ପ୍ରବନ୍ଧ – ଜୈନଧର୍ମର ନିର୍ଷ୍କଷ ଶ୍ରୀଜଗନ୍ନାଥ – ଡକ୍ଟର ଲକ୍ଷ୍ଣଣ ସାହୁ

ପବିତ୍ର ଭାରତ ବର୍ଷରେ ଉତ୍କଳରହିଁ ପୁଣ୍ୟତମ ଭୂମି ଭାବେ ସର୍ବବିଦିତ, ବଡଠାକୁର ଶ୍ରୀଜଗନ୍ନାଥଙ୍କୁ ନେଇ ଏହା ଦେବ ଭୂମି, ବେଦ ଭୂମି, ମାନବ ପରିତ୍ରାଣର ତୀର୍ଥ ଭୂମି ପାଲଟିଛି । ସେହିଁ କେବଳ ସକଳ ବିଶ୍ୱାସ ଓ ପ୍ରାଣର କେନ୍ଦ୍ରବିନ୍ଦୁ । ସକଳ ମାନବ ଜାତିର ହୃଦୟରେ ଈଶ୍ୱରଙ୍କ ସାକ୍ଷାତ ଅବତାର ଭାବେ ଅବିଭୂତ । ଏପରିକି ସେ ହେଉଛନ୍ତି ସାକ୍ଷାତ୍ ପରଂବ୍ରହ୍ମ ସକଳ ଅବତାରର ସ୍ରଷ୍ଟା ଅବତାରି । ସର୍ବଧର୍ମର, ସମନ୍ୱୟର, ସାମ୍ୟ, ମୈତ୍ରୀର ପୀଠସ୍ଥଳୀ, ପ୍ରତୀକ । ଯାହାକିଛି ନୂତନ ଭାବେ ଗ୍ରହଣ କରାଯାଇଛି, ସେସବୁ ତାଙ୍କଠାରେ ଆରୋପିତ ହୋଇଛି । ଶବରର ଠାକୁର ହୋଇ ସମୟକ୍ରମେ ଜୈନ, ବୌଦ୍ଧ, ତାନ୍ତ୍ରିକ, ଶୈବ, ବୈଷ୍ଣବ, ଶାକ୍ତ, ଗାଣପତ୍ୟ, ସୌର ଆଦି ସକଳ ଧର୍ମର ସମନ୍ୱିତ ଠାକୁର ।

ଜଗନ୍ନାଥଙ୍କ ଉପାସନା ଓ ଜଗନ୍ନାଥ ନାମକରଣ କେବେ କେଉଁଠୁ ଆରମ୍ଭ ତାହା ରହସ୍ୟମୟ । ଯୁଗଯୁଗ ଧରି ରହସ୍ୟ ଘେରରେ ଥିବା ଜଗନ୍ନାଥ ବଡ ବିଚିତ୍ର । ଅନେକଙ୍କ ମତରେ ‘ଜଗନ୍ନାଥ’ ଶବ୍ଦ ମୂଳରେ ରହିଛି ଜୈନ୍ୟଧର୍ମର ପ୍ରାଣପ୍ରବାହ । ଏହି ଜଗନ୍ନାଥ ଶବ୍ଦ ମୂଳତଃ ଏକ ଜୈନ୍ୟ ଶବ୍ଦ । ଏହା ଜିନେଶ୍ୱର ଅର୍ଥାତ୍ ଆଦିନାଥ ଋଷଭଙ୍କର ନାମାନ୍ତର ବୋଲି ଜୈନ ଅଭିଧାନରେ ସୂଚୀତ ଅଛି । ଜଗନ୍ନାଥ’ ଶବ୍ଦର ଅର୍ଥ ଜଗତ୍’ ରୂପ ‘ନାଥ’ ବା ପୁରୁଷ ।ଜଗତ୍ ହେଉଛି ଉପାସ୍ୟ ପୁରୁଷ, ସେହି ଉପାସ୍ୟ ପୁରୁଷଙ୍କୁ ନାଥ ବୋଲି ଜୈନମାନେ ସ୍ୱୀକାର କରନ୍ତି । ଆଦି ଜିନ ‘ଋଷଭ’ ଦେବ ହିନ୍ଦୁ ଧର୍ମରେ ବିଷ୍ଣଙ୍କ ଅବତାର ଭାବେ ଗୃହୀତ ହୋଇଛନ୍ତି । କେତେକ ମତ ଦିଅନ୍ତି ଜଗନ୍ନାଥ ହେଉଛନ୍ତି ଋଷଭମୂର୍ତ୍ତୀ ।

ଜୈନମାନଙ୍କ ମତରେ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥି ହେଉଛି ପ୍ରଥମ ତୀର୍ଥଙ୍କର ଋଷଭଙ୍କ ଗର୍ଭକଲ୍ୟାଣକ ଦିବସ । ଋଷଭନାଥ ଏହି ତିଥିରେ ଗର୍ଭଗତ ହୋଇଥିବାରୁ ଏହି ତିଥିରେ ତାଙ୍କର ରଥଯାତ୍ରାର ବିଧି ରହିଛି । ଏହି ଦୃଷ୍ଟିରୁ ଚୈତ୍ୟ ପ୍ରସ୍ତୁତ ରଥ ଉପରେ ଜିନଙ୍କ ପ୍ରତିମା ସ୍ଥାପନ କରି ନଗରପରିକ୍ରମା କରିବାର ବିଧାନ ରହିଛି ଓ ଏହାକୁ ଏକ ମହୋତ୍ସବରେ ପରିଣତ କରାଯାଇଛି । କେହି କେହି ଜଗନ୍ନାଥ ଋଷଭଙ୍କର ପ୍ରତୀକ ବୋଲି ଗ୍ରହଣ କରି ଜୈନ ନିୟମାନୁଯାୟି ଠିକ୍ ସେହି ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଜଗନ୍ନାଥଙ୍କ ରଥ ଯାତ୍ରା ଉତ୍ସବକୁ ଅନୁମାନ କରାଯାଏ । ଏପରି ମଧ୍ୟ ଜୈନ ପ୍ରତିମା ମାନଙ୍କ ଅଭିଷେକ, ସ୍ନାନଯାତ୍ରା ଭଳି ଜଗନ୍ନାଥଙ୍କର ସେଭଳି ଉତ୍ସବ ପାଳନ କରାଯାଏ । ଜୈନ ପ୍ରତିମା ମାନଙ୍କ ଅଭିଷେକ ଭଳି ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳନ କରାଯାଏ । ଛତ୍ର, ଚାମର, କାହାଳୀ ଓ ବାଦ୍ୟ ଆଦି ବ୍ୟବହାର କରାଯାଏ । ଅଭିଷେକ ପରେ ଜିନ ପ୍ରତିମାମାନଙ୍କୁ ନୂତନ ରଙ୍ଗ ତୂଳୀରେ ରଙ୍ଗାୟିତ କରିବାଭଳି ସ୍ନାନଯାତ୍ରା ପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବନକ ଲାଗି ଓ ନବଯୌବନ ପାଳନ ବିଧି ସ୍ମରଣ କରାଏ । ଠିକ୍ ଯେଭଳି ଜିନ ପ୍ରତିମା ଋଷଭଙ୍କ ଚକ୍ଷୁର ନବିକରଣ ଭଳି ଜଗନ୍ନାଥଙ୍କ ଚକାଡୋଳା ନବିକରଣର ସାମ୍ୟ ରହିଛି । ତେଣୁ ଜୈନ ଧର୍ମ ସହ ଜଗନ୍ନାଥଙ୍କ ସପୃକ୍ତି ପ୍ରମାଣ ରହିଛି । ଋଷଭଙ୍କର ବୃକ୍ଷ ‘କଳ୍ପବଟ’, ତେଣୁ ମନେହୁଏ ଜଗନ୍ନାଥଙ୍କ ‘କଳ୍ପବଟ’ ଋଷଭଙ୍କ କଳ୍ପବଟର ପ୍ରତୀକ । ଜଗନ୍ନାଥଙ୍କ ନୀଳଚକ୍ର ଧର୍ମଚକ୍ର ହୋଇଥିବା ବେଳେ ଋଷଭଙ୍କ ନୀଳଚକ୍ର ହେଉଛି ଲାଞ୍ଛନ । ଏପରିକି ଋଷଭଙ୍କ ପୂଜିତ ସ୍ଥାନକୁ ଚକ୍ରକ୍ଷେତ୍ର କୁହାଯିବା ଭଳି ଶ୍ରୀଜଜନ୍ନାଥଙ୍କ ଶ୍ରୀକ୍ଷେତ୍ର ପୁରୀକୁ ମଧ୍ୟ ଚକ୍ରକ୍ଷେତ୍ର ନାମରେ ନାମିତ କରାଯାଏ । ଜୈନମାନଙ୍କ ଗଭୀର ବିଶ୍ୱାସ ତ୍ରିରନ୍ତ୍ର । ସେମାନଙ୍କ ଧର୍ମର ତିରନ୍ତ୍ର ହେଉଛି ସକଳ ତତ୍ତ୍ୱର ମୂଳ ଆଧାର । ସମ୍ୟକ୍ ଦର୍ଶନ, ସମ୍ୟକ୍ ଜ୍ଞାନ ଓ ସମ୍ୟକ ଚରିତ୍ରକୁ ତିରନ୍ତ୍ର କୁହାଯାଏ । ମୋକ୍ଷ ପ୍ରାପ୍ତି ଲାଗି ଏହା ଅପରିହାର୍ଯ୍ୟ । କିମ୍ବଦନ୍ତୀ ଅନୁସାରେ ତ୍ରିମୂର୍ତ୍ତି ତତ୍ତ୍ୱ ଜୈନମାନଙ୍କ ତ୍ରିମୂର୍ତ୍ତି ସହିତ ସମ୍ପୂକ୍ତ । ଏପରି ମଧ୍ୟ ଜୈନ ତ୍ରିରନ୍ତ୍ର ମୂର୍ତ୍ତି ପ୍ରସ୍ତର ଖଣ୍ତରେ ଖୋଦିତ ହୋଇଥିବା ପରି ହିନ୍ଦୁଧର୍ମର ଏହି ତ୍ରିରନ୍ତ୍ର ମୂର୍ତ୍ତି ପରିବର୍ତ୍ତେ ତ୍ରିରନ୍ତ୍ର ସଦୃଶ ସହ ତିନୋଟି ହସ୍ତ ପଦଶୂନ୍ୟ କାଷ୍ଠମୂର୍ତ୍ତି ସ୍ଥାପିତ ହୋଇଛନ୍ତି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ହେଉଛନ୍ତି ହସ୍ତ, ପଦ ଶୂନ୍ୟ ସେହି ପରମ ଆହ୍ଲାଦ ମୂର୍ତ୍ତି ।

ସମୃଦ୍ଧ ସିନ୍ଧୁ ସଭ୍ୟତାକୁ ଗଢିଥିବା ଦ୍ରାବିଡ ଜାତି ହେଉଛି ଜୈନ । ସେମାନେ ଜୀବ ଉପାସନା ଓ ବୃକ୍ଷ ଉପାସନା କରୁଥିଲେ । ପଣ୍ତିତ ନୀଳକଣ୍ଠ ଦାସଙ୍କ ମତରେ ଜୈନ ବା ଜିନ ଶବ୍ଦ ସମ୍ଭବତଃ ଦ୍ରାବିଡ ଜିଣ ଶବ୍ଦରୁ ବ୍ୟୁତ୍ପନ୍ନ ଘଟିଛି । ଜିଣ୍’ଧାତୁ ଏହାର ମୂଦ । ସଂସ୍କୃତରେ ଏହି ‘ ଜି’ । ପ୍ରାଚୀନ ସୁମେରୁରେ ଜି ବା ଜୀ ହେଉଛି ଜୀବନ ଶକ୍ତିର ନାମ, ସଂସ୍କତରେ ଏଥିରୁ ସୃଷ୍ଟି ହୋଇଛି ଜୀବଶବ୍ଦ ଓ ଜୀବ ଉପାସନା । ପୁରୀ ବଡଦେଉଳର ବାଇଶ ପାହାଚ ଜୈନ ବାଇଶଜଣ ତୀର୍ଥଙ୍କରଙ୍କ ରୂପକ ବୋଲି ଓଡିଆମାନଙ୍କ ଗଭୀର ବିଶ୍ୱାସ ରହିଆସିଛି । ଜଗନ୍ନାଥଙ୍କ ମହାପ୍ରସାଦକୁ କୈବଲ୍ୟ କୁହାଯାଏ । ପଣ୍ତିତ ନୀଳକଣ୍ଠ ଦାସଙ୍କ ଦୃଷ୍ଟିରେ ଜୈନ ଧର୍ମ ଦର୍ଶନରେ ଅଛି ଜୀବ, ଅଜୀବର ସମବାୟରେ ବ୍ୟକ୍ତି ବା ସୃଷ୍ଟି । ଅଜୀବରୁ ଜୀବକୁ ଅଲଗା କଲେ ବ୍ୟକ୍ତି ହେବ କେବଳ ଜୀବମାତ୍ର ବା ‘କେବଳୀ’ । ଏହି କେବଳୀଭାବହିଁ ହେଉଛି କୈବଲ୍ୟ । ଦୃଢ ବିଶ୍ୱାସ ଅଛି କୈବଲ୍ୟ ପ୍ରାପ୍ତିରେ ନିର୍ବାଣ ପ୍ରାପ୍ତି ଘଟେ ।

ଜୈନଧର୍ମର ଶାସ୍ତ୍ରାନୁସାରେ ଅଧ୍ୟାତ୍ମ ଶରୀରୀଙ୍କ ମଧ୍ୟରେ ପୁରୁଷୋତ୍ତମ ହେଉଛି ଶ୍ରେଷ୍ଠ । ଏହି ପୁରୁଷୋତ୍ତମ ଚେତନା ଭିତରେ ଜଗନ୍ନାଥ ଧର୍ମର ବିଶ୍ୱପ୍ରାଣତା, ବିଶ୍ୱପୁରୁଷ, ଅନନ୍ତ ପୁରୁଷ ସତ୍ତାର ନିର୍ଯ୍ୟାସ ଭରି ରହିଛି । ପଣ୍ତିତ ନୀଳକଣ୍ଠ ଦାସ ଜଗନ୍ନାଥ ଧର୍ମର ପୁରୁଷୋତ୍ତମ ଚେତନାକୁ ଅତି ଚମତ୍କାର ଭଙ୍ଗୀରେ ଦର୍ଶାଇଛନ୍ତି, “ଜଗନ୍ନାଥ ଧର୍ମରେ ଉପାସନା କହିଲେ ଉପାସ୍ୟରେ ଆରୋପିତ ଗୁଣ ଓ ଶକ୍ତିର ଯଶୋଗାନ ନୁହେଁ, ଉପାସ୍ୟର ପାଖରେ ରହିବା ପରି ବିଚାରି ତନ୍ମୟ ହେବାର ନିରନ୍ତର ପ୍ରଯତ୍ମ ।” ଏହି ପ୍ରଯତ୍ମରେ ଆତ୍ମାର ବନ୍ଧନ ଫିଟିଯାଇ କ୍ରମେ ମୁକ୍ତି ବା ନିର୍ବାଣ ଆଭିମୁଖୀ ପାଲଟେ । ନିଜ ଆତ୍ମା ପୁରୁଷର ସୁଖପାଇଁ ଭୋଗ ଲାଳସାର ଜାଗ୍ରତ କେବେ ଘଟେନାହିଁ । ବରଂ ସକଳ ଦୁଃଖ ସୁଖକୁ ଆବୋରି ନେଇ ଆତ୍ମା ପୁରୁଷ ନିଜର ସଂକୀର୍ଣ୍ଣ ବନ୍ଧନରୁ ମୁକୁଳା କରି ବିଶ୍ୱ କୈନ୍ଦ୍ରିକ ବ୍ୟାପ୍ତ ହୋଇ ଏକକାର ହୋଇଯାଏ । ବିଶ୍ୱାତ୍ମବୋଧ ଜାଗରଣରେ ସେ ଅନନ୍ୟ ପାଲଟେ । ଜଗତକୁ ଆତ୍ମପୁରୁଷ ସହ ଏକାକାର କରିପାରିଲେ ସେ ଶ୍ରେଷ୍ଠ ପୁରୁଷ ବା ପୁରୁଷୋତ୍ତମ ପାଲଟି ଯାଏ । ପୁରୁଷ ଓ ଜଗତ ଅଭିନ୍ନ । ତେଣୁ ପୁରୁଷନାଥ ଅର୍ଥ ଜଗନ୍ନାଥ, ଅନ୍ୟ ଅର୍ଥରେ ପୁରୁଷୋତ୍ତମ ଅର୍ଥ ଜଗନ୍ନାଥଙ୍କୁ ବୁଝାଇଥାଏ । ଜଗନ୍ନାଥ କହିଲେ ଜଗତର ପ୍ରଭୃ ବା ନିଗ୍ରହାନୁଗ୍ରହ ସମର୍ଥ ବିଭୂତିମନ୍ତ୍ର ବିଭୁ ନୁହଁନ୍ତି, ସେ ଜଗତ ରୂପକ ପୁରୁଷର ଉତ୍ତମ ସୂରୂପ । ସେହି ଜଗତ୍ ପୁରୁଷୋତ୍ତମର ସକଳ ସୁଖ ଦୁଃଖକୁ ନିଜର କରିପାରିଲେ ବା ସମଗ୍ର ବିଶ୍ୱର ଅନୁଭବ ସଙ୍ଗରେ ନିଜ ଅନୁଭବକୁ ମିଶାଇ ପାରିରେ ତାହାହେବ ପ୍ରକୃତ ଜଗନ୍ନାଥଙ୍କ ଉପାସନା । ସୀମିତ ବ୍ୟକ୍ତି କର୍ମକୁ ଜଗତ ପୁରୁଷ ଚେତନାରେ ଉଦବୃଦ୍ଧ କରି ଜଗତ୍ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାହିଁ ହେଉଛି ଶ୍ରେଷ୍ଠ ଜଗନ୍ନାଥ ଧର୍ମ । ପୁରୁଷକୁ ଜଗତ୍ ବା ଜଗତକୁ ପୁରୁଷ ସହ ଅଭେଦ କଳ୍ପନା କରିବାହିଁ ଜୈନ ଧର୍ମର ନିଜସ୍ୱଧାରା । କୌଣସି କାର୍ଯ୍ୟକୁ ଘୃଣା ନାହିଁ । ଉତ୍କଳର ଗଜପତି ସ୍ୱୟଂ ଜଗତ ପୁରୁଷ ଶ୍ରେଷ୍ଠ ସ୍ୱରୂପ ଜଗନ୍ନାଥଙ୍କ ସେବକ ରୂପେ ହାଡିର ଘୃଣ୍ୟ କାର୍ଯ୍ୟ ରଥରେ ଛେରାପହଁରା କରିବାକୁ କୁଣ୍ଠାବୋଧ ନକରି ଶ୍ରେଷ୍ଠ ଗୌରବ ଭାବେ ଗ୍ରହଣ କରିଛନ୍ତି । ଆଦିବାସୀ ଶବରର ଦାରୁ ଦେବତା ଅର୍ଥାତ୍ ଅଷ୍ଟ୍ରିକ ଗୋଷ୍ଠୀର ଶବର ଆଦିମ କାଳରୁ ଦାରୁଦେବତାଙ୍କୁ ପୂଜାକରି ଆସୁଥିଲା, ଜୈନ ଧର୍ମ ପ୍ରଭାବରେ ସେହି ଦାରୁଦେବତା ପରେ ତ୍ରିମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବା ଚତୁର୍ଦ୍ଧାମୂର୍ତ୍ତି ସେହି ଜଗନ୍ପାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଟନ୍ତି । ଇନ୍ଦ୍ରଭୂତିଙ୍କ ‘ଜ୍ଞାନସିଦ୍ଧି’ ଗ୍ରନ୍ଥରେ କୁହାଯାଇଛି, “ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍ ।” ଏଥିରେ ଜିନ ଶବ୍ଦଟି ଜଗନ୍ନାଥଙ୍କ ଜିନତ୍କ୍ୱକୁ ପ୍ରତିପାଦିତ କରେ ।

ହୁଏନସାଂଙ୍କ ବିବରଣୀରୁ ଜଣାଯାଇଛି କଳିଙ୍ଗ ଉପକୂଳରେ ଜଗନ୍ନାଥ ପ୍ରଥମେ ଖଣ୍ତିଏ କଳାପଥର ଭାବେ ପୂଜାପାଇ ଆସୁଥିଲେ, ସେହି କଳାପଥରଟି କଳିଙ୍ଗର ଜିନ’ର ପ୍ରତୀକ ବୋଲି ଧରାଯାଏ । ପରେ ପରେ ଏହାଙ୍କର ନାମ ‘ନୀଳମାଧବ’ ହୋଇଛି । ସଂସ୍କୃତରେ ‘ନୀଳମାଧବ’ର ପୃଥକ ଅର୍ଥ ହେଉଛି- ନୀଳ( Blue ), ମା(Mother ), ଧବ(White ) । ଏହାର ଦାର୍ଶନିକ ଅର୍ଥ ହେଉଛି ନିଃସତ୍ତା (non existence ) ଜନନ (principle of generation ) ଓ ଶୁକ୍ଳ (phenomenal experience of the universe ) । ଏସମ୍ପର୍କରେ ପଣ୍ତିତ ନୀଳକଣ୍ଠ ଦାସ ଦର୍ଶାଇଛନ୍ତି, “ଜଗନ୍ନାଥ ଏକ ଜୈନ ଅନୁଷ୍ଠାନ ।” ନୀଳ, ମା, ଧବ- ଏହି ତିନି ତତ୍ତ୍ୱରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଉନ୍ମେଷ ଘଟିଥିବା ଜଣାଯାଏ । ଐତିହାସିକ କାରଣରୁ ଜଣାଯାଏ ଚୋରଗଙ୍ଗଦେବ ବୈଷ୍ଣବ ହେବାପରେ ରାମାନୁଜଙ୍କ ନିଦ୍ଦେଶ୍ୟରେ ଜୈନ ପ୍ରତୀକ ନୀଳମାଧବଙ୍କୁ (ଜଗନ୍ନାଥଙ୍କୁ) ମନ୍ଦିରରେ ପ୍ରତିଷ୍ଠା କରିଥିଲେ । ଅର୍ଥାତ୍ ନୀଳ,ମା,ଧବ(ନୀଳମାଧବ) ତ୍ରିମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଧର୍ମଚକ୍ରର ଆକାର ବିଶିଷ୍ଟ ସୁଦର୍ଶନ ଚକ୍ର (ସ୍ତମ୍ଭକାର) ମିଶ୍ରଣରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ମନ୍ଦିରରେ ସ୍ଥାପିତ ହୋଇ ପୂଜିତ ହେଲେ ।

ଜଗନ୍ନାଥଙ୍କୁ ଜୈନ ଦେବତା ରୂପେ କଳ୍ପନା କରିବାର ଯଥେଷ୍ଟ ତଥ୍ୟଭିତ୍ତିକ ପ୍ରମାଣ ଲୁଚି ରହିଛି । ଜୈନର ପୁରିସୋତ୍ତମ ଓଡିଆରେ ପୁରୁଷୋତ୍ତମ, ଜୈନର ‘ଜୀନଦେବ’, ଅର୍ହନ୍, ‘ବାସୁଦେବ’ ଓଡିଆରେ ପରଂବ୍ରହ୍ମ ଓ କୃଷ୍ଣ-ବାସୁଦେବ ରୂପେ କଥିତ । କିନ୍ତୁ ଏକଥା ସତ୍ୟଯେ ଓଡିଆ ଭାଷାର କୌଣସି ଧର୍ମ ଗ୍ରନ୍ଥରେ ଜଗନ୍ନାଥଙ୍କୁ ‘ଜିନ’ ବୋଲି ଦର୍ଶାଯାଇନାହିଁ । ଡକ୍ଟର ବଂଶୀଧର ମହାନ୍ତିଙ୍କ ମତରେ, “ଯଦି ଜଗନ୍ନାଥ ଧର୍ମର ମୂଳ ଜୈନ ଧର୍ମ, ତେବେ ଏଜାତିର ଏତେ ବଡ ଜୈନ ସଂସ୍କୃତିରେ କାହିଁ ଗୋଟିଏ ହେଲେତ ‘ଜିନ୍’ ଶବ୍ଦ ମିଳୁନାହିଁ ।” ତଥାପି ସ୍ୱୀକାର କରିବାକୁ ହେବ, ଜଗନ୍ନାଥ ଧର୍ମରେ ଯେଭଳି ଅନ୍ୟାନ୍ୟ ଧର୍ମର ପ୍ରଭାବ ପଡିଛି, ସେଭଳି ଜୈନ ଧର୍ମର ପ୍ରଭାବ ପଡିଛି । ତେଣୁ ଜୈନ ଧର୍ମର ନିର୍ଷ୍କଷ ଶ୍ରୀଜଗନ୍ନାଥ ଯେତିକି ରହସ୍ୟମୟ, ସେହି ରହସ୍ୟମୟ ଠାକୁର ରହସ୍ୟ ଘେରରେ ରହି ସର୍ବଧର୍ମର, ମୈତ୍ରୀର, ସମନ୍ୱୟର, ପ୍ରୀତିର ବିଶ୍ୱବନ୍ଦିତ ଓ ପୂଜିତ, ତାଙ୍କୁ ନେଇ ଉତ୍କଳର ପବିତ୍ର ଭୂମି ପୁଣ୍ୟତୀର୍ଥସ୍ଥଳୀ ପାଲଟି ଯାଇଛି । ଯାହାଙ୍କର ପଦ ନଥାଇ ଯେ ବେଗବାନ୍, ପଲକ ନଥାଇ ଯେ ଭକ୍ତପାଇ ଅପଲକ ନୟନରେ ବିଶ୍ୱକୁ ଚାହିଁ ରହିଥାନ୍ତି, ହସ୍ତ ନଥାଇ ଯେ ସକଳଙ୍କୁ କୋଳେଇ ନେବାକୁ ବାହୁମେଲାଇ ଥାନ୍ତି, କର୍ଣ୍ଣ ନଥାଇ ଯେ ସର୍ବ ଅନ୍ତର୍ଯ୍ୟାମି, ତାଙ୍କରି ନିକଟରେ ନିଜକୁ ଥରେ ସମର୍ପଣ କରିଦେଲେ ସକଳ ଶାନ୍ତି ଓ ମୁକ୍ତି ମିଳେ ।

“ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।”


ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ମନ୍ତବ୍ୟ ରଖନ୍ତୁ