ମୌନତାର ଆଭରଣ – ରାଜେଶ କୁମାର ମୁଣ୍ଡ

ଦେଖିଛ କି …
ଏଭଳି ଏକ ଆକାଶ, ଯୋଉଠି
ଅନେକ ଆଶାର ଆଲୋକ
ଆଉଟୁ ପାଉଟୁ ହେଉଥିବେ ଅଂଧାରରେ,
ଏଭଳି ଏକ ବିଶ୍ୱାସ
ଯୋଉଠି ଗୁଞ୍ଜରଣ ହେଉଥିବ
ଆଖି ବନ୍ଦ ଭଲ ପାଇବା,
ଏଭଳି ଏକ ସମୁଦ୍ର
ଯୋଉଠି
ଅସଂଖ୍ୟ ଜୁଆର ଥିଲେ ବି
ଥିବ ମୌନତାର ଆଭରଣ ।

ଫୁଲଟେ ସିନା
ଫୁଟିବା ଆଗରୁ ମହକେନି,
ହେଲେ ଜୀବନଟେ
ଜିଇଁବା ଆଗରୁ ଜିଇଁଉଠେ
ଅସଂଖ୍ୟ କାମନା ।

ମୁଁ କିନ୍ତୁ ଦେଖିଛି
ଅସଂଖ୍ୟ ସୁନା ମାଛ ଖେଳୁଥିବା
ସେଇ ଶୁଷ୍କ ହ୍ରଦକୁ,
ଯା’ କିନାରାରେ
ମହକୁଥାଏ ମହୁଲ ଫୁଲର
ମଦମତ୍ତ ବାସନା, ଆଉ
ତୁମ ଅଶ୍ରୁଳ ଆଖିରେ ..
ରୂପାୟିତ ଛବିଳ ସ୍ବପ୍ନ ।


ଧର୍ମଗଡ଼, କଳାହାଣ୍ଡି

ମନ୍ତବ୍ୟ ରଖନ୍ତୁ: