ଗୋପାଳ ଚନ୍ଦ୍ର ସାଓ

ବଣମଲ୍ଲୀର ମହକ Gopal-Sao-300x200 ଗୋପାଳ ଚନ୍ଦ୍ର ସାଓ

ବି.କେ.ସି. ପୁର କଲୋନୀ, ଦେଉଳି,
ବାରିପଦା, ମୟୂରଭଞ୍ଜ,
ଦୂରଭାଷ : ୯୯୩୭୦୪୬୯୯୮


ସାହିତ୍ୟ ହେଉଛି ତାଙ୍କ ରକ୍ତର କଣିକା । ଖୁବ ଛୋଟ ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ବାରମ୍ବାର କିଛି କବିତାକୁ ପଢି ସେ ହଠାତ ଭାବୁକ ପାଲଟି ଯାଆନ୍ତି । ତାଙ୍କ କବିତାର ଆଦ୍ୟ ସମୀକ୍ଷକ ଓ ପ୍ରେରଣା ଥିଲେ ତାଙ୍କ ଜନ୍ମଦାତ୍ରୀ ମାଆ । ହାଇସ୍କୁଲରେ ପାଠ ପଢିଲାବେଳେ ସେ ଅନେକ ଗୁଡିଏ କବିତା ଲେଖି ମାଆଙ୍କୁ ଦେଖାନ୍ତି, ଏବଂ ମାଆ ସର୍ବଦା ତାଙ୍କ କବିତାକୁ ଧ୍ୟାନର ସହିତ ପଢୁଥିଲେ ଓ ସେଗୁଡିକର ଭୁଲ ଠିକ ସୁଧାରି ଦେଉଥିଲେ । ଏମ.ପି.ସି. କଲେଜ, ବାରିପଦାରେ ପାଠ ପଢୁଥିଲାବେଳେ, କଲେଜର ବାର୍ଷିକ ମୁଖପତ୍ରରେ ତାଙ୍କର ପ୍ରଥମ କବିତା ସ୍ଥାନ ପାଇବାପରେ ତାଙ୍କ ଭିତରେ କବିତା ଲେଖିବାର ଆଗ୍ରହ ଶତଗୁଣ ବଢି ଯାଇଥିଲା । ବେଳେ ବେଳେ ଭାଗ୍ୟର ପ୍ରତିକୂଳ ପରିସ୍ଥିତି ଜୀବନର ଗତିପଥକୁ ବଦଳେଇ ଦେଇଥାଏ । ଜୀବନର ଅନୁକୂଳ ବାତାବରଣକୁ ଭାଙ୍ଗି ଚୁରମାର କରିଦେଇଥାଏ । ଯାହାକି ଯାହାକି ତାଙ୍କ ଜୀବନର ସାହିତ୍ୟାକାଶରେ କଳାମେଘ ସଦୃଶ ଘୁରି ବୁଲୁଥିଲା । ବିଭିନ୍ନ ସମସ୍ୟା ଜର୍ଜରିତ ମୂହୁର୍ତ୍ତ ଗୁଡାକ ତାଙ୍କ ସାରସ୍ଵତ ଯାତ୍ରାର ପଥରୋଧ କରିବାକୁ ଲାଗିଲେ । ସେ ଅନେକ ବର୍ଷ ପର୍ଯ୍ୟନ୍ତ ଦୂରେଇ ରହିଥିଲେ ସାହିତ୍ୟ ଠାରୁ । କିନ୍ତୁ ମାଆ, ମାତୃଭୂମି ଆଉ ମାତୃଭାଷାର ଅଖଣ୍ଡ ମମତା ପ୍ରତି ମୁହୁର୍ତ୍ତରେ ତାଙ୍କ ହୃଦୟକୁ ଖୁବ ବ୍ୟଥିତ କରୁଥିଲା । ଏକଦା ନାଟ୍ୟକାର ଇଂ ମନୋଜ ଦଳବେହେରା ତାଙ୍କର ଲେଖାଟିଏ ପଢି ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ବାରିପଦା ସମ୍ବାଦ ସାହିତ୍ୟଘରକୁ ନିମନ୍ତ୍ରଣ କରିଥିଲେ । ଧୀରେ ଧୀରେ ସମସ୍ତଙ୍କ ଆଦର ଓ ଭଲପାଇବା ତାଙ୍କ ସୁପ୍ତ କବିତ୍ଵକୁ ପୁନର୍ବାର ଉଜ୍ଜୀବିତ କରିବାରେ ସହାୟକ ହେଲା । ତାଙ୍କର ସମସ୍ତ କବିତା ଗୁଡିକ ପାଠକ ମାନଙ୍କ ହୃଦୟକୁ ଛୁଇଁବା ସହିତ ବିଭିନ୍ନ ପତ୍ରପତ୍ରିକା ତଥା ଆକାଶବାଣୀରେ ମଧ୍ୟ ସ୍ଵତନ୍ତ୍ର ସ୍ଥାନ ମଣ୍ଡନ କରି ପାରିଲା । ତାଙ୍କ କବିତା ଗୁଡିକ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ଵାରା ପୁରସ୍କୃତ ହୋଇପାରିଲା । ଆକାଶବାଣୀ, ବାରିପଦା ନିମନ୍ତେ ନିୟମିତ ଗୀତ ଲେଖିବା ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମାନଙ୍କ ସହିତ ମିଶି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଦିଗରେ ସଦା ସର୍ବଦା ନିଜକୁ ନିୟୋଜିତ ରଖି ଆସିଛନ୍ତି । ଓଡିଶାର ଏହି ଉପାନ୍ତ ଓ ବିଚ୍ଛିନ୍ନାଞ୍ଚଳରେ ରହି ଓଡିଆ ଭାଷାର ସୁରକ୍ଷା ଦିଗରେ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଏହାଛଡା ସେ ଏକାଧାରେ ଜଣେ କଣ୍ଠଶିଳ୍ପୀ, ଗୀତିକାର, ଅଭିନେତା, କବି ତଥା ସୁସଂଗଠକ ଭାବରେ ମୟୂରଭଞ୍ଜ ଅଞ୍ଚଳର ଜନସାଧାରଣ ମାନଙ୍କ ହୃଦୟରେ ଅବସ୍ଥାପିତ । ଫେସବୁକ ଓ ହ୍ଵାଟସଆପ ମାଧ୍ୟମରେ ପ୍ରତିଦିନ ସେ କବିତା ଲେଖି ପାଠକ ମାନଙ୍କ ହୃଦୟକୁ ଛୁଇଁ ପାରନ୍ତି । ବଣମଲ୍ଲୀର ମହକ ଇ-ପତ୍ରିକାର ସମ୍ପାଦନା ମଣ୍ଡଳୀର ଜଣେ ସକ୍ରିୟ ସଦସ୍ୟ ହିସାବରେ ନିଜକୁ ସଦାସର୍ବଦା ନିୟୋଜିତ ରଖି ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ସମୃଦ୍ଧି ଦିଗରେ କାର୍ଯ୍ୟ ନିର୍ବାହ କରିଚାଲିଛନ୍ତି । ବୃତ୍ତିଗତ ଜୀବନରେ ସେ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗର ଜଣେ କର୍ମଚାରୀ ଅଟନ୍ତି ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ