ପ୍ରେମ – ମୋ ଭାଷାରେ – ରାଜେଶ କୁମାର ମୁଣ୍ଡ

ପ୍ରେମ ଏକ ପବିତ୍ର ଶବ୍ଦ, ଶାଶ୍ୱତ ଉଚ୍ଚାରଣ.. ଝରଝର ନିର୍ଝରିଣୀର ଝଙ୍କୁରିତ ଜଳ, ବୀଜଟେ ଗଜୁରିବା ବେଳେ ମାଟିର ଆବେଗ,ସଞ୍ଜ ନଇଁ ଯିବାପରେ, ସମଗ୍ର ଧରାକୁ କୋଳାଗ୍ରତ କରିବା ପାଇଁ ଅନ୍ଧାରର ଉତ୍କଣ୍ଠା, ଆକାଶରେ ତାରା, ଜହ୍ନ ଓ ମେଘ ସହ ସହବାସ ପାଇଁ ଆତୁରତା, ପୁଣି ପ୍ରାତଃ ପୃଥିବୀର ଛାତିକୁ ବିଦାରି, ଅନ୍ଧାରର ବୁକୁକୁ ଚିରି ବାଳାରୁଣର ଅଦମ୍ୟ ସାହସର ଉଦ୍ଦାମତା । ପ୍ରେମ… ମାତୃଗର୍ଭରୁ ସୃଷ୍ଟି ଏକ ଅନାହତ ଧ୍ୱନି, ଜୀବନର ପ୍ରାରମ୍ଭରୁ ଶେଷ ଯାଏଁ ସଂଲଗ୍ନିତ ମନ୍ତ୍ର, ବୟସର ବୃଦ୍ଧି ସହ ବୃଦ୍ଧି ହୁଏ ତା’ର ସାନ୍ଧ୍ରତା, ପବିତ୍ରତା; ଯିଏ ଶିଖେଇ ଦିଏ, ଦୁଃଖକୁ ସୁଖରେ ପରିଣତ କରିବା କଳା, ପାହାଡ଼ରେ ପଦ୍ମ ଫୁଟେଇବା ପାଇଁ, ଅଦୃଶ୍ୟ ମନ୍ଦିର ଚୂଡ଼ାରେ ନେତଟେ ବାନ୍ଧିବା ପାଇଁ ଅବା କାଳବୈଶାଖୀରେ ଦୀପଟେ ଜାଳିବା ପାଇଁ କୌଶଳ ଓ ସାହସ । ପ୍ରେମ ସଙ୍ଗୀତର ଏକ ମୂର୍ଚ୍ଛନା, ଯା’ ଦ୍ୱାରା ପାଷାଣି ଅହଲ୍ୟା ଜୀବନ୍ତ ହେଇପାରେ, ଦସ୍ୟୁ ରତ୍ନାକର ବାଲ୍ମୀକି ହେଇପାରେ, ବସ୍ତ୍ର ହରଣରେ ଦ୍ରୌପଦୀର ଲଜ୍ଜା ନିବାରଣ ହେଇପାରେ, ପ୍ରେମ ଏକ ସ୍ପନ୍ଦନ, ଯାହା କେବଳ ଅନୁଭବ ହୁଏ, ପ୍ରକାଶ କରିହୁଏନା ।


ରାଜେଶ କୁମାର ମୁଣ୍ଡ

3 thoughts on “ପ୍ରେମ – ମୋ ଭାଷାରେ – ରାଜେଶ କୁମାର ମୁଣ୍ଡ

  1. ବହୁତ ସୁନ୍ଦର ଉପସ୍ଥାପନା
    ହୃଦୟକୁ ସ୍ପର୍ଶ କରାଯାଉଛି ।

ମନ୍ତବ୍ୟ ରଖନ୍ତୁ..