ଆଲୋଚନା – ଓଡିଆ ଗଳ୍ଦରେ ଗାନ୍ଧିବାଦୀ ଚେତନା – ଡକ୍ଟର ଲକ୍ଷ୍ମଣ ସାହୁ

ଜାତିର ଜନକ ମହାତ୍ମାଗାନ୍ଧି 1919 ରେ ଜାତୀୟ ରାଜନୀତିରେ ଯୋଗ ଦେଇ ସ୍ୱାଧିନତା ସଂଗ୍ରାମରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ତାଙ୍କର ଶାନ୍ତ ତଥା ବଳିଷ୍ଠ ବ୍ୟକ୍ତିତ୍ୱରେ ଆକୃଷ୍ଠ ହୋଇପଡିଥିଲେ ଭାରତର ଅଗଣିତ ଜନତା । 1919 ରୁ 1947 ପର୍ଯ୍ୟନ୍ତ ତାଙ୍କ ପରାମର୍ଶରେ ସ୍ୱାଧିନତା ସଂଗ୍ରାମର ସମସ୍ତ ଘଟଣାବଳୀ ପରିଚାଳିତ ହୋଇଥିଲା । ଅହିଂସା ଓ ଅସହଯୋଗ ଏଦୁଇଟି ଅସ୍ତ୍ରକୁ ଆଧାର କରି ସେ ଇଂରେଜମାନଙ୍କ ବିପକ୍ଷରେ ଦୁର୍ବାର ସଂଗ୍ରାମ କରି ସଫଳ ହୋଇଥିଲେ । ତାଙ୍କର ଆଦର୍ଶ ଓ ବ୍ୟକ୍ତିତ୍ୱ ପ୍ରତି ସମ୍ମାନ ଜଣାଇ ସେହି ସମୟକୁ ‘ଗାନ୍ଧିଯୁଗ’ ନାମରେ ଅଭିହିତ କରାଯାଏ । ଏହି ଐତିହାସିକ ଦୃଷ୍ଟିକୋଣରୁ ଗାନ୍ଧିଜୀ ଏ ଦେଶର ଜାତୀୟ ପିତା ଭାବରେ ପୂଜିତ । ଗାନ୍ଧିଜୀ ଜଣେ ବୈପ୍ଳବିକ ଚିନ୍ତକ ଥିଲେ । ମଣିଷ ପ୍ରକୃତିର ବିପୁଳ ପରିବର୍ତ୍ତନ ପାଇଁ ସେ କେବଳ କାର୍ଯ୍ୟ କରିନଥିଲେ, ବରଂ କଷଟି ପଥରରେ ପରୀକ୍ଷା କଲା ଭଳି ନିଜ ଜୀବନରେ ତାକୁ ପରୀକ୍ଷା କରିଥିଲେ । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାଷାରେ : Gandhi sought to pripare us for life in a disarmed world. ଏସବୁ ଦୃଷ୍ଟିରୁ ପ୍ରତ୍ୟେକ ସ୍ରଷ୍ଟା ତାଙ୍କ ସୃଷ୍ଟି ସର୍ଜନାରେ ତାଙ୍କ ମହାନତାକୁ କେବେ ଅସ୍ୱୀକାର କରନ୍ତି ନାହିଁ । ଯାହାର ବାସ୍ତବ ପ୍ରତିଫଳନ ଓଡିଆ ଗଳ୍ପରେ ପଡିଛି । କାରଣ ଓଡିଆ ଗଳ୍ପ ବିଭିନ୍ନ ସମୟର ପ୍ରାଣ ସ୍ପନ୍ଦନକୁ ଆପଣାର ଅଙ୍ଗୀଭୂତ କରି ଆଗେଇ ନେବାର ପ୍ରୟାସ କରି ଆସିଛି । ସମୟ ଚକ୍ରବ୍ୟୁହକୁ ନେଇ ଯେତେ ପ୍ରକାର ବାଦ ରହିଛି, ଆନ୍ଦୋଳନ ଦେଖା ଦେଇଛି ଓ ଯାହାସବୁ ମଣିଷକୁ ପ୍ରଭାବିତ କରି ଆସିଛି, ତାହାହିଁ ଓଡିଆ ଗଳ୍ପରେ ରୂପ ନେଇଛି । ବିଂଶ ଶତାଦ୍ଦୀର ପ୍ରାରମ୍ଭରୁ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶନ୍ଧି ପର୍ଯ୍ୟନ୍ତ ବହୁ ବାଦ(ism) ଦେଖାଦେଇଛି । ଗାନ୍ଧିଜୀଙ୍କ ଦର୍ଶନ ନୀତି,ସତ୍ୟ, ଅହିଂସା ନୀତିସମହକୁ ଭିତ୍ତିକରି ସେଭଳି ଗାନ୍ଧିବାଦ (gandhism) ଭାରତୀୟ ସାହିତ୍ୟରେ କେବଳ ନୁହେଁ ଓଡିଆ ସାହିତ୍ୟରେ ମଧ୍ୟ ତାର ପ୍ରଭାବ ପଡିଛି । ଓଡିଆ ସାହିତ୍ୟର ପ୍ରତ୍ୟେକଟି ବିଭାଗ କବିତା, ଗଳ୍ପ, ଉପନ୍ୟାସ ଆଦିରେ ତାର ଛାୟା ଦେଖାଦେଇଛି । ଗାନ୍ଧିବାଦ ଆପଣାର କାୟା ବିସ୍ତାର କରି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସକଳ ମଣିଷକୁ ଆପଣେଇ ନେଇ ଏକ ‘ବିଶ୍ୱ ସମାଜ’ ଗଠନ ପାଇଁ ଆହ୍ୱାନ ଯେ ଦେଇଛି ତାହା କୌଣସି ମତେ ଅସ୍ୱୀକାର କରିହେବ ନାହିଁ । ଓଡିଆ ଗଳ୍ପରେ ଏହାର ପ୍ରଭାବ ସ୍ୱାଧିନତା ପୂର୍ବବର୍ତ୍ତୀ ସାହିତ୍ୟରେ ପଡିଛି, ତାହାର କଳନା କରିବା ସହଜ ନୁହେଁ ।

ଗାନ୍ଧିଜୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ଯୁଦ୍ଧ ନୁହେଁ ଶାନ୍ତି, ହିଂସା ନୁହେଁ ଅହିଂସା ତାଙ୍କର ମାର୍ଗ । ସଂଗ୍ରାମ ନୁହେଁ କି ରକ୍ତପାତ କିବା ଗୋଳାବାରୁଦ ନୁହେଁ, ସତ୍ୟାଗ୍ରହ ତାଙ୍କର ଆଦର୍ଶ । ସତ୍ୟ ଓ ପ୍ରେମ ପ୍ରତି ଆନ୍ତରିକ ଶ୍ରଦ୍ଧା ଓ ଆତ୍ମନିଗ୍ରହ ଦ୍ୱାରା ସମସ୍ୟାର ସରଳ ସମାଧାନ ତାଙ୍କର ଦର୍ଶନ । ଏକଥା ସତ୍ୟଯେ, କୌଣସି ଜାତି ତାର ସାମରିକ ଶକ୍ତି, ଧର୍ମୀୟ ପୁରୋହିତ କିବା ରାଜନୈତିକ ନେତା ଦ୍ୱାରା କେବେ ମୁକ୍ତି ପାଏ ନାହିଁ, ରକ୍ଷାପାଏ ନାହିଁ, ବରଂ ସୁରକ୍ଷିତ ହୁଏ ତାର ଲୋକ କଲ୍ୟାଣକାମୀ ସନ୍ଥ ବିଚାର ଧାରାନୁଯାୟୀ ଅନୁସାରେ । ଗାନ୍ଧିଜୀ ଦେଶର ମୁକ୍ତି ପାଇଁ ଆନ୍ଦୋଳନ କରିଥିଲେ, କିନ୍ତୁ ରାଜନୀତି ପାଇଁ କେବେ ମୁଣ୍ତ ଖେଳାଇ ନଥିଲେ । ତାଙ୍କର ବେଶ ପୋଷାକ, ଆଚାର ବିଚାର ଦୃଷ୍ଟିରୁ ସେ ଜଣେ ସନ୍ଥଋଷି । ତେଣୁ ସେ ଥିଲେ ଭୟଶୂନ୍ୟ, ଲୋଭଶୂନ୍ୟ, ଘୃଣାଶୂନ୍ୟ । ଅସ୍ତ୍ର ଦ୍ୱାରା ନୁହେଁ, ଅନଶନ ଓ ପ୍ରାର୍ଥନା ଦ୍ୱାରା ଏକ ନୂତନ ମଣିଷ ସମାଜର ପରିକଳ୍ପନା ଥିଲା ତାଙ୍କ ଜୀବନର ବ୍ରତ । ସତ୍ୟ, ନ୍ୟାୟ, ଧର୍ମର ପଥାନୁସରଣରେ କର୍ମ ସଂପାଦନ କରିବାର କଠୋରତାକୁ ସେ ଶ୍ରେୟ କରୁଥିଲେ । ତେଣୁ ସେ ଭଲ ପାଉଥିଲେ ଉଭୟ ମଣିଷ ଓ ଭଗବାନଙ୍କୁ । ଜର୍ଜ କ୍ୟାଟଲିନ୍ ଙ୍କ ଭାଷାରେ, “More than a states man”. ବାସ୍ତବରେ ସେ କୌଣସି ବାଦର ପ୍ରବକ୍ତା ନଥିଲେ, ବରଂ ତାଙ୍କ ଜୀବନହିଁ ଥିଲା ଏକ ପରିପୂର୍ଣ୍ଣ ଜୀବନ୍ତ ତତ୍ତ୍ୱବାଦ । ସେ ନିଜେହିଁ ନିଜେ ବାଦ’ ପାଲଟି ଗଲେ । ଏକଦା ମୋରାଜୀ ଦେଶାଇ କହିଥିଲେ, “Gandhiji did not live any set doctrine of Gandhism behind him, but his life refects his philosophy which is so basic that it applies to every mankind.

ବାସ୍ତବିକ୍ ଗାନ୍ଧିଜୀ ଥିଲେ ଦାର୍ଶନିକ, ହିଂସାତ୍ମକ ପନ୍ଥାର ଘୋର ବିରୋଧି । ପୁଞ୍ଜିପାତି ନୁହେଁ, ପୁଞ୍ଜିବାଦର ବିରୋଧି । କର୍ତ୍ତବ୍ୟ ଓ ଅଧିକାର ଭିତରେ ସମନ୍ୱୟ ସ୍ଥାପନ କରିବା ଥିଲା ତାଙ୍କର ଲକ୍ଷ୍ୟ । ଯନ୍ତ୍ରଶିଳ୍ପର ବିରୋଧ କରି ସେ କହନ୍ତି, “ଯଦି ଭାରତ ଶିଳ୍ପ ପ୍ରଧାନ ହୁଏ, ତେବେ ଆମର ଜଣେ ନାଦିର ଶାହ ଆବଶ୍ୟକ ହେବେ ।” କୁଟୀର ଶିଳ୍ପ ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ତେଣୁ ସେ ଚାହୁଁଥିଲେ ମଣିଷ କେବେ ଯନ୍ତ୍ର ପାଲଟି ନଯାଉ, ଯନ୍ତ୍ରର ଦାସ ନହେଉ, ମଣିଷ ହେଉ ପୂର୍ଣ୍ଣ ମଣିଷଟିଏ । ସ୍ନେହ, ପ୍ରୀତି, ଶ୍ରଦ୍ଧା ଓ ମମତାର ମଣିଷ । ଫଳତଃ ଗାନ୍ଧିଜୀଙ୍କ ଏହି ଦର୍ଶନ, ଚିନ୍ତା ଓ ଭାବନା ଆପେ ଆପେ ଗାନ୍ଧିବାଦ ପାଲଟି ଗଲା । ସେ ନିଜ ସଂପର୍କରେ କେବେ କିଛି କହି ନାହାନ୍ତି, ବରଂ ତାଙ୍କର ଆଦର୍ଶ, ନୀତି, ଦର୍ଶନ ଗାନ୍ଧିବାଦରେ ରୂପାନ୍ତରିତ ହୋଇଗଲା । କାରଣ ଗାନ୍ଧିବାଦ କୌଣସି ଅସ୍ତ୍ର ଶସ୍ତ୍ର ଧରାଏନାହିଁ , ରକ୍ତପାତରେ ବିଶ୍ୱାସ କରେନା, ଭୌତିକ ଶକ୍ତିକୁ ସମର୍ଥନା ଦିଏନାହିଁ । କେବଳ ସମର୍ଥନ ଦେଇଛି ନୈତିକ ଶକ୍ତିକୁ, ବିବେକର ବାଣୀକୁ, ହୃଦୟର ଆସନ ଖୋଲି ଦେଇଛି ଦଳିତ, ପତିତ, ସର୍ବହରା, ଖଟିଖିଆ, ଦରିଦ୍ର, ଧନୀ, ମୁସଲମାନ, ଖ୍ରୀଷ୍ଟିୟାନ୍, ନରନାରୀ, ସମସ୍ତଙ୍କୁ । ବିଶ୍ୱ ଜନମାନସରେ ଗାନ୍ଧିବାଦର ଦ୍ରୁତ ପ୍ରସାର ଘଟିଛି । ସତ୍ୟ, ଅହିଂସାର ପ୍ରତୀକ ଗାନ୍ଧିବାଦ । ତାକୁ କେନ୍ଦ୍ର କରି ରଚିତ ହୋଇଛି ବହୁ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ନାଟକ ଆଦି, ଯାହାର କଳନା କରାଯାଇ ନପାରେ । ଭାରତୀୟ ସାହିତ୍ୟରେ ଆଶାପୂର୍ଣ୍ଣ ଦେବୀ, ପ୍ରେମ ଚାନ୍ଦ, ଆର୍,କେ, ନାରାୟଣ ଆଦି କେତେକ ପ୍ରସିଦ୍ଧ ଲେଖକ ସୃଷ୍ଟି କରିଯାଇଛନ୍ତି ଅନେକ ସାହିତ୍ୟ । ଓଡିଆ ସାହିତ୍ୟ ଜଗତରେ ମଧ୍ୟ ସେଭଳି ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, କାଳନ୍ଦି ଚରଣ ପାଣିଗ୍ରାହୀ, ଅନନ୍ତ ପ୍ରସାଦ ପଣ୍ତା, ମାୟାଧର ମାନସିଂହ, ହରେକୃଷ୍ଣ ମହତାବ, ଗୋପିନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ, ମନୋଜ ଦାସ, ଚନ୍ଦ୍ରଶେଖର ରଥ, ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ରାମଚନ୍ଦ୍ର ମିଶ୍ର ପ୍ରମୁଖ ବହୁ ଲେଖକ, ଲେଖିକାଙ୍କ ଗଳ୍ପ, ଉପନ୍ୟାସ, ନାଟକ, କବିତା, ପ୍ରବନ୍ଧ ଆଦିରେ ଗାନ୍ଧିବାଦର ଭାବଧାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପ୍ରତିପାଦିତ ହୋଇଛି ।

ଓଡିଆ ସାହିତ୍ୟର ବ୍ୟାସକବି ଫକିରମୋହନ ସେନାପତିଙ୍କ ଗଳ୍ପଗୁଡିକରେ ଗାନ୍ଧିବାଦର ସ୍ୱର ସ୍ପଷ୍ଟ ହୁଏ । ଗାନ୍ଧି ସତ୍ୟାଗ୍ରହ ଓ ଅହିଂସା ମାଧ୍ୟମରେ ସଂଗ୍ରାମ ଚଳାଇ ସଫଳ ହେବା ପରେ ନାରୀ ମୁକ୍ତି, ନାରୀ ଶିକ୍ଷା, ହରିଜନ ଆଦିର ମୁକ୍ତି ପଥ ଫକିରମୋହନଙ୍କ ସଭ୍ୟ ଜମିଦାର, ପେଟେଣ୍ଟ ମେଡିସିନ୍, ସୁନାବୋହୂ, ଅଧମ ବିତ୍ତ, ଗାରୁଡି ମନ୍ତ୍ର, ବଗଲା ବଗୁଲୀ ଆଦି ଗଳ୍ପରୁ ଗାନ୍ଧିବାଦ ଚିନ୍ତାଧାରା ସ୍ପଷ୍ଟ ବାରି ହୋଇପଡେ । ଏପରିକି ତାଙ୍କ ରଚିତ ପ୍ରାୟଶ୍ଚିତ ଉପନ୍ୟାସରେ ଗାନ୍ଧିବାଦୀ ଭାବନାର ଜୀବନ୍ତ ଚିତ୍ରର ପ୍ରତିଫଳନ ଘଟିଛି । ଗୋଦାବରୀଶ ମିଶ୍ରଙ୍କ ତୋଳା କନ୍ୟା, ବିଧବା କନ୍ୟା, ନାରୀର ଗତି, ପରିଚୟ ଆଦି ଗଳ୍ପରୁ ତ୍ୟାଗ, ସେବା, ନାରୀମୁକ୍ତି ଗାନ୍ଧିବାଦ ଆଦର୍ଶକୁ ସୂଚାଏ, ସେହି ଭଳି ସତ୍ୟବାଦୀ ବନବିଦ୍ୟାଳୟରେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁରକ୍ତ ଗୋଦାବରୀଶଙ୍କ ଗଳ୍ପରେ ଗାନ୍ଧିବାଦୀ ଚେତନା ପ୍ରତିଫଳିତ । ତାଙ୍କ ଦ୍ୱାରା ରଚିତ ଗଳ୍ପ ନୀଳମାଷ୍ଟାଣୀ, ଏ ମଣିଷକୁ ପଥର କଲା କିଏ, ପତିତାର ପୁଅ, ଦୁଇଟି ଟଙ୍କା ଆଦି ଗଳ୍ପଗୁଡିକରେ ପ୍ରତିଫଳିତ ହୋଇଛି । ତାଙ୍କ ଲିଖିତ ମାଗୁଣୀର ଶଗଡ ଏକ ଗାନ୍ଧିବାଦୀ ଦର୍ଶନର ସଫଳ କୃତି । ଯନ୍ତ୍ର ସଭ୍ୟତାର ଉଦ୍ଘାଟନରେ କୁଟୀର ଶିଳ୍ପର ଅବକ୍ଷୟ ଓ ଧ୍ୱଂସ ଗଳ୍ପଟିର କରୁଣ ଆବେଗର ପରିସମାପ୍ତି ଗାନ୍ଧିବାଦୀ ଦର୍ଶନକୁ ଉପହାସିତ କରିଛି । “କୁଟିଖାଅ କାଟିପିନ୍ଧ” ଗାନ୍ଧି ଦର୍ଶନର ବିପର୍ଯ୍ୟୟକୁ ଦର୍ଶାଇଛି । ଗୋଦାବରୀଶଙ୍କ ଏବେ ମଧ୍ୟ ବଞ୍ଚିଛି, ନୀଳ ମାଷ୍ଟ୍ରାଣୀ ଆଦି ସ୍ତୁତି ସଞ୍ଚୟନ ଗଳ୍ପ ସଂକଳନରେ ଗାନ୍ଧିବାଦୀ ଭାବଧାରାର ସମୟ ରୂପଚିତ୍ର ଦେଖିବାକୁ ମିଳିଥାଏ । ସେଭଳି କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ଗୁଡିକରେ ଗାନ୍ଧିବାଦୀ ଆଦର୍ଶର ଛଟା ଦେଖିବାକୁ ମିଳେ । ମାଟିର ମଣିଷ, ଲୁହାର ମଣିଷ, ମୁକ୍ତା ଗଡର କ୍ଷୁଧା, ଅମର ଚିତା ଏହି ଉପନ୍ୟାସ ଗୁଡିକ ଗାନ୍ଧିଜୀଙ୍କ ମାନବ ସେବା ହିଁ ମାଧବ ସେବା, ଅହିଂସା, ପାରିବାରିକ ସଂହତି, କୃଷିଶ୍ରମ ଆଦିର ଭାବଧାରାକୁ ପ୍ରକାଶ କରେ । ଏପରିକି ଭଗବତୀ ପାଣିଗ୍ରାହୀ ମାଂସର ବିଳାପ, ଆତ୍ମ କାହାଣୀ, ରୁଦ୍ରାକ୍ଷ, ପଙ୍ଗୁ, ସାପୁଆ ପ୍ରଭୃତି ଗଳ୍ପଗୁଡିକୁ ବିଶ୍ଳେଷଣ କଲେ, ଗାନ୍ଧି ଭାବଧାରା ପ୍ରବର୍ତ୍ତିତ ଅହିଂସା ଓ ମାନବିକ ଚେତନାର ବାସ୍ତବତାକୁ ଦର୍ଶାଇ ଦିଆଯାଇଛି ।

ସ୍ୱାଧିନତା ପୂର୍ବବର୍ତ୍ତୀ କାଳରେ ନିତ୍ୟାନନ୍ଦ ମହାପାତ୍ରଙ୍କ ଗଳ୍ପରେ ଗାନ୍ଧିବାଦ ଚେତନାର ଛାପ ପଡିଛି । ଖ୍ୟାତନାମା ଗାଳ୍ପିକ ମନୋଜ ଦାସଙ୍କ ଅପହୃତ ଟୋପିର ରହସ୍ୟ, ନୂଆଦିନ, ଆବୁପୁରୁଷ, ଲକ୍ଷ୍ମୀର ଅଭିସାର, ସୁନ୍ଦର ଦାସଙ୍କ ସନ୍ଧାନ ଆଦି ଗଳ୍ପଗୁଡିକରେ ଗାନ୍ଧିବାଦ ପ୍ରତି ରହିଥିବା ଅହେତୁକ ଶ୍ରଦ୍ଧା ଓ ନିବେଦନ ଅତି ମହନୀୟ ପରିପ୍ରକାଶ ଅଟେ । ସେଭଳି ବାମାଚରଣ ମିତ୍ରଙ୍କ ହୋଲି ଗଳ୍ପକୁ ଅନୁଧ୍ୟାନ କଲେ ଗାନ୍ଧିବାଦର ଏକ ଚମତ୍କାର ପ୍ରତିଧ୍ୱନୀ ଶୁଭେ । ହିନ୍ଦୁ ଓ ମୁସଲମାନ ଦୁଇ ସଂପ୍ରଦାୟ ଭିତରେ ଦୀର୍ଘକାଳ ଧରି ଠିଆ ହୋଇଥିବା ପାଚେରି ଭାଙ୍ଗି ହୋଲି ଖେଳିବା ଚମତ୍କାର ଦୃଷ୍ଟାନ୍ତ ଦେଇଛନ୍ତି । ଏତଦବ୍ୟତୀତ ଜଗଦୀଶ ମହାନ୍ତିଙ୍କ, ରବି ପଟ୍ଟନାୟକ, ବିଷ୍ଣୁ ସାହୁ, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ସାତକୋଡି ହୋତା, ପଦ୍ମଜ ପାଳ, ମହାପାତ୍ର ନୀଳମଣି ସାହୁ ପ୍ରଭୃତିଙ୍କ ଗଳ୍ପରେ ଗାନ୍ଧିବାଦୀ ଚେତନା ଅନୁଭବ କରିହୁଏ ।

ଗାନ୍ଧିବାଦର ମହିମା, ମହତ୍ତ୍ୱ ଓ ଶ୍ରେଷ୍ଠତ୍ୱ ବାସ୍ତବ ପକ୍ଷରେ ଉଚ୍ଚକୋଟୀର । ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଆବିର୍ଭାବ ଘଟିଥିବା ଏହି ମହାପୁରୁଷ ଥିଲେ ସତ୍ୟ ଓ ଅହିଂସାର ପୂଜାରୀ । ସେ ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ ଦେଇଥିଲେ ମଧ୍ୟ ଅନଶନ, ସତ୍ୟାଗ୍ରହ କଥା ବି କହିଥିଲେ, ଏପରିକି ସାଂପ୍ରଦାୟିକ ସଦଭାବ ସ୍ଥାପନର କଥା, ଅସ୍ପୃଶ୍ୟତା ଓ ଜାତିପ୍ରଥା ନିବାରଣ କଥା କହିଥିଲେହେଁ ଆଜି ତାର ପ୍ରଭାବ କେହି ବୁଝୁ ନାହାନ୍ତି । ଯନ୍ତ୍ରଶିଳ୍ପର ବିରୋଧ କରାଯାଉଥିଲେ ମଧ୍ୟ ଏବେବି ଯନ୍ତ୍ରଶିଳ୍ପ କାୟା ବିସ୍ତାର କରିଚାଲିଛି । କେବଳ ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ୱରେ କାୟାବିସ୍ତାର କରୁଛି । ଏପରି ମଧ୍ୟ ବିଶ୍ୱର କୋଣ ଅଣୁକୋଣରେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବଦଳରେ ଅସତ୍ୟ ଓ ହିଂସାର ପ୍ରମତ୍ତଲୀଳା ସୃଷ୍ଟି ହୋଇଛି । ଅର୍ଥ, କ୍ଷମତା ଓ ବାହୁଶକ୍ତି ରାଜନୀତିକ ପ୍ରତିପତ୍ତି ସମସ୍ତଙ୍କୁ ଗ୍ରାସିଛି । ବ୍ୟକ୍ତିଗତ ଉପଭୋଗ, ତୃଷ୍ଣା କ୍ଷମତାର ଲାଳସା ସବୁରିଙ୍କୁ ନିଶାଗ୍ରସ୍ତ କରିଦେଇଛି ।

ସାହିତ୍ୟ ସମାଜର ଦର୍ପଣ । ସାହିତ୍ୟିକମାନେ ସମାଜର ଜାଗ୍ରତ ବିବେକବନ୍ତ ପ୍ରହରୀ । ସେଇମାନେହିଁ ପଥହରା ପଥିକକୁ ସଠିକ ପଥ ଦର୍ଶାଇ ଥାନ୍ତି । ସଂକଟଗ୍ରସ୍ତ ପରିସ୍ଥିତିରେ ଜନଚେତନାକୁ ଉଦ୍ବୋଧନ ଦେଇ ନୂତନ ମାର୍ଗରେ ପରିଚାଳନା କରନ୍ତି । ସ୍ୱାଧିନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ବହୁ ଗାଳ୍ପିକ, ଉପନ୍ୟାସିକ, କବି, ପ୍ରାବନ୍ଧିକ ଗାନ୍ଧିବାଦୀ ଦର୍ଶନରେ ଅନୁପ୍ରାଣିତ ହୋଇଥିଲେ । ଏବେବି ବହୁ ତରୁଣ ଓ ପ୍ରବୀଣ କଥାକାରମାନଙ୍କ ଗଳ୍ପରେ, ଭାବନାରେ ଗାନ୍ଧିବାଦର ଝଲକ “ରାମ ରାଜ୍ୟ”ର ସ୍ୱପ୍ନ ରହିଛି । ନିମ୍ନବର୍ଗର ଓ ନିମ୍ନଜାତିର ମଣିଷମାନଙ୍କର ସମସ୍ୟାକୁ ଦର୍ଶାଇବା ସହ ସେମାନଙ୍କ ଭିତରେ ଦୃଢ ଆତ୍ମ ବିଶ୍ୱାସ ଭରିଦେବାରେ ପ୍ରଚେଷ୍ଟା କରୁଛନ୍ତି । ନାନା ସଂପ୍ରଦାୟ ଭିତରେ ସଂହତି ସ୍ଥାପନର ଆହ୍ୱାନ ଦେଉଛନ୍ତି । ନାରୀ ମୁକ୍ତି ଓ ନାରୀ ସ୍ୱାତନ୍ତ୍ର୍ୟ ପାଇଁ ଉତ୍ସାହ ଓ ପ୍ରେରଣା ଦେଉଛନ୍ତି । ତେଣୁ ଗାନ୍ଧି ଦର୍ଶନ/ଗାନ୍ଧିଜୀ ଜଣେ ବାଦ (gandhi+ism : Gandhism ) ପାଲଟି ଗଲେ; କଥାକାରମାନଙ୍କ ଗଳ୍ପରେ, ଉପନ୍ୟାସିକମାନଙ୍କ ଉପନ୍ୟାସରେ, କବିମାନଙ୍କ କାବ୍ୟକବିତାରେ, ପ୍ରାବନ୍ଧିକମାନଙ୍କ ବୌଦ୍ଧିକ ପ୍ରବନ୍ଧରେ । ସତରେ ସେ ସ୍ରଷ୍ଟାର ସୃଷ୍ଟିରେ, ସୃଷ୍ଟି ମାନସରେ ସେ ପାଲଟି ଯାଇଛନ୍ତି ଏକ ଅଲିଭା ବ୍ୟକ୍ତି, ଯୁଗଜନ୍ମା; ଏଜାତି, ସମାଜ, ସାହିତ୍ୟ ତାଙ୍କୁ ପ୍ରଣିପାତ କରେ !!!


ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : 94377 40280

ମନ୍ତବ୍ୟ ରଖନ୍ତୁ: