ପାନ୍ଥଶାଳା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପାନ୍ଥ ମୁଁ ଆଜି ପଥଶ୍ରାନ୍ତ ଏଠି ଖୋଜୁଅଛି ପାନ୍ଥଶାଳା
ଦୁର୍ଗମ ଏଇ ପଥପ୍ରାନ୍ତେ ମୁଁ ଏକା ଏକା ଦିଗହରା ॥
ମଣିଷ ଗହଳେ ହଜିଗଲା ଭଳି ମନ ମୋ ଯାଉଛି ମାରି
ଖୋଜି ଖୋଜି ନିଜେ ନିଖୋଜ ହେଲିଣି ଅନ୍ଧାର ଆସଇ ମାଡ଼ି ॥
ଆସ ଆସ ବୋଲି ଅଦୂରରୁ ଶୁଭେ ଏ କେଉଁ ମଧୁର ସ୍ଵର
ଶବଦବାରି ମୋ ମନେ ପ୍ରତେ ହୁଏ ସତେକି କିଏ ନିଜର ॥
କେବେ କେବେ ଶୁଭେ ଏ ଯେଉଁ ଶବ୍ଦ କାଳଭୈରବ ରଡି
ସତେ ବା ଅଦିନେ କରାଳ ମୃତ୍ୟୁ ଡ଼ାକଇ କି ହାତଠାରି ॥
ବେସାହାରା ଏଇ ନିର୍ଜନ ବେଳାରେ ହୃଦୟର ବ୍ୟଥା ଚାପି
ସ୍ଵାର୍ଥ ସମାଜେ ନିଃସ୍ଵାର୍ଥପର କେ ଜଣେ ଦେଖୁନାହିଁ ଏଠି ॥
କାହିଁ ଆହା ମୋର ଇପ୍ସିତ ସେଇ ସ୍ୱପ୍ନର ପାନ୍ଥଶାଳା
ସରି ସରି ଆସେ ଦିବସ ଆକାଶେ ଫୁଟି ଉଠିଲେଣି ତାରା ॥
ଅସୀମ ଅଟେ ମୋ ଯାତ୍ରାପଥ ମୁଁ ଯାତ୍ରୀ ଦୁନିଆଁ ହାଟେ
ଖୋଜେ ପାନ୍ଥଶାଳା ତୃଷିତ ନୟନେ ମୋର ଏଇ ଯିବା ବାଟେ ॥
ଅସହ୍ୟ ବେଦନା ଭୋଗଇ ସିନା ମୁଁ ସାହା ଭରଷା ମୋ ନାହିଁ
କହ କହ ବନ୍ଧୁ କହ ସହୋଦର ସେ ପାନ୍ଥଶାଳା ମୋ କାହିଁ ??


ମଙ୍ଗଳାଯୋଡି, ଖୋରଧା,
ଦୂରଭାଷ : ୯୪୩୮୩୯୨୮୦୨

One thought on “ପାନ୍ଥଶାଳା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମନ୍ତବ୍ୟ ରଖନ୍ତୁ..