ମନ୍ଥରାର ଅଭିମାନ

ପ୍ରସନ୍ନ କୁମାର ମାଦଳା
ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା
ଫୋନ୍- ୭୯୭୮୧୯୨୨୨୭

ଚଉଦ ବର୍ଷର ନିନ୍ଦା ଅପମାନ,ଅଯୋଧ୍ୟା ପ୍ରଜାଜନଙ୍କର ଉତ୍କଟ ଭର୍ତ୍ସନାରେ ମର୍ମାହତ ମନ୍ଥରାର କାଳଚକ୍ର ଅଟକି ରହିଥିଲା ଯେମିତି ଚଉଦ ଜନ୍ମ ଧରି । ନିର୍ନିମେଷ ଅନାଇ ରହିଥିଲା ରାମଙ୍କ ନଗର ପ୍ରତ୍ଯାବର୍ତ୍ତନକୁ। କଳହିନୀ କପଟୁଣୀ ଆଦି ଅଶ୍ରାବ୍ଯ କଟୂକ୍ତି, ନଗରବାସୀଙ୍କ ଘୃଣ୍ୟ କଟାକ୍ଷ ଓ ମିଥ୍ଯା ଦୋଷାରୋପରେ ଆହତ ପ୍ରାଣଟାକୁ ଅନଳରେ ଆହୁତି ନ ଦେଇ ସତେ ଯେପରି ଚାତକ ଦୃଷ୍ଟିରେ ଜାଗି ରହିଥିଲା ପ୍ରତି କ୍ଷଣ ମନନ ସ୍ମରଣରେ ପ୍ରତିଟି ନିଶ୍ବାସର ପ୍ରାଣ ଶକ୍ତି ରାମନାମରେ ସନ୍ନିହିତ କରି ଉତ୍ସର୍ଗ ପୂର୍ବରୁ କଳଙ୍କମୁକ୍ତ ଆଉ ଦୁରିତରହିତ କରିଦେବାକୁ। କୋଟରଗତ ଚକ୍ଷୁରେ ଅବାରିତ ଲୋତକ ଧାର ରୁଗ୍ଣ ତନୁରେ କାରୁଣ୍ଯ ଓ ବିଷାଦର ଦୟାକ୍ତ ମିଶ୍ର ରୂପ ଆଂକି ସାରିଥିଲା ସମବେଦନାର ଅଭିପ୍ରାୟରେ । ଅସରନ୍ତି ପ୍ରଶ୍ନ ତାର ପ୍ରତୀକ୍ଷାରତ ରାମଙ୍କ ଶ୍ରୀମୁଖରୁ ଯଥୋଚିତ ଉତ୍ତର ଲାଳସାରେ ପ୍ରତ୍ୟକ୍ଷ ଭାବେ ଅଯୋଧ୍ୟା ପ୍ରଜାଜନଙ୍କର ସମ୍ମୁଖରେ ।

ଆଜି ଦାଣ୍ଡରେ ତୋରଣ ସୁସଜ୍ଜିତ ହୋଇ ଉଜ୍ଜ୍ବଳ ପ୍ରଦୀପମାନ ପ୍ରଜ୍ବଳିତ ତଥା କଟକଦ୍ବାର ସଦ୍ଯ ସୁବାସିତ ପୁଷ୍ପଗୁଚ୍ଛରେ ସୁଶୋଭିତ। ଉଲ୍ଲସିତ ପ୍ରଜା ଆଜି ଚଳଚଞ୍ଚଳ ଦୀର୍ଘ ଅପେକ୍ଷାର ଅବସାନ ଘଟିବ ବୋଲି, ନଟ ଓ କିନ୍ନରଗଣ ବାଦ୍ଯ ସରଞ୍ଜାମ ସହ ପ୍ରସ୍ତୁତ ପ୍ରଭୁଙ୍କର ସମ୍ବର୍ଦ୍ଧନା ପାଇଁ । ଆଉ ତମସା ଆଚ୍ଛାଦିତ ନିଭୃତ କୋଠରୀର ଗବାକ୍ଷରୁ ନିର୍ଗତ ହେଉଥିଲା ଲୋକଲଜ୍ଜ୍ଯାରେ ଆତ୍ମନିର୍ବାସିତା ମନ୍ଥରାର ବିଳାପ ବାଷ୍ପାକୁଳ ଅନୁଚ୍ଚ ସ୍ବରରେ। ଏଥର ବାଦ୍ଯ ବାଜଣା ସହ ପୁରୁଷୋତ୍ତମ ରାମଙ୍କ ଜୟଗାନର ଉଲ୍ଲାସ ଧ୍ବନି କର୍ଣ୍ଣ ପବିତ୍ର କଲା। ରାଜକୁମାର ଭରତଙ୍କ ଭବ୍ୟ ଆଯୋଜନ ମାତା ସୀତାଙ୍କ ସହ ସକୁଶଳ ଭାଇମାନଙ୍କ ଆଗମନକୁ ଅବିସ୍ମରଣୀୟ ରଖିବାରେ ସମର୍ଥ। ସାଥିରେ ବନବାସୀ ପ୍ରମୁଖ ଚରିତ୍ରମାନଙ୍କ ସମ୍ମିଳିତ ଉପସ୍ଥିତି ସମସ୍ତଙ୍କ ଆନନ୍ଦକୁ ବହୁଗୁଣିତ କରୁଥାଏ । ତିନି ରାଜମାତା ଶତୃଘ୍ନଙ୍କର ନିଷ୍ଠା ଓ ଆଜ୍ଞାବହତାରେ ସନ୍ତୁଷ୍ଟ। ନିଜ ଜୀବନ ଯୌବନକୁ ରାଜସେବା ଓ ରାଜ ଆଜ୍ଞାବହତାରେ ସମର୍ପଣ କରିଦେଇଥିବା ମନ୍ଥରା ଅଧିରା ହୋଇ ଉଠିଲା। ଅସମ୍ଭାଳ ତଥା ଉନ୍ମାଦିନୀ ପରି ଅସଂଜତ ବସ୍ତ୍ର ପରିହିତା ବୃଦ୍ଧା ରାଜପଥକୁ ଧାଇଁ ଗଲା ଶ୍ରୀରାମଙ୍କ ରଥ ସମ୍ମୁଖ ଯାଏଁ। ପ୍ରସାରିତ ହସ୍ତ ଓ ବିସ୍ତାରିତ ନୟନେ ପଥରୋଧ କରି ଚଢିଗଲା ଅଟକି ସାରିଥିବା ରଥର ଦୁଇ ସୋପାନ ଯାଏଁ । ଏତେ ଦିନର ଅବରୁଦ୍ଧ ଭାବାବେଗ ସ୍ବତଃ ଉଛୁଳି ଉଠିଲା ଶ୍ରୀରାମଙ୍କୁ ଆଖି ଆଗରେ ଦେଖି ।

ବାତ୍ସଲ୍ୟ ମମତାରେ ଅନ୍ଧୁଣୀଧନ ପ୍ରତି ରାଜକୀୟ ମର୍ଯ୍ୟାଦାର ଉଲ୍ଲଂଘନ କରି କାନ ଧରି ଉଚ୍ଚ କଣ୍ଠରେ ବିଳାପ କରୁ କରୁ ପ୍ରଶ୍ନ କଲା ଯେ ସତ କହ, ତୁ ତ ସତ୍ଯର ଅବତାର, ଏ ଅଯୋଧ୍ୟା ପ୍ରଜାଜନଙ୍କୁ ଶୁଣାଇ ସତ କହ ରାମଚନ୍ଦ୍ର :ଦଣ୍ଡେ କି ନିମିଷେ ବି ତୋତେ ସ୍ମରଣ ନକରି ମୁଁ କାଳ କାଟିଛି କି ? କିଂଚିତେ ବି ତୋର ଅହିତ ଚିନ୍ତନ କରିଛି କି ? ନାନା ଅପବାଦ ଦେଇ ମୋତେ ଘୃଣା କରୁଥିବା ଏ ସଂସାର ବାସୀଙ୍କୁ ଜଣାଇ ଦେ ଆଜି କେଉଁ ଅପରାଧରେ ମୋତେ ଏ ଦଣ୍ଡ ଭୋଗିବାକୁ ପଡୁଛି ? ସମସ୍ତଙ୍କ ମୁକ୍ତିଦାତା ତୁ ମୋତେ ମୁକ୍ତି ନ ଦେଇ ଏ ଯାଏଁ କାହିଁକି ଯନ୍ତ୍ରଣା ଦେଉଛୁ…. ତୁ ସତ କହିଦେ । ଅନ୍ତତଃ ଏ ଶରୀର ଛାଡିବା ପୂର୍ବରୁ ଆଜି ମୋତେ ନିଷ୍କଳଙ୍କ କରି ଦେ ରାମ, ମୁଁ ଶାନ୍ତିରେ ନିସ୍ତରିବି । ଏତିକିରେ ଶ୍ରୀରାମଙ୍କ ଚରଣରେ ପଡି ନିବେଦନ କଲା ଶୋକାକୁଳା ଅଧିରା ମନ୍ଥରା ।

ପ୍ରଭୁ ଶ୍ରୀରାମଚନ୍ଦ୍ର ନିର୍ବାକ ହୋଇ ରହିଗଲେ । ତତ୍ କ୍ଷଣାତ୍ ଅଭୟ ବାହୁରେ ଉଠାଇ ଆଣିଲେ ମାତୃତୁଲ୍ଯା ମନ୍ଥରାକୁ ଆଉ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁଲେ । ସମବେତ ଜନତା ସ୍ତବ୍ଧ । ଶ୍ରୀରାମଙ୍କ ଆକାଂକ୍ଷା ବୁଝି ପାରି ତତ୍କାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍ପରତାର ସହିତ ବଶିଷ୍ଠ ଆଗେଇ ଆସିଲେ। ଉତ୍କଣ୍ଠାର ସହ ଚାହିଁ ରହିଥିବା ପ୍ରଜାଙ୍କୁ ଏ ସମ୍ବନ୍ଧରେ ଉତ୍ତର ଦେବା ଆରମ୍ଭ କଲେ । “ହେ ମୋର ପ୍ରିୟ ଅଯୋଧ୍ୟାବାସୀ, ମନ୍ଥରାର ଜିଜ୍ଞାସା ଅନୁସାରେ ତାର ଚାରିତ୍ରିକ ଉଦ୍ଧାର ପାଇଁ ଆପଣମାନେ ଧୈର୍ଯ୍ୟର ସହ ଶୁଣନ୍ତୁ । ଏ କଥା ସତ୍ଯ ଯେ ସୂର୍ଯ୍ୟବଂଶୀ ମହାରାଜ ଦଶରଥଙ୍କର ଜୀବନକାଳରେ ଏପରି ଅନେକ ରହସ୍ୟ ସମ୍ପର୍କରେ ଆପଣମାନେ ଅନଭିଜ୍ଞ। ଅନ୍ଧମୁନିଙ୍କ ଅଭିଶାପ, ନିକଷା ଦ୍ବାରା ଶାପିତ ରାଜସିଂହାସନ, ଶନିମଣ୍ଡଳରୁ ଭୂମଣ୍ଡଳକୁ ପତନ କାଳରେ ଜଟାୟୁ ଦ୍ବାରା ମହାରାଜାଙ୍କ ଉଦ୍ଧାର ଓ ପରବର୍ତ୍ତୀ ସମୟରେ ତାଙ୍କ ଅଭିଶାପ ଏବଂ ଶ୍ରୀରାମଙ୍କ ବନବାସ ଆଦି ଅନେକ ପ୍ରୟୋଜନ ନିୟତିର ବିଧାନ ମାତ୍ର । ସର୍ବୋପରି ଏ ସମ୍ବନ୍ଧୀୟ ଘଟଣା ଚକ୍ରରେ ଯାହା ସବୁ ଆବଶ୍ୟକ ଥିଲା, ତାର ସଫଳ ରୂପାୟନ ପାଇଁ ମନ୍ଥରାକୁ ମୋର ଗୁପ୍ତ ଆଦେଶ ଥିଲା ଏବଂ ସେ କେବଳ ରାଜଆଜ୍ଞା ହିଁ ପାଳନ କରିଛି । ଏଥିପାଇଁ ତାକୁ ବୃଥା ଦୋଷାରୋପରେ ନିନ୍ଦା କରିବା ଆପଣ ମାନଙ୍କ ନିତାନ୍ତ ଭ୍ରମ । ନିଶ୍ଚିତ ଭାବେ ସେ କର୍ତ୍ତବ୍ୟ ମାତ୍ର କରିଥିବାରୁ ବରଂ ପ୍ରଶଂସନୀୟା । ” ଏହାପରେ କୂଜୀ ମନ୍ଥରା ଆତ୍ମସ୍ଥ ହୋଇ ନିଜ କୋହ ଶାନ୍ତ କରି ରଥରୁ ଓହ୍ଲାଇଲା ଓ ପ୍ରଭୁଙ୍କର ନାମ ଚିତ୍ତରେ ସ୍ମରଣ ପୂର୍ବକ ସହର୍ଷ ପ୍ରତ୍ଯାବର୍ତ୍ତନ କଲା ନଅର ଅଭିମୁଖରେ ।

ମନ୍ତବ୍ୟ ରଖନ୍ତୁ..