ଭ୍ରମଣ କାହାଣୀ – ମାନସପଟ୍ଟରେ ପାରିକୁଦ – ଧ୍ରୁବ ଚରଣ ବେହେରା

(ଭ୍ରମଣ କାହାଣୀ ମାନସ ପଟରେ ପାରିକୁଦ – ପଣାସଂକ୍ରାନ୍ତି ଦିନ ମୁଁ ଓ ମୋର ପରିବାର)

ସମୟ ଅପରାହ୍ନ ୧ଟା ବେଳେ ଆସି ପହଞ୍ଚିଲୁ ଏମିତି ଏକ ରୂପ ସମ୍ଭାରର ସ୍ଥାନରେ ଯାହର ନାମ ଅତୀତ ତଥା ବିଶ୍ଵ ଇତିହାସରେ ରହି ଆସିଛି । ସେହି ପିଲାଦିନର ଅତି ପରିଚିତା “ଚିଲିକା ” ଏକ ଉତ୍ସବ ମୂଖର ପରିବେଶ ଓ ମାନସ ପଟରେ ଆଙ୍କିଦିଏ ରମ୍ୟ ମନୋଲିସାର ଛବି । ସେଥିପାଇଁ ତ ଅନେକ କବି ଭାବୁକ ସମୟାନୁସାରେ ତା’ର ସୌନ୍ଦର୍ଯ୍ୟ ଓ ପ୍ରତିଛବି ଦେଖି କିଏ ନାରୀ ତ, କିଏ କିଏ ସରଗର ଅପସରୀ ପର୍ୟ୍ୟନ୍ତ ତାକୁ ନିଜର ମନ ଆଇନାରେ ସ୍ଥାନ ଦେଇଛନ୍ତି । କବିବର ରାଧାନାଥଙ୍କର ପ୍ରିୟ ସେହି ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଯାହାଙ୍କ ଲେଖନୀ ମୁନରେ ଫୁଟାଇ ପାରିଥିଲା ଚାରୂ ଚିତ୍ରପଟର ଏକ ବାସ୍ତବବାଦୀ ଓ କଳ୍ପନାର ଜ୍ବଳନ୍ତ ଉଦାହରଣ ଏବଂ ହୃଦୟସ୍ପର୍ଶୀ କାବ୍ୟ ଓ କବିତାର ଉପହାର । ତାହା ସଦା ସର୍ବଦା ଆଜି କାଳଜୟୀ ହୋଇ ପାରିଛି ।

ପ୍ରଥମେ ଆମେ ସମୟର ସଦୁପଯୋଗ କରି ନିର୍ଦ୍ଦାରିତ ସମୟରେ ଆସି ବାଲୁଗାଁ ଘାଟ କୂଳରେ ପହଞ୍ଚି ଯାଇଥିଲୁ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ଥିବା ସ୍ବତେ ମଧ୍ଯ ଚାଲିକା ଉପରୁ ଭାସି ଆସୁଥିଲା କୋମଳ ସୁ ଶୀତଳ ପବନ ତରଙ୍ଗ ।।ଖରାଦିନ ହୋଇ ଥିବାରୁ ଦେହକୁ ଖୁବ ଆନନ୍ଦ ଦାୟକ ଲାଗୁଥିଲା । ସେହି ସମୟରେ ଚିଲିକାର ଚର୍ତୁପାର୍ଶ୍ବକୁ ଥରେ ପୁରାପୁରି ଗୋଲ ଭାବେ ନିରୀକ୍ଷଣ କଲି ଦେଖିଲି ସେହି ନୀଳବର୍ଣ୍ଣା ଅପରୂପା ସେନହ ଚାତୁରୀର ଶୋଭା ।ସେତେ ବେଳେ ମୋର ପୁଅ ଓ ଝିଅ ଓ ଅନ୍ଯ ଯାତ୍ରୀ ମାନେ ମଧ୍ଯ ଏହି ସୁନ୍ଦର ସ୍ଵରୂପା ପ୍ରକୃତି ନାରୀ କୁ ଉପଭୋଗ କରୁଥାନ୍ତି । ସରକାରୀ ମୋଟର ଲଞ୍ଚ ଯୋଗେ ଆମ୍ଭେ ବାଲୁଗାଁ ଘାଟ କୂଳରୁ ଟିକେଟ୍ କାଟି ଲଞ୍ଚରେ ବସି କୃଷ୍ଣ ପ୍ରସାଦ ଗଡ ଘାଟକୂଳ ପଯ୍ୟନ୍ତ ଯିବା ପାଇଁ ବାହାରିଲୁ ।ଲଞ୍ଚ ରେ ଗଲାବେଳେ ମୋର ଚକ୍ଷୁ ଦୁଇଟି ଚିଲିକାର ସେହି ବିସ୍ତିର୍ଣ୍ଣ ଜଳ ରାଶି ଉପରୁ ଜମା ହଟୁ ନଥାଏ ।କାରଣ ମୋର ସେହି ପିଲା ଦିନର ପଠିତ କବିତା ମନେ ପଡି ଯାଉଥାଏ । ସେହି ବୀରମାଟି ବାଣପୁର ବଳିଆନ୍ ସାହିତ୍ୟକ ପୂର୍ଣ୍ଣିମା ଆକାଶର ଜାଜୁଲ୍ୟମାନ ତାରକା, ଘୋର ଘନ ଜଙ୍ଗଲର ପରିବେଷ୍ଟିନି ଭିତରେ ଜଳୁଥିବା ଗୋଟିଏ ଦୀପଶିଖା, ସ୍ଵର୍ଗତ ଗୋଦାବରୀଶ ମିଶ୍ରଙ୍କ କଥା ଯାହାଙ୍କ କବିତା କାଳିଯାଇ ଆମେ ଗାଇ ଗାଇ ଖୁସିରେ ନାଚି ଉଠୁଥିଲୁ । ଆଉ ପୁଣି ସେହି କବିତାର ପ୍ରତିଟି ପଂକ୍ତି ଆମ କିଶୋର ଜୀବନରେ ଭରି ଦେଇଥିଲା ଅଦମ୍ଯ ଆନନ୍ଦ । “ଆଜି ମୋର ସେହି ବୟସ ଗଡି ଯାଇଛି ହେଲେ ମନେ ପଡିଲେ ସେହି ଅତୀତ ଲାଗୁଛି ସତେ ଯେମିତି ବର୍ତ୍ତମାନ ତାକୁ ହାତ ଠାରି ଡାକୁଛି” । ଚିଲିକାର ଚତୁର୍ଦ୍ଦିଗ କୁ ଥରେ ମନ ଭରି ଦେଖି ସାରିଲା ପରେ ମନରେ ଯେତିକି ଖୁସିର ଲହରୀ ଖେଳିଗଲା ସେତିକି ବେଳେ ମୋର ଜିଲ୍ଲା ତଥା ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନ, ଜନ ସେବକ ତଥା ଯାହାଙ୍କ ଚରିତ୍ର ସବୁବେଳେ ନିର୍ମଳ ଆଉ ଧଳା ଲୁଗା ପରି ପବିତ୍ର ଓ ଦାଗହିନ ସେ ଭଳି ଏକ ମହାମାନବଙ୍କ କଥା , ମନେ ପଡିଲା ପରେ ଆଖିରୁ ଦୁଇ ଟୋପା ଲୁହ ଝରିଗଲା ।ସେ ହେଉଛନ୍ତି ଉତ୍କଳର ମଣି ଗୋପବନ୍ଧୁ ଦାସ । ଜଣେ ନିଷ୍ଠାପର ଦେଶଭକ୍ତ, ଗରିବ ପେଟର ଭୋକର କହର କୁ ବୁଝିଥିବା ଜଣେ ସଚୋଟ ଓ ସରଳ ମଣିଷ ।ତାଙ୍କ କବିତାର ଗୋଟିଏ ଧାଡ଼ି ମୋତେ ଭାବ ବିଭୋର ଭିତରକୁ ଟାଣି ନେଇ ମନେ ପକାଇ ଦେଇଥିଲା ତାଙ୍କ “ରେଳ ଉପରେ ଚିଲିକା ଦର୍ଶନ” କବିତାରୁ ଧାଡି ଏ, ଏବଂ ମୋର ଅବଚେତନ ମନରୁ ଚେତନାର ଗସ୍ତ ହୋଇ ମନରେ ସଂଚାର ଖେଳାଇ ଗାଇବାକୁ ଲାଗିଲା ମୁଁ ଆତ୍ମା ଭାବରେ ଜୁଡୁବୁଡୁ ହୋଇ ଗାଉଥିଲା “ରହ ରହ ଥରେ ବାଷ୍ପୀୟଶକଟ ଦେଖିବୁ ଚିଲିକା ଚାରୁ ଚିତ୍ରପଟ ,ଚିତ୍ର ମଣୁ ଜେଣୁ ଅନୁଭବ ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ “।

ଲଞ୍ଚ ଟି ଆଗକୁ ଆଗକୁ ନୀଳବର୍ଣ୍ଣା ଚିଲିକାର ଶାନ୍ତ ସରଳ ଓ ଅମାନିଆ ତରଙ୍ଗକୁ କାଟି କାଟି ଚାଲିଥାଏ । ସତେ ଯେମିତି ଲହରୀ ଗୁଡିକ ମାଳ ମାଳ ହୋଇ ନିଜ ନିଜ ଭିତରେ ଗୋଟେ ପ୍ରତିଯୋଗିତା କରୁଛନ୍ତି । ଏହି ଭଳି ଏକ ସୁନାଝରା ମୂହୁର୍ତ୍ତର ସମୁଖୀନ ହୋଇ କିଛିଦୂର ଘାଟକୂଳରୁ ଅନତି ଜଳପଥ ଅତିକ୍ରମ କଲାପରେ ଦୂର ଦିଗବଳୟର ସେହି ଧଳା ମେଘାଛନ୍ କମନୀୟ କାନ୍ତି ଭରା, ଶୁଭ୍ର ବାଦଲର ନିଳିମା ଆକାଶ ତଳରେ ତଳରେ ,ଦୃଶ୍ୟମାନ ହେଲା ଏକ ଶାନ୍ତ ସରଳ ସବୁଜିମା ରାଜି ଦ୍ବୀପ ଟିଏ । ଯାହାର ନାମ ପାରିକୁଦ ।କିମ୍ବଦନ୍ତୀ ଅନୁସାରେ ଅନେକ ଅତୀତର କାହାଣୀ ଏହି ମାଟିରେ ଲିପିବଦ୍ଧ ଅଛି ।ଯାହା ଏକ ଅମରତ୍ବ କାହାଣୀର ଉଦାହରଣ । ମାଇଲଖୁଣ୍ଟ ଭାବେ ଚିଲିକାର ଡାହଣ ପାଖକୁ କିଛି ପ୍ରାନ୍ତରେ ଦେଖା ଯାଉଥାଏ ଚିର ସମସ୍ୟା ଦୁଃଖ ହାରିଣି ଅଭୟ ଦାୟିନୀ ,କୈବର୍ତ୍ତ କୁଳ ଉଧାରିଣୀ ଜଗତ ଜନନୀ “ମା” କାଳିଯାଇଁଙ୍କ ଦେବୀପୀଠ । ଚତୁପାର୍ଶ୍ୱରେ ତାର ନୀଳ ନୀଳ ଜଳରାଶି ମାର ଚରଣ କମଳକୁ ଅତି ସେହ୍ନର ସହିତ ପାଦଦେଶକୁ ପଖାଳି ଦେଉଥାଏ । ସତେ ଯେମିତି କିଏ ଏହି ପ୍ରକୃତି କୋଳରେ ଏକ ଆଗନ୍ତୁକ ଅତିଥି । ସବୁଜିମା ରାଜି ଭିତରେ ମାଆ ଦୁର୍ଗତି ନାଶିନୀ କେଉଁ ଆବାହନ କାଳରୁ ସେଠାରେ ପୂଜା ହୋଇ ଆସୁଛନ୍ତି ।ଏମିତି ଏକ ମନଲୋଭା ପରିବେଶ ଭିତରେ ଯିଏ ଡାକିଲେ ମାଆ ନିଶ୍ଚିତ ଭାବେ ଡାକ ଶୁଣେ ।

“ପ୍ରକୃତିର ମନୋରମ ଦୃଶ୍ଯ ଭିତରେ ମୋର ଚକ୍ଷୁ ଦୁଇଟି ଏମିତି ଲାଖି ଯାଇଥିଲା ଯେ ସତେ ଯେମିତି ଏକ ଭାବୁକର ସ୍ମୃତି ପଟରେ ଏକ ଅଭୁଲା ସେ ଚିତ୍ରପଟ” । ଜୀବନର ସ୍ବାଦ କହିଲେ ଚିରନ୍ତନୀ ସେହି ଅଭୁଲା ମୂହୁର୍ତ୍ତ ।ଟିକେ ପଛକୁ ଚାହିଁଲା ବେଳକୁ ମାମୁଁ ଭଣଜାର ଚୂଡା ଦୁଇଟି ଅତି ମନୋରମ ଦେଖା ଯାଉଥାଏ ।ତା ସହିତ ମନେ ହେଲା ସତେକି ମାଟିର କିଛି ପ୍ରୀତି ପୂର୍ଣ୍ଣ ବାର୍ତ୍ତା ଆକାଶର ଓଠ କୁ ଚୁମି ଦେଇ କହି ଚାଲିଛି ମାଟିର କାବ୍ୟ ଭରା କବିତା । ଆମ ଗନ୍ତବ୍ୟମାର୍ଗରେ ଆଖ ପାଖରେ କିଛି ଧୀବର ଭାଇ ମାନେ ତାଙ୍କର ଜୀବନ ଜୀବିକା ପାଇଁ ଏହି ଚିଲିକାରେ ମାଛ ଧରିଥାନ୍ତି ।ଯାହାକି ତାଙ୍କର ଭାତ ହାଣ୍ଡି କହିଲେ ଚଳେ ।କାହିଁ ଖରା କାହିଁ ବର୍ଷା ଓ କାହିଁ ଶୀତ କୁ ଖାତିର ନକରି ନିଜର ପେଟ ପାଟଣା ପାଇଁ ସେମାନେ ଚେଷ୍ଟିତ ।ସଂଘର୍ଷ ମୟ ଜୀବନ ଭିତରେ ସେମାନେ ବଞ୍ଚିବା ଶିଖିଛନ୍ତି ।ବିହଙ୍ଗମ ରାଜିର ସୁନ୍ଦର କୋଳାହଳ ଓ ଉତ୍ସବମୁଖର ପରିବେଶ, ରମଣୀୟ କାନ୍ତିରେ ଭରା ଏହି ଭ୍ରମଣ କାହାଣୀ ମନ ମଧ୍ୟରେ ଖୁସିରେ ଆନନ୍ଦର ଲହରୀ ଖେଳାଇ ଦେଉଥାଏ । ଭାବନା ତଥା ବାସ୍ତବ ପରିବେଶ ଭିତରେ ମୁଁ ସେଦିନ ହଜି ଯାଇଥିଲି । ଏହିସବୁ ଉପୋଭୋଗ କରୁ କରୁ ଆମ ଲଞ୍ଚ ଟି ଯାଇ ଲକ୍ଷ୍ୟସ୍ଥଳ ଘାଟ କୂଳ ପାରିକୁଦ ଠାରେ ପହଞ୍ଚି ଗଲା । ଅତି ଆନନ୍ଦର ସହିତ ଆମ୍ଭେ ସେଠାରୁ ଓହ୍ଲାଇ ଅଟୋରିକ୍ସାରେ ବସି ଚାରିଛକ ଯିବାପାଇଁ ପ୍ରସ୍ତୁତ ହେଲୁ ।ଅଟୋରିକ୍ସାରେ ବସି ଗଲାବେଳେ ଦେଖିବାକୁ ପାଇଲୁ ସୁନ୍ଦର ପିଚୁ ରାସ୍ତାର ଦୁଇ କଡରେ ବନୀକରଣ କରାଯାଇଥିବା ବିଭିନ୍ନ ବୃକ୍ଷ ।ବସନ୍ତର ମୃଦୁ ମଳୟରେ ନିଜର ସବୁଜ ପତ୍ର ପୂର୍ଣ୍ଣ ବେଣୀ କୁ ହଲାଇ ସତେ ଯେମିତି ଆଗନ୍ତୁକ ଅତିଥି ମାନଙ୍କୁ ଦୋଳାୟମାନ ଅବସ୍ଥାରେ ଅଭିନନ୍ଦନ ଜଣାଇଛନ୍ତି ।ଯେଉଁ ରାସ୍ତା ରେ ଦିନେ କେବଳ ଶଗଡ ଗାଡି ଚାଲୁଥିଲା ଯାତ୍ରୀଙ୍କ ପାଇଁ କିଛି ସୁବିଧା ନଥିଲା ତାହା ଆଜି ବେଶ ଉନ୍ନତ ହୋଇ ପାରିଛି ।ଏହିସବୁ ଆମ୍ଭ ମାନଙ୍କର ଶିକ୍ଷା ଓ ସଚେତନତା ବଳରେ ହାସିଲ ହୋଇ ପାରିଛି ।ସମୟ ଆଜି ବଦଳି ଯାଇଛି ଆମରି ପ୍ରଚେଷ୍ଟାର ଗୁଣାତ୍ମକ ଚିନ୍ତାଧାରା ଆଜି ଆମକୁ ବିଶ୍ବର ଅନ୍ୟ ଦେଶର ଅର୍ଥନୀତି ଠାରୁ ଭିନ୍ନ ରୂପରେ ବିକାଶଶୀଳ ହେବାରେ ସକ୍ଷମ କରିଛି ।

ଏହି ପରିପେକ୍ଷିରେ କହିବାକୁ ଗଲେ “ମାନବ ସମ୍ବଳର ବିକାଶ ହେଉଛି ଦେଶ ପ୍ରଗତିର ମୂଳମନ୍ତ୍ର” l ମନୁଷ୍ଯ ଜୀବନ ହେଉଛି ଏକ ଯାତ୍ରା ।ଅନେକ ଅଙ୍କା ବଙ୍କା ହୋଇ ବହି ଚାଲେ ସୁଖ ଦୁଃଖ କୁ ଆଧାର କରି’ କେତେବେଳେ ସୁଖର ସମୁଦ୍ରରେ ଏ ଜୀବନ ପହଁରି ବୁଲୁଥାଏ ତ , କେତେବେଳେ ଦୁଃଖ ଦରିଆରେ ଉବୁଟୁବୁ ହୋଇ ଜରାଗ୍ରସ୍ତ ଓ ଜର୍ଜରିତ ସମୟ ଅତିବାହିତ କରିବାକୁ ପଡିଥାଏ ।ଘାଟ କୁଳରୁ ଗଲାବେଳେ ଦେଖିବାକୁ ପାଇଲୁ ସୁନ୍ଦର ଗେଣ୍ଡାଳିଆ ପକ୍ଷୀଙ୍କ ସମ୍ଭାର ଛୋଟ ଛୋଟ ଗାଡିଆ ମଧ୍ୟରେ ଧ୍ୟାନର ସହିତ ଲାଗି ପଡିଥାନ୍ତି ନିଜର ଆହର ଖୋଜିବାରେ ।ବିସ୍ତିର୍ଣ୍ଣ ଚାଷ ଜମି ଗୁଡିକ ପଡିଆ ପଡି ରହିଥାଏ ।ବୈଶାଖ ମାସ ହୋଇଥିବାରୁ ଚାଷୀ ବୋଧହୁଏ ବର୍ଷର କାମଦାମ ସାରି ଟିକିଏ ବିଶ୍ରାମ ନେଲାପରି ମୋର ମନ ହେଲା ।ଏମିତି ଘାଟ କୂଳରୁ ୩କି:ମି ଅତିକ୍ରମ କଲାପରେ ଅଟୋଟି ଆମର ପାରିକୁଦ ଗଡରାଜଙ୍କ ସିଂହଦ୍ଵାର ସମ୍ମୁଖରେ ପାରିହେଲା ବେଳେ ଦେଖିବାକୁ ମିଳିଲା ସୁନ୍ଦର ରାଜ ପ୍ରାସାଦ ଟିଏ ।ବେଶ୍ ପୁରୁଣା ଶୈଳୀରେ ନିର୍ମିତ ହୋଇଛି ।ଅତୀତର କିଛି କାରୁକାର୍ଯ୍ଯ ଲାଗିଲା ଆଜିବି ଜୀବନ୍ତ ।”ନାହାଁନ୍ତି ଆଉ ସେହି ଅତୀତର ଶିଳ୍ପୀ ହେଲେ ତାଙ୍କ ନିହଣ ମୁନର କଳା ଆଜି ବି ଜୀବନ୍ତ” ।।ପୁଣି ମନେ ପଡିଲା ସେହି ଅତୀତର କିମ୍ବଦନ୍ତୀ ଯେଉଁ ବାଣପୁର ମାଟିର ଝିଅ ବାହାହୋଇ ଏହି ପାରିକୁଦ ଗଡକୁ ଆସିବା ବାଟରେ ଏହି ରାକ୍ଷସୀ ଚିଲିକା ତାଙ୍କ ପ୍ରାଣ ନେଇଥିଲା ।ପୁତ୍ରୀ କୁ ହରାଇ ପିତା ସେଦିନ ଦୁଃଖ ଦରିଆରେ ଭାସିଯାଇ ଏହି ଚିଲିକାକୁ ନିଜେ ଅଭିଶାପ ଦେଇଥିଲେ ଯେ ତୋର ଢେଉରେ ହାଡ ଭଙ୍ଗି ଯାଉ ଓ ତୋର ଗର୍ଭ ପୃଥିବୀ ପୃଷ୍ଠରେ ଧିରେ ଧିରେ ପୋତି ହେଉଯାଉ ।।ପୁତ୍ର ବଧୂ କୁ ହରାଇ ରାଜା ଅନେକ ଖୋଜିଛନ୍ତି ।ହେଲେ ସନ୍ଧାନ ନ ପାଇବା ପରେ କିଛି ଐଶ୍ବରିକ ଶକ୍ତିର ଆଭାସ ମିଳିବା ପରେ ଚିଲିକା ଗଣ୍ଡରେ ପାହଡ ଉପରେ ଏକ ମନ୍ଦିର ନିର୍ମାଣ କରାଇ ତାର ନାମ ରଖିଲେ କାଳିଜାଇ ପୀଠ ।ସେହି ପ୍ରାଚୀନ କାଳରୁ ମା ସେଠାରେ ବିରାଜମାନ ହେଲେ ।ଏତ ହେଉଛି ଅମର କିମ୍ବଦନ୍ତୀ ଏକ ଅଭୁଲା କାହାଣୀ । ଯାହା ହେଉ ପାରିକୁଦ ଗଡ ପାର କରି ଗଲାବେଳେ ଦେଖିବାକୁ ମିଳିଲା ସରକାରୀ ରାଜରାସ୍ତା ଅତି କମନୀୟ ଓ କଳା ଚିକ୍ ଚିକ୍ ସତେ ଯେମିତି ଏକ କଳାମେଘ କାୟା ।।ସବୁଜିମା ରାଜି ସହିତ ତାଳ ନଡ଼ିଆର ଗଛ ଘେରା ସୁନ୍ଦର ପରିବେଶ ଭିତରେ ଗାଆଁ ଗୁଡିକ ବେଶ୍ ପରିଷ୍କାର ପରିଚ୍ଛନ୍ନ ଦେଖା ଯାଉଥାଏ ।।ଅନେକ ଦିନପରେ ମୋର ମାନସ ପଟରେ ଏହି ଜଳଯାତ୍ରା ସହିତ ପାରିକୁଦ ର ସବୁଜିମା ରାଜି ଏକ ଅଭୁଲା ଓ ଅବି ସ୍ମରଣୀୟ ଜୀବନ ଯାତ୍ରା କହିଲେ ଭୁଲ୍ ହେବନାହିଁ ।


ଧ୍ରୁବ ଚରଣ ବେହେରା,
(ସୈନିକ, ଭାରତୀୟ ସେନା)
ଅଠରବାଟିଆ, ବାଲୁଗାଁ, ଖୋରଧା

One thought on “ଭ୍ରମଣ କାହାଣୀ – ମାନସପଟ୍ଟରେ ପାରିକୁଦ – ଧ୍ରୁବ ଚରଣ ବେହେରା

ମନ୍ତବ୍ୟ ରଖନ୍ତୁ: