ଆଲୋଚନା – ପଞ୍ଚସଖାଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ – ଡକ୍ଟର ଲକ୍ଷ୍ମଣ ସାହୁ

ପଞ୍ଚଦଶ ଶତାଦ୍ଦୀର ମାଟିର ମହାକବି ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ପରେ ଷୋଡଶ ଶତକରେ ଓଡିଶାରେ ପାଞ୍ଚ ଜଣ ଯୁଗଜନ୍ମା ମହାପୁରୁଷ ସନ୍ଥ, ତତ୍ତ୍ୱଦର୍ଶୀ, ବୈଷ୍ଣବ ସାଧକ, କବି ଓଡିଆ ସାହିତ୍ୟ ସାଧନାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ପରବର୍ତ୍ତୀ କାଳରେ ପଞ୍ଚସଖା ନାମରେ ପରିଚିତ ହୋଇଛନ୍ତି, ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ । ଓଡିଆ ସାହିତ୍ୟରେ ପଞ୍ଚସଖା ଯୁଗକୁ ଭକ୍ତି ଯୁଗର ଉତ୍ତରଣ କାଳ କୁହାଯାଏ । ପଞ୍ଚଦଶ ଶତାଦ୍ଦୀର ପ୍ରଚଣ୍ତ ମାର୍ତ୍ତଣ୍ତ ଆଦିକବି ସାରଳା ଦାସଙ୍କ ଆଙ୍ଗୀକ ତଥା ଆତ୍ମିକର ପରିବର୍ତ୍ତନ୍ନରେ ନୂତନ ଧରଣର ସାହିତ୍ୟର ଆବେଦନ ଉପରେ ସୃଷ୍ଟି କରିଗଲେ ପଞ୍ଚସଖା ଯୁଗର ସ୍ରଷ୍ଟାଗଣ । ପ୍ରଥମେ ଏମାନେ ଭକ୍ତ ଓ ପରେ କବି ତଥା ପୁରାଣକାର ଭାବେ ପରିଚୟ ପାଇଛନ୍ତି । ପଞ୍ଚସଖା ସାହିତ୍ୟ ସୃଷ୍ଟି କାଳରେ ଗଜପତି ପ୍ରତାପ ଦେବ ଥିଲେ ଓଡିଶାର ଶାସକ । ତାଙ୍କ ସମୟରେ 1509ରେ ଶ୍ରୀଚୈତନ୍ୟଙ୍କ ଓଡିଶା ଆଗମନ ଓ ଗଜପତିଙ୍କ ପୃଷ୍ଠପୋଷକତା ଲାଭ ଫଳରେ ବୈଷ୍ଣବ ଧର୍ମ ରାଷ୍ଟ୍ର ଧର୍ମରେ ପରିଣତ ହେଲା । ଶ୍ରୀଚୈତନ୍ୟ ଜଗନ୍ନାଥ ପ୍ରଭୃଙ୍କୁ ଦର୍ଶନ କରି ଭକ୍ତି ଗଦ୍ ଗଦ୍ ହୋଇ ଶ୍ରୀଜଗନ୍ନାଥଙ୍କ ଭିତରେ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ପାଇଲେ । ଯଦିଶ୍ଚ ବହୁ ପୂର୍ବରୁ ଓଡିଆରେ ଦ୍ୱାଦଶ ଶତାଦ୍ଦୀରେ ଜୟଦେବ ତାଙ୍କ ଗୀତଗୋବିନ୍ଦରେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ଅଭିନ୍ନ ବୋଲି ବହୁ ଆଗରୁ ଦର୍ଶାଇଛନ୍ତି । ଅବଶ୍ୟ ଐତିହାସିଈ ଦୃଷ୍ଟିକୋଣରୁ ପଞ୍ଚସଖା ଯୁଗବେଳକୁ ବୌଦ୍ଧଧର୍ମ ପ୍ରଚାର ନିସ୍ତେଜ ହୋଇପଡିଥିଲା । ଇନ୍ଦ୍ରଭୂତି ତାଙ୍କ ଞ୍ଗାନସିଦ୍ଧି’ ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କୁ ବୃଦ୍ଧରୂପେ ଦର୍ଶାଇ ଲେଖିଛନ୍ତି-

‘ପ୍ରଣିପତ୍ୟ ଜଗନ୍ନାଥଂ ସର୍ବହୀନ ବରାଜିତଂ
ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମଂ
ସର୍ବଦଂ ସର୍ବ ସତ୍ତ୍ୱେ ଭ୍ୟଃ ସର୍ବଞ୍ଗାଂବର ବଦ୍ରିତାମ୍
ଭକ୍ତ୍ୟାହଂ ସର୍ବଭାବେନ ବକ୍ଷେ ତଦ୍ ସାଧନଂପରଂ ।”

ଏହାଥିଲା ଶ୍ରୀଜଗନ୍ନାଥଙ୍କ ଯତ୍ ସାମାନ୍ୟ ରୂପରେଖର ଆଦ୍ୟଭାସ । ସାରଳା ଦାସ ମହାଭାରତରେ ଏହା ବର୍ଣ୍ଣନାରେ ତତ୍ତ୍ୱର ପତଳା ଆବରଣ ଥିଡାବେଳେ ପଞ୍ଚସଖାମାନେ ତତ୍ତ୍ୱଦର୍ଶୀଥିବାରୁ ସେମାନେ ଶ୍ରୀଜଗନ୍ନାଥଙ୍କୁ ନିର୍ଗୁଣର ଦେବତା ଭାବେ ଦର୍ଶାଇଛନ୍ତି । ଧର୍ମଦୃଷ୍ଟିରୁ ବିଭିନ୍ନ ବୀଜମନ୍ତ୍ର ସହ ତତ୍ତ୍ୱରେ ଜଗନ୍ନାଥଙ୍କ ତ୍ରିମୂର୍ତ୍ତି ଓ ଚତୁର୍ଦ୍ଧାମୂର୍ତ୍ତିର ସମ୍ବନ୍ଧ ଓ ସଂପର୍କ ସ୍ଥାପନ କରି ପଞ୍ଚସଖାମନେ ନିଜସ୍ୱ ଦୃଷ୍ଟି କୋଣର ପରିଚୟ ଦେଇଛନ୍ତି । ପଞ୍ଚସଖା ସାହିତ୍ୟ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ଗଢିଉଠିଛି । ଶ୍ରୀଜଗନ୍ନାଥଙ୍କୁ ନାଭିକେନ୍ଦ୍ରକରି ପଞ୍ଚସଖାର ପ୍ରତ୍ୟେକ ବୈଷ୍ଣବ ସନ୍ଥ ଜଗନ୍ନାଥପ୍ରାଣା ଭକ୍ତକବି ସୃଷ୍ଟି କରିଯାଇଛନ୍ତି ସେମାନଙ୍କ ତତ୍ତ୍ୱଦର୍ଶୀ କାବ୍ୟ ଓ ପୁରାଣ । ବୈଷ୍ଣବ ଧର୍ମକୁ ମୂଖ୍ୟତଃ ଉତ୍କଳୀୟ ଓ ଗୌଡୀୟ ଦୁଇଭାଗରେ ବିଭକ୍ତ କରାଯାଇଥାଏ । ଗୌଡୀୟ ବୈଷ୍ଣବମାନେ ପ୍ରେମକୁ ଆଧାରକରି ଶ୍ରୀକୃଷ୍ଣଙ୍କୁ ଆରାଧ୍ୟ ଦେବତା ଭାବେ ପରିକଳ୍ପନା କରୁଥିବାବେଳେ, ଉତ୍କଳୀୟ ବୈଷ୍ଣବମାନେ ଞ୍ଗାନମିଶ୍ରା ଭକ୍ତି ଓ ଶ୍ରୀଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜାକରି ଆସିଛନ୍ତି । ଞ୍ଗାନମିଶ୍ରା ଭକ୍ତିର ସୃଷ୍ଟି ଉତ୍ସରୂପେ ବେଦାନ୍ତ ଦର୍ଶନ, ସାଂଖ୍ୟ ଦର୍ଶନ ଓ ତତ୍ତ୍ୱ ମିଶ୍ରିତ ପାଞ୍ଚରାତ୍ର ଧର୍ମରପୀଠ ଶ୍ରୀକ୍ଷେତ୍ରକୁ ବୁଝାଯାଏ । ଖ୍ରୀଷ୍ଟିୟ ଦ୍ୱାଦଶ ଶତଦ୍ଦୀରେ ରାମାନୁଜ ପୁରୀ ଆସି ଜଗନ୍ନାଥଙ୍କ ନିକଟରେ ଏହି ପାଞ୍ଚରାତ୍ର ପଦ୍ଧତି ପ୍ରଚଳନ କରାଇଥିଲେ । ବ୍ୟୁହ, ଅବତାର ଓ ଶକ୍ତି (ଯଥା ଧର୍ମକାୟା, ସମ୍ଭୋଗକାୟା ଓ ନିମାଣକାୟାର ରୂପାନ୍ତର) ପଞ୍ଚରାତ୍ର ପଦ୍ଧତିର ତିନୋଟି ବିଭାବ । ପ୍ରତ୍ୟେକ ବ୍ୟୁହରେ ବିଷ୍ଣଙ୍କ ଜଣେ ଜଣେ ଅବତାର ନିଜ ନିଢ ଶକ୍ତିମାନଙ୍କ ସହ ସମନ୍ୱୀତ ହୋଇ ପ୍ରତିଷ୍ଠିତ ଥାଆନ୍ତି । ପଞ୍ଚରାତ୍ର ପରମ୍ଫରା ଅନୁଯାୟୀ ମହାବିଷ୍ଣୁ ମହାନିଶାନର ଅବସାନ କାଳରେ ପ୍ରକୃତି ବା ନିଜଶକ୍ତିଠାରୁ ବିଚ୍ଛିନ୍ନ ହୋଇ ପ୍ରଥମେ ବାସୁଦେବରେ ରୂପାନ୍ତରିତ ହୋଇଥିଲେ । ପରେ ବାସୁଦେବରୁ ଶଙ୍କର୍ଷଣ, ଶଙ୍କର୍ଷଣରୁ ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ଠାରୁ ଅନିରୁଦ୍ଧ କ୍ରମରେ ଅବତାର ଭାବେ ପ୍ରକଟିତ ହୋଇଥିଲେ । ମହାଯାନି-ତାନ୍ତ୍ରିକ ବୌଦ୍ଧ ଭାବନ ଦ୍ୱାରା ପାଞ୍ଚରାତ୍ର ପଦ୍ଧତି ଗଠିତ ହୋଇଥିବାରୁ ବିଷ୍ଣୁ ପୁରୁଷୋତ୍ତମ ଏଥିରେ “ଶୂନ୍ୟ” ରୂପେ ପରିକଳ୍ପତ ହୋଇଛନ୍ତି ।

ସେଭଳି ମାଧବାଚାର୍ଯ୍ୟ ପରମାତ୍ମାଙ୍କ ଠାରୁ ଜୀବାତ୍ମାର ସ୍ୱାତନ୍ତ୍ର୍ୟକୁ ଆଧ୍ୟାତ୍ମିକ ଭାବନାର ଭିତ୍ତିରୂପେ ପ୍ରକଟ କରିଛନ୍ତି । ସେ ଥିଲେ ଦ୍ୱୈତବାଦୀ । ତାଙ୍କ ଦ୍ୱୈତବାଦ ଯୋଗଦର୍ଶନ ଉପରରେ ପ୍ରତିଷ୍ଠିତ । ତାଙ୍କ ତତ୍ତ୍ୱରେ ଶ୍ରୀକୃଷ୍ଣ ପୂଜନୀୟ ହେଲେବି ସେ ଗୋପାଳ-ଶ୍ରୀକୃଷ୍ଣ ନୁହଁନ୍ତି, ସେ ନାରାୟଣ ନାମରେ ଅଧିକ କୀର୍ତ୍ତିତ ଥିଲେ । ଉତ୍କଳୀୟ ବୈଷ୍ଣବ ସଂପ୍ରଦାୟରେ ମାଧବାଚାର୍ଯ୍ୟଙ୍କ ଦ୍ୱୈତବାଦ ଅଧିକ ଆବୃତ୍ତ ଥିଲା । ଅଚ୍ୟୁତାନନ୍ଦଙ୍କ ଦାସଙ୍କ ‘ଭକ୍ତିଭାବ ବ୍ରହ୍ମଯୋଗ’ ଈଶ୍ୱର ଦାସଙ୍କ ‘ଚୈତନ୍ୟ ଭାଗବତ’ ଓ ଦିବାକର ଦାସଙ୍କ ‘ଜଗନ୍ନାଥ ଚରିତାମୃତ’ ମାଧବ ବା ମାଧବେନ୍ଦ୍ର ଗୁରୁଭାବରେ ସେ ସ୍ୱୀକୃତ ହୋଇଛନ୍ତି । ପଞ୍ଚସଖା କାଳରେ ନାନା ଭାବରେ ନାନା ଆଧ୍ୟାତ୍ମିକ ତତ୍ତ୍ୱ, ଭାବନା ଓ ମତବାଦ ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ବୈଷ୍ଣବ-ତତ୍ତ୍ୱରେ ଦୀକ୍ଷିତ କରିବା ପାଇଁ ଏକ ନିଦ୍ଦିଷ୍ଟ ସୂତ୍ରବଦ୍ଧ ନିୟମ ରାମାନୁଜଙ୍କଠାରୁ ଆରମ୍ଭ ହୋଇଥିଲେ ବି ଜଗନ୍ନାଥ’ ତଥାପି ବୁଦ୍ଧତ୍ୱ ମଧ୍ୟରେ ସୀମିତ ଥିଲେ । ବୌଦ୍ଧ-ତ୍ରିକାୟା (ଧର୍ମ, ବୁଦ୍ଧ ଓ ସଂଘ) ବା ତ୍ରିମୂର୍ତ୍ତିର ସମାହାର ଅବଲୋକିତେଶ୍ୱର ବା ଲୋକନାଥ ନାମରେ ପରିଚିତ ଥିଲେ । ଶଙ୍କରଙ୍କ ସ୍ମାର୍ତ୍ତ ପଦ୍ଧତି, ରାମାନୁଜଙ୍କ ପଞ୍ଚରାତ୍ର ପଦ୍ଧତି ଓ ବୈଷ୍ଣବାଚାର୍ଯ୍ୟ ମାନଙ୍କ ନିଜ ସଂପ୍ରଦାୟ ଅନୁସାରେ ବିଭିନ୍ନ ମନ୍ତ୍ର ଓ ପଦ୍ଧତିରେ ଜଗନ୍ନାଥଙ୍କୁ ଆରାଧିତ ଓ ପୂଜିତ କରାଯାଉଥିଲେବି ପୂଜା ତଥା ଆରାଧନା ପଦ୍ଧତି ମଧ୍ୟରେ ଯୋଗାଚାର ତତ୍ତ୍ୱରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ବିଚାର ଥିଲା, ଯାହା କେବଳ ଷୋଡଷ ଶତାଦ୍ଦୀର ପଞ୍ଚସଖାଙ୍କ ଆଧ୍ୟାତ୍ମିକ ତତ୍ତ୍ୱରେ ପ୍ରଚାରିତ ହୋଇ ଯଥା ଯୋଗ୍ୟ ସମ୍ମାନ ପାଇଛି । ସାରଳା ମହାଭାରତରେ ଯୋଗାଚାର ତତ୍ତ୍ୱର ଉଲ୍ଲେଖଅଛି :

‘ଯୋଗାସନେ ବସି କର ଚଉଷଠି ମୁଦ୍ରା
ପଞ୍ଚମନ ଏକ କରି ତେଜି ମୋହ ନିଦ୍ରା ।
ମାୟାକୁ ବିନାଶି ଦଶ ଦ୍ୱାରକୁ ନିରୋଧି
ବ୍ରହ୍ମେ ଲୟ ରଖ ଅଣଚାଶ ବାୟୁ ରୁନ୍ଧି ।
ଇଁଅଳା ପିଁଅଳା ଶିଶୁମୁନୀ ତିନି ନାଡି
ନୀରୋଧି ପବନକୁ, ଯେ ଏକ ଦ୍ୱାରେ ଛାଡି ।
ଘଣ୍ଟିକା ଲେଉଟି ଛାନ୍ଦ ଖେଚରୀର ମୁଦ୍ରା
ତେବେ ଯେ ତୋତେ ନୋହିବ ଆଉ ମହାମୁଦ୍ରା ।”

ସାରଳା ଦାସଙ୍କ ପରେ ପରେ ଏହି ଆଧ୍ୟାତ୍ମିକ ସାଧନାର ଅପ୍ରତିହତ ଧାରା ପଞ୍ଚସଖାଙ୍କ ପଞ୍ଚସଖାଙ୍କ ସାହିତ୍ୟରେ ପ୍ରବାହିତ ହୋଇଛି । ବଳରାମ ଦାସଙ୍କ ‘ବ୍ରହ୍ମାଣ୍ତ ଭୂଗୋଳରେ ଉଲ୍ଲେଖ ରହିଛି-

‘ଡାହାଣ ନାସାରେ ଯେ ବାଇ । ଗଙ୍ଗା ବୋଲିଣ ତାକୁ କହି ।
ସୂଷୁମୁନା ସେହି ଜାଣ । ମନ ପବନ ଯେ ଚରଣ ।
ମନ ପବନ ଏକ ହୋଇ । ଟେକିବ ଶିଶୁଧାରେ ନେଇ ।’

ଉତ୍କଳୀୟ ଆଧ୍ୟାତ୍ମିକ ଭାବନା, ଯୋଗାଚାର, ପିଣ୍ତ ବ୍ରହ୍ମାଣ୍ତ ସାଧନା ଦ୍ୱାରା ଯେ ଜଡିତ ତାହା ଉପରୋକ୍ତ ଦୃଷ୍ଟାନ୍ତରୁ ସ୍ପଷ୍ଟ ହୁଏ । ଶ୍ରୀଚୈତନ୍ୟଙ୍କ ସମୟରେ ଉତ୍କଳରେ ଶ୍ରୀଜଗନ୍ନାଥ ‘ମହାବୌଦ୍ଧ’ ରୂପେ ବିବେଚିତ ହୋଇଆସୁଥିଲେ, କିନ୍ତୁ ବୈଷ୍ଣବ ଭାବନା ଉତ୍କଳରେ ରେଖାପାତ୍ କରିବା ଦ୍ୱାରା ଶ୍ରୀଜଗନ୍ନାଥ ମହାବିଷ୍ଣୁ ରୂପେ ପରିଚିତ ହୋଇଥିଲେହେଁ ‘ଜଗନ୍ନାଥ’ଙ୍କର ଭାବନା ଅପ୍ରତିହତ ରହିଥିଲା । ଯାହାର ଦୃଷ୍ଟାନ୍ତ କବି ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’ର ଲଙ୍କାକାଣ୍ତରେ ଶ୍ରୀଜଗନ୍ନାଥଙ୍କ ବୌଦ୍ଧତ୍ୱ ବର୍ଣ୍ଣନା ଦେଖିବାକୁ ମିଳେ ।

“ବଉଦ କଳିକି ଯେ ହୋଇଲୁ ଦେବହରି ।”
ଉତ୍କଳର ଧର୍ମହିଁ ବୈଷ୍ଣବ ଓ ବୈଷ୍ଣବ ଧର୍ମହିଁ ଜଗନ୍ନାଥ ଧର୍ମ । ଷୋଡଷ ଶତାଦ୍ଦୀର କବିଗଣ ଭକ୍ତ,ଞ୍ଗାନୀ ଓ ସିଦ୍ଧସାଧକ ତଥା ପୁରାଣକାର । ଧର୍ମହିଁ ସେମାନଙ୍କ ସାହିତ୍ୟର ମୂଳାଧାର । ସେମାନଙ୍କ ସାହିତ୍ୟରେ ଉଦଭାସିତ ହୋଇଉଠିଛନ୍ତି ସ୍ୱୟଂ ଭଗବାନ ଶ୍ରୀଜଗନ୍ଶାଥ, ଯେ ହେଉଛନ୍ତି ସମଗ୍ର ମାନବ ଜଗତର ଭକ୍ତି,ମୁକ୍ତି ଓ ଶାନ୍ତିର ଚିରନ୍ତନ ଉତ୍ସ । ଜଗନ୍ନାଥ ରହସ୍ୟମୟ ଠାକୁର, ତାଙ୍କୁ ଓ ତାଙ୍କ ଧର୍ମକୁ ବୁଝିଦା ସହଜ ନୁହେଁ, ବିଶ୍ୱରେ ସ୍ୱୟଂ ଶ୍ରୀଜଗନ୍ନାଥ ସର୍ବଶ୍ରେଷ୍ଠ ରହସ୍ୟମୟ ଦେବତା । ଶୂନ୍ୟରୂପୀ ଓ ଞ୍ଗାନରୂପୀ ଶ୍ରୀଜଗନ୍ନାଥଙ୍କୁ ସିଦ୍ଧାଚାର୍ଯ୍ୟ ଅନଙ୍ଗ ଚନ୍ଦ୍ର ତାଙ୍କ ‘ପ୍ରଞ୍ଗୋପାୟ ବିନିଶ୍ଚର ସିଦ୍ଧି’ ଗ୍ରନ୍ଥରେ ସ୍ତୁତିକରି ଲେଖିଛନ୍ତି :

‘ପର୍ଯ୍ୟୁପାସ୍ୟୋ ଜଗନ୍ନାଥୋ ଗୁରୁଃ ସର୍ବାର୍ଥ ସିଦ୍ଧିତଃ ।”
ପୁନଶ୍ଚ-
‘ନମନ୍ତେ ଶୂନ୍ୟତା ଗର୍ଭ ସର୍ବସଂ କଳ୍ପ ବର୍ଜିତଃ
ସର୍ବଞ୍ଗ ଞ୍ଗାନ ସନ୍ଦୋହ ଞ୍ଗାନମୂର୍ତ୍ତି ନମୋ€ସ୍ତୁତେ ।”

ବୌଦ୍ଧ ଯୁଗର ଜଗନ୍ନାଥ ପରଂପରା ପଞ୍ଚସଖା ସାହିତ୍ୟରେ ଅକ୍ଷୂର୍ଣ୍ଣ ରହି ସନ୍ଥ ସାହିତ୍ୟର ମର୍ଯ୍ୟାଦା ରଖିଛି । ପଞ୍ଚସଖା ମାନଙ୍କର ଶ୍ରୀଚୈତନ୍ୟଙ୍କ ସହ ସମ୍ବନ୍ଧ ଥିବାରୁ ସେମାନେ ତାଙ୍କୁ ସଦଗୁରୁ ଓ ଶ୍ରୀଜଗନ୍ନାଥଙ୍କ ଅଂଶ ଭାବରେ ଗ୍ରହଣ କରିଛନ୍ତି । ପଞ୍ଚସଖାଙ୍କ ଆଧ୍ୟାତ୍ମିକ ମାର୍ଗ ବା ସାଧନା ଭିନ୍ନ, ତାସତ୍ତ୍ୱେ ସେମାନେ ଭକ୍ତି ବା ପ୍ରେମ ମାର୍ଗକୁ ଗ୍ରହଣ ନକରି ଉଭୟ ଞ୍ଗାନ ଓ ପ୍ରେମ ମାର୍ଗକୁ ସାଧନାର ଆଦର୍ଶ ଭାବେ ପରିକଳ୍ପନା କରିଛନ୍ତି । ପ୍ରେମ ଭକ୍ତିର ଉପାସକ କବି ଦିବାକର ଦାସ ‘ଜଗନ୍ନାଥ ଚରିତାମୃତ’ରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିକୁ ସ୍ୱୀକାର କରିବା ସହ ତ୍ରିମୂର୍ତ୍ତି ସଂପର୍କରେ ଉଲ୍ଲେଖ କରିଛନ୍ତି :

“ଶ୍ରୀବଳଭଦ୍ର ସୁଭେଦ୍ରେଣ ଜଗନ୍ନାଥ ଯେ ସୁଦର୍ଶନ
ଯେ କ୍ଷେତ୍ରେ ଚତୁର୍ଦ୍ଧା ମୂରତି, ପ୍ରକାଶ ହୋଇଣ ଅଛନ୍ତ ।”
“ପୁନଶ୍ଟ ଉଲ୍ଲେଖ କରିଛନ୍ତି :
ଶ୍ଳୀଁ ବୀଜ ବଳଭଦ୍ର ହୋନ୍ତି
ହ୍ଳୀଁ ବୀଜ ସୁଭଦ୍ରା ମୂରତି
କ୍ଳୀ ବୀଜ ଜଗନ୍ନାଥ ଭବ ।”

ଶ୍ରୀଜଗନ୍ନାଥ ଶାସ୍ତ୍ର ଅବତାରର ମୂଳ କାରଣ ଅଟନ୍ତି ବୋଲି ଉଲ୍ଲେଖ କରିଛନ୍ତି :
“ପରବ୍ରହ୍ମ ଜଗନ୍ନାଥ । ଅବତାର ପରେ ସଂସ୍ଥିତ,
କୋଟି କୋଟି ଯେ ଅବତାର । ଜଗନ୍ନାଥ ଅଙ୍ଗୁ ବାହାର ।”

ଏପରିକି ପୁରୁଷୋତ୍ତମ କ୍ଷେତ୍ର, ଅଯୋଧ୍ୟା, ମଥୁରା, ବୃନ୍ଦାବନ, କାଶୀ ପ୍ରଭୃତି କ୍ଷେତ୍ରମାନଙ୍କଠାରୁ ପୁରୁଷୋତ୍ତମ କ୍ଷେତ୍ର ଶ୍ରେଷ୍ଠ ବୋଲି ପ୍ରତିପାଦିତ କରାଯାଇଛି । ଦିବାକାର ଦାସ ପ୍ରେମଭକ୍ତିର ପରାକାଷ୍ଠା ଦର୍ଶାଇବାକୁ ଯାଇ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ଏକ ଓ ଅଭିନ୍ନ ବୋଲି ଉଲ୍ଲେଖ କରିଛନ୍ତି ।
“ଏ ଡଗନ୍ନାଥ ଅଙ୍ଗୁ ଜାତ । ଗୋପେ ଗୋବିନ୍ଦ ଲୀଳାମୃତ ।”

ପଞ୍ଚସଖା ଯୁଗର ଅନ୍ୟତମ କବି ଓ ପୁରାଣକାର ଯଷୋବନ୍ତ ଦାସ ତାଙ୍କ “ପ୍ରେମଭକ୍ତି” ଗୀତାରେ କୃଷ୍ଣ ଓ ଜଗନ୍ନାଥଙ୍କ ଅଭେଦ କଳ୍ପନା କରି ତ୍ରିମୂର୍ତ୍ତିଙ୍କୁ ତ୍ରିବାକକ୍ଷର ହ୍ଳୀଁ-ଶ୍ଳୀଁ-କ୍ଳୀଁ ବୋଲି ଦର୍ଶାଇଛନ୍ତି । ସେଭଳି ଅନ୍ୟତମ ବରେଣ୍ୟ ସାଧକ ଆଗତ ଭବିଷ୍ୟ ପ୍ରବକ୍ତା ମାଳିକା ରଚୟତା ଅଚ୍ୟୁତାନନ୍ଦ ଦାସ ଶୂନ୍ୟ ସଂହିତାରେ ଜଗନ୍ନାଥଙ୍କୁ ଏକ ଅଭିନବ କଳ୍ପନା କୃଷ୍ଣଙ୍କୁ ଜଗନ୍ନାଥ ରୂପେ ପରିକଳ୍ପନା କରିଛନ୍ତି । “ମହାମନ୍ତ୍ର କୃଷ୍ଣ ଯେହୁ ଶ୍ରୀଜଗନ୍ନାଥ ସେହୁ ।” ଏପରିକି ଶ୍ରୀଜଗନ୍ନାଥଙ୍କ ବଡଦେଉଳର ସେବା କାର୍ଯ୍ୟରେ ନିଯୁକ୍ତ ଛତିଶା ନିଯୋଗ ଭଣ୍ତାର ରକ୍ଷକାଦି ସମସ୍ତେ ଅବତାର ନେଇ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରନ୍ତି । କବି ଜୟଦେବଙ୍କ ଗୀତଗୋବିନ୍ଦ ଅନୁଯାୟୀ କୃଷ୍ଣ ଅବତାରି ନୁହଁନ୍ତି, ବରଂ ଦଶାବତାର ମଧ୍ୟରେ କୃଷ୍ଣଙ୍କୁ ସେ ଗ୍ରହଣ କରିପାରି ନାହାନ୍ତି । ଅଚ୍ୟୁତାନନ୍ଦ ଦାସ ତାଙ୍କ ଶୂନ୍ୟସଂହିତାରେ କୃଷ୍ଣଙ୍କୁ ଅବତାର ବୋଲି ଦର୍ଶାଇଛନ୍ତି –

“ଜଗନ୍ନାଥ ବଳଭବ୍ର ଭଦ୍ରା ସୁଦର୍ଶନ
ମହାମନ୍ତ୍ର ମନ୍ତ୍ରରାଜ-ରୂପ ଦାରୁବ୍ରହ୍ମ ।
ଐଶ୍ଚର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ
ବିଜୟ କରି ଅଛନ୍ତି ଚତୂର୍ଦ୍ଧା ରୂପରେ ।”

ଜଗନାଥଙ୍କଠାରେ କୃଷ୍ଣୈକପ୍ରାଣତା ଶ୍ରୀଚୈତନ୍ୟଙ୍କଠାରୁ ଉତ୍ପତ୍ତି ଲାଭ କରିଛି । ପ୍ରଥମେ ବର୍ଣ୍ଣସାମ୍ୟ ଓ ପରେ କଳ୍ପନା କରାଯାଇ ଶ୍ରୀଜଗନ୍ନାଥଙ୍କ ସେବାରେ ଏକାନ୍ତ ଭକ୍ତିନିଷ୍ଠ ପଞ୍ଚସଖାଙ୍କ ଭିତରେ ପରକ୍ରିୟା ପ୍ରୀତି ସମ୍ବଳିତ କୃଷ୍ଣ ମାହାତ୍ମ୍ୟ ବର୍ଣ୍ଣନା କରାଯାଇ ଥିବାରୁ ଶୂନ୍ୟସଂହିତା’ରେ ଅଚ୍ୟୁତାନନ୍ଦ ଉଲ୍ଲେଖ କରିଛନ୍ତି-

“କଳ୍ପବଟ ମୂଳେ ନୀଳ ସୁନ୍ଦର ଗିରିରେ
ସୁନ୍ଦର ରୂପରେ ବିଜେ ଶଙ୍ଖ ଚିତ୍ରକାର ।
ଚିହ୍ନିଲେ ଚୈତନ୍ୟ ଯେ ବ୍ରହ୍ମାଣ୍ତ କର୍ତ୍ତା ହରି
କଳାରେ କଳା ମିଶିଲା ନୋହିଲେ ଯେ ବାରି ।”

ଅଚ୍ୟୁତାନନ୍ଦ ତାଙ୍କ ହରିବଂଶ ଗ୍ରନ୍ଥରେ ମଧ୍ୟ ବ୍ରହ୍ମଙ୍କୁ ଜଗନ୍ନାଥଙ୍କ। ସହ ତୁଳନା କରିଛନ୍ତି । ଜଗନ୍ନାଥ ବିଭିନ୍ନ ଲୀଳା କରିବା ପାଇଁ ଅବତାର ନେଇ ସବୂ ଅବତାରରେ ସେ ଦାରୁରେ ଲୀନ ହେବା ଦର୍ଶାଇଛନ୍ତି । ଶୂନ୍ୟସଂହିତାରେ ଲେଖିଛନ୍ତି-

“ଅବତାର ଦଶ ଏହି ଦାରୁ ରୂପ
ଏହି ଦାରୁରେ ସେ ଲୀନ
ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ
ବିଜେ ରତ୍ନ ସିଂହାସନ ।”

ପଞ୍ଚସଖା ସାହିତ୍ୟରେ ଜଗନ୍ନାଥ ଅବତାରୀ, ଅଲେଖ, ଶୂନ୍ୟ, ନିରଞ୍ଜନ ଭାବେ ପରିକଳ୍ପିତ । ଜଗନ୍ନାଥ ଦାସ ତାଙ୍କ ପରଂବ୍ରହ୍ମ ଗୀତାରେ ଲେଖିଛନ୍ତି-“ବଉଧ ରୂପ ହେବା ପାଇଁ, ପାଦ ପାଣି ଛାଡିଲି ତହିଁ ।” ପ୍ରଫେସର୍ ଡକ୍ଟର କାହ୍ନୁଚରଣ ମିଶ୍ର ତାଙ୍କ ଓଡିଆ ସାହିତ୍ୟରେ ଧର୍ମଧାରା ପୁସ୍ତକରେ ଲେଖିଛନ୍ତି- ” ଜଗନ୍ନାଥଙ୍କୁ ପଞ୍ଚସଖାମାନେ ପ୍ରଚ୍ଛନ୍ନ ଭାବରେ ଆଦିବୁଦ୍ଧ ରୂପେ ଗ୍ରହଣ କରିଥିବାରୁ ତାଙ୍କ ସାହିତ୍ୟରେ ବୌଦ୍ଧଧର୍ମର ଶୂନ୍ୟତତ୍ତ୍ୱ, ପିଣ୍ତବ୍ରହ୍ମାଣ୍ତ ତତ୍ୱ ଆଦି ଦେଖାଯାଏ । ପଞ୍ଚସଖା ବର୍ଣ୍ଣିତ ଶୂନ୍ୟପୁରୁଷ ବେଦାନ୍ତ ବର୍ଣ୍ଣିତ ବ୍ରହ୍ମ ଏକ ଓ ଅଭିନ୍ନ । ଶଙ୍କରାଚାର୍ଯ୍ୟଙ୍କ ଶୈବ ମତରେ ପ୍ରଭାବ ଜଗନ୍ନାଥ ଉପାସନାରେ ପଡିଥିବାରୁ ଜଗନ୍ନାଥଙ୍କ ପୂଜାବିଧି ବୈଦିକ, ତାନ୍ତ୍ରିକ ଓ ମିଶ୍ର ଏହି ତ୍ରିବିଧ ରୂପେ ପ୍ରଚଳିତ ହୋଇଆସୁଅଛି । ପଞ୍ଚସଖାମାଙ୍କ ମଧ୍ୟରୁ ବଳରାମ,ଅଚ୍ୟୁତ ଓ ଜଗନ୍ନାଥ ଦାସ ପ୍ରେମଭକ୍ତିକୁ ଞ୍ଗାନଭକ୍ତି ମଧ୍ୟରେ ସ୍ଥାନ ଦେଇଥିବାରୁ ପଞ୍ଚସଖାମାନଙ୍କୁ ଞ୍ଗାନଭକ୍ତିର ଉପାସକ କୁହାଯାଏ । ବଳରାମ ଦାସଙ୍କ ଦାଣ୍ତିରାମାୟଣ ଓ ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡିଆ ଭକ୍ତି ଓ ଧର୍ମ ସାହିତ୍ୟର ଏକ ଏକ ଅମୂଲ୍ୟ ଗ୍ରନ୍ଥ । ବଳରାମ ଦାସ ତାଙ୍କ ରାମାୟଣରେ ଲେଖିଛନ୍ତି-

“ଜଗମୋହନ ରୂପର ଦର୍ଶନେ ନିସ୍ତରି
ଅପାର ମହିମା ସ୍ୱାମୀ ନୀଳଗିରି ହରି
ଜଗନ୍ନାଥ ସ୍ୱାମୀ କର ମୋତେ ରକ୍ଷା
ରାମାୟଣ ଚରିତ କହିତେ ମୋତେ ଇଚ୍ଛା ।”

ଜଗନ୍ନାଥଙ୍କ ଅନ୍ୟ ଏକନାମ ଜଗମୋହନ ହୋଇଥିବାରୁ କବି ପ୍ରାୟତଃ ବଳରାମ ଦାସ ତାଙ୍କ ଗ୍ରନ୍ଥର ନାମ ଜଗମୋହନ ରାମାୟଣ ରଖିଥିଲେ । ତାଙ୍କ ଭାବସମୁଦ୍ର କ୍ଷୁଦ୍ରଗ୍ରନ୍ଥଟିରେ ଜଗନ୍ନାଥଙ୍କ ପ୍ରତିଥିବା ତାଙ୍କର ଅନାବିଳ ଭକ୍ତି ଓ କୃପାଲାଭର ସ୍ୱାଧିକାର ସୂଚୀତ ହୁଏ । ତାଙ୍କ ଲକ୍ଷ୍ମୀପୁରାଣରେ ଲକ୍ଷ୍ମୀ,ଜଗନ୍ନାଥ ଓ ବଳରାମ ତିନିଠାକୁରଙ୍କ ମହିମା କିର୍ତ୍ତିତ ହେବାବେଳେ ବଟଅବକାଶ’ରେ ସେ ଶ୍ରୀଜଗନ୍ନାଥଙ୍କ ଅଶେଷ ମହିମା ଓ ଅଲୌକିକତାକୁ ଦର୍ଶାଇଛନ୍ତି । ପଞ୍ଚସଖାମାନେ ଥିଲେ ପ୍ରଥମେ ଭକ୍ତ ଓ ପରେ କବି । ନବାକ୍ଷରୀ ବୃତ୍ତରେ ରଚିତ ଓଡିଶାର ଜନପ୍ରିୟ ଜଗନ୍ନାଥ ଦାସଙ୍କ ଭାଗବତରେ ଶ୍ରୀଜଗନ୍ନାଥଙ୍କ ମହିମା କୀର୍ତ୍ତନ ହୋଇଛି-

“ନମସ୍ତେ ପ୍ରଭୃ ଜଗନ୍ନାଥ । ଅନାଥ ନାଥଙ୍କର ନାଥ ।
ନମସ୍ତେ ପ୍ରଭୃ ବାସୁଦେବ । ଭକତ ଜନଙ୍କ ବାନ୍ଧବ ।”

ବଳରାମ ଦାସ ତାଙ୍କର ଷୋହଦ ଚଉପଦୀ ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କଠାରୁ ଅଭିନ୍ନ ବୋଲି ଦର୍ଶାଇବା ସଙ୍ଗେ ସଙ୍ଗେ ଶ୍ରୀକ୍ଷେତ୍ରକୁ ବୃନ୍ଦାବନଠାରୁ ଅଭିନ୍ନ ବୋଲି ବର୍ଣ୍ଣନା କରିଛନ୍ତି । ବଳରାମ ଦାସଙ୍କ ଦାରୁବ୍ରହ୍ମ ଗୀତା’ରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣନା ଭଳି ଯଶୋବନ୍ତ ଦାସଙ୍କ ପ୍ରେମଭକ୍ତି ବ୍ରାହ୍ମଗୀତା’ରେ ଶ୍ରୀକ୍ଷେତ୍ରର ମହିମା ବର୍ଣ୍ଣିତ ହୋଇଛି । ଶ୍ରୀଜଗନ୍ନାଥ ଓ ଜଗନ୍ନାଥ ଧାମ ଥିଲା ଜଗନ୍ନାଥ ଦାସଙ୍କ ଧର୍ମ ଭାବନାର ମୂଳ ଉତ୍ସ । ଗୌଡୀୟ ବୈଷ୍ଣବମାନଙ୍କ ବୃନ୍ଦାବନ ନିତ୍ୟଭୂମି । ବୃନ୍ଦାବନର ଲୀଳା ମାଧୁର୍ଯ୍ୟ ଲୀଳା । କିନ୍ତୁ ଉତ୍କଳୀୟ ବୈଷ୍ଣବମାନଙ୍କ ଆରାଧନାର କ୍ଷେତ୍ର ନୀଳାଚଳ ଧାମ, ସେମାନଙ୍କ ଉପାସ୍ୟ ଦେବତା କାଳିଆ ଠାକୁର, ତାଙ୍କରି ଶ୍ରୀମୁଖ ଚାହିଁ ସବୁ ତୀର୍ଥ ପର୍ଯ୍ୟଟନର ପୁଣ୍ୟ ଅନ୍ତରର ଆସ୍ୱାଦନା କରିଥିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ କୁହାଯାଇଛି-

“ସକଳ ତୀର୍ଥ ତୋ ଚରଣେ । ବଦ୍ରିକା ଯିବି କି କାରଣେ ।”

ଏଥିରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ଓ ଶ୍ରୀକ୍ଷେତ୍ରର ମହିମା କୀର୍ତ୍ତୀତ ହୋଇଛି । ଏପରିକି ପଞ୍ଚସଖା ଶ୍ରୀଚୈତନ୍ୟ ମହାପ୍ରଭୃଙ୍କ ପରମଭକ୍ତ ହୋଇ ମଧ୍ୟ ବୃନ୍ଦାବନକୁ ନିତ୍ୟଧାମ ଭାବେ ଗ୍ରହଣ ନକରି ନୀଳାଚଳ କ୍ଷେତ୍ରକୁ ନିତ୍ୟ ରାସସ୍ଥଳୀ ଭାବେ ସ୍ୱୀକାରକରି ଏହାଳ ଗୌରବ ଗାନ କରିଛନ୍ତି । ଯଶୋବନ୍ତ ଦାସଙ୍କ ‘ଶିବସ୍ୱରୋଦୟ’ ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ସଂପର୍କରେ କୁହାଯାଇଛି-

“ଜୟ ଜୟ ଜଗନ୍ନାଥ ଜଗତଧାରଣ
ଜୟ ବଳଭଦ୍ର ଭଦ୍ରା ଜୟ ସୁଦର୍ଶନ ।
ଜୟ ଉତପତ୍ତି ସ୍ଥିତି ଯାହାଠାରୁ ହୋଏ
ଜଗନ୍ନିବାସ ବୋଲନ୍ତି ଶ୍ରୁତି ଯାହା ରାଏ ।”!

ପ୍ରେମଭକ୍ତି ବ୍ରହ୍ମଗୀତାରେ’ ଯଶୋବନ୍ତ ଦାସ ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ଶ୍ରୀରାଧା-କୃଷ୍ଣ ଭକ୍ତିମାର୍ଗର ପ୍ରଚାର ପାଇଁ ଏଥିରେ ସେ ଶ୍ରୀଜଗନ୍ନାଥଙ୍କ ମହିମା ଓ ଶ୍ରୀକ୍ଷେତ୍ରକୁ ଶ୍ରୀରାଧା-କୃଷ୍ଣ ଲୀଳାର ନିତ୍ୟସ୍ଥାନ ରୂପେ ଏପରିକି ସମଗ୍ର ବିଶ୍ୱର ଶ୍ରେଷ୍ଠ ତୀର୍ଥ ଓ ଭୂସ୍ୱର୍ଗ ବୋଲି ଦର୍ଶାଇଛନ୍ତି ।

“ଦେଖ ଯେ ନିତ୍ୟ ନୀଳାଚଳ । ସକଳ ତୀର୍ଥଙ୍କର ଆଳ ।
ଗୋପ ମଥୁରା ବୃନ୍ଦାବନ । ଦ୍ୱାରିକା ଆଦି ଯେତେ ସ୍ଥାନ ।
ସକଜ ୟେହି ସ୍ଥାନ ପାଇ । ଆବର କାଶୀ ମଧ୍ୟ ହୋଇ ।
କୋଟିଏ ତୀର୍ଥ ଏ କ୍ଷେତ୍ରରେ । ମହିମା କହିରେ ନସରେ ।
ସ୍ୱର୍ଗୁ ସକଳ ଦେବଗଣ । ଖଟନ୍ତି ତିନିଧୂପେ ପୁଣ ।
ବ୍ରହ୍ମା ଶଙ୍କର ପୁରନ୍ଦର । ଆବର ଶଶି ଦିବାକର ।
ଖଟନ୍ତି ଧୂପ ଅବକାଶେ । ସକଳ ଦେବତା ତ୍ରିବଶେ ।

ଶ୍ରୀଜଗନ୍ନାଥ ଧର୍ମକୁ ସାର୍ବଜନୀନ କରି ସମାଜରେ ଧର୍ମର ସ୍ଥିତିକୁ ନିରୂପଣ କରିବା ଓ ଜାତୀୟ ସଂହତି ରକ୍ଷାକରିବା ପଞ୍ଚସଖାଙ୍କ ମୁକ୍ଷ୍ୟ ଉଦ୍ଦେଶ୍ୟ ଥିଲା । ଜାତୀୟ ଚେତନାକୁ ପ୍ରତିଷ୍ଠିତ କରାଇବା ଓ ହିନ୍ଦୁଧର୍ମର ଗୌରବ ପ୍ରତିପାଦିତ କରିବା ଲକ୍ଷ୍ୟରେ ଏମାନଙ୍କ ସାହିତ୍ୟ କୃତି ସମର୍ପିତ । ଜଗନ୍ନାଥ ଅବତାର ନୁହଁନ୍ତି, ସେ ସ୍ୱୟଂ ବିଷ୍ଣୁ, ପୁରୁଷୋତ୍ତମ କ୍ଷେତ୍ର ସାକ୍ଷାତ୍ ବୈକୁଣ୍ଠଧାମ, ତାଙ୍କଠାରେ ଷୋଳକଳା ପରିପୂର୍ଣ୍ଣ । ସେ ପୁଣି ଶୂନ୍ୟ ପୁରୁଷ । ସେ ପୁଣି ପୁରୁଷ ନୁହନ୍ତି କି ପ୍ରକୃତି ସ୍ୱରୂପିଣୀ ନାରୀ ନୁହଁନ୍ତି । ତାଙ୍କର ନା ହାତ ଅଛି, ନା ପାଦ ଅଛି । ସେ ଅଣାକାର ଶୂନ୍ୟଦେହୀ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ଜୈନ, ବୌଦ୍ଧ ଓ ଅଲେଖ ମହିମା ଗୋସାଇଁ । ଯେ ଯେପରି ଖୋଜିଛି, ସେ ତାଙ୍କୁ ସେଭଳି ପାଇଛି । ସେ ରହସ୍ୟର ଦେବତା, ସେହି ରହସ୍ୟମୟ ଦେବତାଙ୍କୁ ବୁଝିବା ଓ ଭେଦ କରିବା ସହଜ ନୁହେଁ । ପ୍ରକୃତରେ ଊତ୍କଳୀୟ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ବହୁ ରହସ୍ୟା ବରଣରେ ଆବୃତ୍ତ । ସାର୍ବଜନୀନ, ସମନ୍ୱୟ ଓ ପତିତପାବନ ହେତୁ ସେ ଶ୍ରୀକ୍ଷେତ୍ରେ ବିରାଜିତ ଓ ପୂଜିତ । ପଞ୍ଚସଖାର କବିଗଣ ଜଗନ୍ନାଥ କୈନ୍ଦ୍ରିକ ଶାନ୍ତି, ମୈତ୍ରୀ ଓ ପ୍ରୀତିର ବାଣୀକୁ ସେମାନଙ୍କ ସୃଷ୍ଟିରେ ପ୍ରଚାର କରି ଶ୍ରୀଜଗନ୍ନାଥ ଧର୍ମକୁ ସାର୍ବଜନୀନ କରିଥିବାର କୌଣସି ଦ୍ୱିମତ ନାହିଁ । ଭାରତର ରାମଭକ୍ତ ଓ କୃଷ୍ଣଭକ୍ତ ସେ ଯେଉଁ ସଂପ୍ରଦାୟର ଭକ୍ତ ହେଉନାକାହିଁ, ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜକୁ ହାତଟେକି ସମର୍ପଣ କରିଦେଇ, ଗାଇ ଉଠିଛି- “ଜଗନ୍ନାଥ ସ୍ୱାମୀ, ନୟନୁ ପଥଗାମୀ, ଭବତୁମେ ।”


ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ମନ୍ତବ୍ୟ ରଖନ୍ତୁ: