ମରୁବାଲି – ପ୍ରଶାନ୍ତ କୁମାର ସାହୁ

ଜିଦି ଛାଡି ଦେଖେ ଯେବେ
ଅସୁମାରୀ ମରୀଚିକା …
ଭଙ୍ଗାଗଢ଼ାର ନୀରବ ସ୍ବୀକୃତି…
ତୃଷାର୍ତ୍ତର ଯୁଗଯୁଗର ପ୍ରତୀକ୍ଷା…
ବିବଶରେ ନଇଁପଡି଼ ଛୁଇଁଦେଲି ମରୁବାଲି,
ଏଇଠି ଗଢ଼ିଦେବି ତୁମ ପ୍ରତିକୃତି
ବିଲୟର ପ୍ରହର ଆସିବା ପୂର୍ବରୁ …
ତୁମ ଆସିବାର ଖବର ପାଇଲେ
ତୁଟିଯିବ ଯୁଗଯୁଗର ଉପେକ୍ଷା ,
ନାଚିଯିବେ ମରୁବାସୀ ମେଘ ମହ୍ଲାରର ତାଳେ ,
ବାରିସିକ୍ତା ଓଠେ ଗାଇଯିବେ
ତୁମ ଅଭିନନ୍ଦନିକା,
ଆସିବ ମଳୟ ମନ୍ଦମନ୍ଦ ହସେ
ବାସନ୍ତିକ ରଜନୀରେ
ବିଭୋରିତ ରଙ୍ଗଣୀ ବେଶରେ ,
କୂଜନରେ ପୂରିଯିବ ଉଦାସୀ ହୃଦୟ !
ସଂକ୍ଷେପଣ କରେ ବୁଲବୁଲ
ଯେବେ ଗାଥା ଅତୃପ୍ତିର…
ଦୂରେ ବହୁଦୂରେ ଶୁଣି ଶୋଇଯିବ
ସମାଧିର ଅତୃପ୍ତ ମନଟି !
କାନପାରି ଚାହିଁଥିବି ଶୁଣିବାକୁ
ତୁମ ପାଦର ରୁଣୁଝୁଣୁ ଶବ୍ଦ,
ଥରିଯିବ ସର୍ବାଙ୍ଗ ଲହୁଲି ପରଶେ
ଚାହୁଁଥିବି ଆକାଶକୁ ପୁଣି ଥରେ
ଜହ୍ନର ଇତିବୃତ୍ତି ନିରୀକ୍ଷଣେ !
ପଚାରିବନି ଜହ୍ନକୁ ଜମା
ଯାଇଛି କି ଭୁଲି ?
କାଳେ ସେ କହିଦେବ
ତୁମ ଦେହେ ଲାଗିଛି ମୁଁ
ହୋଇ ମରୁବାଲି…!


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା

ମନ୍ତବ୍ୟ ରଖନ୍ତୁ..