ରାଞ୍ଚି

ମାନମୟୀ ରଥ, ଅଧ୍ୟକ୍ଷା
ଗୌରୀଶଙ୍କର ପବ୍ଲିକ ସ୍କୁଲ, ବୌଦ୍ଧ

ସଞ୍ଜ ହୋଇଯିବା ପୂର୍ବରୁ ମୁଁ ବରମୁଣ୍ଡା ଛାଡିଦେବାକୁ ଚାହୁଁଥିଲି । ଦିନ ଦ୍ଵିପହରେ ଏକାଥିଲେବି ମାଡି ପଡିଲା ଭଳି ଜାଗାଟା । ବହୁ ବସ ଓଭରବ୍ରିଜ ତଳେ ଗଦା ହୋଇଥିଲେ । କିଏ ବସଷ୍ଟାଣ୍ଡ ଆଡକୁ ମାଡିଯାଉଥିଲା ତ କିଏ ବାହାରିବ ବାହାରିବ ହୋଇ ହଟଚମଟ ଦେଖାଉଥିଲା । ବରମୁଣ୍ଡାରୁ ପୁରୀ ଆଡକୁ ଯାଇଥିବା ରାସ୍ତାରେ ଚାଲ ଚାଲ ହୋଇ ପୁରୀ ବସ ଠଉରେଇବାକୁ ଚାହୁଁଥିଲି । ସତ କହିବାକୁ ଗଲେ ବସଷ୍ଟାଣ୍ଡର ଗହଳି ଭିତରେ ସିଟ ଆବୋରି ବସିବା ଅପେକ୍ଷା ଏମିତି ନଜାଣିଲା ଭଳି ଉଠିବା ମୋ ଅଭ୍ୟାସ । କେତେବେଳେ ବାରିପଦା, କେତେବେଳେ ବାଲେଶ୍ଵର, କଟକ ଏପରିକି ଅନୁଗୁଳୁ, ଝାରସୁଗୁଡା ବସ ମତେ ଡେଇଁ ଦଉଡି ଯାଉଥିଲେ । କେହି କେହି ମୋ ପାଖରେ ଅଟକି କଟକ ନେବାକୁ ଆଗ୍ରହ ଦେଖାଉଥିଲେ । ସନ୍ଧ୍ୟାର ଅନ୍ଧାରିପତା ଭାରି ପଡୁଥିଲା ମତେ । ଦ୍ରୁତଗତିରେ ବାହାରି ଆସୁଥିବା ଗୋଟେ ବସକୁ ପୁରୀ ଯାଉଛି ଜାଣି ଚଢିଗଲି । ଫାଙ୍କା ଥିଲା ବସ । ଝରକା ପାଖ ସିଟ ଲୋଭରେ ଅଣ୍ଡାଳି ହେଉ ହେଉ ବସ ରସୁଲଗଡ ଡେଇଁ କଳ୍ପନା ପରିବର୍ତ୍ତେ କଟକ ଆଡକୁ ମୁହାଁଇଲା । ପ୍ରଥମେ ଭାବିଲି ଓଭରବ୍ରିଜ ଯୋଗୁଁ ବୋଧହୁଏ ସମସ୍ୟା ହେଉଛି ଜାଣିବାରେ । ନିଶ୍ଚିତ ହେଲି ଯେତେବେଳେ ପଳାଶୁଣି ଛକରେ ସହାସ୍ୟ ହିନ୍ଦୀକୁହା ପରିବାର ଉଠିଲେ ।

ଛାନିଆରେ କଣ୍ଡକଟରକୁ ପଚାରିଲି, ଇଆଡେ କୁଆଡେ ? ଅଧାଅଧି ବାଳ ଝଡି ଯାଇଥିବା ଡେଙ୍ଗା ସଳଖ ଲୋକ ଯିଏ ବ୍ୟାଗ ଖଣ୍ଡେ ବାହୁରେ ଜାକି ଲୋକ ମାନଙ୍କୁ ଥଇଥାନ କରୁଥିଲା ଓଲଟା ମତେ ପଚାରିଲା କାହାଁ ଯାଓଗେ ? ପୁରୀ॰॰ ମୋ ଥତମତ ଉତ୍ତର ପୁରା ଫୁସୁକି ଯାଇଥିବା ବେଲୁନ ଭଳି ଲଡପଡ । ୟେ ବସ ରାଞ୍ଚି ଯାଏଗି॰॰ ସେ ଘୋଷଣା କଲା । ସେତେବେଳକୁ ପାହାଳ ପାଖାପାଖି ବସ । ପ୍ଳିଜ ରୁକାଦିଜିଏ ବସ । ମୁଝୁକୋ ପୁରୀ ଯାନା ହେ । ମତେ ଭଲ ହିନ୍ଦୀ କହି ଆସେନି । କେଜାଣି କେତେ ଠିକ କେତେ ଭୁଲ ହେଲା । ଝରକା ପାଖ ସିଟରୁ ଦୌଡି ଆସିଥିଲି ମୁଁ ଗେଟ ପାଖକୁ । ବସକୁ ଅଟକେଇବା ପୂର୍ବରୁ ଡ୍ରାଇଭର ବାବୁ ବୁଝି ସାରିଥିଲେ ବୋଧହୁଏ । ତୁରନ୍ତ ବସ ଅଟକେଇ ମତେ ଚାହିଁ ସ୍ମିତ ହସିଲେ । ଏତେବଡ଼ ଦେହଧାରୀ ଲୋକ ସେ ପୁଣି ନୀଳ ରଙ୍ଗର ହାତକଟା ଗଞ୍ଜି ଖଣ୍ଡେ ପିନ୍ଧି ମତେ ଚାହିଁ ହସନ୍ତେ ତ କେମିତି ଗୋଟେ ଲାଗିଲା॰॰ । ତର ତର ହୋଇ ତଳକୁ ଓହ୍ଲଉଛିତ ସେ କହିଲେ॰॰ ଆପ ସହି ବସ ହିଁ ପକଡି ଥି । ଆପକୋ ଥୋଡା ଘୁମକେ ଆ ଯାନା ଚାହିଏ । ସାରା ବସରେ ସଶବ୍ଦ ହସର ରୋଳଟେ ପହଁରିଗଲା ଏ ମୁଣ୍ଡ ସେ ମୁଣ୍ଡ । ନିଜକୁ ପ୍ରବୋଧିଲି ଭଲହେଲା ଘର ପାଇଁ ହେଲେ କିଛି ଉନ୍ନତ୍ତ ମାନର ପାହାଳ ରସଗୋଲା କିଣି ନେଇ ହବ । ତୁଛାଟାରେ କୋଊ ଆସି ହେଇଥାନ୍ତା ପାହାଳ ! କଟକ ପୁରୀ ବସରେ କଳ୍ପନା ଛକ ଯାଏଁ ରୁନ୍ଧି ହୋଇ ଆସିଲାବେଳେ ହସର କାରଣ ଜାଣିବାକୁ ଚାହିଁ ଲଜ୍ଜିତ ହେଲି । ଆପଣମାନେ ବୁଝିଲେ ନା ମତେ ବୁଝେଇବାକୁ ପଡିବ ।

ମନ୍ତବ୍ୟ ରଖନ୍ତୁ