ଏ କି ନିୟତିର ଚକ୍ରବ୍ୟୁହ! – ନରେଶ କୁମାର ବେହେରା

ହେ ପ୍ରଭୁ!

କେବେ ମୁଁ ପାଇବି ମୁକ୍ତି, ତୁମରି ଏ ଚକ୍ରବ୍ୟୁହରୁ?
ମୋ ଅନିଛା ସତ୍ତ୍ୱେ ଆଣିଲ କାହିଁକି ଏ କଳିଯୁଗକୁ?
ଶାନ୍ତିରେ ଯେ ଶୋଇଥିଲି ମୁଁ ମାତାଙ୍କ ଗରଭେ;
ଏ ଧରାରେ ପାଦ ଦେବାକ୍ଷଣି, ଲେଖି ଦେଲ ପୁଣି ତୁମେ
ଦୟା, କ୍ଷମା, ଲୋଭ, ମାୟାର ଦୀର୍ଘ ଏକ ଜୀବନ |

ଆଜି ଏ ଭରତର ରାଜ୍ୟ, ପାଲଟିଛି ଅଣୁବୋମାର ସହର;
ସାଜିଛି ଅଧର୍ମ, କଳଙ୍କିତ ପ୍ରଳୟ;
ସବୁଠି ନରହନ୍ତା ସର୍ବଭୁଖ୍‌ ମାନବ, ମଦ୍ୟପାନ-ବୀଭତ୍ସ ଜୀବନ;
ଏଠି ହିମାଳୟର ସମ୍ମାନ ନାହିଁ କି ମାଁ ଗଂଗାର ମାତୃତ୍ୱ ନାହିଁ |

କୁଆଡେ ଗଲ ଏ ପାଳନ କର୍ତ୍ତା?
ଛାଡି ମୋତେ ଏ ଅନ୍ଧକାର ଦୁନିଆରେ |
ଶାନ୍ତିର ବାର୍ତ୍ତା ନାହିଁ – ରାମରାଜ୍ୟ ନାହିଁ
ଶୁଭୁଛି କେବଳ ଦୁ:ଶାସନର ଗର୍ଜ୍ଜନ,
ସୀତା, ଦ୍ରୌପଦୀର କ୍ରନ୍ଦନ |
ସମସ୍ତ ମାନବ ମୁର୍ଛିତ, ସବୁ ପତଙ୍ଗ ଶୋଷି
ସ୍ନେହ, ପ୍ରେମ, ମୈତ୍ରୀର ମହୀମା ନାହିଁ |

କାହିଁକି ଜାଣିବ ତୁମେ ଏ ସବୁ?
ତୁମର ପ୍ରତିଟି ପଲକେ ତ’ ମୋ ଶତଜନ୍ମ ମୃତ୍ୟୁ |
କେତେ ଦିନ ମୁଁ ବଞ୍ଚିବି, ଅଣନିଶ୍ୱାସୀ ହୋଇ,
ଏ ଅବାଞ୍ଚିତ ଦୁନିଆଁରେ?
ମୋ ହାତେ ଗାଣ୍ଡିବ ନାହିଁ କି ଭୀମର ଗଦା ନାହିଁ
ହେଲେ ମଧ୍ୟ ମାରୁନାହାନ୍ତି, ହସୁଛନ୍ତି କେବଳ
ଛଳନାର ଚକ୍ରବ୍ୟୁହ ସଂହାର ଅଭିମନ୍ୟୁଗଣ |

2 thoughts on “ଏ କି ନିୟତିର ଚକ୍ରବ୍ୟୁହ! – ନରେଶ କୁମାର ବେହେରା

  1. ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି।

ମନ୍ତବ୍ୟ ରଖନ୍ତୁ..