନ୍ଦର ଜୀବନ ଜୀଇଁବାର ସୁଯୋଗ କଣ ପାଇଥାନ୍ତି ! ତମେ ଠିକ୍ କହିଥିଲ,ଭଗବାନ ଯାହା କରନ୍ତି ଆମର ଭଲପାଇଁ ।ସେଇଟା କେବେ କେବେ ଠିକ୍ ନ ଲାଗିଲେ ବି ଅନେକ ସମୟରେ ଠିକ୍ ମନେହୁଏ । ଆଜି ମୋ ପାଇଁ ଭବିଷ୍ୟତ କୁ ନେଇ କୌଣସି ପ୍ରଶ୍ନ ନାହିଁ।ଆଶା ଆଶଙ୍କା ନାହିଁ।ୟା ପରେ ମୁଁ ଆଉ ସ୍ୱପ୍ନ ଦେଖିବିନି।ଠିକ୍ ତମ ପରି ବାସ୍ତବବାଦୀ ହେଇଯିବି।ତମେ ମୋ ନିଷ୍ପତ୍ତି ରେ ଖୁସି ତ ? ହେମାନର ଆଖି ଭିଜି ଆସିଲା । ଭିଜା ଭିଜା ସ୍ୱରରେ କହିଲା-ହଁ,ଖୁସି । ଏମିତି ସେମିତି କିଛି ବି କରିବନି ଯାହାପାଇଁ ମୋତେ କଷ୍ଟ ହେବ । ଭାବନା ତାକୁ ବିକଳରେ ଚାହିଁଥିଲା । ମୋ ପାଇଁ ଏତେ ଚିନ୍ତା ତମର ! ଅଥଚ ମୁଁ ତମକୁ ଅଧାରାସ୍ତାରେ ଏକା କରି ଛାଡିକି ସବୁ ଦିନ ପାଇଁ ଯାଉଛି । ତମେ ବ୍ୟସ୍ତ ହୁଅନା।ମୁଁ ଆତ୍ମହତ୍ୟା ପରି ସହଜ ପଥଟିକୁ କେବେ ଗ୍ରହଣ କରିପାରିବିନି।କାହିଁକି ନା ମୋତେ ତମେ କମଜୋର ଅସହାୟ ସ୍ତରରେ କେବେ ଦେଖିବାକୁ ଚାହିଁନ । ଆଜିଠୁ ଆଉ କଲେଜ ଆସିବିନି ।ତମ ସହ ଦେଖାହେବନି।ତମକୁ କଲ୍ କରିବିନି । ତମ ସ୍ମୃତି ଗୁଡାକ ବି ମନେ ପକେଇବିନି।ତମେ କୁହନା ଯେଉଁ ଅତୀତ କେବେ ଫେରିବନି ତାକୁ ଭାବି ଲାଭ କଣ ? ତମକୁ ସଂପୂର୍ଣ୍ଣ ରୂପେ ଭୁଲିଯିବି କହି ଭାବନା ଦୌଡିକି ଚାଲି ଆସିଲା ତା ପାଖରୁ ।

ୟା ପରେ ବିତିଯାଇଛି ତିନି ବର୍ଷ । ହେମାନ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଯାଇଛି । +3 ଶେଷ ପରେ ତାକୁ ଗୋଟେ ଭଲ କଂପାନୀରେ ଜବ୍ ମିଳିଯାଇଛି । ବାପା ଙ୍କର ଅଧାଅଧି ସ୍ୱପ୍ନ ସତ ହେଇ ସାରିଥିଲା।ସାନୁ ଇଞ୍ଜିନିୟରିଂ କଲେଜରେ ପଢୁଥିଲା । ସୋନା ଅପାର ବାହାଘର ଠିକ୍ ହେଇ ଯାଇଛି । ପୁଅ ବାଲା ଘରର ସବୁ ଡିମାଣ୍ଡ ପୂରଣ କରିବାରେ ଏବେ ତା ପକ୍ଷରେ ଟିକେ ବି ଅସୁବିଧା ନାହିଁ । ଅଧା ରହିଯାଇଥିବା ଘର କାମ ଶେଷ ହେଇଯାଇଛି । ହେମାନ ଏବେ କାମ କରୁଥିଲା । କଂପାନୀ ର ମାଲିକ ବିଶ୍ୱନାଥ ଆସି ପହଞ୍ଚିଗଲେ ।

-କାମ କେମିତି ଚାଲିଛି?

-ଭଲ ସାର୍ ।

-ଆଉ ତମ ଭଉଣୀ ବାହାଘର କୋଉଯାଏଁ ଗଲା ?

-ଠିକ୍ ତ ହେଇଯାଇଛି । ଅପାକୁ କିଛି ଦିନ ସମୟ ଦିଆଯାଇଛି । ସେ ଯଦି ହଁ କହେ ଆମର ଆପତ୍ତି କିଛି ନାହିଁ ।

ସାର୍ ଙ୍କ ର ପୁଣି ପ୍ରଶ୍ନ । ଅପା ଯଦି ମନାକରେ ?

-ତା ହେଲେ ବାହାଘରଟା କ୍ୟାନସଲ୍ । ଅପାକୁ ଯଦି ଲାଗୁଛି ସେ ତା ସହ ସାରାଜୀବନ ଖୁସିରେ ରହିପାରିବନି ଆମେ ଜୋର ଜବରଦସ୍ତ କରି ଦେଇ କଣ ଖୁସି ହେଇ ପାରିବୁ ? ଜୀବନରେ କେବେ କୌଣସି କଥାକୁ ନେଇ ପ୍ରତିବାଦ କରିନି । ତା ଜୀବନର ଏଇଟା ସବୁଠୁ ବଡ କଥା । ୟା ଉପରେ ଆମର ନିଷ୍ପତ୍ତି ଟା ଶୁଣେଇ ଦେବା କଣ ଠିକ୍ ? ବିଶ୍ୱନାଥ ତା କଥାର ମର୍ମ ବୁଝୁ ବୁଝୁ ଟିକେ ଗଭୀରତାକୁ ହଜିଯାଇଥିଲେ ।

ହେମାନ ପଚାରିଲା- ଆର୍ ୟୁ ଓକେ ସାର୍ ?

-ହଁ,ଠିକ୍ ଅଛି । ତମେ ଠିକ୍ କହିଛ । you are absolutely right.

ହେମାନର କଥାପଦକ ସାରା ଦିନ ମନରେ ଭାବି ହେଉଥିଲେ ବିଶ୍ୱନାଥ । ସେ ବି ତାଙ୍କ ଝିଅ ବାହା ଦେବାକୁ ଯାଉଛନ୍ତି । ସବୁ କିଛିର ଆରେଞ୍ଜ୍ ହେଇ ସାରିଲାଣି । ହେଲେ ଏ ପର୍ଯ୍ୟନ୍ତ ଥରେ ବି ପଚାରିନାହାନ୍ତି ଝିଅ ତୁ ଏ ବାହାଘରରେ ଖୁସି ତ ? ତୋର ପୁଅ ପସନ୍ଦ ତ ? ନା ଆଉ କାହାକୁ ଜୀବନସାଥୀ ରୂପେ ଚାହିଁଥିଲୁ କି ? ଏଇ ତିନିଟା ପ୍ରଶ୍ନ ଅନ୍ତତଃ ତାଙ୍କ ଝିଅକୁ ପଚାରିବାର ଥିଲା । କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ସିନା କେମିତିକା ବାପା ସେ ? ଝିଅର ମନ କଥା ଜଣାନାହିଁ । ସେଦିନ ରାତିରେ ଯାଇ ଝିଅକୁ ପାଖରେ ବସେଇ କହିଲେ-ସତ କହ ମା, ତୁ ଏ ବାହାଘରରେ ଖୁସି କି ନାହିଁ ? ଏ ବାହାଘର ଟା ତୋ ଇଛାରେ ହଉଛି ନା ଜୋର ଜବରଦସ୍ତ ହେଲା ପରି ଲାଗୁଛି ? ଝିଅ କିଛି ଉତ୍ତର ଦେବା ଆଗରୁ ତା ହାତ ଆଣି ମୁଣ୍ଡ ଉପରେ ରଖିଦେଲେ । ଏଥର କହ । ଝିଅଟି କାନ୍ଦି ଉଠିଲା ଭୋ ଭୋ କରି ।

-ବାପା ! ମୁଁ ଜଣକୁ ଭଲ ପାଉଥିଲି । ହେଲେ ତା ଭଲପାଇବା ଠାରୁ ମୋ ପାଇଁ ତମ ଭଲପାଇବା ବେଶୀ ଗୁରୁତ୍ୱପୂର୍ଣ୍ଣ ରଖେ । ଏକଥା ମୋତେ ସେ ବୁଝେଇଛି । ମୁଁ ଯେବେ ଅମାନିଆ ହେଇ ସବୁ କିଛି ଛାଡି ଦେଇ ଘରୁ ଯିବା ପାଇଁ ଚାହୁଁଥିଲି । ସତ କହୁଛି ବାପା, ତମ ନିଷ୍ପତ୍ତିରେ ବି ମୁଁ ଖୁସି । ପିଲାଦିନୁ ମୋତେ ସବୁ କିଛି ଦେଇଛ ନ ମାଗିବା ପୂର୍ବରୁ । ଆଉ ଆଜି ତମର ଏ ଗୋଟେ କଥା ରଖିପାରିବିନି ।

-ମୋ କଥା ରଖିବାକୁ ଯାଇ ମୁଁ ତୋର ସବୁ ଖୁସିର ଜଳାଞ୍ଜଳି ଦେଇପାରିବିନି । ତୁ ମୋତେ ସେ ପୁଅର ଆଡ୍ରେସ୍ ଟା ଦେ । ମୁଁ ଯିବି ତାଙ୍କ ଘରକୁ ।

ଝିଅଟି ହଡବଡେଇ ଗଲା । ଥାଉ ବାପା, ତା ଠିକଣା ନେଇ କଣ ମିଳିବ ? ସେ ବି ଯଦି ଅସହାୟ ହେଇ ତା ମା ବାପାଙ୍କ ଇଛାରେ ଆଉ କୋଉ ଝିଅର ହାତ ଧରି ସାରିଥାଏ କଣ ହେବ ? ଭଲ ହେବ ବାପା, ଆମେ ସେ କଥା ଉଭୟ ଭୁଲିଯିବା ।

ବିଶ୍ୱନାଥ କହିଲେ- ମୋର ବିଶ୍ୱାସ ଯେଉଁ ପୁଅ ତତେ ଏତେ ଭଲପାଉଥିଲା ସେ ଏତେ ଜଲଦି ଆଉ କାହାର ହେଇପାରିନଥିବ । ୟା ଛଡା ତୋ କଥାଟା ଯଦି ସତ ହୁଏ, ମୋ କଂପାନୀ ରେ ଗୋଟେ ଫାସକ୍ଲାସ୍ ପୁଅ ଅଛି । ଦେଖିବାକୁ ଯେମିତି କଥା କହିବାରେ ସେମିତି । ତା ସାଥିରେ ତୋର ବାହାଘର କରିଦେବି । ମୋତେ ତୋ ଚିନ୍ତା ବି ଲାଗି ରହିବନି । ମୋ ଠୁ ଦୂରକୁ ଯିବାର ଭୟ ଗ୍ରାସ କରିବନି ।

ଝିଅଟି ହସିଲା । ବାପା !

ବିଶ୍ୱନାଥ ବାବୁ ଆଉ ଡେରି କରିବାକୁ ଚାହୁଁ ନ ଥିଲେ । ଠିକଣା ନେଇ ବାହାରିଗଲେ ପୁଅଟିର ଘର ଅଭିମୁଖେ । ସବୁ କଥା ବୁଝାବୁଝି କରି ଆସିବା ପରେ ଝିଅକୁ ଜଣେଇଲେ । -ତୁ ଠିକ୍ କହିଛୁ ମା । ତା ବାପା ମା ଆଉ କୋଉଠି ବାହାଘର ଠିକ୍ କରିସାରିଛନ୍ତି । ସେ ଝିଅ ସହ ବାହାଘର ଭାଙ୍ଗି ପାରିବେନି କହିଲେ । ତାଙ୍କ ଘର ପାଇଁ କିଏ ବୋହୂ ହେଲେ ଠିକ୍ ହେବ ସେ କଥା ସେ ସ୍ଥିର କରିସାରିଛନ୍ତି । ଏ କଥା ଶୁଣି ସାରିବା ପରେ ଆଉ କେମିତି ସେଠି ବସି ରହିଥାନ୍ତି । ସିଧା ତୋ ପାଖକୁ ଚାଲି ଆସିଲି ଖୁସି ଖବର ଟା ଦେବା ପାଇଁ । ସେ ଝିଅଟି ଆଉ କେହି ନୁହେଁ । ତାଙ୍କ ଘରର ଯିଏ ବୋହୂ ହେବ ସେ ହେଲା ତୁ । ଝିଅଟି ଚାରିପାଦର ରାସ୍ତାକୁ ଦୌଡିକି ଯାଇ ବାପାଙ୍କୁ ଜୋରରେ ଜାବୁଡି ଧରିଲା ।

-ଏ କଥା ସତ ବାପା !

-ଖାଲି ଏଇ କଥା ନୁହେଁ । ଆଉ ଗୋଟେ କଥା ଏକଦମ ସତ । ମୋ କଂପାନୀରେ କାମ କରୁଥିବା ପୁଅଟି ଆଉ ତୁ ଭଲପାଉଥିବା ପୁଅଟି ଜଣେ । ତାକୁ ଦେଖିକିତ ମୋ ଖୁସି ଦ୍ୱିଗୁଣ ବଢିଗଲା । ହେଲେ ପୁଅ ଟିକେ ବି ଖୁସି ନାହିଁ ।

ଝିଅଟି ଆଶ୍ଚର୍ଯ୍ୟରେ ପଚାରିଲା -କାହିଁକି ବାପା ?

ବାପା ଝିଅକୁ ବେଡ୍ ରେ ବସେଇଦେଲେ ।

-ଆରେ ମା ! ତୁ ସିନା ଜାଣିଛୁ ସେ ତୋ ପସନ୍ଦିତ ପୁଅ ବୋଲି ହେଲେ ସେ କଣ ଜାଣିଛି ତୁ ତା ପସନ୍ଦିତ ଝିଅ ! ଯାହାକୁ ସେ ତିନି ବର୍ଷ ପୂର୍ବେ ଭଲପାଉଥିଲା । ଯାହାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରିନି । ଯାହାକୁ ସେ ଏବେ ବି ପାଇବାକୁ ଚେଷ୍ଟା କରୁଛି । ମୁଁ ଚାହିଁଥିଲେ ତାକୁ ସତ କଥା କହି ପାରିଥାନ୍ତି । ପୁଣି ଭାବିଲି ଜୀବନରେ ଟିକେ ରୋମାଞ୍ଚକ ମୁହୂର୍ତ୍ତ ସୃଷ୍ଟି ହେଇଗଲେ କେମିତି ହୁଅନ୍ତା ? ମୁଁ ଯେଉଁଦିନ ତୋ ମା କୁ ଦେଖିବାକୁ ଯାଇଥିଲି ନା ଜାଣିଶୁଣି ସାର୍ଟ ଉପରେ ଜ୍ୟାକେଟ୍ ନ ପିନ୍ଧି ଚାଲି ଯାଇଥିଲି ।କିନ୍ତୁ ତୋ ମା କୁ କହିଲି ଦେଖିବା ଚକ୍କରରେ ଭୁଲିଗଲି । ତୋ ମା ଏ କଥାଟା କୁ ବୋଧେ ସାରା ଓଡିଶାରେ ଘୋଷଣା କରି ଦେଇଥିଲା । ନ ହେଲେ ବାହାଘରର ରିସେପସନ୍ ରେ ମୋତେ ଶହେ ଜଣ ଏ କଥା କହି ନ ଥାନ୍ତେ ! ସେ ବି ଝିଅ ମାନେ ।

ଝିଅ ଏ କଥା ଶୁଣି ଟିକେ ଲାଜ ମିଶା ହସ ହସି କହିଲା -ବାପା ! so interesting story ତ ତମର । You are very funny.

ୟା ପରେ ଝିଅଟିର ବାହାଘର ସରିଯାଇଥାଏ ।

ଝିଅଟିର ବାହାଘର ସରି ଯାଇଥାଏ । ବେଡ୍ ଉପରେ ବସି ମଥାରେ ଓଢଣା ଟାଣି ପୁଅଟିକୁ ଅପେକ୍ଷା କରିଛି । କବାଟ ଖୋଲିବାର ଶବ୍ଦ ହେଲା । ବୋଧେ ସେ ଆସିଗଲା ।ଆଉଟିକେ ଓଢଣାକୁ ତଳକୁ ଟାଣି ଦେଇ ସଜାଡି ହେଇ ବସିଲା । ଏ କଣ ? ପୁଅଟି ତା ପାଖକୁ ଆସିବା ପରିବର୍ତ୍ତେ ଝରକା ପାଖରେ ଠିଆ ହେଇ ରହିଲା । ଏତେ ରାତିରେ ଝରକା ବାହାରକୁ ଚାହିଁ କଣ ଦେଖୁଛି ? କିଛି କହୁନି କାହିଁକି ? ଏମିତି କଥା ଭାବି ଝିଅଟି ବ୍ୟସ୍ତ ହେଉଥିଲା । ପୁଣି ଭାବିଲା କିଛି ସମୟ ଗଲା ପରେ ବୋଧେ କିଛି କହିବ ତାକୁ । କିଛି ସମୟ ବିତିଗଲା । ଏଇ ଅଧଘଣ୍ଟା ପାଖାପାଖି । ତାର ନିରବତାକୁ ଆଉ ସହ୍ୟ କରିପାରିଲାନି ।

ପଚାରିଲା- ଥରେ ମୋ ଓଢଣା ଖୋଲି ଦେଖିବନି ମୁଁ କିଏ ?

ହେମାନର ଅଜାଣତରେ ବାହାରି ଆସିଲା ଓଠରୁ ନିଜ ପ୍ରେମିକା ର ନାଁ ଟି । -ଭାବନା !

କାହିଁକି ନା ଝିଅଟିର କଣ୍ଠସ୍ୱର ଟି ଭାବନାର ସ୍ୱର ପରି ଲାଗିଲା ।

ଝିଅଟି ସେମିତି ଓଢଣା ତଳେ ଥାଇ ପୁଣି ପ୍ରଶ୍ନ କଲା ।

-ଏ ଭାବନା କିଏ ?

ହେମାନର ଉତ୍ତର, -କେହି ନୁହେଁ ତମର ଜାଣିବା ଦରକାର ନାହିଁ ।

-ମୁଁ ଯଦି କହେ ତମର କିଛି କଥା ମୋତେ ଲୁଚେଇବା ଦରକାର ନାହିଁ । ତମେ କଣ ଭାବୁଛ ମୁଁ କିଛି ଜାଣି ପାରୁନି । ପିଲା ଧୀରେ ଧୀରେ ବଡ ହେଲେ ତାର ଞ୍ଗ୍ୟାନ ବି ବଢେ । ମୁଁ ତ ବହୁତ ବଡ ହେଇଗଲାଣି । ଏଇ ଛୋଟ କଥାଟେ ବୁଝି ପାରିବିନି ବୋଲି କେମିତି ଭାବୁଛ ? ତମେ ବା ବିଞ୍ଗ୍ୟାନ ର ଛାତ୍ର । ଆଜି ଭଳିଆ ଦିନରେ କୌଣସି ଏମିତି ସେମିତି ଝିଅର ନାଁ ତ ଓଠରେ ଆସିବନି ! ନିଶ୍ଚୟ ସେ ତମ ପ୍ରେମିକା ହିଁ ହେଇଥିବ।ମୁଁ ଠିକ୍ କହିଲି ନା ! ଭାବନା ତମ ପ୍ରେମିକା ଥିଲା । ତମ ପ୍ରଥମ ପ୍ରେମ ଥିଲା ।ଯାହା କଥା ତମେ ଆଜିଯାଏଁ ବି ଭାବୁଛ ଟିକେ ସମୟ ମିଳିଗଲେ । ସାରା ଜୀବନ ବି କେଉଁ ନା କେଉଁ ମୁହୂର୍ତ୍ତ ରେ ଭାବୁଥିବ । ସେଥିରେ ମୋର ଆପତ୍ତି ନାହିଁ । ମୁଁ ତମ ସ୍ତ୍ରୀ ହେଇଗଲି । ଏତିକି ମୋ ପାଇଁ ଯଥେଷ୍ଟ ।

-ଯାହା ବି ଭାବୁଛ ସବୁ ମିଛ ।

-ତାହେଲେ ଅପା କଣ ମୋତେ ମିଛ କହିଲେ ? ରୁମ୍ ରେ ଛାଡିବା ପୂର୍ବ ରୁ ଅପା ମୋତେ ତମ ବିଷଯରେ ସବୁ କହିସାରିଛନ୍ତି । ଏଥିପାଇଁ କହିଲେ ଯେ ମୁଁ ଯେମିତି ତମକୁ ଭୁଲ୍ ନ ବୁଝେ । ହେମାନକୁ ବିଶ୍ୱାସ ହେଲାନି ।

-ଅପା କହିଲା ତମକୁ ? କଣ କହିଲା ?

ଝିଅଟି ତାକୁ ଚାହିଁଲା । -ଏଥିପାଇଁ କଣ ମୋତେ ପ୍ରମାଣ ଦେବାକୁ ପଡିବ!ତମେ ଆଜିଯାଏଁ ଭାବୁଥିଲା ନା ଅପା ତମ ଭଲପାଇବା ବିଷୟରେ କିଛି ବି ଜାଣି ନାହାଁନ୍ତି ବୋଲି !ତମ ଭାବନା ଟା ମିଛ । ତମେ ଥରେ ଭାବନାକୁ ସାଥିରେ ନେଇ ଘରକୁ ଆସିଥିଲ ନା ଅନ୍ୟ ସାଙ୍ଗମାନଙ୍କ ସହ ! ଛାତ ଉପରେ ତମ ଭିତରେ ଯେଉଁ ରୋମାଣ୍ଟିକ୍ ସିନ୍ ଟା ସୃଷ୍ଟି ହେଇଥିଲା ଅପା ତାକୁ ତଳେ ଠିଆ ହେଇ ଦେଖିଥିଲେ । ହେମାନ ଏବେ ବୁଝିପାରିଲା ଅପା ବାହା ହେଇ ଯିବା ବେଳେ କାହିଁକି ପଚାରିଥିଲେ -ଭାବନା କେମିତି ଅଛି ?ତମେ ଯେତେବଳେ କହିଲ-ତାର ବାହାଘର ସରି ଯାଇଛି ବୋଲି ସେ ଆଉ କିଛି କହିଲେନି । ପ୍ରକୃତରେ ତାର ସେତେବେଳକୁ ବାହାଘର ହେଇ ନ ଥିଲା । ବାହାଘର ଡେଟ୍ ପୂର୍ବ ରୁ ପୁଅ ପାଇଁ ଆମେରିକାରୁ ଗୋଟେ ବହୁତ ବଡ କଂପାନୀରୁ ଜବ୍ ଅଫର ଆସିଥିଲା । ସେଥିପାଇଁ ତାକୁ ତିନିବର୍ଷ ପାଇଁ ଭାରତକୁ ଫେରିବନି ବୋଲି agreement paper ରେ ସାଇନ କରିବାକୁ ପଡିଲା । ଏବେ ଏବେ ମାନେ ଏଇ ମାସରେ ତା ବାହାଘର ହେଲା । ହେଲେ ସେ ଆମେରିକା ଫେରନ୍ତା ପୁଅ ସହ ନୁହେଁ । ଆଉ ଗୋଟେ ପୁଅ ସହ ।

ହେମାନର ଆଶ୍ଚର୍ଯ୍ୟରେ…
-ତମେ ଏତେ ସବୁ କଥା ତା ବିଷୟରେ କେମିତି ଜାଣିଲ ? ଆଉ କୋଉ ….ପୁ..ଅ ସହ …ତା ମ୍ୟାରେଜ୍ ହେଲା ? ରହି ରହି ପଚାରିଲା ।

ଉତ୍ତର ବଦଳରେ ଓଢଣା ତଳୁ ପୁଣି ତା ପାଇଁ ପ୍ରଶ୍ନ । -ମୁଁ ଯଦି ଜାଣିଥାନ୍ତି “ଆମ ପ୍ରେମର ଭବିଷ୍ୟତ “ଟା ଏତେ ସୁନ୍ଦର ହେଇଥିବ ତା ହେଲେ ସେଦିନ ତମ ଆଗରେ ଏତେ କାନ୍ଦିନଥାନ୍ତି ନା ! ହେମାନ ଦ୍ୱାରା ଏ ରହସ୍ୟମୟ ପରିସ୍ଥିତି ବରଦାସ୍ତ ହେଲାନି । ତା ମଥାର ଓଢଣାକୁ ଧୀରେ କି ଉଠେଇଦେଲା ପରେ ଆହୁରି ରହସ୍ୟମୟ ର ଗଭୀରତାକୁ ଚାଲିଗଲା । କହିଲା -ତମେ ଏଠି ! କେମିତି ? ମୋତେ ତ ବିଶ୍ୱାସ ହେଉନି । ଓଢଣା ତଳର ଝିଅଟି ଭାବନା ହିଁ ଥିଲା । ତା ମନର ମାନସୀ । ପ୍ରେମର ପ୍ରେମିକା । ଭାବନା ସବୁ କଥା କହିସାରିବା ପରେ କହିଲା -ଏମିତି ହିଁ ଆସିଲି । ସେ ବି ତମ ପାଇଁ ତମ ଅଜାଣତରେ । ଏବେ ଵୁଝିଲେ ତ ! ହେମାନ ନିଜ ପକେଟ୍ ରୁ ସୁନାର ଚୁଡି ପଟକ ବାହାର କରି ତା ହାତରେ ପିନ୍ଧେଇ ଦେଲା ।  -କେବେ ଭାବି ନ ଥିଲି ଏ ଚୁଡି ଟି ତମକୁ ପିନ୍ଧେଇ ପାରିବି ବୋଲି ! ଭାବନା ତା କାନ୍ଧରେ ହାତ ରଖିଦେଲା ।  -କାଶ୍ ! ମୁଁ ଭବିଷ୍ୟତର ଅଦୃଶ୍ୟ ଫର୍ଦ୍ଦ ଟାକୁ ପଢି ପାରୁଥାନ୍ତି କି ? ହେମାନ ହସିଲା !  -ତମେ ! କେବେ ବି ସୁଧୁରିବନି । ବାସ୍ !ଏତିକି ଥିଲା ଏ କାହାଣୀ ।


କହ୍ନେଇପୁର, କଟକ

ମନ୍ତବ୍ୟ ରଖନ୍ତୁ: