ଲୁଚାଚୋରା – ପ୍ରଶାନ୍ତ କୁମାର ସାହୁ

ଏଇତ ଆସି ଚାଲିଗଲା…
ଦେଇଗଲା କାଣିଚାଏ ଯେ
ଆଉ ଟିକେ ପାଇବାର ଲାଳସାରେ
ପାଷାଣ ଦେହରେ
ସ୍ପନ୍ଦନର ଝଙ୍କାର ଖୋଜୁଛି ।
ସେ ଏମିତି ଆସେ
ଦୁଃଖର ଅନ୍ଧାରୀ ଗୋହିରି ଦେଇ…
ଉଚ୍ଛ୍ବାସିତ ଚେତନାର ଥାଟପାଟ ସହ
ସ୍ମୃତିର ରୋଶଣୀ ଧରି
ଦୁଃଖର ଗାଁରେ !
କିଛି ଗୋଟେ ଗଢିଦିଏ
ଦୁଃଖରେ ଆଶରାଟିଏ ପାଇଯିବାକୁ,
ଭୁଲି ଭୁଲାଇବାର
କାନକୁହା ସଞିବନୀର କୋଳାହଳରେ
ଲୁଚିଯାଏ ଯେ…!

ଖୋଜିଖୋଜି ପହଁଞ୍ଚିଯାଏ ଦୁଃଖର
ଅଗନାଅଗନି ବନସ୍ତ ଭିତରେ
କୁଆ କୋଇଲିର ହିସାବ ବୁଝିବାକୁ,
ଆଶାର ଖାଲି ପାଦ ଜର୍ଜରିତ
ଚାଲିବାର ପ୍ରୟାସରେ…
ଯେବେ ଉଙ୍କିମାରେ ସପନଆଡେ
କଥାଦେଇ ଚାଲିଯାଏ ସେ…
ଖାଲି ରହିଯାଏ ଏକାଏକା
ଛିଣ୍ଡାଖିଅରେ ଗଣ୍ଠିପକାଇବାକୁ,
ଦୀର୍ଘଶ୍ବାସର ଲକ୍ଷ୍ମଣରେଖାଟିଏ ଟାଣିଦିଏ
ମନକୁ ଟାଣକରି ଯେ
ଛନ୍ଦିହୋଇଯାଏ ବୁଢିଆଣୀ ଜାଲପରି,
ଆଉ ଦେଖୁଥାଏ ଦୁଃଖସୁଖର
ଲୁଚାଚୋରା ଖେଳ….
ପୁଣି କେବେ ଭେଟହେଲେ
ସ୍ବହରଣର ପଟ୍ଟଭୂମି ରଚିବାକୁ ା


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋରଧା

3 thoughts on “ଲୁଚାଚୋରା – ପ୍ରଶାନ୍ତ କୁମାର ସାହୁ”

  1. ଏଇଠି କେମିତି ପୋଷ୍ଟ କରିହେବ ଦୟାକରି କିଏ ବତେଇବେକି ?

  2. ହୃଦୟସ୍ପର୍ଶୀ କବିତା ଟିଏ ଲେଖିଛନ୍ତି ଆପଣ ।

ମନ୍ତବ୍ୟ ରଖନ୍ତୁ