ପ୍ରେମ ପୋଥି – ଲକ୍ଷ୍ମଣ କୁମାର ବେହେରା

ଅଠର ଶହ
ଏକାବନ ସାଲ
ଥିଲା ମେ ମାସ ଏଗାର,
ହରିହର କୁଳ
ମଣ୍ଡନ କରିଲେ,
ବାସୁଦେବ ନାମେ
ବିଖ୍ୟାତ ହୋଇଲେ ।
ଆନନ୍ଦେ ରାଜ୍ୟ ବିଭୋର •••

ହରିହର ଦେବଙ୍କ
ଏକମାତ୍ର ପୁତ୍ର
ସାହିତ୍ୟିକ ବାସୁଦେବ,
ପଣ୍ଡିତ ସଭାର
ଅନୁମୋଦନରେ,
ଇଂରେଜ ସରକାର
ଆଦେଶାନୁସାରେ ।
ହୋଇଲେ ନରେଶ,
ବାମଣ୍ଡାର ହେଲା ଲାଭ •••

ମାତା ପିତା ପ୍ରଜା
ପଣ୍ଡିତ ସକଳେ
କଲେ ଉଚିତ ବିଚାର,
ଉଦିତ ପ୍ରତାପ
ସିଂହ ଦେବ ରାଜା,
କଳାହାଣ୍ଡି ଗଡେ
ପାଳୁଥିଲେ ପ୍ରଜା ।
ଆନନ୍ଦ ଚିତ୍ତରେ ପ୍ରସ୍ତାବ ପକାଇ
କନ୍ଯା ମାଗିଲେ ବାସୁଦେବ ପାଇଁ
ସତରେ,
ମୁହୂର୍ତ୍ତ ଥିଲା ମଧୁର •••

ରାଜାଙ୍କର ଗେହ୍ଲୀ
ପରାଣ କୁସୁମ
ମଉନାବତୀ ଐଶ୍ବର୍ଯ୍ଯା,
ମଧ୍ଯମା ସୁପୁତ୍ରୀ
ମନୀଷା ସୁନ୍ଦରୀ,
ଗିରିରାଜ କୁମାରୀ
ସୁଶୀଳା ଅପ୍ସରୀ ।
ବିବାହ,
ହେଲେ ବାସୁଦେବ ରାଜା •••

ଅଠର ଶହ
ବାସ୍ତରୀ ମସିହା
ମେ ତ୍ରୟୀ ତାରିଖ ଦିନ,
ପୁତ୍ର ମୁଖ ଦେଖି
ରାଜା ଆନନ୍ଦରେ,
ମିଠା ପରଷିଲେ
ବାମଣ୍ଡା ନଗରେ ।
ରାଣୀ ମନ ହେଲା ଧନ୍ଯ •••

ଖୁସିରେ ପ୍ରଜାଏ
ନାଚିଲେ ନଗରେ
ଭାବି ରାଜା ଭାବି ମନେ,
ପଣ୍ଡିତ ଜ୍ଯୋତିଷ
ବନ୍ଧୁ ପରିଜନ,
ଶ୍ରୀ ସଚ୍ଚିଦାନନ୍ଦ
ବୋଲି ଦେଲେ ନାମ ।
କୁମାର,
ବସିଗଲେ ପ୍ରତି ପ୍ରାଣେ •••

ଏକ ବର୍ଷ ଗତେ
ରାଣୀଙ୍କ ବିୟୋଗ
ପତ୍ନୀ ହରାଇଲେ ରାଜା,
ଶୋକରେ ଡୁବାଇ
ରାଣୀ ଗଲେ ଚାଲି,
ମାତୃ ହରା ଶିଶୁ
ମାତ୍ର ବର୍ଷେ ବୋଲି ।
ଚିତ୍ତେ,
ଚିନ୍ତି ଦୁଃଖ କଲେ ପ୍ରଜା •••

ପତ୍ନୀ ହରାଇଣ
ବିଷାଦରେ ରାଜା
ନୌକାରେ କଲେ ଭ୍ରମଣ,
ସମ୍ବଲପୁରରୁ
ମହାନଦୀ ପଥେ,
କଟକ ପର୍ଯ୍ଯନ୍ତେ
ପ୍ରକୃତି ସଂଗୀତେ ।
‘ଚିତ୍ରତ୍ପୋଳା ‘ ର ଜନମ •••

ଭ୍ରମଣରୁ ଫେରି
ନିସଂଗ ପ୍ରାଣକୁ
ରାଜା କରିଲେ ସୁନ୍ଦର,
ବିବାହ କରିଲେ
ରାଜା ବାସୁଦେବ,
ଦ୍ବିକନ୍ଯା ସମର୍ପି
ଅର୍ଜିଲେ ଗୌରବ ।
ରରୁଆଁର ଜମିଦାର •••

କିଛି ଦିନ ଅନ୍ତେ
ଖରସୁଆଁ (ସିଂହଭୂମି) ମୁଖେ
ଗମନ କଲେ ରାଜନ,
ଠାକୁର ନୀଳମଣି
ବାହାଦୂରଙ୍କର,
ଭାଣଜୀ ରୂପଶ୍ରୀ
ଗୁଣବତୀ ସ୍ଥିର ।
ଦେଖିଣ,
କଲେ ବିବାହ ବନ୍ଧନ •••

ଚାରି ରାଣୀ ଗର୍ଭୁ
ନଅ ପୁତ୍ର ସଂଗେ
ଏଗାରଟି କନ୍ଯା ଲାଭ,
ବଡ ପୁତ୍ର ନାମ
ଶ୍ରୀ ସଚ୍ଚିଦାନନ୍ଦ,
ରୂପ ଗୁଣବନ୍ତ
ଚିତ୍ତ ଶାନ୍ତ ଶୁଦ୍ଧ ।
ଥିଲା ମାତ୍ର,
ବଡ ରାଣୀଙ୍କ ଅଭାବ •••

ସିଂହାସନ ଆରୋହଣ ପର ବର୍ଷ –
ରାଜ୍ୟର ସମସ୍ତ
ଜମିର ଉନ୍ନତି
କଥା ରାଜନ ଚିନ୍ତିଲେ,
କୃଷି ଉପଯୋଗୀ
ସମସ୍ତ ଜମିକୁ,
ତିନି ଭାଗ କଲେ
ଚାଷ ପ୍ରଣାଳୀକୁ ।
କିସମୱାରି,
ରାଜ କର ନିର୍ଦ୍ଧାରିଲେ •••

ଉପଯୁକ୍ତ ନ୍ଯାୟ
ଦେବା ପାଇଁ ରାଜା
ଉତ୍ତମ ବ୍ଯବସ୍ଥା କଲେ,
ମନ୍ତ୍ରୀ – ପରିଷଦ
ବିଦ୍ବାନ – ପଣ୍ଡିତ,
ରାଜ କାର୍ଯ୍ଯ ହିତେ
ସମସ୍ତଙ୍କ ମତ ।
ନେଇ ଶାସନ କରିଲେ •••

କୃଷିର ଉନ୍ନତି
ନିମନ୍ତେ ନରେଶ
କଲେ,
ନୂଆ ନୀତି ପ୍ରଣୟନ,
କୃଷକ ମାନଙ୍କୁ
ଉନ୍ନତ ବିହନ,
ଯୋଗାଇଲେ ରାଜା
ପ୍ରଜା ହେଲେ ଧନ୍ଯ ।
ରହିଲା ନାହିଁ ଦୁର୍ଦ୍ଦିନ •••

ଚାଷ କାର୍ଯ୍ଯ ପାଇଁ
ବିଭିନ୍ନ ସ୍ଥାନରେ
ସେତୁବନ୍ଧ ବନ୍ଧାଇଲେ,
ଉନ୍ନତ ପ୍ରଣାଳୀ
କଲେ ପ୍ରବର୍ତ୍ତନ,
ସୁଖରେ ବିତିଲା
କୃଷକ ଜୀବନ ।
ଆଧୁନିକ,
ସୁବିଧା ସୁଯୋଗ ବଳେ •••

ବଳମ ନିକଟ
କଳାଜିରା ଆଉ
ମତୁଆଳୀ ନାଳ ଠାରେ,
ଆନିକଟ୍ ବସାଇ
ଜଳକୁ ରୋକିଲେ,
ଜଳ ସେଚନର
ସୁବିଧା କରିଲେ ।
ଚାଷୀ ବଢିଲେ ରାଜ୍ଯରେ •••

୨୦୦୦ ଏକର ପରିମିତ ସ୍ଥାନରେ –
ସୁପ୍ରସିଦ୍ଧ କୃଷି
ପ୍ରୟୋଗ ଶାଳାର
ନିର୍ମାଣ କରିଲେ ରାଜା,
ଏକ ଶହ ଛତିଶ୍
ପ୍ରକାରର ଧାନ,
ଅଣାଇ ପରୀକ୍ଷା
କରିଲେ ରାଜନ ।
ଚାଷୀ ଉଡାଇଲେ ଧ୍ବଜା •••

ବିଭିନ୍ନ ପ୍ରକାର
ସାର ପ୍ରୟୋଗର
ଗବେଷଣା କରାଇଲେ,
ରାଜା ବାସୁଦେବ
କଲେ ପ୍ରୋତ୍ସାହିତ,
ବିଦ୍ଯାରତ୍ନ ଯତ୍ନେ
କୃଷି ସଂପର୍କିତ ।
ପୁସ୍ତକ ପ୍ରକାଶ କଲେ •••

ବଳମ ପାହାଡ
ଶୀର୍ଷରେ ସୁଦୃଶ୍ଯ
ବିଶ୍ରାମ ଭବନ ତୋଳି,
ପାଶେ ଦେବାଳୟ
ଶ୍ରୀରାମ ସୀତାଙ୍କ,
ଦେଖି ଜୟ ଗାନ
କରୁଛନ୍ତି ଲୋକ ।
ପ୍ରତି ସୋମବାର,
ବଢେ ଗହଳି ଚହଳି •••

ଅରଣ୍ଯ ବେଷ୍ଟିତ
ପର୍ବତ କଟାଇ
ରାସ୍ତା ନିର୍ମାଣିଲେ ରାଜା,
କୁଚିଣ୍ଡା ନିକଟ
ଭେଡେନ୍ ନଦୀରେ,
ଝୁଲା ପୋଲ କଲେ
ଯାତ୍ରା ସହଜରେ ।
ଆନନ୍ଦେ ନାଚିଲେ ପ୍ରଜା •••

ଜଳନ୍ଧର ଦେବ
ନେତୃତ୍ବ ନେଇଣ
ଝୁଲା ପୋଲ ନିର୍ମାଣିଲେ,
ପୋଲ କାର୍ଯ୍ଯ ବୀର
କଲେ ସଂପାଦନ,
ସହଜ ହୋଇଲା
ଗମନାଗମନ ।
ପ୍ରଜା,
ମଙ୍ଗଳ କାମନା କଲେ •••

ନିଜ ରାଜଧାନୀ
ଦେବଗଡ ଠାରୁ
ବାମରା ପର୍ଯ୍ଯନ୍ତେ ଜାଣ,
ଅଠାବନ୍ ମାଇଲ୍
ରାସ୍ତା ନିର୍ମାଣିଲେ,
ମଟର ଗାଡି
ଚାଲିବା ଯୋଗ୍ୟ କଲେ ।
ରାଜନ ଥିଲେ ମହାନ •••

ବେଙ୍ଗଲ – ନାଗପୁର
ରେଳପଥ ନିଜ
ରାଇଜେ ଯିବାର ପାଇଁ,
ଅନୁମତି ଦେଇ
(୧୮ ମାଇଲ୍) ଦୀର୍ଘ ଜମି ଦେଲେ,
ବିନା ରାଜସ୍ବରେ
ଛାଡୁଛି କହିଲେ ।
ରାଇଜର ହିତ ଚାହିଁ •••

ଏଇ ବାଟ ଦେଇ
ଯେତେ ରେଳଗାଡି
ଯିବ ସମୟ ବାଟରେ,
ସର୍ତ୍ତ ରଖୁ ଅଛି
ପ୍ରଜାଙ୍କର ହିତେ,
ସବୁ ରେଳଗାଡି
ରହିବ ନିଶ୍ଚିତେ ।
ବାମରା ଷ୍ଟେସନ ଠାରେ •••

ରାଜସ୍ବ ସହିତେ
ଜଙ୍ଗଲ ବିଭାଗ
ନୂଆଁ ସୃଷ୍ଟି କଲେ ରାଜ୍ଯେ,
ସ୍ବୟଂ ଉଦ୍ଭାବିତ
ଶାସନ ପ୍ରଣାଳୀ,
ଦେଖି (ଇଂରେଜ) ସରକାର
ଦେଲେ କରତାଳି ।
କହିଲେ,
ସନ୍ତୋଷ ଲଭିଲୁ କାର୍ଯ୍ଯେ •••

କାଉନସିଲ୍ ଶବ୍ଦ
ବ୍ଯବହାର କଲେ
ଦରବାର ପରିବର୍ତ୍ତେ,
ନଅ ଜଣ ସଭ୍ଯ
କରିଲେ ଚୟନ,
ଭଲ ପରାମର୍ଶ
ପାଇଲେ ରାଜନ ।
ପ୍ରଶାସନିକ କ୍ଷେତ୍ରେ •••

ବାମଣ୍ଡା ରାଜ୍ୟର
ଉନ୍ନତି ନିମନ୍ତେ
ତିନି ତହସିଲ୍ ସଂଗେ,
ଆଠ ଗୋଟି ଥାନା
କରିଲେ ପ୍ରତିଷ୍ଠା,
ପ୍ରଜା ହିତେ ସଦା
ରଖିଥିଲେ ନିଷ୍ଠା ।
ରାଜ୍ୟ,
ସଜାଡିଲେ ନାନା ଢଙ୍ଗେ •••

ଆଗରୁ କେବଳ
ଥିଲା ଏକମାତ୍ର
ପ୍ରାଥମିକ ବିଦ୍ୟାଳୟ,
କେମିତି ଜାଳିବି
ଜ୍ଞାନର ଆଲୋକ,
ପ୍ରଜା ମୋର ମୁର୍ଖ
ଅଛନ୍ତି ଅନେକ ।
ଭାବି,
ଅଥୟ ହେଲା ହୃଦୟ •••

ଶିକ୍ଷିତ ସମାଜ
ତୋଳିବା ନିମନ୍ତେ
ରାଜା,
ଦୃଢ କଲେ ନିଜ ମନ,
ଅଠେଇଶ୍ ଗୋଟି
(ପ୍ରାଥମିକ) ବିଦ୍ୟାଳୟ ତୋଳି,
ଉଚ୍ଚ ବିଦ୍ୟାଳୟ
ଦେବଗଡେ ଖୋଲି ।
ଯଶ ରଖିଗଲେ ଜାଣ •••

ବିଦ୍ୟାଳୟ କୋଠା
ନିର୍ମାଣ କରିଲେ
ରାଜ କୁମାର ନାମରେ,
ରାଜା ପ୍ରଜା ଭେଦ
କିଛି ନ ରଖିଲେ,
ଏକ ସଂଙ୍ଗେ ସର୍ବେ
ସୁଶିକ୍ଷା ପାଇଲେ ।
ଶିକ୍ଷିତ ହେଲେ ରାଜ୍ୟରେ •••

ଉଚ୍ଚ ବିଦ୍ୟାଳୟେ
ବଙ୍ଗଳା ଭାଷାର
ଶିକ୍ଷକ କଲେ ନିଯୁକ୍ତ,
ରାଜ୍ୟ ହିତେ,
ଉପଦେଶ ନେଲେ
ଦୁଇ ବନ୍ଧୁଙ୍କର,
ଆଶୁତୋଷ ମୁଖାର୍ଜୀ ଓ
ଈଶ୍ବର ଚନ୍ଦ୍ର ବିଦ୍ଯାସାଗର ।
ମଧୁର ଥିଲା ଅତୀତ •••

କିଛି ବର୍ଷ ଗତେ-
ରାଜା ବାସୁଦେବ
ଉଚ୍ଚ ବିଦ୍ୟାଳୟ
କୋଠା ସଂପୂର୍ଣ୍ଣ ହୋଇଲା,
ସ୍ଥାନାନ୍ତର କରି
ପଢା ଆରମ୍ଭିଲେ,
ଦୂରଦୂରାନ୍ତରୁ
ବିଦ୍ଯାର୍ଥୀ ଆସିଲେ ।
ବାମଣ୍ଡା ଯଶ ବଢିଲା •••

ଆଜି-
ଅତୀତ ହୋଇଛି
ସ୍ମୃତି ପାଲଟିଛି
ରାଜ କୁମାର ବିଦ୍ୟାଳୟ,
ବିଲୀନ ହେଲାଣି
ତା’ର ଯେତେ ଚିହ୍ନ,
ଆଉ ଫେରିବନି
ସେଇ ସବୁ ଦିନ ।
ଭାବି,
ଅଥୟ ହୁଏ ହୃଦୟ •••

ପ୍ରଜାଙ୍କର ସ୍ବାସ୍ଥ୍ୟ
– ରକ୍ଷା ହିଁ ପ୍ରଧାନ
କର୍ତ୍ତବ୍ୟ ଭାବି ମନରେ,
ଗୁଣୀ ଓ ଉତ୍ସାହୀ
ଡାକ୍ତର ଅଣାଇ,
ନିଯୁକ୍ତ କରିଲେ
ପ୍ରଜା ହିତ ଚାହିଁ ।
କୁଚିଣ୍ଡା – ଦେବଗଡ (୧୮୮୩) ରେ •••

ଚିକିତ୍ସା କ୍ଷେତ୍ରରେ
ରାଜାଙ୍କରସେବା
ଶ୍ରେଷ୍ଠ ଅବଦାନ ରାଜ୍ୟେ,
ଡାକତର ଖାନା
ପ୍ରତିଷ୍ଠା କରିଲେ,
ଧନ୍ଯ ଧନ୍ଯ ବୋଲି
ପରଜା କହିଲେ ।
ରାଜା,
ସନ୍ତୋଷ ଲଭିଲେ କାର୍ଯ୍ୟେ •••

ଶ୍ରୀ ଗୌରୀଶଙ୍କର
ରାୟଙ୍କ କଥାରେ
ଅନୁପ୍ରାଣିତ ହୋଇଣ,
କଟକ ସହରେ
ସ୍ଥାପନ କରିଲେ,
‘ ସୁଢଳ ପ୍ରେସ୍ ‘ ବୋଲି
ନାମଟି ରଖିଲେ ।
ଆନନ୍ଦିତ ହେଲେ ରାଜନ •••

ସୁଢଳ ପ୍ରେସ୍ ର
ସଂପାଦନା କଲେ
ଚତୁର୍ଭୁଜ ପଟ୍ଟନାୟକ,
ସମାଜ ସଂସ୍କାର
ଉଦେଶ୍ଯ ନେଇଣ,
‘ ସଂସ୍କାରକ ‘ ଜନ୍ମ
ଲଭିଲା ସେଦିନ ।
ଚହଟିଲା,
ଭାଷା ସାହିତ୍ୟ ମହକ •••

ଭାବଗ୍ରାହୀ ଦାସଙ୍କ
ସଂପାଦନା ଦ୍ବାରା
ପ୍ରକାଶ,
ପାଇଲା ‘ ସେବକ ‘ ପତ୍ରିକା,
ଦୁଇ ପତ୍ରିକାରୁ
ହେଲା ଅର୍ଥ ଲାଭ,
ବାସୁଦେବଙ୍କର
ବଢିଲା ଗୌରବ ।
ସୁଯୋଗ ମିଳିଲା,
ପଢିବାକୁ ଭଲ ଲେଖା •••

ସଂସ୍କାରକର କିଛି
ଆପତ୍ତି ଜନକ
ଲେଖା ବଢାଇଲା ବିବାଦ,
ତେଣୁ,
ସୀତାନାଥ ରାୟଙ୍କୁ
ଏକ ଅଂଶ ଦେଇ,
ଅନ୍ଯ ଏକ ଅଂଶ
ବାମଣ୍ଡା ଅଣାଇ ।
ପୁଣି,
ଶୁଣାଇଲେ ସୁସଂମ୍ବାଦ •••

ବାମଣ୍ଡା ରାଜ୍ୟର
କବି-ସୁଶାସକ
ଓଡିଆ ଉଦ୍ଧାର କର୍ତ୍ତା,
ଭାଷା ସାହିତ୍ୟର
ପ୍ରଚାର ପ୍ରସାର,
ନିମନ୍ତେ ରାଜନ
ମନ କଲେ ସ୍ଥିର ।
ସାଜିଲେ ବାମଣ୍ଡା ମୁକ୍ତା •••

ନିଜ ରାଜଧାନୀ
ଦେବଗଡ ଠାରେ
ବସାଇଲେ ଛାପାଖାନା,
ଜଗନ୍ନାଥ ବଲ୍ଲଭ
ନାମ ଦେଇ ତା’ର,
ସପ୍ତାହକୁ କଲେ
ପତ୍ରିକା ବାହାର ।
ସମ୍ବଲପୁର ହିତୈଷିଣି,
ଭାବେ ହେଲା ଜଣାଶୁଣା •••

ବାମଣ୍ଡା ପ୍ରେସ୍ ର
ସଂପାଦନା କାର୍ଯ୍ଯ
ତୁଲାଇଲେ ବୃନ୍ଦାବନ,
ଭାରି ଖୁସି ହେଲେ
ରାଜା ବାସୁଦେବ,
ରହିଲାନି ଭାଇ
ସ୍ନେହର ଅଭାବ ।
ଆନନ୍ଦେ ବିତିଲା ଦିନ •••

ହିତୈଷିଣିର
ସଂପାଦନା କାର୍ଯ୍ଯ
କଲେ,
ନୀଳମଣି ବିଦ୍ଯାରତ୍ନ,
ନବ ଜନ୍ମ ହେଲା
ଓଡିଆ ଭାଷାର,
ଆକର୍ଷିତ କଲା
ପଣ୍ଡିତ ଅନ୍ତର ।
କବି ସାହିତ୍ୟିକ,
ମିଶି କଲେ ସର୍ବେ ଯତ୍ନ •••

ସ୍ବାଧୀନତା ପରେ
ପ୍ରେସ୍ ର ଦାୟିତ୍ବ
ନେଲେ ଓଡିଶା ସର୍କାର,
ସରକାରୀ ମୁଦ୍ରଣାଳୟ
ରୂପେ ନାମ ଦେଇ,
ଚଳାଉ ଅଛନ୍ତି
ଆଗଭର ହୋଇ ।
ଜାଣି,
ଆନନ୍ଦ ଲଭେ ଅନ୍ତର •••

କଏଦୀ ମାନଙ୍କୁ
ପତ୍ରିକା ମୁଦ୍ରଣ
କାର୍ଯ୍ଯେ ଲିପ୍ତ କଲେ ରାଜା,
ନିଶା ନିବାରଣ
ଆଇନ୍ ଆଣିଣ,
ରାମ ରାଜ୍ୟ ପାଇଁ
ଦେଖିଲେ ସପନ ।
ଆଦେଶ ପାଳିଲେ ପ୍ରଜା •••

କଠୋର ନିୟମ
ରାଇଜେ ରଖିଲେ
କଏଦୀ ମାନଙ୍କ ପାଇଁ,
ସୁକାରା ପଦ୍ଧତି
କଲେ ପ୍ରଚଳନ,
ଶିଳ୍ପ – ବୈଷୟିକ
ପତ୍ରିକା ମୁଦ୍ରଣ
ସୁଶିକ୍ଷା ଦ୍ବାରା – ଭବିଷ୍ଯେ,
ସମାଜେ ଚଳିଲେ
ସୁନାଗରିକ ହୋଇ •••

ଚିକିତ୍ସା ପୁସ୍ତକ (ବିସୂଚିକା ଚିକିତ୍ସା – ନୀଳମଣି ବିଦ୍ଯାରତ୍ନ)
ବିତରଣ କଲେ
ମାଗଣାରେ ରାଜ୍ୟ ସାରା,
(କଏଦୀ ମାନଙ୍କୁ)
ସ୍ବାସ୍ଥ୍ୟ ନିୟମିତ
ପରୀକ୍ଷା କରାଇ,
ଖାଦ୍ୟ ଓ ଔଷଧ
ମାଗଣାରେ ଦେଇ ।
ବଜାୟ ରଖିଲେ ଧାରା •••

ରାଜା,
ବାହାର ରାଜ୍ୟରୁ
କାରିଗର ଆଣି
ବୁଣିବା ତାଲିମ୍ ଦେଲେ,
ଲୁଗା – କଉଟିର
ବଢିଲା ଆଦର,
ସତରଞ୍ଜି – ଧୋତି
ଗାମୁଛା – ଚାଦର ।
ବନ୍ଦୀ ବୁଣିବା ଶିଖିଲେ •••

ବସ୍ତ୍ରର ଆଦର
ଦେଖିଣ ରାଜନ
ବୟନ କଳ କିଣିଲେ,
ରମ୍ଭେଇ ସ୍ଥାନରେ
ଏକ ସୂତା କଳ,
ଆଖୁ କଳ, ଜଳ
– ଉଠାଇବା କଳ ।
ପ୍ରଜା ହିତେ ବସାଇଲେ •••

କୁସଂସ୍କାର ଦୂର
ନିମନ୍ତେ ନରେଶ
ନୀତି ପ୍ରଣୟନ କଲେ,
ବାଲ୍ଯ – ବୃଦ୍ଧ ବିଭା
ସତୀ ଦାହ ପ୍ରଥା,
ଜାତି ଭେଦଭାବ
ନର ବଳି କୁପ୍ରଥା ।
ରାଜ୍ଯରୁ ଉଚ୍ଛେଦ କଲେ •••

ଦେବଗଡ ଠାରେ
ପ୍ରମୋଦ ଉଦ୍ଯାନ (ବଡ ବଗିଚା)
ନିର୍ମାଣ କରିଲେ ରାଜା,
ନାନା ଫୁଲ ଫଳେ
ସଂପୂର୍ଣ୍ଣ ବଗିଚା,
ପୌରଣିକ ଚିତ୍ର
ସୁଅତୀତ କଥା ।
ଦେଖି ଖୁସି ହେଲେ ପ୍ରଜା •••

ସତେଇଶ୍ ତମ
ରାଜା ବାସୁଦେବ (୧୮୬୮ – ୧୯୦୩)
ଥିଲେ ଶ୍ରେଷ୍ଠ ପ୍ରଶାସକ,
ଛବିଶ୍ ଗଡରୁ
ବାମଣ୍ଡା ପ୍ରଦେଶ,
ସାରା ଓଡିଶାରେ
ରଖିଥିଲା ଯଶ ।
ରାଜା,
ଥିଲେ ପରଜା ପାଳକ •••

ପ୍ରତିଟି ଯୁଦ୍ଧରେ
ଜିତିବା ଲାଳସା
ରଖୁଥିଲେ ସୈନ୍ୟ – ରାଜା,
ସୌନ୍ଦର୍ଯ୍ୟ ସମ୍ଭାର
ସମ୍ପୂର୍ଣ୍ଣ ରାଇଜ,
ରାଜଧାନୀ ଥିଲା
କୋଟି ସୂର୍ଯ୍ୟ ତେଜ ।
ତେଣୁ,
ଉଜ୍ଜୟିନୀ ବୋଲି
କହୁଥିଲେ ତୁଣ୍ଡେ ପ୍ରଜା •••

ରାଜନ,
ପଣ୍ଡିତ ସଭାର
କଲେ ଆୟୋଜନ
ଭାଷାର ଉନ୍ନତି ପାଇଁ,
ବିଭିନ୍ନ ସ୍ଥାନରୁ
ପଣ୍ଡିତ ଆଣିଣ,
ରାଜ ଦରବାରେ
ଦେଲେ ସୁସମ୍ମାନ ।
ହସିଲା ଓଡିଶା ଭୂଇଁ •••

ଅଠର ଶହ
ଛୟାଅଶୀ ସାଲେ
ନିଜ ଦରବାର ଠାରେ,
ମନ୍ତ୍ରୀ ପରିଷଦ
ପଣ୍ଡିତ ଡାକିଲେ,
ରାଧାନାଥ ରାୟଙ୍କୁ
ସମ୍ମାନିତ କଲେ ।
‘ କବିବର ‘ ଉପାଧିରେ •••

କବି – ଜ୍ଞାନୀ – ଗୁଣୀ
ଆଗମନ ଦେଖି
ପୁରି ଉଠିଲା ଅନ୍ତର,
କବି ରାଧାନାଥ
ହୋଇଣ ହରଷ,
କହି ଦେଇ ଗଲେ
ବାମଣ୍ଡା ପ୍ରଦେଶ ।
‘ ବୁଧ ହଂସ କେଳି ସର ‘ •••

ବାମଣ୍ଡା ଦକ୍ଷିଣେ
ଆନ୍ଦୋଳନ ଦେଖି
ଭୟରେ,
ଇଂରେଜ ଛାନିଆ ହେଲେ,
ବିପ୍ଳବ ଦମନ
କରିଲେ ରାଜନ,
ଦେଖି ବ୍ରିଟେନ୍ ଦେଲା
ସି•ଆଇ•ଇ•( C•I•E• ) ସମ୍ମାନ ।
ରାଜା,
ବାସୁଦେବ ଖୁସି ହେଲେ •••

ପୋଷ୍ଟ ଅଫିସ୍
ସାଥେ ମୁଦ୍ରା – ଷ୍ଟାମ୍ପ୍
ପ୍ରଚଳନ କଲେ ରାଜା,
ନୋଟ୍ ଛପାଇଣ
ଚଳାଇଲେ ରାଜ୍ୟ,
ଧନ୍ଯ ଧନ୍ଯ କଲେ
ଦେଖି ହିତ କାର୍ଯ୍ଯ ।
ଉସତ ହୋଇଲେ ପ୍ରଜା •••

ବାସୁଦେବଙ୍କର
ତତ୍ତ୍ବାବଧାନରେ
ବାମଣ୍ଡା ଡାକ ବିଭାଗ,
ଥିଲା ପ୍ରଚଳିତ
ପ୍ରତ୍ଯକ୍ଷ ଭାବରେ,
ଚିଟାଉ ପ୍ରେରଣ
ଦୁଇ ପଇସାରେ ।
ରାଜ୍ୟ,
ଲାଗୁଥିଲା ସତେ ସ୍ବର୍ଗ •••

ପ୍ରଜାଙ୍କୁ ଅଧିକ
ବ୍ଯୟରୁ ମୁକତ
କରିବା ପାଇଁ ଦରେଶ,
ଡାକ ବିଭାଗକୁ
ହସ୍ତାନ୍ତର କଲେ,
ବ୍ରିଟିଶ ସରକାର
ଗ୍ରହଣ କରିଲେ ।
ଦେଇ ଭରସା ବିଶ୍ବାସ •••

ଉତ୍ତମ ଶାସନ
ହିତ କାର୍ଯ୍ଯ ଆଉ
ରାଜ୍ଯର ଉନ୍ନତି ପାଇଁ,
ବ୍ରିଟିଶ୍ ସରକାର
ଦେଲେ,
କେ•ସି•ଆଇ•ଇ•( K•C•I•E•) ସମ୍ମାନ,
ଆନନ୍ଦିତ ହେଲେ
ସୁଢଳ ରାଜନ ।
‘ ସାର୍ ‘,
ଡାକିଲା ବାମଣ୍ଡା ଭୂଇଁ •••

ଉଦ୍ଭାବନ ହେବାର ୨୦ ବର୍ଷ ମଧ୍ୟରେ –
ଭାରତର ଦୀର୍ଘ
ଟେଲିଫୋନ୍ ସେବା
ଆରମ୍ଭ କଲେ ନରେଶ,
ଗୋବିନ୍ଦପୁରରୁ
ବାରକୋଟ ଯାଏଁ,
ଉତ୍ତମ ରାଜତ୍ବ
ଇତିହାସ କହେ ।
ପ୍ରଜାଏଁ ହେଲେ ହରଷ •••

କୁଚିଣ୍ଡା ଆଉ
ଦେବଗଡ ଦେଇ
ସେବା ଆରମ୍ଭ କରିଲେ,
ଦୀର୍ଘ ଅଶୀ ମାଇଲ୍
ଟେଲିଫୋନ୍ ତାର,
ସଂଯୋଗ କରିଣ
ଯୋଡିଲେ ଅନ୍ତର ।
ଉଣେଇଶ୍ ଶହ ସାଲେ •••

ଉଣେଇଶ୍ ଶହ
ତିନି ଖ୍ରୀଷ୍ଟାବ୍ଦରେ
ବାମଣ୍ଡା ରାଜ ରାସ୍ତାରେ,
‘ ପେନାଡ ‘ ଗଡିଲା
କିରାସିନି ତେଲେ,
ଦେଖିଣ ପ୍ରଜାଏଁ
ଖୁସିରେ କହିଲେ ।
ପ୍ରଥମ କାର୍ ରାଜ୍ୟରେ •••

ସ୍ବର୍ଗ ଆରୋହଣ
କଲେ ବାସୁଦେବ
ସାଢେ ତେପନ ବରଷେ,
ଶୋକରେ ଡୁବିଲା
ବାମଣ୍ଡା ରାଇଜ,
ମନେ ପଡେ ଆଜି
ସବୁ ହିତ କାର୍ଯ୍ଯ ।
ସ୍ବର୍ଣ୍ଣ,
ପାଲଟୁ ଥିଲା ପରଶେ •••

ବାମଣ୍ଡାଧୀପତି,
ଏକତ୍ରିଶ ବର୍ଷ
ରାଜୁତି କରିଣ
ଇହ ଲୀଳା ସ୍ମରଣିଲେ,
ଉତ୍କଳ ଭୂଇଁର
ଉଜ୍ଜ୍ବଳ ନକ୍ଷତ୍ର,
ଦିନ ଦ୍ବିପ୍ରହରେ
ରୋଗ ବହୁମୂତ୍ର ।
ଲୁଚାଇଲା ଭୂମଣ୍ଡଳେ •••

ବିସ୍ମୟ ପ୍ରତିଭା
ପରଜା ପାଳକ
ଥିଲେ ସେ ଯୁଗ ପୁରୁଷ,
ଏତେ କମ୍ ବୟସେ
ଚାଲିଯିବା କଥା,
ଭାବିଲେ ଅନ୍ତରେ
ପାଏ ଘୋର ବ୍ଯଥା ।
ନ ହୁଏ ଜମା ବିଶ୍ବାସ •••


କବି କୁଟୀର,
ଦଣ୍ଡାସିଂହା,ବାରକୋଟ, ଦେବଗଡ,
ଦୂରଭାଷ- ୯୬୬୮୨୪୨୭୨୦

ମନ୍ତବ୍ୟ ରଖନ୍ତୁ: