ପ୍ରବନ୍ଧ – ବେଦାନ୍ତହିଁ ମାନବ ସାଧନାର ମିତ୍ର – ଡକ୍ଟର ଲକ୍ଷ୍ମଣ ସାହୁ

ବିଶ୍ୱ ପ୍ରକୃତିର ଉତ୍ତମ ବିଧାନ, ମାନବ କର୍ତ୍ତବ୍ୟର ପଥ କଣ ? କେଉଁ ମାର୍ଗରେ ସେ ନିଜ ସ୍ୱାଧିନ କର୍ମଶକ୍ତିର ପ୍ରୟୋଗ କରି ଜୀବନ କୃତାର୍ଥ କରିବ ? ବୈଦିକ ଦୃଷ୍ଟିକୋଣରୁ ଏହାର ଉତ୍ତର ହେଉଛି ‘ଯଞ୍ଗନୀତି’ । ନିଜ ଅଧିକାର ପାଇଁ ଯଞ୍ଗ ସଂପାଦନ ମାନବ ଜୀବନର କୃତାର୍ଥ ମାର୍ଗ । ଯାହା ଉଚିତ୍, ତାହାହିଁ ବିଶ୍ୱ ବିଧାନ ଓ ଅନୁକୂଳ ଅଟେ । ଯାହା ବିଶ୍ୱ ମଙ୍ଗଳ, ତାର ପ୍ରାପ୍ତି ପାଇଁ କାମନା କରିବା, ସକଳ ପ୍ରେୟ ସାମଗ୍ରୀକୁ ବଳି ବା ଆହୂତି ପ୍ରଦାନ କରିବାର ନାମ ଯଞ୍ଗ । ଅଥାର୍ଥ, ନିଜ ପାଖରେ ଥିବା ଅମାପ କର୍ମଶକ୍ତି, ଞ୍ଗାନଶକ୍ତି, ଭୋଗ୍ୟବସ୍ତୁ, ସୁବିଧା ସୁଯୋଗକୁ ଶ୍ରେୟ ଉଦ୍ଦେଶ୍ୟରେ, ପ୍ରକୃତି ଉଦ୍ଦେଶ୍ୟରେ, ବିଶ୍ୱନିୟନ୍ତା ମଙ୍ଗଳମୟ ଦେବଗଣଙ୍କ ପ୍ରସନ୍ନ ଲାଗି ଉତ୍ସର୍ଗ କରିବାହିଁ ଯଞ୍ଗ ସଂପାଦିତ ହୁଏ । ଦେବତାଙ୍କୁ ପ୍ରସନ୍ନ କରିବା ଅର୍ଥ ଶ୍ରେୟର ଅନୁବର୍ତ୍ତନ ଓ କଲ୍ୟାଣ ମାର୍ଗରେ ଆତ୍ମନିଯୋଗ କରିବା । ଯେ ପ୍ରେୟର ଆଦର କରେ ସେ ଦେବତାଙ୍କ ବିରୋଧ କରେ, ଅତାର୍ଥ ବିଶ୍ୱ ମଙ୍ଗଳ ବିଧାନକୁ ଅଗ୍ରାହ୍ୟ କରି ଦେହିନ୍ଦ୍ରିୟ ମନୋବୃତ୍ତିକୁ ତୁପ୍ତି କରେ । ବିଶ୍ୱବିଧାନର ପ୍ରତିକୂଳ ମାର୍ଗରେ ଯାଇ ସ୍ୱକୀୟ ଆକାଂଙକ୍ଷାକୁ ଚରିତାର୍ଥ କରେ । ମାନବର ଯଥାର୍ଥ ଗୌରବରୁ ବଞ୍ଚିତ ହୁଏ ।

ଦେବତାଙ୍କ ପ୍ରସନ୍ନ, ଅର୍ଥାତ୍ ବିଶ୍ୱବିଧାନର ଅନୁକୂଳ ପ୍ରାପ୍ତ ଉଦ୍ଦେଶ୍ୟରେ ନିଜର ଶକ୍ତି, ଭୋଗ୍ୟ ସାମଗ୍ରୀ ଓ ପୁଞ୍ଜିକୁ ସଠିକ୍ ମାର୍ଗରେ ବିନିଯୋଗ କରି ଜୀବନ ବିତାଇବା ଯଥାର୍ଥ ଧର୍ମ । ବିଚାର ପୂର୍ବକ ସ୍ୱଇଛାରେ ଯଞ୍ଗବ୍ରତୀ ହେବା ମାନବୀୟ ଧର୍ମ । ଏହି ଯଞ୍ଗହିଁ ଶ୍ରେୟର ମାର୍ଗ ଓ ଉନ୍ନତତର ବ୍ୟାପକତର । ତେଣୁ ମନୁଷ୍ୟ ଯେବେ ଦେବତାଙ୍କୁ ପ୍ରସନ୍ନ କରି ପ୍ରାପ୍ତବସ୍ତୁକୁ ତ୍ୟାଗ କରେ, ଦେବତା ତା’ପ୍ରତି ପ୍ରସନ୍ନ ହୁଅନ୍ତି । ମନୁଷ୍ୟ ଯଦି ବିଶ୍ୱ ପ୍ରକୀୟାର ନିୟାମକ ଧର୍ମ ବିଧାନର ଅନୁକୂଳ ପଥରେ ନିଜ ଶକ୍ତି ସଦବ୍ୟବହାର କରେ, ତେବେ ବିଶ୍ୱ ବ୍ୟାପାର ସମୂହ ଏହାର ଅନୁକୂଳ ହୋଇ ଉପସ୍ଥିତ ହେବ ଓ ତାର ଆକାଂଙକ୍ଷିତ ସ୍ଥାୟୀ ସୁଖବସ୍ତୁ ସମୂହକୁ ତାକୁ ଦେଇ କୃତାର୍ଥ କରେ । ଏହା ଦେବତା ଓ ମନୁଷ୍ୟର ବିଶ୍ୱନୀତି ଓ ମାନବୀୟ ସ୍ୱାଧିନତା । ଏପ୍ରକାର ପରସ୍ପରାନୁକୂଳ ହେବା ପରେ ମନୁଷ୍ୟ ଜୀବନ ସାର୍ଥକ ପାଲଟେ । ଜଗତ ମଧ୍ୟ ମଙ୍ଗଳ ପାଲଟି ଯାଏ, ବ୍ୟକ୍ତିର ଓ ସମୂହର କଲ୍ୟାଣ ଘଟେ, ଯାହା ବ୍ୟକ୍ତି ଓ ସମାଜର ମଙ୍ଗଳ । ବର୍ତ୍ତମାନର ସଂଭୋଗ ଓ ଭବିଶ୍ୟତର ସଂଭୋଗ ଏକ ସଙ୍ଗରେହିଁ ସଂପାଦିତ ହୁଏ । ତ୍ୟାଗ ଭିତରେ ଭୋଗ, ବୃହତ୍ କଲ୍ୟାଣରେ ଆତ୍ମନିୟୋଗ ଦ୍ୱାରା କଲ୍ୟାଣ ପ୍ରାପ୍ତି, ବିଶ୍ୱ ସେବା ଦ୍ୱାରା ଅଭିଷ୍ଠ ସିଦ୍ଧି, ଦେବତାଙ୍କ ପ୍ରୀତି ସଂପାଦନା ଦ୍ୱାରା ଶ୍ରେୟ ଓ ପ୍ରେୟର ସାମଞ୍ଜସ୍ୟ ବିଧାନ, ଏହି ଯଞ୍ଗ ନୀତିହିଁ ବୈଦିକ ଧର୍ମନୀତି । ଏପ୍ରକାର ଦେବତ୍ୱର ଜୀବନ ଯାପନହିଁ ଅଭିଷ୍ଠ ସିଦ୍ଧିର ସୁନିଶ୍ଚିତ ଉପାୟ । ଜୀବନକୁ ଯଞ୍ଖମୟ କରିବା ଦ୍ୱାରାହିଁ ମନୁଷ୍ୟତ୍ୱର ସମୁଚିତ୍ତ ବିକାଶ ଘଟେ ।

ବୈଦିକ ନୀତି ଅବଲମ୍ବନ କରିବା ଫଳରେ ମନୁଷ୍ୟ ସହ ମନୁଷ୍ୟର ସଙ୍ଘର୍ଷ ବଦଳରେ ସମ୍ମିଳନ, ପ୍ରତିଦ୍ୱନ୍ଦ୍ୱିତା ବଦଳରେ ସହଯୋଗିତା, ମତଭେଦ ବଦଳରେ ଆଦାନ ପ୍ରଦାନ, ସ୍ୱାର୍ଥ ବଦଳରେ ତ୍ୟାଗ ଓ ପ୍ରେମ ସମ୍ବନ୍ଧ ପ୍ରତିଷ୍ଠିତ ହୁଏ । ଦେଶ, କାଳ ଓ ଅବସ୍ଥାର ପରିବର୍ତ୍ତନ ଆସେ, ରୁଚି, ବୁଦ୍ଧି, ପ୍ରକୃତି ଓ ସାମ୍ରାଜ୍ୟରେ ନାନାବିଧ ବୈଚିତ୍ର କାରଣ ଘଟେ । ବିଭିନ୍ନ ମନୁଷ୍ୟର ଅନୁଷ୍ଠିତ ଯ୍ଞ୍ଖର ଆକୃତି ଓ ପ୍ରକୃତିରେ ଭିନ୍ନତା ଆସିବା ସ୍ୱାଭାବିକ । କାରଣ ଧନୀର ଯଞ୍ଗ ଓ ଗରିବର ଯଞ୍ଗ, ରାଜା ଓ ପ୍ରଜାର ଯଞ୍ଗ, ଞ୍ଗାନୀ ଓ ମୂର୍ଖର ଯଞ୍ଗ, ବୀର ଓ ଦୃର୍ବଳର ଯଞ୍ଗ ଏକ ପ୍ରକାର ହେବା ସମ୍ଭବ ନୁହେଁ, ଏକ ପ୍ରକାର ହେବାରେ ଯଞ୍ଗନୀତିର ସାର୍ଥକତା ନୁହେଁ । ତେଣୁ ବେଦରେ ବିଭିନ୍ନ ପ୍ରକାର ଯଞ୍ଗର ବିଧାନ ରହିଛି । ଋଷିଗଣଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାରର ଅଧିକାର ସଂପନ୍ନ ମନୁଷ୍ୟ ପାଇଁ ବିଭିନ୍ନ ଜାତୀୟ ଅଭିଷ୍ଠ ସିଦ୍ଧିର ଉପାୟ ରୀତିରେ ନାନା ଯଞ୍ଗର ବିଧାନ ସମାଜରେ ଗଠିତ ଓ ପ୍ରଚାରିତ ହୋଇଛି, କିନ୍ତୁ ଯଞ୍ଗର ମୂଳନୀତି ସମସ୍ତଙ୍କ ପାଇଁ ସମାନ । ପ୍ରତ୍ୟେକ ନିଜର ସ୍ୱାଧିକାର ବଳରେ ଯଞ୍ଗ ଦ୍ୱାରା ଅନନ୍ତତର ଅଧିକାରର ପ୍ରାପ୍ତିରେ ସଫଳ ହୁଏ, ଯଞ୍ଗମୟ ଜୀବନ ଯାପନ ମାନବର ଅଧିକାର । ସେ କେବଳ ଏହି ଉପାୟରେ କୃତାର୍ଥ ଲଭିବାରେ ସମର୍ଥ ହୁଏ, ଏହା ଦ୍ୱାରା ତା’ର ଚିତ୍ତ ଉଦାର ହୋଇଯାଏ, ଦେହର ଇନ୍ଦ୍ରିୟ ପବିତ୍ର ପାଲଟିଯାଏ, ଭୋଗ୍ୟ ବିଷୟାସକ୍ତି ଓ ତତ୍ ଜନିତ ବନ୍ଧନ ଶିଥିଳ ପାଲଟେ, ଦୃଷ୍ଟି ବ୍ୟାଟକ ଓ ଗମ୍ଭୀର ହୁଏ, ଜୀବନ ଉନ୍ନତତର ଭୂମି ଉପରେ ଆରୋହଣ କରେ ଓ ଚିରସ୍ଥାୟୀ ସୁଖ ପ୍ରାପ୍ତ କରେ ।

ବୈଦିକ ଦୃଷ୍ଟି ଅବଲମ୍ବନରେ ଶ୍ରେୟର ଅନୁବର୍ତ୍ତନ କଲେ ଚିତ୍ତ ଯେତେ ପରିଶୁଦ୍ଧ ହୁଏ, ପ୍ରେୟର କାମନା ସେତେ ସେତେ କମିକମି ଯାଏ ଓ ଉନ୍ନତରୁ ଉନ୍ନତତର ଆଦର୍ଶ ମାନବ ହୃଦୟକୁ ଅନୁପ୍ରାଣିତ କରେ , ଉନ୍ନତରୁ ଉନ୍ନତତର ଯଞ୍ଗାନୁଷ୍ଠାନରେ ଅଧିକାର ଓ ପ୍ରବୃତ୍ତି ପ୍ରାପ୍ତ ହୋଇଥାଏ । ଶେଷରେ ଜିଞ୍ଗାସାର ଉଦୟ ଘଟେ, ଯାହାକୁ ଅନ୍ତ କୁହାଯାଏ । ବୈଦିକ ଞ୍ଖାନ, ବୈଦିକକର୍ମ, ବୈଦିକ ଭାବ ଓ ସାଧନା, ଏସବୁ ଚରମ ଆଦର୍ଶ ଜାଣି ଆକାଂଙକ୍ଷା ଉତ୍ପନ୍ନ ହୁଏ । ମାନବର ଚରମ ଶ୍ରେୟ କଣ ? ଯାହାର ପ୍ରାପ୍ତି ପରେ ସମ୍ପୂର୍ଣ୍ଣ ଭୋଗ ବାସନାର ଅବସାନ ଘଟିବ, କ’ଣ ଏଭଳି କର୍ମ, ଯାହା ଭିତରେ ସମସ୍ତ କର୍ମର ଐକାନ୍ତିକ ପରିସମାପ୍ତି ଘଟିପାରିବ । ହୃଦୟରେ କଣ ଏଭଳି ଭାବ ଅନୁଶୀଳନ ସମ୍ଭବ, ଯାହା ଭିତରେ ଅନ୍ୟ ସବୁ ଭାବର ପ୍ରବାହ ବିଲୀନ ହୋଇଯିବ । ଏହାହିଁ ନିଶ୍ଚିତ ଜିଞ୍ଗାସା, ବୈଦାନ୍ତିକ ଜିଞ୍ଗାସା ଓ ଯାହାର ସାଧନା ଶ୍ରେୟ ସାଧନା ଅଟେ ।

ମାନବୀୟ ସତ୍ୟାନୁସନ୍ଧିତ୍ସା କ୍ଷେତ୍ରରେ ଦୁଇଟି ପ୍ରେରଣା ଅନୁଭୂତ ହୁଏ । ଗୋଟିଏ ଞ୍ଗାନରୂପକ ପ୍ରେରଣା ଓ ଅନ୍ୟଟି ଐକ୍ୟଞ୍ଖାନ ରୂପକ ପ୍ରେରଣା । ମନ ଓ ବୁଦ୍ଧି ଏ’ଦୁଇ ପ୍ରେରଣା ଦ୍ୱାରା ଚାଳିତ ହୋଇ ସତ୍ୟର ଅନୁସନ୍ଧାନ କରେ, ଏଥିରେ କାର୍ଯ୍ୟ ଅପେକ୍ଷା `କାରଣ’ ଅଧିକତର ସତ୍ୟ ଅଟେ । ବହୁତ ଅପେକ୍ଷା ଐକ୍ୟ ଅଧିକତର ସତ୍ୟ ହୋଇଥାଏ । ଇନ୍ଦ୍ରିୟ ଓ ମନ ସମଗ୍ର ସମଉପଯୋଗ କାର୍ଯ୍ୟ ସମୂହର କାରଣ ଓ ଏହା ଭିତରେ ଐକ୍ୟ ସୂତ୍ରର ଆବିଷ୍କାର ହୁଏ । ଏହି ତତ୍ତ୍ୱର ଆବିଷ୍କାର ଫଳରେ ମାନବର ବୁଦ୍ଧି ଏହିକଥାକୁ ଉପଲବ୍ଧି କରେ । ମଣିଷର ଏହି ତତ୍ତ୍ୱାନୁସନ୍ଧିତ୍ସୁ ବୁଦ୍ଧି କ୍ରମଶଃ ବିକଶିତ ହୋଇ ସଂକୀର୍ଣ୍ଣତା ମୁକ୍ତ ହୁଏ । ବିଶାଳ ଜଗତର ମୂଳ କାରଣକୁ ଅନୁସନ୍ଧାନ କରିବାରେ ଲାଗିଯାଏ । ଅଖଣ୍ତ ତତ୍ତ୍କ୍ୱର ବିଚିତ୍ର ଅଭିବ୍ୟକ୍ତି ରୂପେ ଦର୍ଶନ କରିବାକୂ ପ୍ରଯତ୍ନଶୀଳ ହୁଏ । ଏହି ଅନୁସନ୍ଧାନ ଓ ପ୍ରଯତ୍ନର ଫଳରୁ ଉପଲବ୍ଧ ହୁଏ ଅସଂଖ୍ୟ ଜଡ ଓ ଚେତନ ପଦାର୍ଥ ମୂଳରେ ଅଦ୍ୱିତୀୟ ବସ୍ତୁ ନିତ୍ୟ ବିଦ୍ୟମାନ । ଯାହା କେବଳ ନିଜ ସର୍ତ୍ତାରେ ସର୍ତ୍ତାବାନ ହୁଏ ଓ ଏଥିରୁ ଅନ୍ୟ ସମସ୍ତ ପଦାର୍ଥର ଉତ୍ପନ ଘଟିଛି । ଏହାର ସର୍ତ୍ତାରେହିଁ ସମସ୍ତ ସର୍ତ୍ତାର ବିଟିତ୍ର ଅଭିବ୍ୟକ୍ତ, ତାରିମଧ୍ୟରେ ସମସ୍ତଙ୍କ ସ୍ଥିତି ଓ ଗତି ଘଟେ । ଏହା କେବଳ ସ୍ୱତନ୍ତ୍ର ସର୍ତ୍ତା ବିଶିଷ୍ଟ ଅଦ୍ୱିତୀୟ ବସ୍ତୁର ସ୍ୱୟଂ ପ୍ରକାଶ । ତେଣୁ ଚୈତନ୍ୟ ସୂରୂପ ଏହା ସବୁ ଦେଶ କାଳରେ ଅତୀତ ଅଟେ । ଏହି ଅଖଣ୍ତ ସୂରୂପର ରୂପ ପ୍ରକାଶ ବସ୍ତୁ ବୃହତ୍ ହେବାର କାରଣ ଏହା ବ୍ରହ୍ମ ନାମରେ ଅଭିହିତ । ଏପରିକି ଏହା ସର୍ବ କାଳାତୀତ ଓ ସର୍ବକାଳାଶ୍ରୟ ହେବାରୁ ଏହା ଅକାଳ ଓ ମହାକାଳ ନାମରେ ମଧ୍ୟ ଅଭିହିତ । ଏହା ‘ଏକମେବାଦ୍ୱିତୀୟମ୍’, ‘ସ୍ୱୟଂ ଞ୍ଗାନମନନ୍ତମ୍’, ‘ଆନନ୍ଦ ରୂପ ସମୃତମ’, ‘ଶାନ୍ତ ଶିବଂମ୍’, ପରମ ଓ ଚରମତବ୍ୟ’ ଜୟ ଅଧିଗତ ଓ ଆସ୍ୱାଦିତ ହୋଇଥାଏ । ଏଥିରେ ଞ୍ଗାନର ଓ କର୍ମର ଚରମ ସାର୍ଥକତା ଓ ସବୁ ଭାବନାରେ ଏକ ମହାଭାବର ନିତ୍ୟ ପ୍ରତିଷ୍ଠା ଘଟେ । ଏହି ପରମ ସତ୍ୟକୁ ଞ୍ଗାନର ଅନ୍ତ, କର୍ମର ଅନ୍ତ, ଭୋଗର ଅନ୍ତ ଓ ଭାବର ଅନ୍ତ ବୋଲି ଧରାଯାଏ, ତେଣୁ ଏହା ବେଦାନ୍ତ ଅଟେ ।

ଏହି ବେଦାନ୍ତିକ ଧାଳଣା ପ୍ରାପ୍ତ ପରେ ବିଶ୍ୱ ଜଗତ ଅକାରଣ ଲକ୍ଷ୍ୟହୀନ ପ୍ରାକୃତିକ ନିୟମାବଳୀ ଦ୍ୱାରା ପରିଚାଳିତ ବୋଲି ମଧ୍ୟ ହୃଦବୋଧ ହୁଏନାହିଁ । ବରଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ତ ‘ଏକ ବ୍ରହ୍ମ’ରେ ସଂଯୁକ୍ତ ଓ ଏକ ବ୍ରହ୍ମ ଦ୍ୱାରା ସୁନିୟନ୍ତିତ ଅଟେ । ବ୍ରହ୍ମମୟ ଜଗତ, ଏକବ୍ରହ୍ମ ସମଗ୍ର ଜଗତର, ସବୁ ପଦାର୍ଥର ପ୍ରାଣ ସୂରୂପ, ଅନ୍ତରାତ୍ମା ସୂରୂପରେ ଅର୍ନ୍ତଯ୍ୟାମୀ ନିୟନ୍ତା ରୂପେ ବିରାଜମାନ କରେ । ତେଣୁ ଜଗତ ମୂଳତଃ ଏକବ୍ରହ୍ମ । ବ୍ରହ୍ମହିଁ ପ୍ରତ୍ୟେକ ବସ୍ତୁ ଓ ବ୍ୟାପାରର ଏକ ସୂତ୍ରରେ ଗ୍ରଂଥିତ । ବୈଦିକ ଦୃଷ୍ଟି ଲବ୍ଧ ସବୁ ଦେବତା ଏକ ବ୍ରହ୍ମରୁହିଁ ବିଚିତ୍ର ବିଭୂତି ରୂପେ ପ୍ରତିୟମାନ ହୁଅନ୍ତି । ଜଗତ ଭିତରେ ଦେବଗଣଙ୍କ ବିଚିତ୍ର ଶକ୍ତିର ଖେଳ ପରିଦୃଷ୍ଟ । ଏସବୁ ଶକ୍ତି ଏକ ମହାଶକ୍ତିର ପରି ପ୍ରକାଶ । ଏହି ମହାଶକ୍ତି ଏକ ଅଦ୍ୱିତୀୟ ସଚ୍ଚିଦାନନ୍ଦ ପରମ ମଙ୍ଗଳମୟ ବ୍ରହ୍ମ ଶକ୍ତି । ଏହି ମହାଶକ୍ତି ଘଟନ ଅଘଟନ ଘଟାଏ, ମହାଶକ୍ତିର ସ୍ୱଭାବରେ ବିଦ୍ୟମାନ ହୁଏ । ତେଣୁ ମହାଶକ୍ତିକୁ ‘ମାୟା’ ବା ‘ମହାମାୟା’ ବା ‘ଯୋଗମାୟା’ ଆଦି ଆଖ୍ୟା ଦିଆଯାଇପାରେ । ଏହି ଯୁକ୍ତି ଅନୁଯାୟୀ ମାୟା ବ୍ରହ୍ମ ସୂରୂପ ଅଭିନ୍ନ । ବ୍ରହ୍ମହିଁ ସ୍ୱକୀୟ ମହାଶକ୍ତିର ଅବଲମ୍ବନରେ ନିଜକୁ ଜଗତ ରୂପରେ ପ୍ରକାଶ କରିଥାଏ , ବ୍ରହ୍ମମୟ ଜଗତରେ ଅନ୍ୟ କିଛି ସତ୍ୟ ନୁହେଁ , ସର୍ବଖବ୍ଳିଦଂ ବ୍ରହ୍ମ, ସର୍ବ ଶିବମୟଂଜଗତ୍ । ଅନ୍ୟର ଓ ନିଜଜୀବନର ସ୍ୱାର୍ଥକତା ପରମନିଃଶ୍ରେୟ କଣ ? ଏହାର ନିର୍ଦ୍ଧାରଣ ପାଇଁ ନିଜ ସୂରୂପକୁ ହୃଦୟଙ୍ଗମ କରିବା ଆବଶ୍ୟକ- ମୁଁ କିଏ, ମୋର ସୂରୂପ କଣ ? ମୁଁ’ ଏହା କେବଳ ଅନନ୍ୟ ବସ୍ତୁ,ବ୍ୟକ୍ତି ଓ କର୍ମ ସମ୍ବନ୍ଧିୟ ପରିଚୟ ଓ ଉପାଧି ମାତ୍ର, ଏପରିକି ଅନ୍ୟ ଠାରୁ ଧାର ନିଆଯାଇ ଥିବା ପରିଚୟ- ତୁମର,ତାଙ୍କର,ମୋର,ଆପଣଙ୍କର…ନିଜର ପରିଚୟ ମାତ୍ର । କିନ୍ତୁ ମୋର ଅସଲ ସୂରୂପ କଣ ? ବିଚାର କଲେ ଉପଲବ୍ଧି ହେବଯେ- ମୁଁ ନିତ୍ୟଶୁଦ୍ଧ ମୁକ୍ତ ସଚ୍ଚିଦାନନ୍ଦ ସୂରୂପ ଆତ୍ମା ଅଟେ । ପାରମାର୍ଥିକ ବ୍ରହ୍ମ ସହ ମୋର ଭାବ/ପାର୍ଥକ୍ୟ ନାହିଁ, ଆମର ଞ୍ଗାନ କର୍ମାଦି ବିଷୟ ରୂପରେ ଯେ ବିଶ୍ୱାଳ ଜଡ ଜଗତ ବିଦ୍ୟମାନ, ଏହାର ମୂଳରେଯେ ବ୍ରହ୍ମ ବିଦ୍ୟମାନ, ସେହିଁ କେବଳ ଞ୍ଖାତା,କର୍ତ୍ତା ଓ ଭୋକ୍ତା ରୂପେ ବିଦ୍ୟମାନ ରହିବା, ଅର୍ଥାତ୍ ମୋର ମଧ୍ୟ ତାତ୍ତ୍ୱିକ ସ୍ୱରୂପ ସେହି ଏକହିଁ ବ୍ରହ୍ମ ଅଟନ୍ତି । ‘ୟାସ୍ନବସୌ ପୁରୁଷଃ ସୌଂହଂମସ୍ସିଂ’, ‘ଅହଂ ବ୍ରହ୍ମସ୍ସିଂ’ । ଯେଉଁ ପ୍ରକାର ବ୍ରହ୍ମରେ ନିଜକୁ ଉପଲବ୍ଧ କରିହୁଏ, ପ୍ରତ୍ୟେକ ଜୀବହିଁ,ତମେ ମଧ୍ୟ ବ୍ରହ୍ମରେ ଅଭିନ୍ନ ରୂପେ ଦର୍ଶନ ପାଅ- ‘ତତ୍ତ୍ୱମସି’,’ଜୀବୋ ବ୍ରହ୍ମାଦ ନାପରଃ” । ଏପ୍ରକାର ବିଚାର ସିଦ୍ଧାନ୍ତରେ ପହଞ୍ଚି ହୁଏଯେ, ଅଦ୍ୱିତୀୟ ନିତ୍ୟ ପବିତ୍ର ସଚ୍ଚିଦାନନ୍ଦ ବ୍ରହ୍ମ ଯେ, ଅସଂଖ୍ୟ ଆତ୍ମା ସୂରୂପରେ, ଅସଂଖ୍ୟ ଞ୍ଗାତା, କର୍ତ୍ତା ଓ ଭୋକ୍ତା ଓ ଅସଂଖ୍ୟ ବୀଜ,କାର୍ଯ୍ୟ ଓ ଭୋଗ୍ୟରୂପେ, ଅସଂଖ୍ୟ ଚେତନ/ଜଡ ରୂପେ ନିଜକୁ ପ୍ରକଟ କରି ଅନାଦି,ଅନନ୍ତ କାଳରୁ ଲୀଳାକରି ଆସୁଛନ୍ତି । ପାରମାର୍ଥତଃ ଏକ ବ୍ରହ୍ମହିଁ ଆତ୍ମାକୁ ଛାଡି ନରହିବାର କାରଣ, ଏ ସର୍ବ ସମ୍ବନ୍ଧାତୀତ, ସର୍ବ ଭାବାତୀତ, ଗୁଣାତୀତ, ନିରୂପାଧିକ, ନିର୍ଗୁଣ ନିର୍ବିଶେଷ ଅଟେ, ଅନ୍ୟ ଓ ଏହି ନିଜର ମାୟା ଶକ୍ତିର ଯୋଗରେ ଅସଂଖ୍ୟ ନାମ ଓ ରୂପରେ ପ୍ରକଟ ହୋଇ ସବିଶେଷ, ସଗୁଣ, ଅନନ୍ତ ଗୁଣାଧାର, ଅନନ୍ତ ଭାବଧାର, ସର୍ଡସମ୍ବନ୍ଧମୟ ଓ ସର୍ବୋପାଧିବିଭୂଷିତ ହୋଇଥାନ୍ତି, ଏହା ପରମାର୍ଥିକ ଦୃଷ୍ଟିକୋଣ ।

ତେଣୁ ପାରମାର୍ଥକ କୌଣସି କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ପ୍ରାପ୍ତ-ତ୍ୟକ୍ତ,ଶ୍ରେୟ-ଅଶ୍ରେୟ କିଛି ମଧ୍ୟ ରହି ପାରେ ନାହିଁ । ମୁଁ’ ବସ୍ତୁତଃ ନିତ୍ୟ ପୂର୍ଣ୍ଣତାରେ ପ୍ରତିଷ୍ଠିତ ବ୍ରହ୍ମରୁ ଅଭିନ୍ନ, ସୁତରାଂ ମୋର ସାଧ୍ୟ ବା ସାଧନା କିଛି ନାହିଁ, ଯାହା ମୋର କର୍ତ୍ତବ୍ୟ-ଅକର୍ତ୍ତବ୍ୟ କରିବାର ଦ୍ୱନ୍ଦ୍ୱର ଅନୁଭବ ଅଟେ । କାରଣ ମୁଁ ନିଜର ସୂରୂପକୁ ଅନୁଭବ କରିପାରେ ନାହିଁ, କେବଳ ଅନିତ୍ୟ ଉପାଧିୟକୁହିଁ ନିଜର ସୂରୂପ ବୁଝୁ । ନିଜ ସୂରୂପର ଞ୍ଗାନ ମିଳିଗଲା ପରେ ସବୁ ଦ୍ୱନ୍ଦ୍ୱ 5 ମିଳେଇଯାଏ । ତେଣୁ ନିଜ ସୂରୂପର ସାକ୍ଷାତ୍ କରିବାହିଁ ମୋର ଏକ ମାତ୍ର ସାଧନା, ଅଞ୍ଖାନତାର ନିରାକରଣର ଦ୍ୱାରା ଏହି ଆତ୍ମତତ୍ତ୍ୱ ବ୍ରହ୍ମକୁ ଉପଲବ୍ଧ କରିବା ମାନବ ଜୀବନର ଚରମ ଆଦର୍ଶ । ଯେପର୍ଯ୍ୟନ୍ତ ଅଞ୍ଖାନତା ନିବୃତ୍ତି ନାହିଁ, ସେପର୍ଯ୍ୟନ୍ତ ଆତ୍ମାସୂରୂପ ବା ସାକ୍ଷାତ୍କାର ଘଟିପାରିବ ନାହିଁ । ତେଣୁ ଦେହିନ୍ଦ୍ରିୟ ମନ,ବୁଦ୍ଧିକୁ ତତ୍ତ୍ୱଞ୍ଖାନ ପ୍ରାପ୍ତିର ଅନୁକୂଳ କରାଇବା ଓ ଏହି ଚରମ ସତ୍ୟକୁ ତତ୍ତ୍ୱକୁ ଶ୍ରବଣ, ମନନ ଓ ନିତ୍ୟ ଆସନହିଁ ଏକମାତ୍ର ସାଧନ ଅଟେ । ଏହାର ଉଦ୍ଦେଶ୍ୟ କର୍ତ୍ତାର ସଂଯମ, ଉଦାରତା ଭାବର ଅନୁଶୀଳନ କରିବା ଆବଶ୍ୟକ ଅଛି । ଏହି ଯଞ୍ଖସାଧନ ଅଙ୍ଗୀଭୂତ ହେଲେ ଦେହିନ୍ଦ୍ରିୟ ମନ ଓ ବୁଦ୍ଧିକୁ ସୁସଂସ୍କୃତ କରି କ୍ରମଶଃ ଶ୍ରେୟକୁ ଜୀବନରେ ପରିଚାଳିତ କରିରଖେ । ଯାଦ୍ୱାରା ବ୍ରହ୍ମ ସୂରୂପ ଉପଲବ୍ଧି ଘଟି ସର୍ବତ୍ୟାଗର ମହାଯଞ୍ଗ ସୃଷ୍ଟି କରେ । ମୁଁ’ ଓ ମୋ’ର କହିବାରେ ଯାହା ବୁଝାପଡେ ସେ ସବୁ ବ୍ରହ୍ମାଗ୍ନିରେ ଆହୂତ ଦେଇ ଅହଂଶୂନ୍ୟ ଭାବ ପ୍ରତିଷ୍ଠା କରିବାହିଁ ଯଞ୍ଗ ସାଧନର ଚରମ ସାର୍ଥକତା । ସବୁ ପ୍ରକାରର ପ୍ରାଣକର୍ମ, ଇନ୍ଦ୍ରିୟକର୍ମ, ମାନସିକ କର୍ମର ସୁସଂଯତ କରିବାର ବୁଦ୍ଧିକୁ ବ୍ରହ୍ମକାରିତା କରିବାହିଁ ସଂଯମର ପରାକାଷ୍ଠା କୁହାଯିବ । ଯାବତୀୟ ଚିତ୍ତବୃତ୍ତିକୁ ସର୍ବୋତ୍ତମ ଭାବ ସମନ୍ୱିତ ଏକମାତ୍ର ପ୍ରେମବୃତ୍ତିରେ ପରିଣତ କରି ଆତ୍ମାଭିନ୍ନ ନିଖିଳ ରସାମୃତ ସିନ୍ଧୁସଚ୍ଚିଦାନନ୍ଦ ବ୍ରହ୍ମକୁ ଉପାସନା କରିବା ଓ ଐକାନ୍ତିକ ରୂପରେ ବ୍ରହ୍ମମୟ ମହାଭାବରେ ପ୍ରତିଷ୍ଠା କରିବାହିଁ ଉପାସନାର ପରାକାଷ୍ଠା ଅଟେ । ତେଣୁ ବେଦ ବେଦାନ୍ତହିଁ ସକଳ ମାନବ ସାଧନା’ର ପରମ ମିତ୍ର ଅଟେ । ଯାହା କେବଳ ମାନବକୁ ଞ୍ଗାନାଲୋକରେ କେବଳ ନୁହେଁ ପରତ୍ମାଙ୍କ ନିକଟରେ ପହଞ୍ଚାଇ ଦିଏ….!!!


ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : 94377 40280

1 thought on “ପ୍ରବନ୍ଧ – ବେଦାନ୍ତହିଁ ମାନବ ସାଧନାର ମିତ୍ର – ଡକ୍ଟର ଲକ୍ଷ୍ମଣ ସାହୁ”

  1. ବହୁତ ଭଲ ଲାଗିଲା ।
    ଧନ୍ୟବାଦ

ମନ୍ତବ୍ୟ ରଖନ୍ତୁ