କ୍ଷୁଦ୍ରଗଳ୍ପ – ପୁଣିଥରେ ଫଗୁଣ ଫେରିଆସିଛି – ସିପ୍ରା ନମ୍ରତା

ଝରକା ଦେଇ ବାହାର କୁ ଚାହିଁଛି କଳିକା ।ଅନୁଭବ କରୁଛି ଆଜି ବଗିଚା ରେ କେତେ ରଙ୍ଗ ଫଗୁଣ ର ।ସୁମଧୁର କାକଳୀର କଳ ଗୁଞ୍ଜନ ରେ ମିଠା ଲାଗୁଛି ଅପରାହ୍ନ ର ସମୟ ।” ସତରେ ସୌରଭ ,ଏସବୁ ଅନୁଭଵ କେବଳ ତମରି ପାଇଁ “। ମନେ ମନେ କହିହେଉଥିଲା ସେ । ଗତକାଲି ଥିଲା ନର୍ସିଂ ଟ୍ରେନିଂ ର ଶେଷ ବର୍ଷ ର ଶେଷ ଦିନ ର ଭ୍ରମଣ ଯାତ୍ରା ।ଚିଲିକା ବକ୍ଷ ରେ ଜଳ ରାଶି ରେ ହାଲକା ତରଙ୍ଗ ଇନ୍ଧନ ଚାଳିତ ନୌକା ଟି ପାଣି ସୁଅ କାଟି କାଟି ଆଗେଇ ଚାଲିଥିଲା ଭାଲେରୀ ପାହାଡ଼ ଆଡକୁ ।ବିଭିନ୍ନ ପ୍ରଜାତି ର ବିହଙ୍ଗ ଉଡି ବୁଲୁଥାନ୍ତି ମୁକ୍ତ ଆକାଶ ତଳେ । କେଉଁଠି ମାଛରଙ୍କାଟିଏ ପାଣି ଭିତରୁ ମାଛ ଗୋଟେ ଧରିନେଲା ପରି ନିର୍ନିମେଶ ନୟନ ରେ ଚାହିଁଥିଲା କଳିକା । ନୌକାରେ ଥାଇ ପାଣି କୁ ହାତ ବଢ଼ାଇ ତରଙ୍ଗ ର ହିଲ୍ଲଳ କୁ ଅନୁଭବ କରୁଥିବା ବେଳେ ସୌରଭ ଆସି ତା ପାଖରେ ବସି ପଡିଥିଲେ ।

ସୌରଭ ତା’ ଘନିଷ୍ଠ ବାନ୍ଧବୀ ମଞ୍ଜୁରୀ ର ସମ୍ପର୍କୀୟ ଭାଇ । ଆୟୁଷରେ ଡାକ୍ତର ଅଛନ୍ତି । ଗୋଟିଏ କୋଠରୀରେ ମଞ୍ଜୁରୀ ସହିତ ରହିବାରେ ସୌରଭଙ୍କ ସହିତ ପରିଚୟ । ସୌରଭଙ୍କ କଥା କୁହା ଆଖି ରେ ଆଖି ମିଶିଯିବା ପରେ ଏକ ଅଜଣା ପୁଲକ ରେ ପୁଲକିତ ହୋଇଉଠିଥିଲା ସତ ହେଲେ ନିଜ ଅତୀତ ଘଟଣା ତାକୁ ବେଶ ସଙ୍କୁଚିତ କରିଦେଉଥିଲା । ଜଳ ତରଙ୍ଗ କୁ ସ୍ପର୍ଶ କରିଥିବା କଳିକା ର ହାତ ଟିରେ ଆସ୍ତେ କି’ନା ଚାପ ଦେଇ ଧୀର ନରମ କଣ୍ଠ ରେ ସୌରଭ କହିଥିଲେ —“ଆଉ କେତେ ପ୍ରତୀକ୍ଷା କରାଇବ କଳି “?
ଉତ୍ତରରେ କହିଥିଲା ସେ -“ହେଇ ଦେଖ, ସେ ଦୂର ଗଛଲତା, ବଣ, ପାହାଡ଼ ,ପର୍ବତ ର ଶିଖର… କେତେ ସୁନ୍ଦର ଦିଶୁଛନ୍ତି ନା …!! କିନ୍ତୁ ପାଖକୁ ଗଲେ ସେଇ ସୁନ୍ଦରତା ପାଇବ ? ପାହାଡ଼ ର ରୁକ୍ଷତା ଓ କର୍କଶତା ରେ ଚାଲିଲେ ପାଦ କୁ ଖାଲି କଷ୍ଟ ମିଳେ ସିନା …।”
–“ଏତେ ବୁଲେଇ ବଙ୍କେଇ କାହିଁକି କହୁଛ ସବୁକଥା । ପାହାଡ଼ କଥା କହିଲ, ତାହେଲେ ସାଗର କଥା କୁ କଣ କହିବ ? ବେଳାଭୂମି କଣ ଅସଂଖ୍ୟ ପାଦଚିନ୍ହ କୁ ଧରି ରଖିପାରେ ? ଲହରୀ ରେ ଧୋଇନିଏନି ସବୁ । ଏସବୁ ପ୍ରକୃତି ର ନିୟମ ।ସେଥିରେ କାହାର ବା ଦୋଷ କଣ ? ହଉ ଛାଡ ସେ କଥା, କହିଲ -ଜୀବନର ଚଲାପଥ ରେ ସାଥୀ ଟିଏ ହେବା ପାଇଁ ତମର କିଛି ଆପତ୍ତି ଅଛି ? ” ବେଶ ଖୋଲା କଥା । ହୃଦୟ ର ସ୍ପନ୍ଦନ ଟା ତୀବ୍ର ରୁ ତୀବ୍ରତର ହେଉଥିଲା କଳିକା ର । ଚିଲିକା ର ଅସ୍ବଚ୍ଛ ପାଣି ସହିତ ତାଳ ଦେଇ ତା’ ମନ ର ଗୋଳିଆ ପାଣି କୁ ସଫା କରିବାକୁ ବୃଥା ପ୍ରୟାସ କରିଥିଲା ସେ। । ସେଇ ମୂଲ୍ୟହୀନ ଅତୀତ କୁ ଜାବୋଡି ଧରିବାରେ ଆଜି ଆଉ କିଛି ଅର୍ଥ ହୁଏନା । ତଥାପି ସମାଜ ର ନାଲି ଆଖି ତା’ପାଦ ରେ ବେଡି ହୋଇଛି । ସୌରଭ ଙ୍କ କଥା ମନ ରେ ଶିହରଣ ଆଣେ ।””ଫୁଲ ର ବାସ ଛୁଟିଲେ ଭ୍ରମର ର ଆଗମନ ହୁଏ ଏଥିରେ କାହାର ବା କଣ ଦୋଷ ?””ତାଙ୍କ ପ୍ରଶ୍ନ ମନପ୍ରାଣ ରେ ପ୍ରେମ ବଂନ୍ହି ସୃଷ୍ଟି କରେ
– “ଫୁଲ କେବେ ଅପବିତ୍ର ହୁଏ ? କେତେ ଭଅଁର,ପ୍ରଜାପତି, କୀଟ ,ପତଙ୍ଗ ସେ ଫୁଲ ରେ ବସନ୍ତି ତଥାପି ସେ କଣ ଦେବତା ର ଶିର ମଣ୍ଡନ କରେନା ?ଯୋଉ ଘଟଣା ପାଇଁ କଳିକା ର ଆଦୌ ଦୋଷ ନାହିଁ ସେଥିରେ ସେ କାହିଁକି ପ୍ରାୟଶ୍ଚିତ କରିବ ?” ଉତ୍ତରରେ କିଛି କହିପାରେନି କଳିକା । କିନ୍ତୁ ରହି ରହି ଅବ୍ୟକ୍ତ ଭାଵ ଟିଏ ଗୁମୁରିଉଠେ “ତଥାପି ସେ ଭୋଗ୍ୟା ହୋଇସାରିଛି ,ସଂସାର କଣ ବୋଲି ବୁଝିବା ପୂର୍ବରୁ “। ହେଲେ ସୌରଭ ସବୁ ଜାଣି ଶୁଣି ତାକୁ ପ୍ରେମ କରୁଛନ୍ତି । ଭାବନା ଭିତରେ ନୌକା ମାଆ କାଳିଯାଈ ଙ୍କ ପାଖରେ ପହଞ୍ଚି ଯାଇଥିଲା ।ସମସ୍ତେ ପୂଜା କରି ଦର୍ଶନ ସାରିଲେ ।ନଡିଆ ଟି ପଚା ପଡ଼ିଥିବାରୁ ସୌରଭ ମନ ଖରାପ ଥିଲା କିନ୍ତୁ ସେଠି ନଡିଆ ପଚା ପଡିଲେ ବହୁତ ଶୁଭ ମନା ଯାଏ ବୋଲି ସେଠିକାର କିଛି ଲୋକଙ୍କ ପାଖରୁ ଶୁଣିବା ପରେ ତାକୁ ବହୁତ ଖୁସି ଲାଗିଲା ।ଘେରାଏ ବୁଲିବାକୁ ଯିବା ପାଇଁ ପ୍ରାୟ ସମସ୍ତେ ଉପରକୁ ଉଠିଯାଇଥିଲେ ।ମଞ୍ଜୁରୀ ଆଗେ ଆଗେ ଚାଲୁଥିଲା ତା’ ପଛକୁ କଳିକା ଓ ସୌରଭ ଚାଲୁଥିଲେ । କିଛିବାଟ ଉପରକୁ ଉଠି ଗଲା ପରେ ଏକ ଚିକ୍କଣ ଶିଳା ଉପରେ ପାଦ ପିଛିଳି ଗଲା କଳିକା ର ଏକ ଆସନ୍ନ ବିରାଟ ବଡ ଦୁର୍ଘଟଣା ରୁ ସେ ଉଦ୍ଧାର ପାଇଥିଲା ସୌରଭ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ରେ । ମଞ୍ଜୁରୀ କୁ ବୁଲିବାକୁ ଜୋର କରି ପଠାଇ ଦେଇ ସେଇଠି ବସିପଡିଥିଲା ସେ । ଗଲାବେଳକୁ ମଞ୍ଜୁରୀ କହି କହି ଯାଉଥିଲା ,”ଚିନ୍ତା କରନା, କଳି ଡାକ୍ତର ବାବୁ ପାଖରେ ଅଛନ୍ତି ।କିଛି ଅସୁବିଧା ହେବନି ।”
—“ତମେ କାହିଁକି ରହିଲ ? ଯାଅ ଟିକେ ବୁଲିଆସିବ ।ସବୁ ଆସିବା ପର୍ଯ୍ୟନ୍ତ ମୁଁ ଏଇଠି ବସିଥିବି ।”
–“ଆରେ ୟେ କି କଥା, ଏମିତି ଅବସ୍ଥା ରେ ତୁମକୁ ଛାଡି ମୁଁ ଯିବି କେମିତି ? ଜଣେ ଡାକ୍ତର ହିସାବରେ ମୋ କର୍ତ୍ତବ୍ୟ ମାନବିକତା ଓ ପ୍ରେମର ସମନ୍ୱୟ ମୋତେ ଯିବା ପାଇଁ ଦେଉନି କଳି ।ତମ ମୁହଁ ରେ ଯନ୍ତ୍ରଣା ର ଚିନ୍ହ ସ୍ପଷ୍ଟ ବାରି ହୋଇ ପଡୁଛି ।” କହି ସୌରଭ କଳିକା ର ଗୋଡ ଟିକୁ ଧରି ଠିକ୍ ଗଣ୍ଠି ପାଖରେ ସାମାନ୍ୟ ଝଟକା ଦେଲେ ।ଅଳ୍ପ ସମୟରେ ଟିକେ ଆରାମ ଲାଗିଲା କଳିକା କୁ ।
—“ମଞ୍ଜୁ ଠିକ୍ କହିଥିଲା ।”
—“କାହିଁକି ? ତମର ସନ୍ଦେହ ଥିଲା ନା କଣ ?
–“ନାଇଁ ଯେ..ମୋ ଗୋଡ଼ ଧରି ମୋତେ ପାପୀ କରିଦେଲ ।” ଲାଜେଇ ଯାଇଥିଲା କଳିକା ।
–“କିନ୍ତୁ ମୋତେ ତ ଲାଗୁଛି ମୁଁ ସବୁଠାରୁ ବଡ ପାପୀ କାରଣ ଏ ପର୍ଯ୍ୟନ୍ତ ମୋ ପ୍ରଶ୍ନ ର ଉତ୍ତର ଟି ପାଇପାରିଲିନି ।” କହି ସୌରଭ ଗଭୀର ଭାବେ ଚାହିଁଥିଲେ ତାକୁ ।
–“ସବୁ ପ୍ରଶ୍ନ ର କଣ ଉତ୍ତର ଥାଏ ?”ରହି ରହି ଧୀର ସ୍ୱର ରେ କହିଥିଲା କଳିକା ।
କଳିକା ର ଢଳ ଢଳ ଛଳ ଛଳ ଆଖିରେ ଆଖି ରଖି ପଚାରିଲେ —“କଣ ମାଗିଲ କଳି ମାଆ ଙ୍କୁ ”
–“ତମ ଇଛା ପୂର୍ଣ୍ଣ ହେଉ ” ।
ମନ ର ଆବେଗ କୁ ନିୟନ୍ତ୍ରଣ କରୁ କରୁ କହିଥିଲା ସେ । ସୌରଭ କେମିତି ଆଉ ଟିକିଏ ଲାଗି ଆସିଥିଲେ ଦେହଲଗ୍ନା ହୋଇ ଆଉ ଗଭୀର ଆବେଗ ରେ କାକଳି ର ହାତ ଟିକୁ ନିଜ ହାତରେ ସାଉଁଟି ନେଇଥିଲେ ।
ହୃଦୟ ଅବରୁଦ୍ଧ କୋହ ,ସଞ୍ଚିତ ଅଭିମାନ ,ଆଉ ସୁପ୍ତ ଶୀତଳ ବେଦନା ସବୁ ବାଟ ଖୋଜୁଥିଲେ ବାହାରକୁ ବାହାରି ଆସିବା ପାଇଁ ।ଆଉ ସହ୍ୟ ହେଉନଥିଲା ଲୋତକ ଗ୍ରନ୍ଥି ସବୁ ଉନ୍ମୁକ୍ତ ହୋଇଯାଇଥିଲେ ନେତ୍ର ପ୍ରାନ୍ତରୁ ଝରିବା ପାଇଁ ।ଧୀରେ ନିଜ ମଥା କୁ ସୌରଭ ଙ୍କ କାନ୍ଧ ରେ ରଖିଦେଇଥିଲା ।

କିଛି ସମୟ ପରେ ସମସ୍ତେ ଫେରିଆସିଥିଲେ ।ସମସ୍ତଙ୍କ ସମ୍ମୁଖରେ ମଞ୍ଜୁରୀ ସାଥୀ ରେ ଧୀରେ ଧୀରେ ଚାଲି ନୌକା କୁ ଫେରିଥିଲା କଳିକା ।ଚଢ଼େଇଗୁହା ଓ ନଳ ବଣ ଭିତରକୁ କଳିକା ଓ ସୌରଭ ବ୍ୟତୀତ ସମସ୍ତେ ଯାଇଥିଲେ । ଫେରନ୍ତା ପଥ ରେ ଦୁହିଁଙ୍କ ଦୃଷ୍ଟି ଲମ୍ବିଯାଉଥିଲା ଦୂରବର୍ତ୍ତୀ ହେଉଥିବା ମାଆ ଙ୍କ ପାହାଡ଼ ଓ ତତ୍ସନ୍ନିକଟ ସ୍ଥାନ ଆଡକୁ ।ସତେଯେମିତି ଦୈଵବାଣୀ ଶୁଣାଯାଇଥିଲା “ନାରୀ ଭୋଗ୍ୟା ହେଲେ ମଧ୍ୟ ଫୁଲ ପରି କୋମଳ, ନିଷ୍ପାପ, ଓ ପବିତ୍ର। ସେ ସର୍ବଦା ପ୍ରେମାସ୍ପଦା । ସୌରଭ ର ସାନ୍ନିଧ୍ୟ ରେ ପୁଲକିତ ହେଉଥିବା ବେଳେ ଆଈ ମା ପାଖରୁ ଆସିଥିବା ଫୋନ ରେ ଉତ୍ତର ଦେଉଥିଲା –“ଆମେ ଫେରୁଛୁ ଗ୍ରାନିମା ।ତମେ ମୋଟେ ବ୍ୟସ୍ତ ହୁଅନି ।ମୋ ସହିତ ସୌରଭ ଅଛନ୍ତି ” । ଏଇ କଥା ପଦକ ସେ ଏମିତି ଭାଵ ରେ କହିଥିଲା ଯେ ନିଜ କାନ କୁ ବି ଅଲଗା ଲାଗିଥିଲା । ତଥାପି ଆଶ୍ୱସ୍ତ ଅନୁଭବ କରିଥିଲା ସେ । ଦଶମ ଶ୍ରେଣୀ ପାସ କରିବା ପରେ ନିରୀମାଖୀ ଶୈଶଵ ରୁ ପିତୃମାତୃ ହୀନ ଝିଅ ଟିକୁ ଉତ୍ତମ ତତ୍ତ୍ୱାବଧାନ କରି ନ ପାରିବା ଭୟ ରେ ବିବାହ ଦେଇଦେଇଥିଲେ ପାଳନକାରିଣୀ ଏକମାତ୍ର ସାହା ଭରସା ଆଈମା ।ବିବାହ ର ଅଷ୍ଟମଙ୍ଗଳା ନ ସରୁଣୁ ସର୍ପ ଦଂଶନ ରେ ସ୍ୱାମୀ ଙ୍କ ର ମୃତ୍ୟୁ ରେ ସଂସାର ଟା ଉଜୁଡି ଯାଇଥିଲା ଓ ସବୁ କଳଙ୍କ ର ଟୀକା କଳିକା ମଥା ରେ ଲାଗିଥିଲା । ଆଉ ଲାଗିଥିଲା ତା ସାଥିରେ ଅମଙ୍ଗଳୀ, ଅଲକ୍ଷଣୀ, ସ୍ୱାମୀଖାଈ, ଏମିତି କେତେକଣ ଗାଉଁଲୀ ଓ ମଫସଲୀ ଭାଷା ର ଆଶ୍ରାବ୍ୟ କଥନ ର ମୋହର । ଭୀଷଣ ନିନ୍ଦା ବାଜଣା ରେ ଦୁଲୁକି ଉଠିଥିଲା ଦୁଇଖଣ୍ଡ ଗାଁ ସାଙ୍ଗ କୁ ଆଖ ପାଖ ଗାଁ ମଧ୍ୟ ।ଦୁଇକୁଳ ର ଜ୍ଞାତି କୁଟୁମ୍ବ ସାହି ପଡିଶା ଙ୍କ ଟାହି ଟାପରା ଉଚ୍ଛନ୍ନ କରିଦେଇଥିଲା ଜୀଵନ କୁ ଆଉ ପଥର କରିଦେଇଥିଲା ତା ଆଖି ର ସବୁ ଲୁହ କୁ ଓ ପରିଣତ କରିଦେଇଥିଲା ତାକୁ ଏକ ନୀର୍ଜୀଵ ପିତୁଳା ରେ । ଶାଶୁଘର ଲୋକେ ଆଣି ଛାଡ଼ିଦେଇଥିଲେ ତାକୁ ଆଈମା ପାଖରେ ଗଭୀର ଅସନ୍ତୋଷ ଓ ଅସହିଷ୍ଣୁତାରେ । ଆଈମା ଆଖିରେ ସବୁବେଳେ ଦେଖିଆସିଛି ଅନୁଶୋଚନା ର ଜ୍ବାଳା ଆଉ ବୟସ ର ଛାଇନେଉଟିଆ ବେଳେ ହାରିଯିବାର ଭୟ ତାକୁ ନେଇ ।ସେଇ ସୁପ୍ତ ବେଦନା ର କୋହ ଜର୍ଜରିତ ଆଈମା ର ଚେଷ୍ଟା ତାକୁ ଏଇ ବର୍ତ୍ତମାନ ରେ ପହଞ୍ଚାଇଛି । ସୌରଭ ଙ୍କ ପ୍ରେମ ରେ ଭିଜି କଳିକା କୁ ଲାଗୁଥିଲା ଦୀର୍ଘ ବର୍ଷ ର ବୈଧବ୍ୟ ରୂପୀ କଳଙ୍କ ର ଗାଢ ଦାଗ ଟି ଧୀରେ ଧୀରେ ଫିକା ପଡିଯାଉଛି,, ଶୁନ୍ୟ ସୀମନ୍ତ ଟି ଗାଢ଼ ଲାଲ ରଙ୍ଗ ରେ ରଙ୍ଗେଇ ଯାଉଛି ଆଉ ରଂଗହୀନ ବିବର୍ଣ୍ଣ ଶାଢ଼ୀ ରେ ଭରିଯାଉଛି ରଙ୍ଗ ବେରଙ୍ଗୀ ଛିଟ ଧଡି ସବୁ ।ଫୁରୁ ଫୁରୁ ଉଡୁଥିବା ଦୀର୍ଘ ଘନ କେଶ ଯେମିତି କବରୀ ରେ ସଜ୍ଜିତ ହେବ। ସୌରଭ ର ପ୍ରେମ କୁ ହିଁ କେବଳ ଏତେ ବର୍ଷ ଧରି ଯେମିତି ପ୍ରତୀକ୍ଷା କରିଆସୁଥିଲା ସେ ।

ଭାବନା ରେ ହଠାତ ପୂର୍ଣଛେଦ ପଡିଲା । ଆଈମା ଘରଭିତରକୁ ପଶି ଆସୁଥିବାର ଦେଖି ଚମକି ପଡିଲା କଳିକା ।ଅସ୍ତମିତ ପ୍ରଭା ଶୀର୍ଣ୍ଣକାୟ ଜ୍ୟୋତି ଧରିଥିବା ଆଈମା କୁ ଆବେଗ ରେ କୁଣ୍ଢାଇ ଧରିଲା ସେ । ଧୀର ଅସ୍ପଷ୍ଟ କଣ୍ଠ ରେ କହିଲା –“ଗ୍ରାନିମା ” ଆଈମା ଅଜସ୍ର ସ୍ନେହ ବୋଳା ଵୋକ ରେ କଳିକା କୁ ଭିଜାଇ ଦେବା ପରେ ଦୃଷ୍ଟି ତାଙ୍କ ଲମ୍ବିଗଲା ଝରକା ସେ ପଟକୁ ବଗିଚା କୁ ।ବଗିଚା ମଝିରେ ବଡ ଫୁଲ ଟିଏ ସତେକି ହସି ହସି କହୁଛି “ଏଥର ତୁମ ଅଗଣା କୁ ଫଗୁଣ ଫେରିଆସିଛି ଗୋ ….ଆଉ ତା ସାଥୀରେ ତାଳ ଦେଇ ଅନ୍ୟ ଫୁଲମାନେ ମୁଣ୍ଡ ଟୁଙ୍ଗାରୁଥିଲେ ଯେମିତି ।ଆଈମା ଙ୍କ ଶୁଷ୍କ ଓଠ ର ହସ ଧୀରେ ଧୀରେ କଳିକା ଓଠ କୁ ସଞ୍ଚରି ଯାଉଥିଲା……..।।


ବାରିପଦା, ମୟୁରଭଞ୍ଜ
ଦୂରଭାଷ : ୮୨୪୯୮୫୦୧୬୮

ମନ୍ତବ୍ୟ ରଖନ୍ତୁ: