ପ୍ରବନ୍ଧ – ଅପରେସନ କାକଟସ – ଅଶୋକ କୁମାର ସେଠୀ

୧୯୮୮ ମସିହା ର କଥା ସେତେବେଳ ସମଗ୍ର ମାଳଦ୍ଵୀପ ମିଲିଟାଣ୍ଟ ମାନଙ୍କ ଅକ୍ତିଆର ରେ ଥାଏ | ଭାରତ ନିଜର ସାହସିକ ଓ ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ସମଗ୍ର ମାଳଦ୍ଵୀପ କୁ ମିଲିଟାଣ୍ଟ ମାନଙ୍କ କବଳରୁ ମୁକ୍ତ କରିବାରେ ସଫଳ ହୋଇଥିଲା | ସେ ଅପରେସନ ନାଁ ଥିଲା ଅପରେସନ କାକଟସ | ନିଜର ବୀରତ୍ୱ ଓ ଦୁଃସାହସିକ ପଦକ୍ଷେପ ସମଗ୍ର ବିଶ୍ୱକୁ ଚକିତ କରାଇ ପାରିଥିଲା | ସମଗ୍ର ରାଷ୍ଟ୍ର ସମୁଦାୟକୁ ଜଣେଇଦେଲା ଯେ ବନ୍ଧୁତ୍ୱ ର ପରିଭାଷା କଣ ? କେମିତି ଥିଲା ସେ ଅପରେସନ ଚାଲନ୍ତୁ ଟିକେ ନଜର ପକେଇବା |

ମାଳଦ୍ଵୀପ ଆମର ଏକ ପଡୋଶୀ ରାଷ୍ଟ୍ର | ଭାରତ ର ଦକ୍ଷିଣ ପଶ୍ଚିମଦିଗରେ ଏହାର ଅବସ୍ତିତ | ଭାରତ ମହାସାଗର କିଛି ଦ୍ଵୀପପୁଞ୍ଜ ସମୂହ ହେଉଛି ମାଳଦ୍ଵୀପ | ମାଲେ, ଏହାର ରାଜଧାନୀ | ୬୦୦ ବର୍ଗ ଫୁଟ ରୁ କମ ହେବ ଏ ମାଲେ ସହର | ସବୁଠାରୁ ଛୋଟ ଏବଂ ଖୁବ ସାନ୍ଧ୍ରତାରେ ବସଵାସ କରୁଥିବା ସହର ମାନଙ୍କୁ ମଧ୍ୟରୁ ମାଲେ ସହର ଅନ୍ୟତମ | ଯେଉଁ ଦିପପୁଞ୍ଜରେ ପ୍ରବଳ ମାତ୍ରାରେ ପ୍ରବାଳ ଦେଖିବାକୁ ମିଳେ | ଛୋଟ ମୋଟ ହୋଇ ୨୦୦ ରୁ ଅଧିକ ଦ୍ବୀପ ହେବ | ଏମିତ ଦେଖିବାକୁ ଗଲେ ସେଠାରେ ୧୦୦୦ ରୁ ଅଧିକ ଦୀପ ଅଛି କିନ୍ତୁ ସବୁ ଦୀପରେ ମନୁଷ୍ୟ ବସଵାସ କରିନଥାନ୍ତି | ମାଳଦ୍ଵୀପ ସମୁଦ୍ର ପତନ ଠାରୁ ଖୁବ କମ, କେବଳ ଦେଢ଼ (୧.୫) ମିଟର ଉଚ୍ଚତାରେ ଅବସ୍ଥିତ | ଯଦି କେବେ ବିଶ୍ୱତାପନ (ଗ୍ଲୋବାଲ ୱାର୍ମିଙ୍ଗ) ଯୋଗୁଁ ସମୁଦ୍ର ର ଜଳପତନ ବଢେ, ପ୍ରଥମ ଦେଶ ଭାବେ ମାଳଦ୍ଵୀପ ମହାସାଗରରେ ଲୀନ ହୋଇ ଯିବାର ଢେର ଆଶଙ୍କା | ଏହା ହିଁ ମାଳଦ୍ଵୀପ ମୁଖ୍ୟ ସମସ୍ୟା | ମାଳଦ୍ଵୀପ ଏସିଆ ମହାଦେଶର ସବୁଠାରୁ କ୍ଷୁଦ୍ରତମ ଦେଶ ଅଟେ | ଏହା ଏକ ଲମ୍ବାଳିଆ ଦ୍ଵୀପପୁଞ୍ଜ | ଏହାର ସମୁଦାୟ ଟେରିଟୋରିଅଲ ଅଞ୍ଚଳ ୯୦,୦୦୦ ବର୍ଗଫୁଟ ହେବ |

୧୯୬୫ ମସିହା ପର୍ଯ୍ୟନ୍ତ ମାଳଦ୍ଵୀପ ଇଂରେଜ ମାନଙ୍କ ଅଧୀନରେ ଥିଲା | ୧୯୬୫ ମସିହା ରେ ଦେଶ ସ୍ୱାଧୀନ ହେଲା ପରେ ୧୯୬୮ ରେ ପ୍ରଥମ ନିର୍ବାଚନ ହୋଇଥିଲା | ୧୯୭୮ ରେ ଅବଦୁଲ ଗାୟୁମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏବଂ ୧୯୭୮ ରୁ ୨୦୦୮ ପର୍ଯ୍ୟନ୍ତ ଲଗାତାର ୩୦ ବର୍ଷ କାଳ ଅବଦୁଲ ଗାୟୁମ ରାଷ୍ଟ୍ରପତି ହୋଇ ପାରିଥିଲେ | ଏମିତ ନୁହେଁ କି ଗାୟୁମଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରୟାସ ହୋଇ ନଥିଲା | ବିନା ବାଧା ବିଘ୍ନରେ ତିନି ଦଶନ୍ଧି ଧରି ରାଷ୍ଟ୍ରପତି ରହି ପାରିଥିଲେ | ୧୯୮୦, ୧୯୮୩ ଓ ୧୯୮୮ ରେ ବହୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ପ୍ରଥମ ଦୁଇ ଥର ସମ୍ପୂର୍ଣ୍ଣ ବିଫଳ ହୋଇ ଥିଲେ | କିନ୍ତୁ ତୃତୀୟ ଥର ଯାହାକି ୧୯୮୮ ରେ ହୋଇଥିଲା | ଏଥିରେ ସେ ଘୋର ଷଡ଼ଯନ୍ତ୍ରର ସମ୍ମୁଖୀନ ହୋଇଥିଲେ | ଏହି ଷଡଯନ୍ତ୍ର ରୁ ଭାରତ ଗାୟୁମକୁ ମୁକ୍ତ କରିଥିଲା | ଏହା ଅପରେସନ କାକଟସ ର ବିଷୟ ବସ୍ତୁ |

ଏହା ପୂର୍ବରୁ ଟିକେ ନଜର ପକାଇବା ମାଳଦ୍ଵୀପ ସହ ଅନ୍ୟ ଦେଶ ମାନଙ୍କ ସହ କିପରି ସମ୍ପର୍କ ଥିଲା ଓ ଭାରତ ସହ କି ଭଳି ସମ୍ପର୍କ ଥିଲା | ମାଳଦ୍ଵୀପ ଭାରତ ମହାସାଗର ର ଏକ ଦ୍ବୀପପୁଞ୍ଜ | ମାଳଦ୍ଵୀପ ର ଅବସ୍ଥିତି ଭାରତ ପାଇଁ ବହୁତ ଗୁରତ୍ବପୁର୍ଣ୍ଣ ବହନ କରିଥାଏ | ଭାରତର ଯେତେ ସବୁ ବେପାର ବାଣିଜ୍ୟ ମୁଖ୍ୟତଃ ପୂର୍ବ ଏସିଆ ରାଷ୍ଟ୍ର ମାନଙ୍କ ସହ ହୋଇଥାଏ | ତେଣୁ ଜଳପଥ ଦେଇ ଯିବା ଆସିବା ମୁଖ୍ୟପଥ ହୋଇଥାଏ | ସବୁ ଜାହାଜ ମାଳଦ୍ଵୀପ ପାର୍ଶ୍ୱ ଦେଇ ଯାତାୟତ କରିଥାଏ | ଭାରତ ମାନଚିତ୍ରକୁ ଅନୁଧ୍ୟାନ କଲେ ସହଜେ ବୁଝିହେବ | ଗୁଜରାଟ , ମୁମ୍ବାଇ ବନ୍ଦରରୁ ସବୁ ଜାହାଜ ଭାରତ ,ମାଳଦ୍ଵୀପ ଓ ଶ୍ରୀଲଙ୍କା ଦେଇ ଯାତାୟାତ କରିଥାଏ | ତେଣୁ ଭାରତ ଏ ଦେଶ ମାନଙ୍କ ସହ ସବୁବେଳେ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥାଏ | ଭାରତ ର ସୁରକ୍ଷା ଓ ବାଣିଜ୍ୟ ଦୃଷ୍ଟିରୁ ମଧ୍ୟ ଏ ସବୁ ଦେଶ ସହ ସୁସମ୍ପର୍କ ନିହାତି ଆବଶ୍ୟକ |

ଇତିହାସ କୁ ଲକ୍ଷକଲେ ଜଣାଯାଏ ଯେ ମାଳଦ୍ଵୀପ ସହ ଭାରତର ସେତେଟା ଭଲ ସମ୍ପର୍କ ନଥିଲା | ମାଳଦ୍ଵୀପ ମୁଖ୍ୟତଃ ପାକିସ୍ତାନ ଆଡକୁ ଢଳି ରହୁଥାଏ | ହୁଏତ ମାଳଦ୍ଵୀପ ରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟ ବହୁଳ ଭାବରେ ବସବାସ କରୁଥିବାରୁ ପାକିସ୍ତାନ ସହ ଭଲ ସମ୍ପର୍କ ଥିଲା | କିନ୍ତୁ ଭାରତ ତା ଚେଷ୍ଟା ଜାରି ରଖିଥାଏ ମାଳଦ୍ଵୀପ ସହ ବନ୍ଧୁତ୍ୱକୁ ଦୃଢ କରିବା ପାଇଁ | ଏମିତ ଏକ ସୁଯୋଗ ଆସିଲା ଭାରତ ତାର ବନ୍ଧୁତ୍ୱ ର ପରିଚୟ ଦେଇ ପାରିଲା |

ହଁ, ୧୯୮୦ ଓ ୧୯୮୩ ରେ ରାଷ୍ଟ୍ରପତି ଗାଦିଚ୍ୟୁତ କରିବାରେ ବିଫଳ ହେବାପରେ ୧୯୮୮ ବେଳକୁ ସେ ଯୋଜନାବଦ୍ଧ ଭାବେ ଗାୟୁମ ଏକ ଷଡଯନ୍ତ୍ର ର ସମ୍ମୁଖୀନ ହେଲେ | ଏ ଷଡଯନ୍ତ୍ର ରେ ଦୁଇଟି ସଂଗଠନ ସାମିଲ ଥିଲେ | ଏ ଷଡଯନ୍ତ୍ର ପଛରେ ଯାହାର ପ୍ରଚ୍ଛନ୍ନ ହାତ ଥିଲା ସେ ହେଉଛି , ମାଳଦ୍ଵୀପର ସବୁଠାରୁ ଜଣେ ଧନୀ ବ୍ୟବସାୟୀ ସେ ହେଉଛନ୍ତି ଅବଦୁଲ୍ଲା ଲୁତୁଫି | ସେତେବେଳକୁ ଶ୍ରୀଲଙ୍କାରେ ତାର ବହୁଳ ବାଣିଜ୍ୟ କାରୋବାର ଯୋଗୁଁ ଶ୍ରୀଲଙ୍କା ରେ ରହୁଥାଏ | ଲୁତୁଫି ଶ୍ରୀଲଙ୍କାରେ ସକ୍ରିୟ ଥିବା PLOTE (The People’s Liberation Organisation of Tamil Eelam ) ଓ LTTE (The Liberation Tigers of Tamil Eelam ) ସହ ମିଶି ଏହି ଷଡଯନ୍ତ୍ର ରଚିଥିଲା | ଯଦିଓ PLOTE ସେତେବେଳକୁ LTTE ର ପ୍ରବଳ ପ୍ରତିଦ୍ବନ୍ଦୀ |

PLOTE ମନେ ମନେ ଏହି ବିଚାର କଲା କି ଯଦି ଲୁତୁଫି ରାଷ୍ଟ୍ରପତି ହୁଏ ତେବେ ଆମେ ସହଜରେ ଚୋରା କାରୋବାର କରିପାରିବା | ଏବଂ ସେଠାରେ ଏକ ପ୍ରକାର ଆମର ଆଧିପତ୍ୟ ଆସିଯାଇଥିବ ଯାହା ଫଳରେ ଆମେ ଶ୍ରୀଲଙ୍କା , ଭାରତ ଯାହାକୁ ଚାହିଁବୁ ଆକ୍ରମଣ କରିପାରିବୁ | ତାଙ୍କର ଗୋଟେ ଦ୍ବୀପ ଉପରେ ଅଖଣ୍ଡ ଆଧିପତ୍ୟ ଜାହିର କରି ପାରିବେ | ଲୁତୁଫି ଏମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନ ଦେବ , ଯାହା ଚାହିଁବେ ତାହା ଅନାୟାସେ କରିପାରିବେ |

ସେଦିନ ଥାଏ ୦୩/ନଭେମ୍ବର/୧୯୮୮ ଭୋର ସମୟ ଅନ୍ଧାର ହଟି ନଥାଏ | ଶ୍ରୀଲଙ୍କା ପଟୁ ପାଖା ପାଖି ୮୦ ଜଣ PLOTE ସଶସ୍ତ୍ର ମିଲିଟାଣ୍ଟ ମାଲେ ସହରରେ ପହଞ୍ଚିଲେ | ମାଲେ ସହର ର ସବୁ ସରକାରୀ ମୁଖ୍ୟ କାର୍ଯ୍ୟାଳୟ କୁ ଅକ୍ତିଆର କରିନେଲେ | ରାଷ୍ଟ୍ରପତିଙ୍କ ବାସଗୃହ କୁ ବି କବଜା କରିନେଇଥିଲେ ସୌଭାଗ୍ୟ ବଶତଃ ରାଷ୍ଟ୍ରପତି ଗାୟୁମ ଗୁଳି ବନ୍ଧୁକ ଶବ୍ଦ ଶୁଣି ପଛ ଦୁଆର ଦେଇ ଆଉ ଏକ ଅଟ୍ଟାଳିକା ରେ ସୁରକ୍ଷିତ ଭାବେ ଲୁଚିଗଲେ | କିନ୍ତୁ ତାଙ୍କର ପରିବାର ଲୋକଙ୍କୁ ଏବଂ ଅନ୍ୟ ମନ୍ତ୍ରୀ ମାନେ ପଣବନ୍ଦୀ ହୋଇ ରହିଲେ | ଧୀରେ ଧୀରେ ଏୟାରପୋର୍ଟ ,ପୋର୍ଟ ଅଫ ଅଥୋରିଟି ,ଟିଭି, ରେଡ଼ିଓ ଷ୍ଟେସନ ଏମିତି କି ସମ୍ପୂର୍ଣ୍ଣ ମାଲେ ସହରକୁ PLOTE ମାନେ କବଜା କରିନେଇଥିଲେ |

ରାଷ୍ଟ୍ରପତି ଗାୟୁମଙ୍କ ବୈଦେଶିକ ସଚିବ ଫୋନ କରି ସବୁ ଦେଶକୁ ସାହାଯ୍ୟ ମାଗିଲେ | ପାକିସ୍ତାନ , ଶ୍ରୀଲଙ୍କା, ସିଙ୍ଗାପୁର, UK , USA , ସଭିଙ୍କୁ ସାହାଯ୍ୟ ମଗାଗଲା ମିଲିଟାଣ୍ଟ ମାନଙ୍କ କବଳରୁ ଆମକୁ ରକ୍ଷା କରାଯାଉ | ସରକାରଙ୍କ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରେ ଆମେ ଫସି ଯାଇଛୁ | ସବୁ ପଡୋଶୀ ରାଷ୍ଟ୍ର ମାନଙ୍କୁ ସାର୍ବଜନୀନ ସାହାଯ୍ୟ (SOS) ପଠା ଗଲା | sos ହେଉଛି universal help (Save our Souls) ବୋଲି କୁହାଯାଏ |

ପାକିସ୍ତାନ ବହୁତ ଦୂର କହି ମୁହଁ ଫେରାଇ ନେଲା | ଶ୍ରୀଲଙ୍କା ସାହାଯ୍ୟ କରିପାରିବନି ବୋଲି ହାତ ଟେକିଦେଲା | ଯଦିଓ ସେମାନଙ୍କର ଡର ଥିଲା LTTE ମାନଙ୍କର ଆଉଗୋଟିଏ ବେସ ସେଠି ଗଢି ନ ଉଠୁ | USA କହିଲା ଆମେ ତ ବହୁତ ଦୂରରେ ଅଛୁ ଆମେ ପହଁଚିଲା ବେଳକୁ ବହୁତ କିଛି ଘଟି ସାରିଥିବ | USA , UK ମତ ଦେଲେ ତମେ ଭାରତ ଉପରେ ଚାପ ପକାଉନ କାହିଁକି ? ସେ ତ ତୁମର ପଡୋଶୀ ଦେଶ |

ଭାରତ ର ସାହାଯ୍ୟ ଲୋଡ଼ିବା କ୍ଷଣି ଭାରତ କଥା ରଖିଲା | ଏବଂ ଅବିଳମ୍ବେ କିଛି ସୈନ୍ୟ ସେ ଦିଗକୁ ପ୍ରେରିତ କଲା | ସେତେବେଳକୁ ରାଜୀବ ଗାନ୍ଧୀ ଥାନ୍ତି ଭାରତର ପ୍ରଧାନ ମନ୍ତ୍ରୀ | ତୁରନ୍ତ କ୍ୟାବିନେଟ ମିଟିଙ୍ଗ ଡକାଗଲା ଏବଂ ଏହା ନିଷ୍ପତି ନିଆଗଲା ଯେ ସେମାନଙ୍କୁ ସାହାଯ୍ୟ କରାଯାଉ | ତେଣୁ ଭାରତ ଅବିଳମ୍ବେ 1600 ସୈନ ମାଳଦ୍ଵୀପ ଅଭିମୁଖେ ପ୍ରେରଣ କଲା | ଆକାଶ ବାହିନୀ ଓ ଜଳବାହିନୀ ମିଶି ୧୬୦୦ ସୈନ ସେଥିରେ ସାମିଲ ହୋଇଥିଲେ | ମୁଖ୍ୟତଃ ୩୦୦ ରୁ ୪୦୦ ପରାଟ୍ରୁପ ଆଗ୍ରାବେସ ରୁ ଦିନ ଗୋଟାଏ ରୁ ଉଡ଼ାଣ ଭରିଲା | ବିମାନ ସେଠି ପହଞ୍ଚିଲା ବେଳକୁ ସନ୍ଧ୍ୟା ୬ | କହିବାକୁ ଗଲେ ସନ୍ଧ୍ୟା ସୁଦ୍ଧା ଭାରତୀୟ ସୈନ୍ୟ ସେଠି ପହଞ୍ଚି ସାରିଥିଲେ | ବିମାନ ଯାଇ କେବଳ ହୁଲ ହୁଲ ବିମାନ ବନ୍ଦରରେ ଅବତରଣ କରିବାର ସୁବିଧା ଥାଏ | ଭାରତୀୟ ସୈନ୍ୟ ମାନଙ୍କ ପାଇଁ ଗୋଟେ ବଡ ଚାଲେଞ୍ଜ କହିଲେ ଚଳେ | ଆଗ୍ରା ଠାରୁ ହୁଲ ହୁଲ ୨୭୦୦ କି.ମି ଦୂରତା | ଏତେ କମ ସମୟ ମଧ୍ୟରେ ନିଜ ସାଜ ସରଞ୍ଜାମ ପ୍ରସ୍ତୁତ କରିବା ଗୁଳି ବନ୍ଧୁକ ଯୋଗାଡ଼ କରିବା ସହଜ କଥା ନଥିଲା | ବର୍ତମାନ ବିମାନ ମାଳଦ୍ଵୀପ ରେ ପହଞ୍ଚି ସାରିଥାଏ | ମାଲେ ର ଭୌଗଳିକ ଅବସ୍ଥିତି ଓ ବାୟୁ ର ଗତି ବିପଦ ସଂକୁଳ ଘେରା | ପବନ ଜୋ ବେଗରେ ବହୁଥାଏ ପାରାଚୁଟ ରେ ଅବତରଣ କଲେ, ପବନ ନେଇ ସେମାନଙ୍କୁ ସମୁଦ୍ର ରେ ପକେଇବ | ଯେଉଁମାନେ ପାରାଚୁଟ ଓଲ୍ହାଇଥାନ୍ତି ସେମାନଙ୍କୁ ପାରାକମାଣ୍ଡୋ କୁହାଯାଏ | ସେମାନେ ମେରୁନ ରଙ୍ଗର କ୍ୟାପ(ବେରେ ) ପିନ୍ଧିଥାନ୍ତି | ହଁ, ସେମାନେ ଯଦି ପାରାଚୁଟ ରେ ଓଲ୍ହେଇବେ ସିଧା ଯାଇ ସମୁଦ୍ର ରେ ପଡିବେ ମିଶନ ବିଫଳ ହୋଇଯିବ | ତେଣୁ ବିମାନ କୁ ଯେମିତ ହେଲେ ହୁଲହୁଲ ବିମାନ ବନ୍ଦର ରେ ଅବତରଣ କରିବାକୁ ପଡିବ | ବିମାନ ବନ୍ଦର ଯେ ବିପଦ ସଂକୁଳ ନଥିବା ଏହା ଭାବିବା ବି ଭୁଲ | ଯଦି ମିଲିଟାଣ୍ଟ ମାନେ ସାମ୍ନା ପଟୁ ଗୁଳି ବର୍ଷଣ କରିବେ ସେଠି ଅପରେସନ ଶେଷ | ଭାଗ୍ୟ ବଶତଃ ମିଲିଟାଣ୍ଟ ମାନେ ବିମାନ ବନ୍ଦର କବଜା କରିନଥିଲେ | ସେମାଙ୍କ ଧାରଣା ଯେ ବିମାନ ବନ୍ଦରକୁ କିଏ କାହିଁକି ଆସିବ ଏତେ ଦୂରରୁ ? ସେମାନେ କେବେ ବି କଳ୍ପନା କରିନଥିଲେ କିଏ ବିମାନ ନେଇ ଆସିବ ବୋଲି | ସେମାନେ ସବୁ ଘାଟ, ବନ୍ଦର କୁ କବଜା କରି ରଖିଥିଲେ କିନ୍ତୁ ବିମାନ ବନ୍ଦରକୁ ଛାଡିଦେଇଥିଲେ |ତଥାପି ବିପଦ ଶଙ୍କୁଳ ଓ ପ୍ରତିକୂଳ ପରିସ୍ଥିତି ସହ ଗତି କରିବାକୁ ପଡିଥିଲା | ହୁଲହୁଲ ବିମାନ ବନ୍ଦରରେ ଅବତରଣ କରିବା ବି ଏକ ପ୍ରକାରର ବିପଦ ଶଙ୍କୁଳ ଥିଲା ଲ୍ୟଣ୍ଡିଙ୍ଗ ଲେନ ପୁରା ଅନ୍ଧକାର ଦେଖା ଯାଉଥିବା ସତ୍ୱେ ଖୁବ ସତର୍କତାର ସହ ପାଇଲଟଙ୍କୁ ଅବତରଣ କରେଇବାକୁ ପଡିଲା | ଯେଉଁ ବିମାନ ରେ ପାରାଟ୍ରୁପ ଆସିଥିଲେ ସେ ବିମାନ ନାଁ ଥିଲା Ilyushin Il-76 | ତା ପରେ ପାରାଟ୍ରୁପ ଡଙ୍ଗା ସାହାଯ୍ୟରେ ମାଲେ ସହରରେ ପହଞ୍ଚି ଅପରେସନ ଆରମ୍ଭ କଲେ |ଘରକୁ ଘର ବୁଲି ତନ ତନ କରି ତନଖି କରାଗଲା | ଖୋଜି ଖୋଜି ମାଲେ ସହରରୁ ସବୁ ମିଲିଟାଣ୍ଟ କୁ ସଫା କରାଗଲା | ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା |

ଯଦିଓ କିଛି ସମୟ ଗୁଳି ଗୋଳା କିଛି ସମୟ ଚାଲିଥିଲା କିନ୍ତୁ ଭାରତୀୟ ସୈନ୍ୟ କିଏ ସହିଦ ହୋଇ ନଥିଲେ | କିନ୍ତୁ ରାଷ୍ଟ୍ରପତି ଗାୟୁମଙ୍କର କିଛି ସୁରକ୍ଷା କର୍ମୀ ସହିଦ ହୋଇଥିଲେ | କିଛି ମିଲିଟାଣ୍ଟ ପାଖା ପାଖି ୨୭ କି ୨୮ ଜଣ ହେବେ ବୋଟ ଦ୍ୱାରା ଖସି ପଳେଇବାକୁ ଚେଷ୍ଟା କରୁଥିଲା ବେଳେ କିଛି ଗୁଳି ବୋଟ ରେ ବାଜି ଭାଙ୍ଗି ରୁଜି ଯାଇଥାଏ | ତଥାପି ସେମାନେ ଖୋଲା ସମୁଦ୍ର ମଧ୍ୟକୁ ପଳେଇ ଯିବାରେ ସକ୍ଷମ ହୋଇଥିଲେ | ସେମାନଙ୍କ ସହିତ ତାଙ୍କ ଲିଡର ଲୁତୁଫି ମଧ୍ୟ ସେ ବୋଟ ରେ ଥିଲା | ଭାରତୀୟ ସୈନ୍ୟଙ୍କୁ ଗୁରୁ ଦାଇତ୍ୱ ଦିଆଗଲା ଯେ ସେ ବୋଟ କୁ ଯେମିତ ହେଲେ ଧରିବା ପାଇଁ | ସେମାନଙ୍କୁ ସମୁଦ୍ର ମଝିରେ ଖୋଜିବାରେ INS GODABARI ଓ INS BETWA ନିୟୋଜିତ କରାଗଲା | ସେ ବୋଟ କୁ ଧରାଗଲା ଓ ଲୁତୁଫି ସହ ଅନ୍ୟ ୨୭ ମରସିନାରୀ ଙ୍କୁ ମଧ୍ୟ ଧରାପଡ଼ିଲେ | ପ୍ରାୟ ମିଲିଟାଣ୍ଟ କୁ ଜୀବିତ ଧାରାହୋଇଥିଲା | ଏହି କାକଟସ ଅପେରସନ ର ନେତୃତ୍ୱ ନେଇଥିଲେ ବ୍ରିଗଡିଆର F C BULUSARA | ଦୁନିଆ ସାରା ଏ ସଫଳତା ପାଇଁ ଭାରତକୁ ବାଃ ବାଃ କରିଥିଲେ | ଏମିତି କି ସେତେବେଳେ ଆମେରିକା ସହ ଭାରତ ର ଭଲ ସମ୍ପର୍କ ନଥାଏ , ଆମେରିକା ମଧ୍ୟ ଖୁବ ପ୍ରଂଶସା କରିଥିଲା |

ଏହି ଅପେରସନ ର ନାମ କାକଟସ ଦେବାର କାରଣ ଟା ହେଲା | ମାଳଦ୍ଵୀପ ରେ ବହୁଳ ମାତ୍ରାରେ ପ୍ରବାଳ ଦେଖିବାକୁ ମିଳେ | ଯାହାକି ନାଗଫେଣୀ ଭଳି ଦେଖିବାକୁ ଓ ସେଥିରେ ବି ସେମିତି କଣ୍ଟା ଥାଏ | ସେ ପ୍ରବାଳ ସବୁ ନାଗଫେଣୀ ପରି ଦେଖା ଯାଉଥିବାରୁ ନାଗଫେଣୀ ଗଛକୁ ଇଂରାଜୀ ରେ କାକଟସ କହନ୍ତି ସେଥି ପାଇଁ ସେ ଅପରେସନ ନାମ ଦିଆଯାଇଥିଲ| କାକଟସ |


କଲ୍ୟାଣପୁର, ନୟାଗଡ,
ମୋ-୯୮୬୧୦୬୦୧୫୨

1 thought on “ପ୍ରବନ୍ଧ – ଅପରେସନ କାକଟସ – ଅଶୋକ କୁମାର ସେଠୀ”

  1. ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର ।
    ଧନ୍ୟବାଦ ।

ମନ୍ତବ୍ୟ ରଖନ୍ତୁ