ଲୁଣିଆଁ ହସ – ବାମନ ଚନ୍ଦ୍ର ଦୀକ୍ଷିତ

ଆଖି ଲୁହ ସବୁ ଶୁଖି ଗଲା ପରେ
ତୁ ହସିବାକୁ ଚେଷ୍ଟା କରୁଥିଲୁ ।
ପାଣିଆଁ କୋହ ସବୁୁ ବହି ଯିବା ପରେ
ତୁ ହସିବାକୁ ଚେଷ୍ଟା କରୁ ଥିଲୁ ।
ମୁହଁ ଧୋଇ ସାରିଲା ପରେ ବି
ଆଖି କିଛି ଲୁଚେଇ ପାରୁ ନ ଥିଲେ ।
ଶୁଖିଲା ଲୁହର ଦାଗ ସିନା ଧୋଇ ଦେଲୁ
ଆଖି ଭିତର ର ଲୋତକ ଗ୍ରନ୍ଥି କୁ
ବୁଝେଇ ପାରିଲୁନି ଜମା ।
ଜକେଇ ଆସେ ଯେବେ ଆଖି କୋଣ ଦେଇ
ପୋଛିବାର ବାହାନା ଖୋଜୁଥିଲୁ ।
ଧୂଳି ପଡି ଯାଇଛି ବୋଧେ……
ପଣତ ରେ ଆଖି ପୋଛୁ ଥିଲୁ।
ହସିବାର ଚେଷ୍ଟା ନିରନ୍ତର ନିରର୍ଥ
ଲୁହ ଲୁଚେଇବାକୁ ବହୁତ ଚେଷ୍ଟା କରୁଥିଲୁ
ତୁ ହସିବାକୁ ଚେଷ୍ଟା କରୁଥିଲୁ।

ଜାଣି ଥିଲି ମୁଁ ଟିକି ନିକି କଥା ସବୁ
ଚୁପ ଚାପ ସମୟ ର ପ୍ରତୀକ୍ଷା ରେ
ସମୟ କୁ ପଜେଇ ଧାରୁଆ କରୁ ଥିଲି।
ଆଶ୍ୱାସନା ଘନୀଭୂତ କୋହ ମାନଙ୍କୁ
ଫଟେଇ ଦିଏ,ତରଳେଇ ଦିଏ ;
କେବେ କେବେ ଦୁଇ କୂଳ ଖାଇ
ବହି ଯାଏ ଧୋଇ ନେଇ ଧର୍ଯ୍ୟ ସେତୁ ବନ୍ଧ।
ଜାଣି ଶୁଣି ସବୁ ମଧ୍ୟ ମାନି ନେଇ ଥିଲି।
ବୋଧ ହୁଏ ତୁ ବହୁତ ଖୁସି ଥିଲୁ
ଜଣେଇବା ପାଇଁ ଅଜଣା ସାଜି ଯାଇ ଥିଲି
ତୁ ବି ମୋ ଅଜଣା ପଣ ଜାଣି ଯାଇ ଥିଲୁ
ଏବଂ ତୁ ହସିବାକୁ ଚେଷ୍ଟା କରୁଥିଲୁ।।

ଆଜି ବି ତୁ ସେମିତି ହସୁଛୁ
ଜାଣି ହଉନି ହସୁଛୁ ବା କାନ୍ଦୁଛୁ
ସେଇ ହାବ ଭାବ ଅବୁଝା ପହେଲି।
ବହୁତ ଉପରେ ଉଡୁଥିବା ଚିଲ ପରି
ସ୍ଥିର ବିସ୍ତୀର୍ଣ୍ଣ ଡେଣା ମେଲେଇ ଉଡୁଛୁ
ଅବା କ୍ଳାନ୍ତ ଶ୍ରାନ୍ତ ଡେଣା କୁ ଆରାମ ଦେଉଛୁ
ଅବା ପବନ ର ଧ୍ରୁଷ୍ଠତା କୁ ଜବାବ ଦେଉଛୁ
ଚିହ୍ନି ହେଉ ନାହିଁ ପୁରୁଣା ଚେହେରା
ବାରି ହେଉନାହିଁ ଗତି ପବନ ର।
ମାତ୍ର ତୁ ଠିକ ଜାଣି ପାରୁଛୁ
ବେଦନା ର ଆର୍ତ୍ତ ନାଦ ମାନଙ୍କୁ
ହାସ୍ୟ ତରଙ୍ଗ ରେ ରୂପାନ୍ତରିତ କରୁଛୁ।
ଲୁହ କୁ ହସଉଛୁ ଅବା ହସ କୁ ଲୁଣିଆଁ କରୁଛୁ।
ହଁ,ଆଜି ବି ତୁ ହସିବାକୁ ଚେଷ୍ଟା କରୁଛୁ।।


ସୂର୍ଯ୍ୟମଣି ଭିଲ୍ଲା, ଜଗନ୍ନାଥ ଛକ,
ମୁରାଭଟ୍ଟ ରୋଡ, ହେମୁନଗର, ବିଳାସପୁର

ମନ୍ତବ୍ୟ ରଖନ୍ତୁ